ବିଦାହେବେ ବର୍ଷ ବର୍ଷ ଧରି ନିଖୋଜ ଥିବା ଡାକ୍ତର, ସ୍ୱାସ୍ଥ୍ୟ ବିଭାଗର କଠୋର ଆଭିମୁଖ୍ୟ
ଭୁବନେଶ୍ୱର : ଗୋଟିଏ ପଟେ ରାଜ୍ୟରେ ଡାକ୍ତରଙ୍କ ଘୋର ଅଭାବ ରହିଛି, ବିନା ଅନୁମତିରେ ଶତାଧିକ ଡାକ୍ତର ଦୀର୍ଘ ଦିନ ହେଲା କାର୍ଯ୍ୟରେ ଅନୁପସ୍ଥିତ। ବର୍ଷ ବର୍ଷ ଧରି ସମାନ ସ୍ଥିତି ଲାଗି ରହିଛି। କିନ୍ତୁ ଦୀର୍ଘ ଦିନ ଧରି ବିନା ଛୁଟିରେ ଅନୁପସ୍ଥିତ ରହିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଉଛି। ପର୍ଯ୍ୟାୟକ୍ରମେ ସେମାନଙ୍କୁ କାର୍ଯ୍ୟରୁ ବିଦା କରାଯିବ। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ କରିଛି। ବିଧାନସଭାର ଶୀତକାଳୀନ ଅଧିବେଶନରେ […]

ଭୁବନେଶ୍ୱର : ଗୋଟିଏ ପଟେ ରାଜ୍ୟରେ ଡାକ୍ତରଙ୍କ ଘୋର ଅଭାବ ରହିଛି, ବିନା ଅନୁମତିରେ ଶତାଧିକ ଡାକ୍ତର ଦୀର୍ଘ ଦିନ ହେଲା କାର୍ଯ୍ୟରେ ଅନୁପସ୍ଥିତ। ବର୍ଷ ବର୍ଷ ଧରି ସମାନ ସ୍ଥିତି ଲାଗି ରହିଛି। କିନ୍ତୁ ଦୀର୍ଘ ଦିନ ଧରି ବିନା ଛୁଟିରେ ଅନୁପସ୍ଥିତ ରହିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଉଛି। ପର୍ଯ୍ୟାୟକ୍ରମେ ସେମାନଙ୍କୁ କାର୍ଯ୍ୟରୁ ବିଦା କରାଯିବ। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ କରିଛି।
ବିଧାନସଭାର ଶୀତକାଳୀନ ଅଧିବେଶନରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ରାଜ୍ୟରେ ଏବେ ୧୯୬ ଜଣ ଡାକ୍ତର ବିନା ଅନୁମତିରେ ଦୀର୍ଘ ଦିନ ହେଲା କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି ଏବଂ ବିଧି ବ୍ୟବସ୍ଥା ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ବାସ୍ତବତା ହେଲା ସରକାରଙ୍କ ଅଗୋଚରରେ ଶତାଧିକ ଡାକ୍ତର ବର୍ଷ ବର୍ଷ ଧରି ଅନୁପସ୍ଥିତ ଅଛନ୍ତି। ସେମାନଙ୍କ ଖୋଜ ଖବର ସ୍ୱାସ୍ଥ୍ୟ ବିଭାଗ ପାଖରେ ନାହିଁ। କିଏ ମାସେ ପାଇଁ ଛୁଟି ନେଇ ଯାଇଛନ୍ତି ତ ଆଉ ଫେରି ନାହାନ୍ତି। ଆଉ କେହି ବିନା କୌଣସି ସୂଚନାରେ ହଠାତ୍ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି। ବିଭାଗ କେବଳ ତାଙ୍କ ଠିକଣାରେ ଚିଠି ପଠାଇ କାର୍ଯ୍ୟରେ ଯୋଗଦେବା ପାଇଁ ତାଗିଦ୍ କରି ଆସୁଛ; ହେଲେ ସେମାନଙ୍କୁ କିଛି ଫରକ ପଡୁନାହିଁ।
କେବଳ ସରକାରୀ ଚାକିରିରେ ସେମାନଙ୍କ ନାଁ ଗଡୁଛି। ରାଜ୍ୟରେ ହଜାର ହଜାର ଡାକ୍ତର ପଦବୀ ଖାଲି ଥିବାବେଳେ ଦୁଇ ଶହ ଡାକ୍ତରଙ୍କ ଅନୁପସ୍ଥିତି କିଛି ବଡ଼ କଥା ନୁହେଁ। କିନ୍ତୁ ଆବଶ୍ୟକତା ଏତେ ଯେ ଜଣେ ଡାକ୍ତରଙ୍କ କାର୍ଯ୍ୟରେ ଯୋଗଦାନ ବହୁତ ବଡ଼ ପ୍ରଭାବ ପକାଇଥାଏ। ହେଲେ ଦୀର୍ଘ ଦିନ ଧରି ନିରବ ରହିବା ପରେ ନିଖୋଜ ଡାକ୍ତରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛି ବିଭାଗ। କିନ୍ତୁ ଏହା ବି ଦେଖା ଯାଇଛି ଯେ ବର୍ଷ ବର୍ଷ ଧରି ଅନୁପସ୍ଥିତ ଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ସେମାନେ ଏହା ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହେଉଛନ୍ତି। ଫଳରେ ବିଭାଗକୁ ଆଇନଗତ ଝାମେଲା ମୁଣ୍ଡାଇବାକୁ ହେଉଛି।
ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, ଯେଉଁମାନେ ବାରମ୍ବାର କହିବା ପରେ ବି କାର୍ଯ୍ୟରେ ଯୋଗ ଦେଉନାହାନ୍ତି ସେମାନଙ୍କୁ ବହିଷ୍କାର କରାଯାଉଛି, ଆର୍ଥିକ ପ୍ରାପ୍ୟ ବନ୍ଦ କରାଯାଉଛି। କିନ୍ତୁ ଏହା ପୂର୍ବରୁ ଆମକୁ ସବୁ ଦିଗରୁ ବିଚାର କରି ପଦକ୍ଷେପ ନେବାକୁ ହେବ, ଯଦ୍ଦ୍ୱାରା କୋର୍ଟକଚେରି ମାମଲା ଠାରୁ ବିଭାଗ ଦୂରେଇ ରହିବ। ସେଥିପାଇଁ ଏକ ସମୟରେ ଏତେ ସଂଖ୍ୟକ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହଜ ହେଉନାହିଁ। ତେବେ ପର୍ଯ୍ୟାୟକ୍ରମେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ସାଧାରଣତଃ ଡାକ୍ତରମାନେ ୬୫ ବର୍ଷ ପର୍ଯ୍ୟନ୍ତ ସରକାରୀ ଚାକିରିରେ ରହିବାକୁ ଚାହୁଁନାହାନ୍ତି। ସରକାରୀ ଡ୍ୟୁଟିରେ କେବଳ ରୋଗୀ ସେବା ନୁହେଁ; ଅନେକ କାଗଜପତ୍ର ଦାୟିତ୍ୱ ବି ରହୁଛି। ଯଦି କିଛି ଅଘଟଣ କିମ୍ବା ବିବାଦ ହେଲା, ତା’ହେଲେ ତଦନ୍ତ ଝାମେଲା ବି ମୁଣ୍ଡାଇବାକୁ ପଡୁଛି। ଏପରିସ୍ଥଳେ ଅନେକ ଡାକ୍ତର ଅବସର ବୟସ ହ୍ରାସ କରିବା ପାଇଁ ଦାବି କରି ଆସୁଛନ୍ତି।