ବାସି ରୁଟି ଓ ସ୍ବାସ୍ଥ୍ୟ
ସକାଳ ଜଳଖିଆକୁ ‘ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ’ ବୋଲି କୁହାଯାଏ। ଏହାର କାରଣ ହେଲା ଯେ, ରାତିରେ ଦୀର୍ଘ ସମୟ ଧରି ଆମେ କିଛି ଖାଇ ନ ଥାଉ। ଏଣୁ ଶରୀରରେ ରକ୍ତ ଶର୍କରା ସହିତ ଅଧିକାଂଶ ପୁଷ୍ଟିର ପରିମାଣ ହ୍ରାସ ପାଇଥାଏ। ସକାଳର ଜଳଖିଆ ଏସବୁର ଭରଣା କରେ। ଆମର ଶକ୍ତି ବୃଦ୍ଧି କରେ ଏବଂ ସଚେତନତା ବଢ଼ାଏ। ଏହାପରେ ଆମ ଶରୀରର ୟୋପୟନ ପ୍ରକ୍ରିୟା ଅଧିକ କ୍ରିୟାଶୀଳ ହୁଏ। ପୁନଶ୍ଚ ଅଧ୍ୟୟନରୁ ଜଣାପଡ଼ିଛି ଯେ, […] The post ବାସି ରୁଟି ଓ ସ୍ବାସ୍ଥ୍ୟ appeared first on Dharitri Odia News.
ସକାଳ ଜଳଖିଆକୁ ‘ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ’ ବୋଲି କୁହାଯାଏ। ଏହାର କାରଣ ହେଲା ଯେ, ରାତିରେ ଦୀର୍ଘ ସମୟ ଧରି ଆମେ କିଛି ଖାଇ ନ ଥାଉ। ଏଣୁ ଶରୀରରେ ରକ୍ତ ଶର୍କରା ସହିତ ଅଧିକାଂଶ ପୁଷ୍ଟିର ପରିମାଣ ହ୍ରାସ ପାଇଥାଏ। ସକାଳର ଜଳଖିଆ ଏସବୁର ଭରଣା କରେ। ଆମର ଶକ୍ତି ବୃଦ୍ଧି କରେ ଏବଂ ସଚେତନତା ବଢ଼ାଏ। ଏହାପରେ ଆମ ଶରୀରର ୟୋପୟନ ପ୍ରକ୍ରିୟା ଅଧିକ କ୍ରିୟାଶୀଳ ହୁଏ। ପୁନଶ୍ଚ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏହା ସୁସ୍ବାସ୍ଥ୍ୟ, ଉତ୍ତମ ସ୍ମରଣ ଶକ୍ତି ଓ ମନଯୋଗିତା ତଥା ଅପୂରଣଧାରୀ କୋଲେଷ୍ଟରଲ, ମଧୁମେହ, ହୃଦ୍ରୋଗ ଏବଂ ପୃ୍ଥୁଳତାର ଆଶଙ୍କା ହ୍ରାସ କରିବା ସହିତ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ। ସକାଳ ଜଳଖିଆ ଖାଇବାରେ ବିଳମ୍ବ ଘଟିଲେ ଶରୀର ଜୈବିକ ଛନ୍ଦ ବଦଳିଯିବା, ରକ୍ତ ଶର୍କରା (ଗ୍ଲୁକୋଜ) ହ୍ରାସ ଯୋଗୁ ମାଂସପେଶୀ ଓ ମସ୍ତିଷ୍କ ଉତ୍ତମ ରୂପେ କାର୍ଯ୍ୟ ନ କରିବା ଇତ୍ୟାଦି ଘଟିଥାଏ। ଏଣୁ ସକାଳେ ଆମେ ଠିକ୍ ସମୟରେ ଯଥେଷ୍ଟ ପରିମାଣର ଜଳଖିଆ ଖାଇବା ଉଚିତ। ଏଥିପାଇଁ ରୁଟି ଅତି ଉତ୍ତମ ବୋଲି ପୁଷ୍ଟିବିଜ୍ଞାନୀମାନଙ୍କର ମତ। କାରଣ ଖଣ୍ଡିଏ ୪୦ ଗ୍ରାମ୍ ଓଜନର ରୁଟିରେ ଥାଏ ପ୍ରାୟ ୩.୧ ଗ୍ରାମ୍ ପ୍ରୋଟିନ, ୧୮.୫ ଗ୍ରାମ୍ ଶ୍ୱେତସାର ଏବଂ ୩.୭ ଗ୍ରାମ୍ ଚର୍ବି। ତହିଁରୁ ମିଳୁଥିବା ୩୦୦ କ୍ୟାଲୋରିର ୬୨ ଶତାଂଶ ଶ୍ୱେତସାର, ୧୧ ଶତାଂଶ ପ୍ରୋଟିନ୍ ଏବଂ ୨୮ ଶତାଂଶ ଚର୍ବିରୁ ମିଳିଥାଏ। ତେବେ ଆଜିକାଲିର ବ୍ୟସ୍ତ ଜୀବନ ଭିତରେ ସବୁବେଳେ ଆମେ ତାହା ପ୍ରସ୍ତୁତ କରିବାକୁ ସମୟ ପାଉନା। ସେଥିପାଇଁ ରାତିରୁ ରୁଟି ତିଆରି କରି ସକାଳକୁ ରଖିଦେବା ଏକ ଉତ୍ତମ ବିକଳ୍ପ। ପୁନଶ୍ଚ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅଧିକ ଉପାଦେୟ।
ସାଧାରଣତଃ ବାସି ଖାଦ୍ୟକୁ ସ୍ବାସ୍ଥ୍ୟ ପାଇଁ ଅନୁପଯୋଗୀ ବୋଲି ମନେକରାଯାଏ। କାରଣ ସେଥିରେ ବିବିଧ ପୌଷ୍ଟିକ ଉପାଦାନମାନ ହ୍ରାସ ପାଇବା ସହିତ ନାନାଦି ବିଷାକ୍ତ ରସାୟନ ଏବଂ ରୋଗ ସୃଷ୍ଟି କରୁଥିବା ସୂକ୍ଷ୍ମ ଜୀବମାନ ଉତ୍ପନ ହେବାର ଆଶଙ୍କା ଅଧିକ ଥାଏ। କିନ୍ତୁ ବାସି ରୁଟି କ୍ଷେତ୍ରରେ ତାହା ଠିକ୍ ଓଲଟା। କାରଣ ଏହା ସଜ ରୁଟି ତୁଳନାରେ ଅଧିକ ଖାଦ୍ୟୋପଯୋଗୀ ବୋଲି ପ୍ରମାଣିତ ହୋଇଛି ନିମ୍ନୋକ୍ତ ତଥ୍ୟଗୁଡ଼ିକରୁ।
‘ଗ୍ଲାଇସେମିକ ଇଣ୍ଡେକ୍ସ’ ତୁଳନାତ୍ମକ ଭାବେ କମ୍। କାରଣ ରାତିରେ ତିଆରି କରି ରଖିଦେଲେ ସକାଳକୁ ରୁଟି ଶୀତଳ ହୋଇଯାଏ। ତା’ପରେ ଆମେ ତାକୁ ଗରମ କରି ଖାଉ। ଏହି ପ୍ରକ୍ରିୟାରେ ତହିଁରେ ଥିବା ଶ୍ୱେତସାରଗୁଡ଼ିକର ସଂରଚନା ବଦଳିଯାଏ। ଅତଏବ ଆମେ ଖାଇଲା ପରେ ତାହା ଶର୍କରାକୁ ରୂପାନ୍ତରିତ ହେବା ପ୍ରକ୍ରିୟା ମନ୍ଥର ହୋଇଯାଏ। ଏହା ବଳରେ ସେଥିରୁ ଉତ୍ପନ୍ନ ଗ୍ଲୁକୋଜ ଏକ ନିର୍ଦ୍ଦିଷ୍ଟ ହାରରେ ଧୀରେ ଧୀରେ ରକ୍ତରେ ମିଶେ। ଏଣୁ ତହିଁରେ ମାତ୍ରା ସ୍ଥିର ରହେ। ସେଥିପାଇଁ ମଧୁମେହ ରୋଗୀଙ୍କ ପାଇଁ ଏହା ଅଧିକ ଉପାଦେୟ।
ତିଆରି ହେଲା ପରେ ରୁଟିକୁ ଅଧିକ ସମୟ ଧରି ରଖିବା ଫଳରେ ତହିଁରେ ଜଟିଳ ଶ୍ୱେତସାରର ଆଂଶିକ ବିଘଟନ ଘଟେ। ଏଣୁ ତାହା ହଜମ କରିବା ସହଜ ହୁଏ। ସହଜରେ ଖାଦ୍ୟ ହଜମ କରି ପାରୁ ନ ଥିବା ଲୋକ ଏହା ଖାଇବା ଭଲ। ପୁନଶ୍ଚ ବାସି ରୁଟିରେ ଗ୍ଲୁଟେନ୍ କମ୍ ମାତ୍ରାରେ ଥାଏ। ଏହା ପାକସ୍ଥଳୀ ଉପରେ କମ୍ ଚାପ ଦିଏ। ଯେଉଁମାନେ ସଜ ରୁଟି ସହଜରେ ହଜମ କରିପାରନ୍ତି ନାହିଁ ସେମାନେ ଏହା ଖାଇବା ଉଚିତ। ଏପରିକି ‘ଗ୍ଲୁଟେନ୍ ଅସହିଷ୍ଣୁ’ ଲୋକେ ମଧ୍ୟ ଏଥିରୁ କିଛି ମାତ୍ରାରେ ଖାଇଲେ ଚଳିବ।
ବାସି ରୁଟି ‘ପୋବାଇଓଟିକ୍ସ’ର ଏକ ଉତ୍ତମ ଉତ୍ସ। ଏହା ଆମ ଅନ୍ତନଳୀରେ ଥିବା ଉପକାରୀ ଜୀବାଣୁ, ଭୂତାଣୁ, ଇଷ୍ଟ ଆଦି ସୂକ୍ଷ୍ମ ଜୀବମାନଙ୍କୁ ପ୍ରତିପୋଷଣ କରେ।
ରୁଟି ବାସି ହେବାକୁ ଲାଗିଲେ ତହିଁରେ ଚାଲିଥିବା କ୍ୱଣ୍ଟନ ପ୍ରକ୍ରିୟା ହେତୁ ବିବିଧ ଅତ୍ୟାବଶ୍ୟକ ସୂକ୍ଷ୍ମଜୀବମାନ ସୃଷ୍ଟି ହୁଅନ୍ତି। ଅନ୍ତନଳୀର ଜୈବ ପରିମାଣର ସନ୍ତୁଳନ ରକ୍ଷା, ହଜମ ପ୍ରକ୍ରିୟାକୁ ତ୍ୱରାନ୍ବିତ ପୁଷ୍ଟିର ଉତ୍ତମ ଶୋଷଣ ଏବଂ ଏପରିକି ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ଼ କରିବାରେ ଏହା ସାହାଯ୍ୟ କରେ।
ରୁଟି ବାସି ହେଲେ ମଧ୍ୟ ତାହାର ପୌଷ୍ଟିକତା ଅତୁଟ ରହିଥାଏ। ଅବଶ୍ୟ ଏହାଫଳରେ ଏଥିରେ ଥିବା କେତେକ ଭିଟାମିନ୍ କିଛି ମାତ୍ରାରେ ହ୍ରାସ ପାଏ। ତେବେ ମୋଟାମୋଟି ଭାବେ ଏହା ସଜ ରୁଟି ପରି ସମାନ ଭାବରେ ପୁଷ୍ଟିକର। ବାସି ରୁଟି ଖାଇଲେ ଏହା ସହଜରେ ହଜମ ହୋଇଥାଏ। ଫଳରେ ତହିଁରୁ ଶରୀରକୁ ପୁଷ୍ଟିଗୁଡ଼ିକ ସହଜରେ ପ୍ରାପ୍ତ ହୋଇଥାଏ।
ଏସବୁ ଦୃଷ୍ଟିରୁ ବିଚାର କଲେ ବାସି ରୁଟି ଆମ ସ୍ବାସ୍ଥ୍ୟ ପାଇଁ ଅଧିକ ଉପାଦେୟ। ତେବେ ତାହାକୁ ବେଶି ସମୟ ନ ରଖି ରାତିରେ ତିଆରି କରି ସକାଳେ ଖାଇବା ଉଚିତ। ଆମ ଆୟୁର୍ବେଦ ଶାସ୍ତ୍ରରେ ଏଥିପାଇଁ ଉପଦେଶ ରହିଛି। ତଦନୁଯାୟୀ ଏହା ବାତ, ପିତ୍ତ ଏବଂ କଫକୁ ନିୟନ୍ତ୍ରଣ କରେ। ମେଦବହୁଳତା ସମସ୍ୟା ସହ ଜଡିତ କି? ଯଦି ହଁ, ତେବେ ସକାଳେ ବାସି ରୁଟି ଖାଇଲେ ତାହା ଏଭଳି ସମସ୍ୟାରୁ କେତେକାଂଶରେ ମୁକ୍ତି ଦେଇଥାଏ। ତେଣୁ ସକାଳ ଜଳଖିଆରେ ବାସି ରୁଟିକୁ ଅଗ୍ରାଧିକାର ଦେଲେ ତାହା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।
ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦
ମୋ : ୯୯୩୭୩୦୧୪୬୦
The post ବାସି ରୁଟି ଓ ସ୍ବାସ୍ଥ୍ୟ appeared first on Dharitri Odia News.