ବିଏମ୍‌ସିକୁ ୪ର୍ଥ ଥର ଚିଠି ଲେଖିଲା ଏଡବ୍ଲ୍ୟୁବିଆଇ

ଭୁବନେଶ୍ୱର,୨୨।୩ (ବନ୍ଦନା ସେଠୀ): କୁକୁର ବନ୍ଧ୍ୟାକରଣ ବା ଆନିମଲ୍‌ ବାର୍ଥ କଣ୍ଟ୍ରୋଲ (ଏବିସି) କାର୍ଯ୍ୟକ୍ରମ ପାଇଁ ସଂସ୍ଥା ଚୟନରେ ବିଏମ୍‌ସି ଚଞ୍ଚକତା କରିଛି। ଏନେଇ ଆନିମଲ୍‌ ଓ୍ବେଲ୍‌ଫେୟାର୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ଏଡବ୍ଲ୍ୟୁବିଆଇ) ନିକଟରେ ଅଭିଯୋଗ ହେବାପରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ବୋର୍ଡ ପକ୍ଷରୁ ବିଏମ୍‌ସି କମିଶନରଙ୍କୁ ବାରମ୍ବାର ଚିଠି କରାଯାଇଛି। ୪ଥର ବୋର୍ଡ ଚିଠି କରିବା ସହ ଘଟଣାର ଯାଞ୍ଚ ଏବଂ ସମ୍ପୃକ୍ତ ସଂସ୍ଥା କରୁଥିବା ଏବିସି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ […] The post ବିଏମ୍‌ସିକୁ ୪ର୍ଥ ଥର ଚିଠି ଲେଖିଲା ଏଡବ୍ଲ୍ୟୁବିଆଇ appeared first on Dharitri Odia News.

ବିଏମ୍‌ସିକୁ ୪ର୍ଥ ଥର ଚିଠି ଲେଖିଲା ଏଡବ୍ଲ୍ୟୁବିଆଇ

ଭୁବନେଶ୍ୱର,୨୨।୩ (ବନ୍ଦନା ସେଠୀ): କୁକୁର ବନ୍ଧ୍ୟାକରଣ ବା ଆନିମଲ୍‌ ବାର୍ଥ କଣ୍ଟ୍ରୋଲ (ଏବିସି) କାର୍ଯ୍ୟକ୍ରମ ପାଇଁ ସଂସ୍ଥା ଚୟନରେ ବିଏମ୍‌ସି ଚଞ୍ଚକତା କରିଛି। ଏନେଇ ଆନିମଲ୍‌ ଓ୍ବେଲ୍‌ଫେୟାର୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ଏଡବ୍ଲ୍ୟୁବିଆଇ) ନିକଟରେ ଅଭିଯୋଗ ହେବାପରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ବୋର୍ଡ ପକ୍ଷରୁ ବିଏମ୍‌ସି କମିଶନରଙ୍କୁ ବାରମ୍ବାର ଚିଠି କରାଯାଇଛି। ୪ଥର ବୋର୍ଡ ଚିଠି କରିବା ସହ ଘଟଣାର ଯାଞ୍ଚ ଏବଂ ସମ୍ପୃକ୍ତ ସଂସ୍ଥା କରୁଥିବା ଏବିସି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ମାତ୍ର ଏହାପରେ ବି ବିଏମ୍‌ସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ବିଏମ୍‌ସିର ଏପରି ବେଖାତିର ମନୋଭାବ ତଥା ଏଡବ୍ଲ୍ୟୁବିଆଇ ପରି କେନ୍ଦ୍ରୀୟ ସଂସ୍ଥାର ନିର୍ଦ୍ଦେଶକୁ ମାନୁ ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଦୁଇଥର ଚିଠି ପରେ ଏଡବ୍ଲ୍ୟୁବିଆଇ ଫେବୃଆରୀ ୨୮ରେ କରିଥିବା ତୃତୀୟ ଚିଠିରେ ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ବି ବିଏମ୍‌ସି କୌଣସି ପଦକ୍ଷେପ ଗ୍ରହଣ କରିଥିବା ନେଇ ରିପୋର୍ଟ ଦେଇନାହିଁ। ତେଣୁ ପୁନର୍ବାର ମାର୍ଚ୍ଚ ୧୮ ତାରିଖରେ ଚିଠି କରାଯାଇ ୭ଦିନ ମଧ୍ୟରେ ଯାଞ୍ଚ ରିପୋର୍ଟ ଦେବାକୁ କୁହାଯାଇଛି। ଏଥିସହ ବିଏମ୍‌ସିରେ କୁକୁର ବନ୍ଧ୍ୟାକରଣ କରୁଥିବା ମହାରାଷ୍ଟ୍ରର ସଂସ୍ଥା ଭେଟ୍‌ ଫର୍‌ ଆନିମଲ୍‌କୁ ପ୍ରକଳ୍ପ ମାନ୍ୟତା ଦିଆଯାଇ ନ ଥିବାରୁ ତୁରନ୍ତ ଏହାର କାର୍ଯ୍ୟକ୍ରମକୁ ବାତିଲ୍‌ କରିବାକୁ ନିର୍ଦ୍ଦେଶ ରହିଛି। ମାର୍ଚ୍ଚ ୧୯ରେ ଚିଫ୍‌ ଡିଷ୍ଟ୍ରିକ୍ଟ ଭେଟେରିନାରି ଅଧିକାରୀ ବିଏମ୍‌ସିର ଡେପୁଟି କମିଶନର (ଏବିସି)ଙ୍କୁ ଚିଠି କରି ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ କୁହାଯାଇଛି। ତେବେ ବାରମ୍ବାର ନିର୍ଦ୍ଦେଶ ଦେବା ସହ ଯାଞ୍ଚ ରିପୋର୍ଟ ମଗାଯାଉଥିଲେ ବି ବିଏମ୍‌ସି କର୍ତ୍ତୃପକ୍ଷ କାହିଁକି ଏ ଦିଗରେ ନୀରବତା ଅବଲମ୍ବନ କରୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣା ନେଇ ବିଏମ୍‌ସି କମିଶନର ରାଜେଶ୍‌ ପ୍ରଭାକର ପାଟିଲ୍‌ଙ୍କୁ ପଚାରିବାରୁ ସେ କହିଛନ୍ତି, ସମ୍ପୃକ୍ତ ସଂସ୍ଥା ପ୍ରକଳ୍ପ ମଞ୍ଜୁର ପାଇଁ ଆବେଦନ କରିଛି, ତେଣୁ ପୂର୍ବରୁ ହିଁ ତାକୁ କାମ ପାଇଁ ଟେଣ୍ଡର ମିଳିଛି। ସେମାନଙ୍କର କାମ ଠିକ୍‌ ଅଛି, ସେଥିରେ କୌଣସି ଅସୁବିଧା ନାହିଁ। କେବେ ସେମାନଙ୍କୁ ଅନୁମତି ମିଳିବ, କି ରିଜେକ୍ଟ ହେବ ଦେଖାଯିବ। ଯଦି ସେମାନଙ୍କ ଆବେଦନ ରିଜେକ୍ଟ ହେଲା ତେବେ ତାଙ୍କୁ କାମରୁ ବାହାର କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ସମ୍ପୃକ୍ତ ସଂସ୍ଥାର ଅନୁମୋଦନ ସାର୍ଟିଫିକେଟ୍‌ ନ ଥିବା ଏବଂ ଏହା ଆନିମଲ୍‌ ବାର୍ଥ କଣ୍ଟ୍ରୋଲ ରୁଲ୍‌ ୨୦୨୩କୁ ଉଲ୍ଲଂଘନ କରୁଥିବା ନେଇ ପିପୁଲ୍‌ ଫର୍‌ ଆନିମଲ୍‌ର ସନ୍ତୋଷ ଦାସ ଏବଂ ଜୀବନ ବଲ୍ଲଭ ଦାସ ୨୦୨୩ ମେ’ ୧୬ରେ ଏଡବ୍ଲ୍ୟୁବିଆଇରେ ଅଭିଯୋଗ କରିଥିଲେ। ଏହାର ଉତ୍ତରରେ ଏଡବ୍ଲ୍ୟୁବିଆଇ ପକ୍ଷରୁ ବିଏମ୍‌ସି କମିଶନରଙ୍କୁ ଏକ ଚିଠି ଜାରି କରାଯାଇଥିଲା। ଅଭିଯୋଗ ହୋଇଥିବା ସଂସ୍ଥା ପାଖରେ ଏବିସି କାର୍ଯ୍ୟକ୍ରମ କରିବାକୁ ଅନୁମୋଦନ ଅଛି କି ନାହିଁ ତାହା ତଦାରଖ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଦି ଅନୁମୋଦନ ନାହିଁ ତେବେ ୬ମାସ ମଧ୍ୟରେ ସ୍ବୀକୃତୀ ପାଇଁ ଆବେଦନ କରିବାକୁ ମଧ୍ୟ କୁହାଯାଇଥିଲା। ମାତ୍ର ତତ୍‌କାଳୀନ ବିଏମ୍‌ସି କମିଶନର ଏହାକୁ ଅଣଦେଖା କରିବା ସହ କୌଣସି ରିପୋର୍ଟ ଦେଇ ନ ଥିଲେ। ପରେ ଫେବୃଆରୀ ୧୩ ଏବଂ ପରେ ୨୮ରେ ଚିଠି କରାଯାଇଥିଲା। ଏହାର କୌଣସି ଉତ୍ତର ମିଳି ନ ଥିବାରୁ ପୁନର୍ବାର ୧୮ରେ ଚିଠି କରାଯାଇଛି।

The post ବିଏମ୍‌ସିକୁ ୪ର୍ଥ ଥର ଚିଠି ଲେଖିଲା ଏଡବ୍ଲ୍ୟୁବିଆଇ appeared first on Dharitri Odia News.