ବିଲୁପ୍ତି ପଥରେ କୋଳି

ଏକଦା ଗ୍ରାମୀଣ ଓଡ଼ିଶାର ଜୀବନଶୈଳୀରେ କୋଳି ଏକ ଅଭିନ୍ନ ଅଙ୍ଗ ଭାବରେ ପରିଗଣିତ ହୋଇ ଆସୁଥିଲା। ସ୍ୱାଦ ଓ ପୋଷାକ ତତ୍ତ୍ୱ ପାଇଁ ଏହା ଆମର ଖାଦ୍ୟ ବ୍ୟବସ୍ଥାରେ ଏକ ମୁଖ୍ୟଅଂଶ ଭାବେ ପରିଗଣିତ ହେଉଥିଲା। ଏହି ଛୋଟ ଫଳଗୁଡ଼ିକ ବାଡ଼ି, ହିଡ଼, ପୋଖରୀ ତୁଠ, ନଦୀ କୂଳ, ଉଦ୍ୟାନ ଓ ଜଙ୍ଗଲରୁ ପ୍ରଚୁର ପରିମାଣରେ ମିଳୁଥିଲା, ଯାହା ଉଭୟ ମଣିଷ ଓ ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ ରୂପେ ଉପଯୋଗ ହୋଇପାରୁଥିଲା। ଅନେକ ପ୍ରଜାତିର ପ୍ରଜାପତି ଓ […]

ବିଲୁପ୍ତି ପଥରେ କୋଳି
sakala article

ଏକଦା ଗ୍ରାମୀଣ ଓଡ଼ିଶାର ଜୀବନଶୈଳୀରେ କୋଳି ଏକ ଅଭିନ୍ନ ଅଙ୍ଗ ଭାବରେ ପରିଗଣିତ ହୋଇ ଆସୁଥିଲା। ସ୍ୱାଦ ଓ ପୋଷାକ ତତ୍ତ୍ୱ ପାଇଁ ଏହା ଆମର ଖାଦ୍ୟ ବ୍ୟବସ୍ଥାରେ ଏକ ମୁଖ୍ୟଅଂଶ ଭାବେ ପରିଗଣିତ ହେଉଥିଲା। ଏହି ଛୋଟ ଫଳଗୁଡ଼ିକ ବାଡ଼ି, ହିଡ଼, ପୋଖରୀ ତୁଠ, ନଦୀ କୂଳ, ଉଦ୍ୟାନ ଓ ଜଙ୍ଗଲରୁ ପ୍ରଚୁର ପରିମାଣରେ ମିଳୁଥିଲା, ଯାହା ଉଭୟ ମଣିଷ ଓ ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ ରୂପେ ଉପଯୋଗ ହୋଇପାରୁଥିଲା। ଅନେକ ପ୍ରଜାତିର ପ୍ରଜାପତି ଓ ମହୁମାଛି ମଧ୍ୟ କୋଳି ଫୁଲ ପ୍ରତି ଆକର୍ଷିତ ହୁଅନ୍ତି, ଯାହା ଅନ୍ୟ ଉଦ୍ଭିଦଗୁଡ଼ିକୁ ପରାଗ ସଙ୍ଗମ କରିବାରେ ସାହାଯ୍ୟ କରନ୍ତି। ଆମର ଗଳ୍ପ, କାହାଣୀ ଓ ଲୋକକଥାରେ ମଧ୍ୟ କୋଳିର ବର୍ଣ୍ଣନା ଦେଖିବାକୁ ମିଳେ। କୋଣାର୍କ ମନ୍ଦିର ନିର୍ମାଣ ସମୟରେ ଧର୍ମପଦ ବାଡ଼ିରେ ହୋଇଥିବା କୋଳି ନେଇ ପିତା ବିଶୁ ମହାରଣାଙ୍କୁ ଦେଖା କରିବା ହେଉ କିମ୍ବା ଶ୍ରୀରାମଙ୍କ ବନବାସ ସମୟରେ ଶବରୀ କୋଳି ଖୁଆଇଥିବାର କାହାଣୀ କିଏ ବା ନ ଜାଣେ?

ଏବେ କିନ୍ତୁ ଏହା ବିଲୁପ୍ତ ହେବାରେ ଲାଗିଛି। ୮୦ ଦଶକରେ ଜନ୍ମ ନେଇଥିବା ଲୋକ ଏହାକୁ ଭଲ ଭାବରେ ହୃଦୟଙ୍ଗମ କରିପାରିବେ। ଆମ ପିଲା ବେଳେ ୧୪-୧୫ ପ୍ରକାର କୋଳି ମିଳୁଥିଲା। ସ୍କୁଲ ଗଲା ବେଳେ, ମଧ୍ୟାହ୍ନ ଭୋଜନ ଛୁଟିରେ ଓ ଛୁଟି ଦିନରେ ଆମର ବହୁତ ସୁଖଦ ଅନୁଭୂତି ଏହି କୋଳି ସହିତ ଜଡ଼ିତ। ଘରର ବଡ଼ ଅପା, ଖୁଡ଼ି, ଜେଜେ ମା’ଙ୍କ ସହିତ ଅନେକ ସ୍ମୃତି ଅଛି କୋଳି ସଂଗ୍ରହ କରିବାର। ଆମ ସମୟରେ ବେତ, ଆଙ୍କ, ବଇଞ୍ଚ, କୁସୁମ, ଜାମୁ, ବୁଆଳ, ଖଜୁର, କାନ, ବର, ରାଇଲ, ଜାଅଁଳା, ବଉଳ, ପାଣି ସାହାଡ଼ା ଆଦି ଅନେକ କିସମର କୋଳି ମିଳୁଥିଲା। ସେଗୁଡ଼ିକରେ ଭିଟାମିନ୍‌‌ ମାଙ୍ଗାନିଜ୍‌‌, ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଥିଲା। ତେଣୁ ସେଗୁଡ଼ିକୁ ଖାଇବା ଦ୍ୱାରା ହୃଦରୋଗରୁ ମୁକ୍ତି, ମସ୍ତିଷ୍କର ସ୍ୱାସ୍ଥ୍ୟ ସୁରକ୍ଷା ଓ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହୁଥିଲା। ବରକୋଳି, ଜାମୁକୋଳି ଓ କିଛି ମାତ୍ରାରେ ଖଜୁର କୋଳିକୁ ଛାଡ଼ିଦେଲେ ଅଧିକାଂଶ କିସମର କୋଳି ଆଜି ଦୁର୍ଲଭ ହୋଇ ପଡ଼ିଲାଣି।

ଆମ ଅଞ୍ଚଳର ଦୃଶ୍ୟପଟରୁ କୋଳି ଅଦୃଶ୍ୟ ହେବାର ପ୍ରମୁଖ କାରଣଗୁଡ଼ିକ ହେଉଛି, ଗୋଷ୍ଠୀ ସମ୍ୱଳର ଅତିକ୍ରମଣ, ଗ୍ରାମ୍ୟ ଶାସନ ବ୍ୟବସ୍ଥା, ଲୋକଙ୍କ ଲୋଭ, ଗ୍ରାମ୍ୟ ଜୀବନର ଚାଲିଚଳଣିରେ ପରିବର୍ତ୍ତନ ଓ ଶିଳ୍ପ କୃଷିର ବୃଦ୍ଧି। ଏକକ ଚାଷର ଆଗମନ ସହିତ, ବୃହତ-ସ୍ତରର କୃଷି ପଦ୍ଧତିଗୁଡ଼ିକ ଅତ୍ୟନ୍ତ ଦକ୍ଷ। କିନ୍ତୁ ଜୈବ ବିବିଧତା ପାଇଁ ଏହା ବିନାଶକାରୀ। ପୂର୍ବରୁ ସାଧାରଣ ଭାବେ ମିଳୁଥିବା କୋଳି ଏବେ ବାଣିଜ୍ୟିକ ଭିତ୍ତିରେ ଏକ ଛୋଟ ପରିସରରେ ପ୍ରତିଯୋଗିତା କରୁଛି। ପ୍ରାକୃତିକ ସ୍ଥାନଗୁଡ଼ିକ, ଯେଉଁଠାରେ ସମୃଦ୍ଧ ଜୈବ ବିବିଧତା ଥିଲା, ଯେଉଁଠାରେ ଅନେକ ପ୍ରଜାତି ପାଇଁ ଖାଦ୍ୟ ଉତ୍ସ ଭାବରେ କୋଳି ଗଛ, ବୁଦା ଓ ଲତା ଅନ୍ତର୍ଭୁକ୍ତ ଥିଲା ସେଗୁଡ଼ିକୁ ଆଜିକାଲି ସୌନ୍ଦର୍ଯ୍ୟକରଣ ଏବଂ ଏକକ ପ୍ରଜାତିର ଉଦ୍ଭିଦ ଭାବେ ଦେଖାଯାଉଛି। କୋଳି ବିନା ପକ୍ଷୀ ଏବଂ ଛୋଟ ସ୍ତନ୍ୟପାୟୀ ପ୍ରାଣୀ ଅତ୍ୟାବଶ୍ୟକ ଖାଦ୍ୟ ସମ୍ପଦ ଓ ବାସସ୍ଥାନ ହରାଉଛନ୍ତି, ଯାହା ସେମାନଙ୍କର ଜୀବନ ଓ ବଂଶବିସ୍ତାରକୁ ପ୍ରଭାବିତ କରୁଛି।

ଅତୀତରେ କୋଳି ଏକ ନିର୍ଦ୍ଦିଷ୍ଟ ଋତୁରେ ହେଉଥିଲା, ଯାହା ସତେଜ ଓ ସ୍ୱାଦିଷ୍ଟ ଥିଲା। କୌଣସି ପ୍ରକାର ରାସାୟନିକ ଔଷଧ କିମ୍ୱା ଶୀତଳୀକରଣ ବିନା ଉପଲବ୍ଧ ହେଉଥିଲା। ଆମ ଅଞ୍ଚଳ ଓ ଖାଦ୍ୟ ପ୍ରଣାଳୀରୁ କୋଳି ନଷ୍ଟ ହେବା ଏକ ଚିନ୍ତାଜନକ ବିଷୟ ହୋଇଥିଲେ ମଧ୍ୟ କିଛି ଅଞ୍ଚଳରେ ଏହାକୁ ପୁନର୍ଜୀବିତ କରିବା ପାଇଁ ପ୍ରୟାସ ଚାଲିଛି। ଏହାଦ୍ୱାରା କେବଳ କୋଳି ଗଛର ବଞ୍ଚିବା ସୁନିଶ୍ଚିତ ହେବ ନାହିଁ, ବରଂ ସେମାନଙ୍କ ଉପରେ ନିର୍ଭରଶୀଳ ବନ୍ୟପ୍ରାଣୀଙ୍କ ପାଇଁ ମଧ୍ୟ ସହାୟକ ହୋଇପାରେ। କୃଷି ଅଭ୍ୟାସ ଏବଂ କୋଳି ଗଛଗୁଡ଼ିକୁ ଏକୀକୃତ କରି ଆମେ ହଜିଯାଇଥିବା ଜୈବ ବିବିଧତାକୁ ପୁନର୍ଜୀବିତ କରିପାରିବା। ପ୍ରାକୃତିକ ବାସସ୍ଥାନକୁ ପୁନରୁଦ୍ଧାର କରିବା ଏବଂ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା, ଗୋଷ୍ଠୀ ସମ୍ୱଳର ସଂରକ୍ଷଣ ପାଇଁ ସମନ୍ୱିତ ପ୍ରୟାସ ସହିତ ଭବିଷ୍ୟତ ସୁଧାର ପାଇଁ ଆଶା ରହିଛି। ଆମର ଖାଦ୍ୟ ପ୍ରଣାଳୀ ଏବଂ ଏହା ଉପରେ ନିର୍ଭର କରୁଥିବା ବନ୍ୟପ୍ରାଣୀ ଉଭୟ ପାଇଁ କୋଳିର ଗୁରୁତ୍ୱକୁ ହୃଦୟଙ୍ଗମ କରି ଆମେ ଆଗାମୀ ପିଢ଼ି ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଉଦ୍ଭିଦଗୁଡ଼ିକୁ ସଂରକ୍ଷଣ କରିବା ଲାଗି କାର୍ଯ୍ୟ କରିପାରିବା।

ସତ୍ୟଶୋଭନ ଦାସ
କରଞ୍ଜ(ବାଲେଶ୍ୱର), ମୋ: ୭୮୯୪୪୪୫୬୫୧