ବିଜେପି ନେତାଙ୍କୁ ହତ୍ୟା ମାମଲା,୧୫ ଜଣ PFI ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ
ବିଜେପି ନେତା ରଞ୍ଜିତ ଶ୍ରୀନିବାସନଙ୍କ ହତ୍ୟା ମାମଲାରେ ୧୫ ଜଣ PFI ସଦସ୍ୟଙ୍କୁ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି ମାଭିଲିକାରା ସେସନ୍ କୋର୍ଟ।
କେରଳ ରାଜ୍ୟ ବିଜେପି ନେତା ରଞ୍ଜିତ୍ ଶ୍ରୀନିବାସନଙ୍କ ହତ୍ୟା ମାମଲାରେ ୧୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ। କେରଳ ଅଲପୁଝାରେ ବିଜେପି ନେତା ରଞ୍ଜିତ ଶ୍ରୀନିବାସନଙ୍କ ହତ୍ୟା ମାମଲାରେ ୧୫ ଜଣ PFI ସଦସ୍ୟଙ୍କୁ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି ମାଭିଲିକାରା ସେସନ୍ କୋର୍ଟ। ଏହି ମାମଲାରେ ତୁରନ୍ତ ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି।
୧୯ ଡିସେମ୍ବର ୨୦୨୧ରେ ଶ୍ରୀନିବାସନଙ୍କୁ ତାଙ୍କ ଘରେ ସ୍ତ୍ରୀ ଓ ଛୁଆ ଆଗରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ଯେତେ ହୃଦୟବିଦାରକ ଥିଲା ସେତେ ବିବାଦୀୟ ବି। ଏହି ଘଟଣାରେ ମୋଟ ୧୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍। କେରଳର ଏହି ହତ୍ୟା ସାରା ଦେଶକୁ ଦୋହଲାଇ ଦେଇଥିଲା। ରଞ୍ଜିତ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସମ୍ପାଦକ ଥିଲେ।
ଏହି ଗୋଟିଏ ଘଟଣା ନୁହେଁ କେରଳରେ ଏକାଧିକ ବିଜେପି ନେତା ଓ କର୍ମୀଙ୍କୁ ହତ୍ୟା ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି। ତେବେ ଆଜି କୋର୍ଟଙ୍କ ଏଭଳି ଆଦେଶ ପରେ ରଞ୍ଜିତ ଶ୍ରୀନିବାସନଙ୍କ ଆତ୍ମାକୁ ଶାନ୍ତି ମିଳିଛି ବୋଲି କହିଛନ୍ତି ଶ୍ରୀନିବାସଙ୍କ ପରିବାର।