ବିବେକର ପ୍ରସ୍ଥାନ; ବିଳାସର ପ୍ରବେଶ
ଜଣେ ବକ୍ତା ଉପନିଷଦରୁ ଦୁଇଟି ଶ୍ଳୋକ ଉଦ୍ଧାର କରି ଦର୍ଶାଇଲେ ଯେ, ଭାରତୀୟ ସମାଜରେ ବିଳାସ ପ୍ରବେଶ କରିନାହିଁ। ବକ୍ତାଙ୍କର ଏହି ଉକ୍ତିଟିକୁ ଆଲୋଚନା ପରିସରକୁ ଆଣିଲେ ଆମେ କେବଳ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିବା ଯେ, ବିଳାସ କେବଳ ଭାରତୀୟ ସମାଜରେ ନୁହେଁ, ବରଂ ପୃଥିବୀର ସବୁରାଷ୍ଟ୍ରର ସମାଜରେ ପ୍ରବେଶ କରିସାରିଛି। ସକାଳ ଆଉ ସନ୍ଧ୍ୟା ସମୟର ସୂର୍ଯ୍ୟ, ପୁନେଇଁ ରାତିର ଜହ୍ନ, ଶରତ ଋତୁର ଆକାଶକୁ ଚାହୁଁ ନ ଥିବା, କେବେକେମିତି ଚାହିଁଲେ ବି ଖୁସି […]

ଜଣେ ବକ୍ତା ଉପନିଷଦରୁ ଦୁଇଟି ଶ୍ଳୋକ ଉଦ୍ଧାର କରି ଦର୍ଶାଇଲେ ଯେ, ଭାରତୀୟ ସମାଜରେ ବିଳାସ ପ୍ରବେଶ କରିନାହିଁ। ବକ୍ତାଙ୍କର ଏହି ଉକ୍ତିଟିକୁ ଆଲୋଚନା ପରିସରକୁ ଆଣିଲେ ଆମେ କେବଳ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିବା ଯେ, ବିଳାସ କେବଳ ଭାରତୀୟ ସମାଜରେ ନୁହେଁ, ବରଂ ପୃଥିବୀର ସବୁରାଷ୍ଟ୍ରର ସମାଜରେ ପ୍ରବେଶ କରିସାରିଛି।
ସକାଳ ଆଉ ସନ୍ଧ୍ୟା ସମୟର ସୂର୍ଯ୍ୟ, ପୁନେଇଁ ରାତିର ଜହ୍ନ, ଶରତ ଋତୁର ଆକାଶକୁ ଚାହୁଁ ନ ଥିବା, କେବେକେମିତି ଚାହିଁଲେ ବି ଖୁସି ହେଉ ନ ଥିବା ଅଥଚ ମେଟ୍ରୋ ସହରରେ ନିଜ ଘରର ଅନ୍ତଃସଜ୍ଜାରେ ପ୍ରଚୁର ଅର୍ଥ ବ୍ୟୟ କରି ବାତାନୁକୁଳିତ ଅଟ୍ଟାଳିକାର ରଙ୍ଗୀନ ଚଟାଣ, କାନ୍ଥ, ଛାତ; ଚାରିପଟେ ଝଟକୁଥିବା ରଙ୍ଗୀନ ଆଲୁଅ, ଆସବାବପତ୍ର; ଟି.ଭି, ଫେସ୍ବୁକ୍, ହ୍ୱାଟ୍ସ୍ଅପ୍, ୟୁଟ୍ୟୁବ୍ରେ ରଙ୍ଗୀନ ଛବି ଇତ୍ୟାଦିକୁ ନିରନ୍ତର ଚାହିଁ ଖୁସି ହେଉଥିବା କିଛି ମଣିଷ ନେତ୍ର-ବିଳାସରେ ମଗ୍ନ ସାରା ପୃଥିବୀରେ। ସେପରି ରଙ୍ଗମୟ ଘର ଭିତରେ ମୋବାଇଲ୍ ଫୋନ୍ ବା କମ୍ପ୍ୟୁଟର ଧରି କିଛି ପୁରୁଷ ପର ନାରୀକୁ, କିଛି ନାରୀ ପର ପୁରୁଷକୁ ଅଶାଳୀନ ବାର୍ତ୍ତା୍ ପଠାଇ ଏକ ବିଚିତ୍ର ଯୌନ-ବିଳାସରେ ମଗ୍ନ। କବିତା, ପ୍ରବନ୍ଧ, ସ୍ତମ୍ଭ ଲେଖୁଥିବା କିଛି ଲୋକ ନିଜର ଲେଖାଗୁଡ଼ିକୁ ଅବୋଧ୍ୟ ଅଦରକାରୀ ତତ୍ତ୍ୱ, ଭାବଶୂନ୍ୟ ଶୁଷ୍କ ଭାଷାରେ ଭାରାକ୍ରାନ୍ତ କରି ନିଜ ଘରର ଚାରିକାନ୍ଥ ଭିତରେ ବୌଦ୍ଧିକ ବିଳାସରେ ମଗ୍ନ। କିଛି ସୁସ୍ଥ, ସବଳ ଲୋକ ଘରେ ସଫାସଫି, ରୋଷେଇ ଭଳି ଶାରୀରିକ ଶ୍ରମ କରିବାକୁ ସକ୍ଷମ ଥିଲେ ବି ପାରିବାରିକ ଆଭିଜାତ୍ୟକୁ ବନ୍ଧୁ, ପ୍ରତିବେଶୀଙ୍କ ଆଖିରେ ପ୍ରଦର୍ଶନ କରିବାକୁ ଘର-କାମ ପାଇଁ ଶ୍ରମିକ ନିଯୁକ୍ତ କରି ଅହଂ-ବିଳାସରେ ମଗ୍ନ। ‘ଗୋରା ବର, ଗୋରୀ କନ୍ୟା ଆବଶ୍ୟକ’ ବୋଲି ବିବାହ-ବିଜ୍ଞାପନ ପ୍ରକାଶ କରୁଥିବା କିଛି ଲୋକ, ଏପରିକି ପରିସଂଖ୍ୟାନ ଅନୁଯାୟୀ ଗୋରା ଦେଖାଯିବା ପାଇଁ ଗୋଟିଏ ବର୍ଷରେ ଗୋଟେ କମ୍ପାନୀର ୨୩୩ଟନ୍ ପ୍ରସାଧାନ ଉତ୍ପାଦ ବ୍ୟବହାର କରିଥିବା କିଛି ଭାରତୀୟ ସୌନ୍ଦର୍ଯ୍ୟ-ବିଳାସରେ ମଗ୍ନ। ଚାଲିବା, ସାଇକେଲ୍ ଚଳାଇବାକୁ ସକ୍ଷମ ଥାଇ ବି ଘରୁ ବାହାରକୁ ଆସିବା ମାତ୍ରେ ଅଧ କିଲୋମିଟର ବାଟ ଯିବା ପାଇଁ ଚାରିଚକିଆ ଗାଡ଼ି ବ୍ୟବହାର କରୁଥିବା କିଛି ଲୋକ ଖ୍ୟାତି-ବିଳାସରେ ମଗ୍ନ।
ଜୀବାଶ୍ମ ବିଶେଷଜ୍ଞମାନଙ୍କ ମତରେ, ମଣିଷ-ଜାତି ଦେଢ଼ନିୟୁତ ବର୍ଷ ଧରି ବିବର୍ତ୍ତିତ ହୋଇଚାଲୁଛି। ମଟରଗାଡ଼ିର ପ୍ରଚଳନ ଦେଢ଼ଶହ ବର୍ଷର। ଆମ ଦେଶରେ ବିଲିୟନ୍ ବିଲିୟନ୍ ଡଲାର୍ ଖର୍ଚ୍ଚ ହୋଇ କେତେ କେତେ ବିମାନବନ୍ଦର, ଜଳପଥ ପାଇଁ ଜାହାଜ, ମେଟ୍ରୋ ଟ୍ରେନ୍ ଓ ସବ୍ୱେ, ରେଲ୍ୱେ ଷ୍ଟେସନ୍, ବସ୍ ଟର୍ମିନାଲ୍, ଫ୍ରି ୱେ, ଏକ୍ସପ୍ରେସ୍ ୱେ, ଫ୍ଲାଏଓଭର୍, ଅଣ୍ଡର୍ପାସ୍, ଓଭର୍ବ୍ରିଜ୍ ତିଆରି ହୋଇଛି ଓ ହେଉଛି। ଭାରତର ଜନସଂଖ୍ୟା ଆମେରିକା ଜନସଂଖ୍ୟାର ୪ଗୁଣ। ଆମେରିକାରେ ଜଣେ ଲୋକ ପାଇଁ ହାରାହାରି ଗୋଟିଏ ମଟରଗାଡ଼ି। ଭାରତର ସହରାଞ୍ଚଳରେ ଏବେ ୧୦୦ ନିୟୁତ ମଟରଗାଡ଼ି ଚାଲୁଛି। ରାସ୍ତାରେ ପ୍ରବଳ ଟ୍ରାଫିକ୍ ଭିଡ଼। ୫୦୦ ନିୟୁତ କି ୧୦୦କୋଟି ନୁହେଁ, ଯଦି ୨୦୦ନିୟୁତ ଗାଡ଼ି ଚାଲେ ତେବେ ଭିଡ଼ କେଉଁ ଅବସ୍ଥାରେ ପହଞ୍ଚିବ ଅନୁମାନ କରାଯାଇପାରେ। ଯେତେ ଫ୍ଲାଏଓଭର୍, ଅଣ୍ଡର୍ପାସ୍, ଓଭର୍ବ୍ରିଜ୍ ତିଆରି ହେଲେ ବି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ପରିସଂଖ୍ୟାନରୁ ଜଣାଯାଇଛି ଯେ ଏବେ ଆମ ଦେଶରେ ରାସ୍ତା ଦୁର୍ଘଟଣାରେ ପ୍ରତିବର୍ଷ ଦେଢ଼ଲକ୍ଷ ଲୋକଙ୍କର ପ୍ରାଣ ହାନି ଘଟୁଛି। ଭାରତୀୟମାନେ ପାଶ୍ଚାତ୍ୟ ଅନୁକରଣରେ ଅଟୋମୋବାଇଲ୍-ନିୟନ୍ତ୍ରିତ ଜୀବନ-ଶୈଳୀକୁ ଗ୍ରହଣ କରିଛନ୍ତି। ତେବେ ଦୂର ବାଟ ଯାତ୍ରା ପାଇଁ ମଟରଗାଡ଼ିର ନିଶ୍ଚିତ ଆବଶ୍ୟକତା ରହିଛି। କିନ୍ତୁ କିଛି ଲୋକ ଅଳ୍ପ ବାଟ ଯିବା ପାଇଁ ଗାଡ଼ି ବ୍ୟବହାର କରୁଛନ୍ତି, ଯେଉଁ ବାଟକୁ ସେମାନେ ଚାଲିଚାଲି ବା ସାଇକେଲ୍ ଚଳାଇ ଯାଇପାରନ୍ତେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମତରେ ଚାଲିବା ଓ ସାଇକେଲ୍ ଚଳାଇବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ସହିତ ରାସ୍ତାଗୁଡ଼ିକୁ ଭିଡ଼ରୁ ମୁକ୍ତ କରି ହେବ। ୨୦୧୮ ମସିହାରେ ଷ୍ଟାନ୍ଫୋର୍ଡ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ୪୬ଟି ଦେଶର ୭ଲକ୍ଷ ଲୋକଙ୍କୁ ନେଇ କରିଥିବା ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ଚାଲିବାରେ ହଂକଂର ଅଧିବାସୀମାନେ ପ୍ରଥମ। ଏ କ୍ଷେତ୍ରରେ ଆମେରିକୀୟମାନଙ୍କ ସ୍ଥାନ ୩୦ରେ ଥିଲାବେଳେ ଭାରତୀୟଙ୍କ ସ୍ଥାନ ଥିଲା ୩୯। ଏଥିରୁ ଜଣାପଡୁଛି, ଆମେରିକୀୟମାନେ ଯଦିଓ କାର୍ ଚଳାଇବାକୁ ଭଲପାଆନ୍ତି, ତଥାପି ସେମାନେ ଭାରତୀୟଙ୍କଠାରୁ ଅଧିକ ଚାଲୁଛନ୍ତି। ୟୁରୋପ୍ରେ ଏବେ ଲୋକମାନେ ଚାଲିବା ଓ ସାଇକେଲ୍ ଚଳାଇବାକୁ ଅଧିକ ଆଦର କରୁଥିଲା ବେଳେ କିଛି ଭାରତୀୟ ଅଟୋମୋବାଇଲ୍କୁ ଅଧିକ ଆଦର କରି ନିଜ ଖ୍ୟାତି-ବିଳାସର ପରିଚୟ ଦେଉଛନ୍ତି ମାତ୍ର।
ପୃଥିବୀରେ କିଛି ଲୋକ ପ୍ରାକୃତିକ ସମ୍ପଦକୁ ନଷ୍ଟ କରି, ପଶୁପକ୍ଷୀମାନଙ୍କୁ ଅବାରିତ ବଧ କରି ଧ୍ୱଂସ-ବିଳାସରେ ମାତିଛନ୍ତି। ପଶ୍ଚିମ ଓ ମଧ୍ୟ-ଆଫ୍ରିକାରେ ଜଙ୍ଗଲ ନଷ୍ଟ କରିବାରୁ ଇବୋଲା ଭୂତାଣୁର ସଂକ୍ରମଣ, ଲାଟିନ୍ ଆମେରିକାରେ ବାଦୁଡ଼ିମାନଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିବାରୁ ଉଗାଣ୍ଡାରେ ମାର୍ବର୍ଗ୍ ଭୂତାଣୁର ସଂକ୍ରମଣ; ଜଙ୍ଗଲ ନଷ୍ଟ କରି ଦକ୍ଷିଣ-ପଶ୍ଚିମ ଭାରତରେ କ୍ୟାସାନୁର୍ ଜଙ୍ଗଲ ରୋଗ ଘଟାଇଛନ୍ତି। ବିଗତ ୩୦ବର୍ଷ ମଧ୍ୟରେ ଶତକଡ଼ା ୬୦ରୁ ୭୦ଭାଗ ପର୍ଯ୍ୟନ୍ତ ନୂଆ ରୋଗ ପଶୁପକ୍ଷୀମାନଙ୍କଠାରୁ ମଣିଷ ଦେହକୁ ସଂକ୍ରମିତ ହୋଇଛି। ଏହି ସମୟ ମଧ୍ୟରେ ଆମ ଦେଶ କୋଭିଡ୍-୧୯ ସମେତ ଅନ୍ୟୂନ ୧୫ଟି ରୋଗର ସମ୍ମୁଖୀନ ହୋଇଛି। ଇଏ ସବୁ ମଣିଷର ଧ୍ୱଂସ-ବିଳାସର ପରିଣତି।
ଅଧ୍ୟୟନରୁ ଆମେ ଜାଣୁଛନ୍ତି, ଲିଓନାର୍ଡ଼ୋ ଡା ଭିନ୍ସି ଉଡ଼ନ୍ତା ଚଢ଼େଇମାନଙ୍କୁ ଦେଖି ଅନନ୍ୟ ଆନନ୍ଦ ଅନୁଭବ କରୁଥିଲେ ଏବଂ ସେମାନଙ୍କ ସମ୍ବନ୍ଧରେ ଗବେଷଣା ମଧ୍ୟ କରିଥିଲେ। କାଲିଫର୍ଣ୍ଣିଆ ବର୍କେଲିର ଗ୍ରାଣ୍ଟ୍ ଏଣ୍ଡ୍ ବ୍ୟାନ୍କ୍ରଫ୍ଟ୍ ଷ୍ଟ୍ରିଟ୍ରେ ୧୦୦ବର୍ଷର ଗୋଟିଏ ଫିର୍ ଗଛ ବହୁଲୋକଙ୍କର ଉପକାର କରିଥିବାରୁ ଏବଂ ବହୁ କୀଟପତଙ୍ଗ ପଶୁପକ୍ଷୀଙ୍କୁ କୋଳରେ ଆଶ୍ରୟ ଦେଇଥିବାରୁ ବର୍କେଲି ବୌଦ୍ଧ ମଠର ରେଭେରେଣ୍ଡ୍ ହେଙ୍ଗ୍ ସୁରେ ତା’ ପ୍ରତି କୃତଜ୍ଞତା ପ୍ରକଟ କରିଛନ୍ତି। ୨୭୦ଏକର ସ୍ଥାନରେ ଅବସ୍ଥିତ ଭାରତର ସର୍ବବୃହତ୍ ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ୍ ଉଦ୍ଭିଦ ଉଦ୍ୟାନରେ ଥିବା ୩୩୦ମିଟର ମୋଟେଇ ବିଶିଷ୍ଟ ୨୫୦ବର୍ଷର ଗୋଟିଏ ବିରାଟ ବରଗଛ ଏବଂ ତା’ ଚାରିପଟର ସୁନ୍ଦର ପ୍ରାକୃତିକ ପରିବେଶକୁ ଦେଖି ଯାଦବପୁର ବିଶ୍ୱବିଦ୍ୟାଳୟର ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ୍ ଇଞ୍ଜିନିୟରିଂ ଛାତ୍ର ଉପାୟନ ଚାଟାର୍ଜୀ ଲେଖିଛନ୍ତି ଯେ ପ୍ରକୃତିର ବିସ୍ମୟ ସୀମାହୀନ, ଯାହା ମଣିଷର ଜୀବନକୁ ସାତ୍ତ୍ୱିକ ଭାବରେ ଗଢ଼ିବାରେ ସାହାଯ୍ୟ କରିଥାଏ। କିନ୍ତୁ ଆମ ଭିତରେ କିଛି ଲୋକ ଅଛନ୍ତି, ଯେଉଁମାନଙ୍କର ଦୃଷ୍ଟି ଚଢ଼େଇର ଉଡ଼ାଣ ଉପରେ ନ ଥାଏ, ଥାଏ କେବଳ ସେମାନଙ୍କ ପୁଅ, ବୋହୂ, ଝିଅ, ଜୋଇଁଙ୍କର ବିଦେଶକୁ ବିମାନଯାତ୍ରା ଉପରେ। କାରଣ ସେମାନେ ନିଜ ଘରର ଅନ୍ତଃସଜ୍ଜା ଆଉ ତା’ରି ଭିତରେ ଦୁଇ ଚାରୋଟି ପ୍ଲାଷ୍ଟିକ୍ ଗଛ ଦେଖି ନିରନ୍ତର ଖୁସି ହେଉଥାଆନ୍ତି। ପ୍ରାକୃତିକ ସମ୍ପଦର ଯେତେ କ୍ଷୟ ସାଧନ ହେଲେ ମଧ୍ୟ ସେମାନେ ବିଳାସରେ ବୁଡ଼ି ରହିଥାଆନ୍ତି।
ଊନବିଂଶ ଶତାବ୍ଦୀରେ ମାର୍ଗାରେଟ୍ ନୋବଲ୍ ନିଜର ଜନ୍ମସ୍ଥାନ ଆୟାର୍ଲାଣ୍ଡ୍ରୁ ଭାରତକୁ ଚାଲିଆସିଥିଲେ ଏବଂ ଭାରତୀୟଙ୍କ ସେବାରେ ନିଜକୁ ସମର୍ପି ଦେଇଥିଲେ। ୧୮୯୯ ବର୍ଷ କଲିକତାରେ ପ୍ଲେଗ୍ ବ୍ୟାପିଥିଲା ବେଳେ ନିଜ ହାତରେ ଝାଡୁ ଧରି ରାସ୍ତା, ଡ୍ରେନ୍ ସଫା କଲେ। କ୍ୟାମ୍ପ୍ରେ ଲୋକଙ୍କୁ ରିଲିଫ୍ ଯୋଗାଇଲେ। ୧୯୦୫ର ପଶ୍ଚିମବଙ୍ଗ ବନ୍ୟାରେ ଗାଁକୁ ଗାଁ ବୁଲି କାଦୁଅ ପାଣିରେ ପଶି ଲୋକଙ୍କୁ ରିଲିଫ୍ ଦେଲେ। ସ୍କୁଲ ଖୋଲି ଝିଅମାନଙ୍କୁ ପାଠ ପଢ଼଼ାଇଲେ। ତାଙ୍କର ମହତ କାର୍ଯ୍ୟ ଦେଖି ପ୍ରଭାବିତ ହୋଇଥିଲେ ଜଗଦୀଶ ଚନ୍ଦ୍ର ବୋଷ୍, ଅବନୀନ୍ଦ୍ର ନାଥ ଠାକୁର, ସୁବ୍ରମଣ୍ୟ ଭାରତୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନେ। ତାଙ୍କୁ ବିବେକାନନ୍ଦ ‘ନିବେଦିତା’, ରବୀନ୍ଦ୍ରନାଥ ଠାକୁର ‘ଲୋକମାତା’, ଅରବିନ୍ଦ ଘୋଷ ‘ଅଗ୍ନିଶିଖା’ ଆଖ୍ୟା ଦେଇଥିଲେ। ତେବେ ସିଷ୍ଟର୍ ନିବେଦିତା ବିଦେଶରୁ ଆସି ଆମ ଦେଶରେ ଏତେ ସେବା କାର୍ଯ୍ୟ କରିପାରିଲେ, କିନ୍ତୁ ଆଜିକାଲି ଆମ ଦେଶର କିଛି ଲୋକ ଶାରୀରିକ ସୁସ୍ଥତା ସବଳତା ସତ୍ତ୍ବେ ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତା, ଡ୍ରେନ୍ ସଫା କରିବା, କାଦୁଅ ପାଣିରେ ପଶି ରିଲିଫ୍ ବାଣ୍ଟିବା ଦୂରେ ଥାଉ, ନିଜ ଘରର ଭିତର ବାହାରକୁ ନିଜେ ଝାଡୁ ଧରି ସଫା କରନ୍ତି ନାହିଁ; ନିଜ ଘରେ ନିଜର ଖାଇବା ବାସନକୁ ନିଜେ ମାଜନ୍ତି ନାର୍ହିଁ କେବଳ ନିଜର ଅହଂର ତୁଷ୍ଟିକରଣ, ଖ୍ୟାତି୍କୁ ଊର୍ଦ୍ଧ୍ବକୁ ଉତ୍ତୋଳନ, ପାରିବାରିକ ଆଭିଜାତ୍ୟର ବିଜ୍ଞାପନ ନିମିତ୍ତ। କିଛି ଲୋକଙ୍କର ଇଏ ଗୋଟେ ରୋମାଣ୍ଟିକ୍ ମନସ୍ତାତ୍ତ୍ୱିକ ବିଳାସ।
ମଣିଷଠାରେ ବିବେକର ପ୍ରସ୍ଥାନ ହେଲେ ବିଳାସର ପ୍ରବେଶ ହୁଏ। ଅର୍ଥାତ୍ ବିବେକଶୂନ୍ୟ ମଣିଷ ବିଳାସପୂର୍ଣ୍ଣ ଜୀବନ ବିତାଏ। ଧନ ଓ ଜନ ବଳର ଅହଂକାର ମଣିଷକୁ ବିବେକଶୂନ୍ୟ କରେ। ତା’ର ଅନ୍ତଃପ୍ରକୃତି କୃତ୍ରିମ ସୌନ୍ଦର୍ଯ୍ୟପିପାସୁ, ଅବୈଧ ଯୌନବିଳାସୀ, କର୍ମକୁଣ୍ଠ ଓ ଉଗ୍ର ହୁଏ। ବହିଃପ୍ରକୃତିର ପଶୁପକ୍ଷୀ, ବୃକ୍ଷଲତାଙ୍କ ଉପରେ ସେ ଅତ୍ୟାଚାର କରେ। ଅନ୍ତଃପ୍ରକୃତିର ବିଳାସ ପାଇଁ ବହିଃପ୍ରକୃତିର ବିନାଶ କରେ।
ପୃଥିବୀର ସବୁ ଦେଶର ସମାଜରେ ଯେଉଁ ମଣିଷମାନେ ଭିନ୍ନ ଭିନ୍ନ ବିଳାସରେ ମଗ୍ନ, ସମାଜ ପ୍ରତି ସେମାନଙ୍କର ଆଦୌ କୌଣସି ଅବଦାନ ନଥାଏ; ଅବଦାନ ଥାଏ କେବଳ କିଛି ବିବେକୀ ମଣିଷମାନଙ୍କର। ଡ. ଏ.ପି.ଜେ. ଅବଦୁଲ୍ କଲାମ୍ ଥରେ ବ୍ରିଟିଶ୍ ପାର୍ଲାମେଣ୍ଟ୍ରେ ଉଦ୍ବୋଧନ ଦେଇ କହିଥିଲେ, ‘ହୃଦୟରେ ସତ୍ୟନିଷ୍ଠା ଥିଲେ ଚରିତ୍ରରେ ସୌନ୍ଦର୍ଯ୍ୟ ରହିବ। ଚରିତ୍ରରେ ସୌନ୍ଦର୍ଯ୍ୟ ଥିଲେ ପରିବାରରେ ସଂହତି ରହିବ। ପରିବାରରେ ସଂହତି ଥିଲେ ଜାତୀୟ ଜୀବନରେ ଶୃଙ୍ଖଳା ରହିବ। ଜାତୀୟ ଜୀବନରେ ଶୃଙ୍ଖଳା ଥିଲେ ବିଶ୍ୱରେ ଶାନ୍ତି ରହିବ।’ ହୃଦୟର ସତ୍ୟନିଷ୍ଠା, ଚରିତ୍ରର ସୌନ୍ଦର୍ଯ୍ୟ ହେଉଛି ବିବେକୀ ମଣିଷଙ୍କ ଲକ୍ଷଣ। ସମାଜ ଗଠନରେ ସେହିଭଳି କିଛି ବିବେକୀ ମଣିଷଙ୍କ ଭୂମିକା ଥାଏ, ବିଳାସୀମାନଙ୍କର ନଥାଏ।
(ଅବସରପ୍ରାପ୍ତଇଂରାଜୀ ପ୍ରାଧ୍ୟାପକ) ମନୋରଞ୍ଜନ ମହାନ୍ତି