ସିଂହଦ୍ୱାର ସମ୍ମୁଖରେ ଦେବୀ ସଭା, ବିଦାୟ ନେଲେ ଗୋସାଣୀ

ପୁରୀ : ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା। ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ଦଶହରା ସନ୍ଧ୍ୟାରେ ମୃଣ୍ମୟୀ ଦୁର୍ଗାଙ୍କ ବିସର୍ଜନ ପରେ ଏକାଦଶୀରେ ଶ୍ରୀକ୍ଷେତ୍ରରେ ପାରମ୍ପରିକ ରୀତିନୀତିରେ ଗୋସାଣୀ ଭସାଣି ଅନୁଷ୍ଠିତ ହୋଇଛି। ସୋମବାର ଅପରାହ୍ନରୁ ପୁରୀ ସହରର ବିଭିନ୍ନ ମଣ୍ଡପରୁ ଗୋସାଣୀ ଏବଂ ନାଗା ପ୍ରଭୃତି ମୂର୍ତ୍ତିଙ୍କୁ ନିରାଡମ୍ବର ଭାବେ ସିଂହଦ୍ୱାରକୁ ଅଣାଯାଇଥିଲା। ସେଠାରେ ଅନୁଷ୍ଠିତ ହୋଇଥିଲା ଦେବୀ ସଭା। ଏହାପରେ ଗୋସାଣୀ ଏବଂ ନାଗାମାନଙ୍କୁ ନେଇ ମଙ୍ଗଳାଘାଟ ନିକଟ ଅସ୍ଥାୟୀ ପୁଷ୍କରିଣୀରେ […]

ସିଂହଦ୍ୱାର ସମ୍ମୁଖରେ ଦେବୀ ସଭା, ବିଦାୟ ନେଲେ ଗୋସାଣୀ
Huge Crowd In Puri To Witness Gosani Jatra

ପୁରୀ : ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା। ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ଦଶହରା ସନ୍ଧ୍ୟାରେ ମୃଣ୍ମୟୀ ଦୁର୍ଗାଙ୍କ ବିସର୍ଜନ ପରେ ଏକାଦଶୀରେ ଶ୍ରୀକ୍ଷେତ୍ରରେ ପାରମ୍ପରିକ ରୀତିନୀତିରେ ଗୋସାଣୀ ଭସାଣି ଅନୁଷ୍ଠିତ ହୋଇଛି। ସୋମବାର ଅପରାହ୍ନରୁ ପୁରୀ ସହରର ବିଭିନ୍ନ ମଣ୍ଡପରୁ ଗୋସାଣୀ ଏବଂ ନାଗା ପ୍ରଭୃତି ମୂର୍ତ୍ତିଙ୍କୁ ନିରାଡମ୍ବର ଭାବେ ସିଂହଦ୍ୱାରକୁ ଅଣାଯାଇଥିଲା। ସେଠାରେ ଅନୁଷ୍ଠିତ ହୋଇଥିଲା ଦେବୀ ସଭା। ଏହାପରେ ଗୋସାଣୀ ଏବଂ ନାଗାମାନଙ୍କୁ ନେଇ ମଙ୍ଗଳାଘାଟ ନିକଟ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା। ମଣ୍ଡପରୁ ଗୋସାଣୀ ଏବଂ ନାଗାଙ୍କୁ ଶୋଭାଯାତ୍ରାରେ ଆଣିବା ସମୟରେ ଦୁଲୁକିଥିଲା ପୁରୀ ସହର।

ଶାରଦୀୟ ପୂଜା ଅବସରରେ ପୁରୀ ସହରରେ ୫୦ରୁ ଊଦ୍ଧ୍ୱର୍ ମଣ୍ଡପରେ ଗୋସାଣୀ, ନାଗା ପୂଜା ପାଇଥିଲେ। କାକୁଡ଼ିଖାଇ, ଷ୍ଟେଶନ ବଜାର, ମାର୍କେଟ ଛକ, ବଡ଼ଶଙ୍ଖ, ଦୁର୍ଗାବାଡ଼ିରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥିଲେ। ରବିବାର ସନ୍ଧ୍ୟାରେ ସମସ୍ତ ଦୁର୍ଗା ମୂର୍ତ୍ତି ବିସର୍ଜିତ ହୋଇଥିଲେ। ଅନ୍ୟପକ୍ଷରେ ପରମ୍ପରା ଅନୁଯାୟୀ, ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରେ ଗୋସାଣୀ ବିସର୍ଜନ ଅନୁଷ୍ଠିତ ହୋଇଥିଲା। ଗୋସାଣୀ, ନାଗା ପ୍ରଭୃତି ମୂର୍ତ୍ତି ପଟୁଆରରେ ପୂଜାମଣ୍ଡପରୁ ସିଂହଦ୍ୱାର ସମ୍ମୁଖକୁ ଆସି ମେଳଣରେ ସାମିଲ ହୋଇଥିଲେ। ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ବାରବାଟୀ ଗୋସାଣୀ ପ୍ରଥମେ ସିଂହଦ୍ୱାରରେ ପହଞ୍ଚିଥିଲେ। ଏହାପରେ ଦୋଳମଣ୍ଡପ ସାହି ଗୋସାଣୀ ଜହ୍ନିଖାଇ ଠାକୁରାଣୀ ମେଳଣରେ ସାମିଲ ହୋଇଥିଲେ। ପରେ ପରେ ଶ୍ରୀକ୍ଷେତ୍ରର ଅନ୍ୟାନ୍ୟ ଗୋସାଣୀ ଏବଂ ନାଗା ମେଳଣରେ ସାମିଲ ହୋଇ ରାତିରେ ଭସାଣିକୁ ଯାଇଥିଲେ।

ମେଳଣରେ କରତି ସାହିର ହରଚଣ୍ଡୀ, ମଣିକର୍ଣ୍ଣିକା ସାହିର ବନଦୁର୍ଗା, ହରଚଣ୍ଡୀ ସାହିର ଗେଲବାଈ, ମାଟିମଣ୍ଡପ ସାହିର ଶୂନ୍ୟ ଗୋସାଣୀ, ବାସେଳୀ ସାହିର ପଣାପ୍ରିୟା ଓ ବନଦୁର୍ଗା, ଭୋଗଜାଗା ଗୋସାଣୀ, ବାଲିସାହିର ଜହ୍ନିଖାଇ, ଗୌଡବାଡ଼ ସାହିର ଜହ୍ନିଖାଇ ଗୋସାଣୀ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ପୁରୀ ସହରର ଅନ୍ୟତମ ଆକର୍ଷଣ ହେଉଛି ନାଗା ପରମ୍ପରା। ଏହି ମେଳଣରେ ବାଲିସାହି, ହରଚଣ୍ଡୀ ସାହି, ମାଜଣା ଯାଗା, ନରେନ୍ଦ୍ରକୋଣ ପ୍ରଭୃତି ସାହିର ନାଗା ମୂର୍ତ୍ତି ମଧ୍ୟ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ମେଳଣର ଅନ୍ୟତମ ଆକର୍ଷଣ ସାଜିଥିଲା ସମ୍ପାତ୍ତି ଚଢେଇ। ପୁରୀ ସାତବଖରା ଜାଗା ପକ୍ଷରୁ ସମ୍ପାତ୍ତି ଚଢେଇ ତିଆରି କରାଯାଇଥିଲା, ଯାହା ପିଠିରେ ଅଷ୍ଟବୀର ବସିଥିଲେ। ଦଶହରା ସମୟରେ ପୁରୀର ବିଭିନ୍ନ ସାହିରେ ଗୋସାଣୀ, ନାଗା ଏବଂ ଅନ୍ୟାନ୍ୟ ମୂର୍ତ୍ତି ପୂଜା ପାଇଥାନ୍ତି। ସହରବାସୀ ତଥା ଜନସାଧାରଣ ଏହି ମୂର୍ତ୍ତିମାନଙ୍କୁ ଗୋଟିଏ ସ୍ଥାନରେ ଏକକାଳୀନ ଦେଖିବାର ସୁଯୋଗ ଦେବା ଲକ୍ଷ୍ୟରେ ସିଂହଦ୍ୱାର ସମ୍ମୁଖରେ ଦେବୀ ସଭାର ଆୟୋଜନ କରାଯାଇଥାଏ, ଯାହା ଅତ୍ୟନ୍ତ ପ୍ରାଚୀନ। ତେବେ ଦେବୀ ସଭାରେ ପୁରୀବାସୀ ଏବଂ ବାହାର ଶ୍ରଦ୍ଧାଳୁ ପର୍ଯ୍ୟଟକ ସାମିଲ ହୋଇ ଦୁର୍ଗା, ଗୋସାଣୀ, ନାଗା ସମେତ ଅନ୍ୟାନ୍ୟ ମୂର୍ତ୍ତି ଦର୍ଶନ କରି ବେଶ୍‌ ଖୁସି ହୋଇଥିଲେ।