ବିଜେଡିରେ ମିଶିଲେ କଂଗ୍ରେସ ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା
ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ କଂଗ୍ରେସ ଟିକେଟରେ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ପାଞ୍ଚ ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଆଜି ବିଜେଡିରେ ମିଶିଛନ୍ତି। ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ବିଧାୟକ ପ୍ରତାପ ଜେନା ଓ ଶଶିଭୂଷଣ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଗଣେଶ୍ୱର ବେହେରା ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି।
ବିଜେଡିରେ ଯୋଗ ଦେବା ପରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ଓଡ଼ିଶାର ବିକାଶରେ ନିଜର ସାମାନ୍ୟତମ ଅବଦାନ ରଖିବା ପାଇଁ ଓ କେନ୍ଦ୍ରାପଡ଼ାର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ମୁଁ ବିଜେଡିରେ ସାମିଲ ହୋଇଛି।
କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ବିଜେଡି ଗଣେଶ୍ୱର ବେହେରାଙ୍କୁ ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ଶଶିଭୂଷଣ ବେହେରା ଏବେ କେନ୍ଦ୍ରାପଡ଼ା ବିଧାୟକ ଅଛନ୍ତି। ତାଙ୍କୁ ଦଳ ଏଥର ସେଠାରୁ ଟିକେଟ ନଦେଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ଗଣେଶ୍ୱର ବେହେରାଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱକୁ ନେଇ କେନ୍ଦ୍ରାପଡ଼ା ବିଜେଡିରେ ବିଦ୍ରୋହ ଦେଖାଯାଇଛି। ବିଜେଡି ବିଧାୟକ ପ୍ରାର୍ଥୀ ଆଶାୟୀମାନେ ଏନେଇ ଦଳୀୟ ନେତୃତ୍ୱଙ୍କୁ ଚେତାବନୀ ଦେଇସାରିଛନ୍ତି। ଦଳ ଭିତରୁ ସ୍ଥାନୀୟ ଅଞ୍ଚଳର ଯେକୌଣସି ନେତାଙ୍କୁ ପ୍ରାର୍ଥୀ କରିବାକୁ ସେମାନେ ଦାବି କରିଛନ୍ତି।
ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ କଂଗ୍ରେସ ଟିକେଟରେ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ରୁ ୧୯୯୦ ଓ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ସେ ବିଧାନସଭାର ସଦସ୍ୟ ରହିଥିଲେ। ୨୦୦୦ ଓ ୨୦୦୪ରେ ସେ ପଟ୍ଟାମୁଣ୍ଡାଇରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ୨୦୦୯, ୨୦୧୪ ଓ ୨୦୧୯ରେ ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ।
କଂଗ୍ରେସରୁ ଇସ୍ତଫା ଦେବା ପରେ ଗଣେଶ୍ୱର ବେହେରା କହିଥିଲେ, ୨୪ ନିର୍ବାଚନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏ ନିର୍ବାଚନ ଜିତିବାକୁ ପଡ଼ିବ। ବିଧାନସଭା ଯିବା ଲକ୍ଷ୍ୟ ପୂରଣ ପାଇଁ ଏହି ନିଷ୍ପତ୍ତି ନେଇଛି। କଂଗ୍ରେସରେ ରହି ବିଧାନସଭା ଯିବା ନେଇ ଆଶଙ୍କା ସୃଷ୍ଟି ହେଲା। ସମସ୍ତଙ୍କ ପରାମର୍ଶ ଓ ବହୁ ଆଲୋଚନା ପରେ ଏହି ପଦକ୍ଷେପ ନେଲି।