ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ ନିଃସର୍ତ୍ତ କ୍ଷମା ମାଗିଲା 'ପତଞ୍ଜଳି'
ଏଲୋପାଥି ଚିକିତ୍ସା ପଦ୍ଧତି ବିରୋଧରେ ନକାରାତ୍ମକ ପ୍ରଚାର କରୁଥିବା ଅଭିଯୋଗ କରି ୨୦୨୨ରେ ରାମଦେବଙ୍କ ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ ବା IMA ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ଏହାଛଡ଼ା ନିଜ ଆୟୁର୍ବେଦିକ ଔଷଧ ଦ୍ବାରା କିଛି ରୋଗ ଭଲ କରିବା ନେଇ ପତଞ୍ଜଳି ମିଛ ଦାବି କରୁଥିବା ଅଭିଯୋଗ କରିଥିଲା IMA ।
ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲା। ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛି ପତଞ୍ଜଳି। କମ୍ପାନୀ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ । ରୋଗର ଚିକିତ୍ସା ଉପରେ ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟ ପତଞ୍ଜଳି ଏବଂ ବାଲକ୍ରିଷ୍ଣାଙ୍କୁ ଅବମାନନା ନୋଟିସ୍ ପଠାଇଥିଲେ।
ଏନେଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି ପତଞ୍ଜଳି। ସତ୍ୟପାଠରେ ବାଳକୃଷ୍ଣ କହିଛନ୍ତି ଯେ, ଆଇନ ଶୃଙ୍ଖଳା ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ଭବିଷ୍ୟତରେ ଏଭଳି ବିଜ୍ଞାପନ ପ୍ରକାଶ ନ କରିବା ପାଇଁ କମ୍ପାନୀ ପ୍ରତିଶ୍ରୁତି ଦେଉଛି। କମ୍ପାନୀର ଉଦ୍ଦେଶ୍ୟ ହେଉଛି ପତଞ୍ଜଳିର ଉତ୍ପାଦ ବ୍ୟବହାର କରି ଲୋକମାନଙ୍କୁ ସୁସ୍ଥ ଜୀବନଯାପନ ପ୍ରତି ଉତ୍ସାହିତ କରିବା। ପୁରଣା ଶିକ୍ଷା ପଦ୍ଧତି ଏବଂ ସାମଗ୍ରୀ ବ୍ୟବହାର ତଥା ଆୟୁର୍ବେଦିକ ଅନୁସନ୍ଧାନରେ ପ୍ରସ୍ତୁତ ସାମଗ୍ରୀ ବ୍ୟବହାରକୁ ଗୁରୁତ୍ୱ ଦେବା ।
ରୋଗର ଚିକିତ୍ସା ଉପରେ ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟ ପତଞ୍ଜଳି ଏବଂ ବାଳକୃଷ୍ଣଙ୍କୁ ଅବମାନନା ନୋଟିସ୍ ପଠାଇ ଜବାବ ମାଗିଥିଲେ, ଯାହାର ଉତ୍ତର କମ୍ପାନି ତରଫରୁ ଦିଆଯାଇନଥିଲା । ଜଷ୍ଟିସ୍ ହିମା କୋହଲି ଓ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ଖଣ୍ଡପୀଠ କମ୍ପାନୀ ଓ ବାଳକୃଷ୍ଣଙ୍କ ଦ୍ବାରା ପୂର୍ବରୁ ଜାରି କରାଯାଇଥିବା ନୋଟିସ୍ର ଜବାବ ଦାଖଲ ନ କରିବା ନେଇ କଡ଼ା ଆପତ୍ତି ପ୍ରକାଶ କରିଥିଲେ।
ଏଲୋପାଥି ଚିକିତ୍ସା ପଦ୍ଧତି ବିରୋଧରେ ନକାରାତ୍ମକ ପ୍ରଚାର କରୁଥିବା ଅଭିଯୋଗ କରି ୨୦୨୨ରେ ରାମଦେବଙ୍କ ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ ବା IMA ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ଏହାଛଡ଼ା ନିଜ ଆୟୁର୍ବେଦିକ ଔଷଧ ଦ୍ବାରା କିଛି ରୋଗ ଭଲ କରିବା ନେଇ ପତଞ୍ଜଳି ମିଛ ଦାବି କରୁଥିବା ଅଭିଯୋଗ କରିଥିଲା IMA । ସେପ୍ଟେମ୍ବର ୨୦୨୩ ଓ ଜାନୁୟାରୀ ୨୦୨୪ରେ ଶୁଣାଣି ବେଳେ ପ୍ରିଣ୍ଟ ମିଡିଆରେ ପ୍ରକାଶିତ ପତଞ୍ଜଳି ବିଜ୍ଞାପନକୁ କୋର୍ଟରେ ଉପସ୍ଥାପନ କରିଥିଲା । ପତଞ୍ଜଳି ଏହି ବିଜ୍ଞାପନ ଗୁଡ଼ିକରେ ମଧୁମେହ ଓ ଆଜମା ଭଳି ରୋଗକୁ ନିଜ ଆୟୁର୍ବେଦିକ ଔଷଧ ଦ୍ବାରା ସମ୍ପୂର୍ଣ୍ଣ ଭଲ କରିପାରୁଥିବା ଦାବି କରିଥିଲା ।