ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଜମିରେ ପାଣି ମଡ଼ାଉଥିବା ବେଳେ ଗୁଳି କରିଥିଲେ ଦୁର୍ବୃତ୍ତ।

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ବିହାରର ଶେଖପୁରାରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ସୁରେନ୍ଦ୍ର କେୱାତ। ତାଙ୍କୁ ୫୨ ବର୍ଷ ହୋଇଥିଲା। ପୂର୍ବରୁ ସେ ପୁନପୁନର ବିଜେପି କୃଷକ ମୋର୍ଚ୍ଚା ସଭାପତି ଥିଲେ।

ଶନିବାର ରାତିରେ ବିହଟା-ସରମେରା ରାଜ୍ୟ ରାଜପଥ-୭୮ କଡ଼ରେ ଥିବା ନିଜ ଜମିରେ ସୁରେନ୍ଦ୍ର ପାଣି ମଡ଼ାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।

ପୁଲିସର ସୂଚନା ଅନୁଯାୟୀ, ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନେ ସୁରେନ୍ଦ୍ରଙ୍କ ଉପରକୁ ଏକାଧିକ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ।

ଗୁଳିମାଡ଼ ଶବ୍ଦ ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ସେମାନେ ତାଙ୍କୁ ଉଦ୍ଧାର କରି ପାଟନା ସ୍ଥିତ ଏମ୍‌ସକୁ ନେଇଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା।

ପୁଲିସ ଘଟଣାର ତଦନ୍ତ କରୁଛି। କିଏ ଓ କାହିଁକି ସୁରେନ୍ଦ୍ରଙ୍କୁ ଗୁଳି କରି ହତ୍ୟା କଲେ, ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ଗୋପାଳ ରବିଦାସ। ଏନେଇ ସେ ମୃତକଙ୍କ ପରିବାରକୁ ଭେଟି ଆଶ୍ୱସନା ମଧ୍ୟ ଦେଇଛନ୍ତି। ଏହା ସହିତ ତାଙ୍କ ଅଞ୍ଚଳରେ ବିଭିନ୍ନ ପ୍ରକାର ଅପରାଧ ବଢୁଥବାରୁ ଜିନ୍ତା ପ୍ରକଟ କରିଛନ୍ତି ବିଧାୟକ ଗୋପାଳ ରବିଦାସ।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ। ସେ କହିଛନ୍ତି, ଆଉ ଏବେ ବିଜେପି ନେତାଙ୍କୁ ପାଟନାରେ ଗୁଳି କରି ହତ୍ୟା କରାଯାଇଛି। କିଏ କାହାକୁ କ’ଣ କହିବେ? ଏନ୍‌ଡିଏ ସରକାରରେ କେହି ଅଛନ୍ତି ଯିଏ ସତ ଶୁଣିବାକୁ ଇଚ୍ଛା ରଖୁଛନ୍ତି ବା ସେମାନଙ୍କ ଭୁଲ୍‌କୁ ସ୍ୱୀକାର କରିବାକୁ ପ୍ରସ୍ତୁତ ଅଛନ୍ତି?

ଏହା ସହିତ ବିହାରର ଉପ-ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ତେଜସ୍ୱୀ। ସେ କହିଛନ୍ତି, ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିଛନ୍ତି। କିନ୍ତୁ ବିଜେପିର ଦୁଇ ଦୁଇ ଜଣ ଅଯୋଗ୍ୟ ଉପ-ମୁଖ୍ୟମନ୍ତ୍ରୀ କ’ଣ କରୁଛନ୍ତି?

ଗୋପାଳ ଖେମକା ହତ୍ୟାକାଣ୍ଡ

ଏହି ଘଟଣା ଘଟିବାର ସପ୍ତାହେ ପୂର୍ବରୁ ପାଟନାର ବିଶିଷ୍ଟ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗାନ୍ଧୀ ମଇଦାନ ନିକଟସ୍ଥ ତାଙ୍କ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁଲିସ ଗୁଳିରେ ନିହତ ହୋଇଛ। ବିହାରରେ ଲଗାତାର ଏମିତି ଘଟଣା ଘଟୁଥିବାରୁ ଓ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଏହା ସରକାରଙ୍କୁ ଅଡୁଆରେ ପକାଇବ ବୋଲି କୁହାଯାଉଛି।