ବିଜେପିକୁ ବଡ଼ ଝଟ୍‌କା: ପଦ୍ମ ଛାଡି ସଙ୍ଗେ ସଙ୍ଗେ ହାତ ଧରିଲେ ସାଂସଦ

ବିଜେପିରୁ ଇସ୍ତଫା ଦେବାର କିଛି ସମୟ ପରେ ହିଁ କଂଗ୍ରେସରେ ସାମିଲ ହୋଇଛନ୍ତି ବିଜେନ୍ଦ୍ର।

ବିଜେପିକୁ ବଡ଼ ଝଟ୍‌କା: ପଦ୍ମ ଛାଡି ସଙ୍ଗେ ସଙ୍ଗେ ହାତ ଧରିଲେ ସାଂସଦ

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଲାଗିଛି ବଡ଼ ଝଟ୍‌କା। ହରିୟାଣା ବିଜେପିର ସାଂସଦ ବିଜେନ୍ଦ୍ର ସିଂହ ଦଳରୁ ଇସ୍ତଫା ଦେଇଛନ୍ତି। ହିସାର ଲୋକସଭା ଆସନରୁ ବିଜେପି ସାଂସଦ ଥିବା ବ୍ରିଜେନ୍ଦ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଖୋଦ୍ ସୋଶାଲ ମିଡିଆରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।

ମାଇକ୍ରୋ ବ୍ଲଗିଂ ସାଇଟ୍ 'X'ରେ ଟୁଇଟ୍ କରି ବ୍ରିଜେନ୍ଦ୍ର ଲେଖିଛନ୍ତି ଯେ, ରାଜନୈତିକ କାରଣ ହେତୁ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି। ସାଂସଦ ଭାବେ ସେବା କରିବାର ଅବସର ଦେଇଥିବାରୁ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ତେବେ ବିଜେପିରୁ ଇସ୍ତଫା ଦେବାର କିଛି ସମୟ ପରେ ହିଁ କଂଗ୍ରେସରେ ସାମିଲ ହୋଇଛନ୍ତି ବିଜେନ୍ଦ୍ର। ସେ ନିଜ ବାପା ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିରେନ୍ଦ୍ର ସିଂହଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କ ଘରକୁ ଯାଇ ତାଙ୍କୁ ଭେଟିଛନ୍ତି। ତାଙ୍କୁ ଭେଟିବା ପରେ ବିଜେନ୍ଦ୍ର ସିଂହ କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି। ସେପଟେ ବିଜେନ୍ଦ୍ର ସିଂହଙ୍କ ଏଭଳି କଂଗ୍ରେସରେ ସାମିଲ ହେବା ବିଜେପି ପାଇଁ ବଡ ଝଟ୍‌କା ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ହିସାରରୁ ଲୋକସଭା ନିର୍ବାଚନ ଜିତିଥିବା ସାଂସଦ ବ୍ରିଜେନ୍ଦ୍ର ସିଂହ ବିଜେପିରେ ନିଜର ଭବିଷ୍ୟତକୁ ନେଇ ଆଶଙ୍କାରେ ଥିଲେ। ଦଳ ତାଙ୍କୁ ଏଥର ଟିକେଟ୍ ଦେଇନପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ତେଣୁ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ହିଁ ସେ କଂଗ୍ରେସରେ ସାମିଲ ହୋଇଛନ୍ତି। ଗତ ସାଧାରଣ ନିର୍ବାଚନରେ ସେ ଜେଜେପିର ଦୁଷ୍ମନ୍ତ ଚୌଟାଲାଙ୍କୁ ହରାଇଥିଲେ। ଆଉ ବିଜେପି ସାଂସଦ ଭାବେ ନିର୍ବାଚିତ ହେଇଥିଲେ।