ଶ୍ରୀରାମ ଜନ୍ମଭୂମି ସ୍ୱର୍ଗାଦପି ଗରୀୟସୀ

ପରଂବ୍ରହ୍ମ ଶ୍ରୀରାମ ହେଉଛନ୍ତି ବିଗ୍ରହମାନ ଧର୍ମ। ଧର୍ମର ଯଥାର୍ଥ ସ୍ୱରୂପ ସ୍ୱକୀୟ ମାନବୀୟ ଲୀଳାରେ ପ୍ରତିପାଦନ କରିବା ନିମିତ୍ତ ସେ ପରମଧାମ ଅଯୋଧ୍ୟା ପୁରୀରେ ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥିରେ ମହାରାଜା ଦଶରଥଙ୍କ ଜ୍ୟେଷ୍ଠରାଣୀ କୌଶଲ୍ୟାଙ୍କ କୋଳରେ ପ୍ରକଟ ହୋଇଥିଲେ। କୃପାସାଗର ଦୀନଦୟାଲ ପ୍ରଭୁ ଶ୍ରୀରାମ ନୀଳକମଳସମ ଶ୍ୟାମଳବର୍ଣ୍ଣ, ପୀତାମ୍ବର ପରିହିତ, ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ପରିଶୋଭିତ, ସହସ୍ର ରବି ସମ ତେଜୋଦୀପ୍ତ, ଶିରରେ ମୁକୁଟ, କୁଞ୍ଚିତ କୁନ୍ତଳ, କର୍ଣ୍ଣରେ କୁଣ୍ଡଳ, ଗଳାରେ ବୈଜୟନ୍ତୀ […]

ଶ୍ରୀରାମ ଜନ୍ମଭୂମି ସ୍ୱର୍ଗାଦପି ଗରୀୟସୀ
sakala article

ପରଂବ୍ରହ୍ମ ଶ୍ରୀରାମ ହେଉଛନ୍ତି ବିଗ୍ରହମାନ ଧର୍ମ। ଧର୍ମର ଯଥାର୍ଥ ସ୍ୱରୂପ ସ୍ୱକୀୟ ମାନବୀୟ ଲୀଳାରେ ପ୍ରତିପାଦନ କରିବା ନିମିତ୍ତ ସେ ପରମଧାମ ଅଯୋଧ୍ୟା ପୁରୀରେ ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥିରେ ମହାରାଜା ଦଶରଥଙ୍କ ଜ୍ୟେଷ୍ଠରାଣୀ କୌଶଲ୍ୟାଙ୍କ କୋଳରେ ପ୍ରକଟ ହୋଇଥିଲେ। କୃପାସାଗର ଦୀନଦୟାଲ ପ୍ରଭୁ ଶ୍ରୀରାମ ନୀଳକମଳସମ ଶ୍ୟାମଳବର୍ଣ୍ଣ, ପୀତାମ୍ବର ପରିହିତ, ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ପରିଶୋଭିତ, ସହସ୍ର ରବି ସମ ତେଜୋଦୀପ୍ତ, ଶିରରେ ମୁକୁଟ, କୁଞ୍ଚିତ କୁନ୍ତଳ, କର୍ଣ୍ଣରେ କୁଣ୍ଡଳ, ଗଳାରେ ବୈଜୟନ୍ତୀ ମାଳ, ରକ୍ତପଦ୍ମ ସଦୃଶ ଶୋଭାବନ୍ତ ବିଶାଳ ନୟନ, ଶ୍ରୀବତ୍ସଲାଞ୍ଛନ ହୃଦୟରେ ନାନାବିଧ ରତ୍ନମାଳା ଓ ନୟନାଭିରାମ ଘନଶ୍ୟାମ ରୂପରେ ପ୍ରକଟ ହୋଇଥିଲେ। ମାତା କୌଶଲ୍ୟା ନିବେଦନରେ ଅଶରଣ ଶରଣ ଦୀନଜନ ରକ୍ଷଣ କରୁଣାନିଧାନ ତତ୍‌କ୍ଷଣାତ୍‌ ଶିଶୁରୂପ ହୋଇ ରୋଦନ ଆରମ୍ଭ କଲେ। ସେହି ଅଯୋଧ୍ୟା ଧାମରେ ପ୍ରଭୁ ବାଲ୍ୟଲୀଳା ସଂରଚନା ପୂର୍ବକ ସ୍ୱକୀୟ ମାନବୀୟ ଲୀଳାରେ ଏକ ଆଦର୍ଶ ପୁତ୍ର, ଆଦର୍ଶ ଭ୍ରାତା, ଆଦର୍ଶ ଶିଷ୍ୟ, ଆଦର୍ଶ ସ୍ୱାମୀ, ଆଦର୍ଶ ରାଜା ରୂପେ ମର୍ଯ୍ୟାଦା ପୁରୁଷୋତ୍ତମ ଭାବ ସଂରଚନା କରିଥିଲେ। ରାଜ୍ୟାଭିଷେକ ପରିବର୍ତ୍ତେ ବନବାସୀ ହୋଇ ତପସ୍ୱୀ ସଦୃଶ ବକ୍କଳ ପରିଧାନ କରିଥିଲେ ହେଁ ଆଦର୍ଶ ପୁତ୍ରର କର୍ତ୍ତବ୍ୟ ସଂପାଦନ କରି ସେ ବନବାସକୁ ଶ୍ରେୟ ମଣିଥିଲେ। ଚିତ୍ରକୂଟ ନିବାସ କାଳରେ ଅନନ୍ୟ ଭକ୍ତ ଭରତଙ୍କ ନିବେଦନକୁ ସେ ସ୍ୱୀକାର କରିନଥିଲେ। ଭ୍ରାତୃଭକ୍ତିର ଚରମ ପରାକାଷ୍ଠା ପ୍ରଦର୍ଶନ ହୋଇଛି ଚିତ୍ରକୂଟରେ। ଅଯୋଧ୍ୟାର ରତ୍ନଖଚିତ ରାଜମୁକୁଟ ଚିତ୍ରକୂଟସ୍ଥ କାମଦଗିରିର ପାଦଦେଶରେ ଧୂଳିରେ ଲୋଟିଛି। ଜ୍ୟେଷ୍ଠ ଶ୍ରୀରାମ ଗ୍ରହଣ କରିନାହାନ୍ତି ଅଥବା କନିଷ୍ଠ ଭରତ ମଧ୍ୟ ସ୍ୱୀକାର କରିନାହାନ୍ତି। ରାଜସିଂହାସନ, ରାଜଦଣ୍ଡ, ରାଜମୁକୁଟ ତଥା ରାଜକ୍ଷମତାର ମୋହ ଭ୍ରାତୃ ପ୍ରେମରେ ଅନ୍ତରାୟ ସୃଷ୍ଟି କରିପାରିନି। ସ୍ବୟଂ ଧର୍ମର ବିଗ୍ରହ ସ୍ୱରୂପ ଧର୍ମର ଯଥାର୍ଥ ସ୍ୱରୂପ ପ୍ରତିପାଦନ କରିବା ନିମିତ୍ତ ସତ୍ୟ ଓ ତ୍ୟାଗର ପରାକାଷ୍ଠା ପ୍ରଦର୍ଶନ କରିଥିଲେ ଶ୍ରୀରାମ। ମାନବୀୟ ଲୀଳାରେ ହେମ ମୃଗ ସୃଷ୍ଟି ଅସମ୍ଭବ ଜାଣି ମଧ୍ୟ ଦାରୁଣ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ପ୍ରଭୁ କୌଶଲ୍ୟାନନ୍ଦନ। ଧୈର୍ଯ୍ୟର ସହିତ ସତ୍ୟସାଧନାରେ ବ୍ରତୀ ହୋଇ ପରିଶେଷରେ ଜୟଲାଭ କରିଥିଲେ ପ୍ରଭୁ। ଲଙ୍କା ରଣାଙ୍ଗନରେ ଅମିତ ବଳଶାଳୀ ରାବଣକୁ ନିହତ କରି ଜଗଜ୍ଜନନୀଙ୍କୁ ଉଦ୍ଧାର କରିଥିଲେ। ଯୁଦ୍ଧର ନିୟମାନୁଯାୟୀ ବିଜିତ ଶ୍ରୀଲଙ୍କାର ଅଧୀଶ୍ୱର ନ ହୋଇ ବିଭୀଷଣଙ୍କୁ ଲଙ୍କା ରାଜସିଂହାସନରେ ଅଭିଷେକ କରିଥିଲେ ପ୍ରଭୁ ଶ୍ରୀରାମ। ପ୍ରାଣପ୍ରିୟ ଭ୍ରାତା ଲକ୍ଷ୍ମଣଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ପ୍ରଭୁ ସେତେବେଳେ କହିଥିଲେ-

“ଅପି ସ୍ୱର୍ଣ୍ଣମୟୀ ଲଙ୍କା ନ ମେ ରୋଚତେ ଲକ୍ଷ୍ମଣ,
ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ”।

ସ୍ୱର୍ଣ୍ଣମୟୀ ଶ୍ରୀଲଙ୍କା ଅପେକ୍ଷା ଜନ୍ମଭୂମି ଅଯୋଧ୍ୟା ପ୍ରିୟ ଥିଲା ଶ୍ରୀରାମଙ୍କର। ହିମାଳୟ କନ୍ୟା ପୁଣ୍ୟତୋୟା ସରଯୂ ତୀରରେ ଅଯୋଧ୍ୟା ଅବସ୍ଥିତ। ଅଯୋଧ୍ୟାନଗରୀ କୋଶଳ ଦେଶର ରାଜଧାନୀ ଥିଲା। ସେହି ନଗରୀ ମାନବଶ୍ରେଷ୍ଠ ମନୁ ନିର୍ମାଣ କରାଇଥିଲେ। ବାରଯୋଜନ ଦୀର୍ଘ ଓ ତିନିଯୋଜନ ପ୍ରସ୍ଥ ବିଶିଷ୍ଟ ଅଯୋଧ୍ୟାନଗରୀ ବିଭିନ୍ନ ପଣ୍ୟଦ୍ରବ୍ୟ ବିପଣୀରେ ଶୋଭିତ, ବିଶାଳ ରାଜପଥ ସଂଯୁକ୍ତ ଓ ସମୃଦ୍ଧିଶାଳୀ ଥିଲା।

ସ୍ୱୟଂଭୂ ମନୁ ଓ ତଦୀୟ ଧର୍ମପତ୍ନୀ ଶତରୂପାଙ୍କଠାରୁ ମନୁଷ୍ୟଗଣ ଜନ୍ମ ହୋଇଛନ୍ତି। ମନୁ ଓ ଶତରୂପାଙ୍କଠାରୁ ମାନବଜାତି ସୃଷ୍ଟି ହେବା ପର୍ଯ୍ୟନ୍ତ ନିର୍ଗୁଣ ବ୍ରହ୍ମ ସଗୁଣ ରୂପ ଧାରଣ କରି ନ ଥିଲେ। ମନୁଙ୍କର ଏକାନ୍ତ ଇଚ୍ଛା ଥିଲା ନିର୍ଗୁଣ ବ୍ରହ୍ମ ଧର୍ମର ବିଗ୍ରହ ସ୍ୱରୂପ ଅବତାରରେ ଆବିର୍ଭାବ ହୁଅନ୍ତୁ ଏବଂ ଦଶ ଲକ୍ଷଣଯୁକ୍ତ ମନୁଷ୍ୟ ରୂପରେ ମାନବୀୟ ଲୀଳା ସଂରଚନା ପୂର୍ବକ ବିଶ୍ୱ ନିମିତ୍ତ ଆଦର୍ଶ ରଖିଯାଆନ୍ତୁ। ଏହି କାମନା ସହ ମନୁ ଶତରୂପାଙ୍କ ସହ ନୈମିଷାରଣ୍ୟରେ ଗୋମତୀ ତଟରେ ଦ୍ୱାଦଶାକ୍ଷର ବାସୁଦେବ ମନ୍ତ୍ର ନିଷ୍ଠା ଓ ଏକାଗ୍ରତାର ସହିତ ଜପ କଲେ। ସେମାନଙ୍କର ହୃଦୟରେ ଏକମାତ୍ର ଅଭିଳାଷ ଥାଏ ଯେ ଅନନ୍ତ ଅନାଦି ନିର୍ଗୁଣ ନିରାକାର ପରଂବ୍ରହ୍ମଙ୍କୁ ଦର୍ଶନ କରିବେ। ଦୀର୍ଘକାଳ ତପସ୍ୟା କରିବା ପରେ ଈପ୍ସିତ ବର ମାଗିବାକୁ ଆକାଶବାଣୀ ହେଲା। ମନୁ ନିବେଦନ କଲେ ଯେ ମୁନିଜନମାନସ ହଂସ, ଶିବଙ୍କ ଇଷ୍ଟ ତଥା କାକଭୁଷୁଣ୍ଡୀଙ୍କ ଆରାଧ୍ୟ ବାଳକ ରାମଙ୍କୁ ସେ ଦର୍ଶନ କରିବାକୁ ଇଚ୍ଛା ପୋଷଣ କରିଛନ୍ତି। କୃପାନିଧାନ ପରଂବ୍ରହ୍ମ ମନୁଙ୍କ ପ୍ରାର୍ଥନାରେ ମୁଗ୍ଧ ହୋଇ ନୀଳାମ୍ବୁଜ ଶ୍ୟାମଳ ବାଳକ ରାମ ରୂପରେ ଆବିର୍ଭାବ ହୋଇଥିଲେ। ଗୋସ୍ୱାମୀ ତୁଳସୀ ଦାସଙ୍କ ଭାଷାରେ-

“ନୀଳ ସରୋରୁହ ନୀଳ ମନି ନୀଳ ନୀରଧର ଶ୍ୟାମ,
ଲାଜହି ତନ ଶୋଭା ନିରଖି କୋଟି କୋଟି ଶତ କାମ”।
ପ୍ରଭୁ କେବଳ ରମ୍ୟରାମରୂପ ଦର୍ଶନ ଦେଲେ ନାହିଁ, ବର ମାଗିବାକୁ ମଧ୍ୟ ଅଭୟବାଣୀ ପ୍ରଦାନ କଲେ। ପ୍ରଭୁ ପ୍ରସନ୍ନ ଥିବା ଜାଣି ମନୁ ଯୋଡ଼ ହସ୍ତରେ କହିଲେ, ‘ହେ ଦାନୀ ଶିରୋମଣି କୃପାନିଧି ମୋର ସତ୍‌ଭାବନା ହେଉଛି ମୁଁ ଆପଣଙ୍କ ସଦୃଶ ପୁଅଟିଏ ଲାଭ କରିବାକୁ ଚାହୁଁଛି।’ ଦେବୀ ଶତରୂପା ମଧ୍ୟ ଅନୁରୂପ ବର ମାଗିଲେ। ପ୍ରଭୁ ‘ଏବମସ୍ତୁ’ କହିଲେ ଏବଂ ପରବର୍ତ୍ତୀ କାଳରେ ମନୁ-ଶତରୂପା ଦଶରଥ-କୌଶଲ୍ୟା ଭାବରେ ପରଂବ୍ରହ୍ମଙ୍କୁ ପୁତ୍ର ରୂପେ ଲାଭ କରିବେ ବୋଲି ସୂଚନା ଦେଲେ। ଏହି କାରଣରୁ ଭବିଷ୍ୟତ ନିମିତ୍ତ ମନୁ ଅଯୋଧ୍ୟାନଗରୀ ନିର୍ମାଣ କରିଥିଲେ ତଥା ନିଜେ ଦଶରଥ ରୂପରେ ଓ ଶତରୂପା କୌଶଲ୍ୟା ରୂପରେ ଅଯୋଧ୍ୟାର ରାଜାରାଣୀ ହୋଇଥିଲେ। ମନୁଙ୍କ ନିର୍ମିତ ଅଯୋଧ୍ୟାପୁରୀ ଇନ୍ଦ୍ରଙ୍କ ଅମରାବତୀଠାରୁ ଶୋଭନୀୟ ଥିଲା। ଦେବରାଜ ଇନ୍ଦ୍ର ସ୍ୱର୍ଗରେ ବାସ କରିବା ସଦୃଶ ଅଯୋଧ୍ୟାନଗରୀରେ ସମୃଦ୍ଧି ବର୍ଦ୍ଧନକାରୀ ମହାରାଜା ଦଶରଥ ରାଜତ୍ୱ କରୁଥିଲେ।
“ତାଂ ତୁ ରାଜା ଦଶରଥୋ ମହାରାଷ୍ଟ୍ରବିବର୍ଧନଃ,
ପୁରୀମାବାସୟା ମାସ ଦିବି ଦେବ ପତିର୍ଯଥା”।

ସମଗ୍ର ବିଶ୍ୱରେ ଶ୍ରୀରାମ ଥିଲେ ଅତୁଳନୀୟ ଚରିତ୍ରବନ୍ତ ମର୍ଯ୍ୟାଦା ପୁରୁଷୋତ୍ତମ। ସର୍ବଦା ଦିବ୍ୟଗୁଣାବଳୀରେ ବିଭୂଷିତ ଥାଇ ସେ ଆପଣାର ଯଶ, ଗୌରବ, ବୀରତ୍ୱ, ପ୍ରଜାନୁରାଗ ଓ ବ୍ୟକ୍ତିତ୍ୱ ଦ୍ୱାରା ସଭିଙ୍କର ପ୍ରିୟଭାଜନ ହୋଇପାରିଥିଲେ। ମାନବୀୟ ଲୀଳା ସଂରଚନା ଶେଷରେ ପ୍ରଭୁ ଶ୍ରୀରାମ ସାକେତଧାମ ପରିତ୍ୟାଗ କରି ସରଯୂ ଗର୍ଭରେ ପ୍ରବେଶ କରିଥିଲେ। ଏହା ତ୍ରେତୟାଯୁଗର ଗାଥା, ଯାହା ଆଦିକାବ୍ୟ ରାମାୟଣରେ ବର୍ଣ୍ଣିତ। ରାମାୟଣର ଚିରସ୍ଥାୟୀ ମୂଲ୍ୟବୋଧ ସଂପର୍କରେ ମାନବ ଜାତିକୁ ସଚେତନ କରିବା ନିମିତ୍ତ ଆଦିକବି ବାଲ୍ମୀକି ବଜ୍ରଗମ୍ଭୀର ସ୍ୱରରେ ଘୋଷଣା କରିଛନ୍ତି-

“ଯାବତ୍ ସ୍ଥାସ୍ୟନ୍ତି ଗିରୟଃ ସରିତାଶ୍ଚ ମହୀତଳେ,
ତାବତ୍ ରାମାୟଣୀକଥା ଲୋକେଷୁ ପ୍ରଚରିଷ୍ୟତି”।

ମହର୍ଷି ବାଲ୍ମୀକିଙ୍କ ଘୋଷଣା ଅକ୍ଷରେ ଅକ୍ଷରେ ସତ୍ୟ ହେଲା। ଶ୍ରୀରାମଙ୍କ ତିରୋଧାନ ପରେ ମଧ୍ୟ ଅଯୋଧ୍ୟାନଗରୀ ଓ ସରଯୂ ନଦୀ ଶତାବ୍ଦୀ ଶତାବ୍ଦୀ ଧରି ରାମଗାଥା ଗାନ କରି ଚାଲିଲେ। ପବିତ୍ର ଶ୍ରୀରାମ ଜନ୍ମଭୂମିରେ ରାମଲାଲାଙ୍କ ଉପାସନା ନିମିତ୍ତ ଭବ୍ୟମନ୍ଦିର ନିର୍ମାଣ ହେଲା। ସାଧୁସନ୍ଥ ବୃନ୍ଦ ଅଯୋଧ୍ୟା ଧାମରେ ଶହ ଶହ ମନ୍ଦିର, ମଠ, ଆଶ୍ରମ, ଗୁମ୍ଫା, ଆଶ୍ରମ ପ୍ରତିଷ୍ଠା ପୂର୍ବକ ଶ୍ରୀରାମଙ୍କ ଦୀବ୍ୟଲୀଳା ସ୍ମରଣ, ମନନ ଓ ଭଜନ କଲେ। ଆଜି ମଧ୍ୟ ଅଯୋଧ୍ୟାରେ ରହିଛି କନକ ଭବନ, ଯାହା ମାତା କୈକେୟୀ ଜଗତଜନନୀ ସୀତାଙ୍କୁ ବନ୍ଦାଇଥିଲେ। ରାମାନନ୍ଦୀ ସନ୍ନ୍ୟାସୀ ମଣିରାମ ଦାସଙ୍କ ପ୍ରତିଷ୍ଠିତ ଛାଉଣୀରେ ଅହର୍ନିଶ ରାମଗାଥା ଝଙ୍କୃତ। ପବନନନ୍ଦନ ହନୁମାନଙ୍କ ସ୍ମୃତିରେ ପ୍ରତିଷ୍ଠିତ ହୋଇଛି ହନୁମାନଗଡ଼଼। ହନୁମାନଙ୍କର ଅଯୋଧ୍ୟା ନିବାସସ୍ଥଳୀ ଅଞ୍ଜନୀଗୁମ୍ଫା ଆଜି ବି ତ୍ରେତୟା ଯୁଗର ଲୀଳାରେ ମୁଖରିତ। ଝୁନ୍‌ଝୁନ୍‌ୱାଲା ସାଧୁ ସନ୍ଥଙ୍କ ନିବାସ ନିମିତ୍ତ ମଠ ନିର୍ମାଣ କରିଛନ୍ତି। ତପସୀ ଛାଉଣୀରେ ଆଜି ମଧ୍ୟ ସାଧୁସନ୍ଥ ରହୁଛନ୍ତି। ଭକ୍ତମାଳା ମଠରେ ଯୁଗ ଯୁଗ ଧରି ଭକ୍ତଗଣ ନିବାସ କରୁଛନ୍ତି। ବିଜୟମାଳା ମଠ ସିଦ୍ଧସାଧୁଙ୍କର ନିବାସ ସ୍ଥଳୀ। ଓଡ଼ିଆ ବାବାଜୀ ବଂଶୀଧର ଦାସ ମହାରାଜାଙ୍କ ଦ୍ୱାରା ଓଡ଼ିଆ ମଠ ପ୍ରତିଷ୍ଠିତ। ଏତାଦୃଶ ଶହ ଶହ ମଠ ଓ ଆଶ୍ରମ ରହିଛି, ଯହିଁରେ ହଜାର ହଜାର ସାଧୁ ନିବାସ କରି ରାମାୟଣ ଲୀଳାରେ ଅବଗାହନ କରୁଛନ୍ତି। ଖାକେଗୈକରେ ନାଗାସନ୍ନ୍ୟାସୀଗଣ ବର୍ଷ ବର୍ଷ ଧରି ପଞ୍ଚାଶ୍ଚ ସାଧନାରତ। ପ୍ରତ୍ୟେକ ମଠରେ ବାଲ୍ମୀକି ରାମାୟଣ, ଶ୍ରୀରାମ ଚରିତ ମାନସ, ରାମରକ୍ଷା ସ୍ତୋତ୍ର, ହନୁମାନ ଚାଳିଶା ପାଠ, ସଙ୍କଟ ମୋଚନ ହନୁମାନାଷ୍ଟକ ପାଠ, ବଜରଙ୍ଗ ବାଣ ପାଠ, ଜାନକୀ ମଙ୍ଗଳପାଠ, ନବାହ୍ନ ପାରାୟଣ, ମାସ ପାରାୟଣ, କୀର୍ତ୍ତନ ଓ ଭଜନ ପ୍ରଭୃତି ଅହର୍ନିଶ ଚାଲିଛି। ରାମାୟଣ ସ୍ମୃତିବହନ କରି ପବିତ୍ର ସରଯୂ ନଦୀରେ ନିର୍ମାଣ ହୋଇଛି ଏକାବନଟି ଘାଟ। ସର୍ବତ୍ର ରାମନାମ ଝଙ୍କୃତ ହୋଇ ଗଗନପବନ ପ୍ରକମ୍ପିତ। ଶ୍ରୀରାମଜନ୍ମଭୂମି ଅଯୋଧ୍ୟାର ମଠ, ମନ୍ଦିର, ରାସ୍ତା ଓ ଘାଟ ଆକର୍ଷଣୀୟ। ସ୍ୱର୍ଗଠାରୁ ଅଧିକ ଆକର୍ଷଣୀୟ ଅଯୋଧ୍ୟା ଧାମ। ସ୍ୱର୍ଗ ଭୋଗ ଭୂମି ଓ ଅଯୋଧ୍ୟା ତ୍ୟାଗ ଭୂମି। ଭୋଗରେ କ୍ଷଣିକ ସୁଖ ଅଥଚ ତ୍ୟାଗରେ ପରମାନନ୍ଦ। ତ୍ୟାଗରେ ଧର୍ମର ପରାକାଷ୍ଠା ପ୍ରଦର୍ଶିତ। ଏହି କାରଣରୁ ହିଁ ଅଯୋଧ୍ୟା ସ୍ୱର୍ଗଠାରୁ ବଡ଼।

ମଧ୍ୟଯୁଗରେ ବାବରଙ୍କ ସେନାପତି ମୀର୍ବାକୀ ଶ୍ରୀରାମଜନ୍ମଭୂମି ମନ୍ଦିର ଭାଙ୍ଗି ବାବରୀ ମସ୍‌ଜିଦ୍‌ ନିର୍ମାଣ କରିଦେଲେ। ଅଯୋଧ୍ୟାର ହିନ୍ଦୁ ରାଜାଙ୍କୁ ସବଂଶ ନିପାତ କରି ରାଜ୍ୟଶାସନ ନିମିତ୍ତ ଜଣେ ନାବାଳକଙ୍କୁ ନିଯୁକ୍ତ କଲେ। ପୁରାଣ ପ୍ରସିଦ୍ଧ ଅଯୋଧ୍ୟାନଗରୀର ପ୍ରସିଦ୍ଧି କମାଇବା ପାଇଁ ଫୈଜାବାଦ ସହର ବସାଇଲେ। ଫୈଜାବାଦ ହେଲା ଅଯୋଧ୍ୟାର ରାଜଧାନୀ। ତଥାପି ଅଯୋଧ୍ୟା ମ୍ଳାନ ହେଲା ନାହିଁ। ଅତ୍ୟାଚାର ଓ ନିର୍ଯାତନାକୁ ଖାତିର ନକରି ସାଧୁ ସନ୍ଥ ପବିତ୍ର ଅଯୋଧ୍ୟା ପରିତ୍ୟାଗ କଲେ ନାହିଁ। ମୁସଲମାନ ଶାସନ ପରେ ବାବରି ମସ୍‌ଜିଦ ନିକଟରେ ଏକ ଛୋଟ ଘରେ ରାମଲାଲାଙ୍କ ପୂଜା ହେଲା। ବାବରି ମସ୍‌ଜିଦ୍ ପରିଚାଳନା ବୋର୍ଡ ଓ ରାମଲାଲା ପୂଜାକମିଟି ମଧ୍ୟରେ ବରାବର ବିବାଦ, ସଂଘର୍ଷ ଓ ମାଲିମକୋଦ୍ଦମା ଲାଗି ରହିଲା। ଶେଷରେ ସତ୍ୟର ହିଁ ଜୟ ହେଲା।

ପ୍ରଭୁ ଶ୍ରୀରାମଙ୍କ କୃପାରୁ ବାବରି ମସ୍‌ଜିଦ୍‌ ଭାଙ୍ଗିଲା। ସେହି ସ୍ଥାନରେ ନିର୍ମାଣ ହେଲା ଭବ୍ୟମନ୍ଦିର। ନାଗରୀ ଶୈଳୀରେ ନିର୍ମିତ ସେହି ମନ୍ଦିରର ଦୈର୍ଘ୍ୟ ୩୮୦ ଫୁଟ, ପ୍ରସ୍ଥ ୨୫୦ ଫୁଟ ଓ ଉଚ୍ଚତା ୧୬୧ ଫୁଟ। ତିନିମହଲା ବିଶିଷ୍ଟ ଏହି ଭବ୍ୟମନ୍ଦିରର ପ୍ରତ୍ୟେକ ମହଲାର ଉଚ୍ଚତା ୨୦ ଫୁଟ। ମନ୍ଦିରରେ ମୋଟ ୩୯୨ଟି ସ୍ତମ୍ଭ ଓ ୪୪ଟି ପ୍ରବେଶ ଦ୍ୱାର ରହିଛି। ତଳମହଲାରେ ଗର୍ଭଗୃହରେ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ପୂଜା ପାଇବେ ତଥା ପ୍ରଥମ ମହଲାସ୍ଥିତ ଗର୍ଭ ଗୃହରେ ଶୋଭାପାଉଛି ଶ୍ରୀରାମ ଦରବାର। ମନ୍ଦିରରେ ନୃତ୍ୟମଣ୍ଡପ, ରଙ୍ଗମଣ୍ଡପ, ସଭାମଣ୍ଡପ, ପ୍ରାର୍ଥନା ମଣ୍ଡପ ଏବଂ କୀର୍ତ୍ତନ ମଣ୍ଡପ ରହିଛି। ସ୍ତମ୍ଭ ଓ କାନ୍ଥମାନଙ୍କରେ ଦେବ, ଦେବୀ ତଥା ଦେବାଙ୍ଗନାମାନଙ୍କର ଆକର୍ଷଣୀୟ ମୂର୍ତ୍ତି ରହିଛି। ମନ୍ଦିରକୁ ପ୍ରବେଶ ନିମିତ୍ତ ୩୨ଟି ପାବଚ୍ଛ ଆରୋହଣ କରି ସିଂହଦ୍ୱାର ପଥରେ ଯିବାର ବ୍ୟବସ୍ଥା ହୋଇଛି। ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାଙ୍କ ନିମିତ୍ତ ରାମ୍ପ ଓ ଲିଫ୍ଟ ବ୍ୟବସ୍ଥା ରହିଛି। ମନ୍ଦିର ଚତୁର୍ପାଶ୍ୱର୍ସ୍ଥ ଆୟତାକାର ସୁରକ୍ଷା କାନ୍ଥର ଦୈର୍ଘ୍ୟ ୭୩୨ ମିଟର ଓ ପ୍ରସ୍ଥ ୪୨୫ ମିଟର। ସୁରକ୍ଷା କାନ୍ଥର ଚାରିକୋଣରେ ଭଗବାନ ସୂର୍ଯ୍ୟ, ଭଗବାନ ଶଙ୍କର, ଭଗବାନ ଗଣେଶ ଓ ଦେବୀ ଭଗବତୀଙ୍କ ଚାରିଗୋଟି ମନ୍ଦିର ବିଦ୍ୟମାନ। ମନ୍ଦିର ସନ୍ନିକଟରେ ରହିଛି ପୁରାଣ ପ୍ରସିଦ୍ଧ ସୀତାକୂପ। ଏତଦ୍ଭିନ୍ନ ମନ୍ଦିର ପରିସରରେ ମହର୍ଷି ବାଲ୍ମୀକି, ମହର୍ଷି ବଶିଷ୍ଟ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ନିଷାଦରାଜ ଗୁହ୍ୟକ, ମାତା ଶବରୀ ଓ ଦେବୀ ଅହଲ୍ୟାଙ୍କ ମନ୍ଦିର ନିର୍ମିତ। ମନ୍ଦିରର ଦକ୍ଷିଣ-ପଶ୍ଚିମ ଭାଗରେ ପୂରାତନ ମୃତ୍ତିକା ସ୍ତୂପ ଉପରେ ନବରତ୍ନ କୁବେରଟିଲା ଉପରେ ଥିବା ଶିବମନ୍ଦିର ଜୀର୍ଣ୍ଣୋଦ୍ଧାର ହୋଇଛି ଏବଂ ରାମଭକ୍ତ ଜଟାୟୁଙ୍କ ପ୍ରତିମା ସ୍ଥାପନ ହୋଇଛି। ମର୍ଯ୍ୟାଦାପୁରୁଷୋତ୍ତମ ରଘୁନାଥଙ୍କ କରୁଣାରୁ ଆଜି ପୌଷମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ସୋମବାର ମାହେନ୍ଦ୍ର ମୁହୂର୍ତ୍ତରେ ଶ୍ରୀରାମଙ୍କ ନୂତନ ବାଳକରୂପ ବିଗ୍ରହଙ୍କୁ ଶ୍ରୀରାମ ଜନ୍ମଭୂମିରେ ନିର୍ମିତ ଭବ୍ୟମନ୍ଦିର ଗର୍ଭଗୃହରେ ବିରାଜମାନ କରାଯାଇ ବୈଦିକ ବିଧିରେ ପ୍ରାଣପ୍ରତିଷ୍ଠା କରାଯାଉଛି।

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର
ଢେଙ୍କାନାଳ, ମୋ: ୮୮୯୫୨୩୦୭୨୨