ବିଶ୍ଵର ସର୍ବବୃହତ ରଥ ପାଇଁ ବଡ଼ଦାଣ୍ଡରେ ପହଞ୍ଚିଲା ଶିଆଳି ଦୌଡ଼ି
ବାଂଶପାଳ ବ୍ଲକର ଦଅଁଳା ଗାଁର ଭୂୟାଁ ଓ ଜୁଆଙ୍ଗ ସମ୍ପ୍ରଦାୟର ଲୋକମାନେ ବିଶ୍ୱର ସର୍ବ ବୃହତ ରଥ କେନ୍ଦୁଝର ରଥ ପାଇଁ ୬୦୦ ବର୍ଷ ପୂର୍ବରୁ ଯେତେ ବେଳେ ପ୍ରଥମେ ଆରମ୍ଭ ହୋଇଥିଲା, ସେହି ସମୟରୁ ଦୌଡି ଯୋଗାଇ ଆସୁଥିଲେ।
କେନ୍ଦୁଝର ନନ୍ଦିଘୋଷ ରଥ ଶିଆଳି ଦୌଡିରେ ଟଣା ଯିବାର ନିଆରା ପରମ୍ପରା ରହିଛି। ଆସନ୍ତାକାଲି ରଥଯାତ୍ରା ଥିବାରୁ ଆଜି ଶିଆଳି ଦୌଡି ବଡ଼ଦାଣ୍ଡରେ ପହଞ୍ଚିଛି। ଭୂୟାଁ ସଂପ୍ରଦାୟର ଚାରି ପିଢର ଭୂୟାଁ ସର୍ଦ୍ଦାରଙ୍କ ନେତୃତ୍ଵରେ ଭୂୟାଁମାନେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ପାଇଁ ୪ଟି ଶିଆଳି ଦୌଡି ଆଣି ମନ୍ଦିରରେ ପହଞ୍ଚାଇଛନ୍ତି।
ବାଂଶପାଳ ବ୍ଲକର ଦଅଁଳା ଗାଁର ଭୂୟାଁ ଓ ଜୁଆଙ୍ଗ ସମ୍ପ୍ରଦାୟର ଲୋକମାନେ ବିଶ୍ୱର ସର୍ବ ବୃହତ ରଥ କେନ୍ଦୁଝର ରଥ ପାଇଁ ୬୦୦ ବର୍ଷ ପୂର୍ବରୁ ଯେତେ ବେଳେ ପ୍ରଥମେ ଆରମ୍ଭ ହୋଇଥିଲା, ସେହି ସମୟରୁ ଦୌଡି ଯୋଗାଇ ଆସୁଥିଲେ। ହେଲେ ପରବର୍ତ୍ତୀ ସମୟରେ ଅର୍ଥାତ ଏବେ କେବଳ ଭୂୟାଁ ସଂପ୍ରଦାୟର ଲୋକମାନେ ଦୌଡ଼ି ଯୋଗାଉଛନ୍ତି। ସେମାନେ ଗନ୍ଧମାର୍ଦ୍ଦନ ପାହାଡ଼ରୁ ଶିଆଳି ଲଟାକୁ କାଟି ସେଥିରୁ ବକଳ ବାହାର କରନ୍ତି। ସେହି ବକଳକୁ ମୋଡି ମୋଡି ଦୌଡି ନିର୍ମାଣ କରନ୍ତି। ଦୌଡିର ଲମ୍ବ ୧୪୦ ହାତ ଥିବା ବେଳେ ମୋଟେଇ ୪ ଇଞ୍ଚ ରହିଛି ବୋଲି ଦୌଡି ତିଆରି କରୁଥିବା ଭୂୟାଁମାନେ କହିଛନ୍ତି।
ରଥ ଟଣାରେ ବ୍ୟବହାର ହେଉଥିବା ଦୌଡ଼ି ପ୍ରସ୍ତୁତି ଶୁକ୍ରବାର ଶେଷ ହୋଇଛି। ଆଜି ସେହି ଦୌଡ଼ି ରଥ ପାଖରେ ପହଞ୍ଚିଛି। ଭୂୟାଁ ସର୍ଦ୍ଦାରଙ୍କ ନେତୃତ୍ଵରେ ଭୂୟାଁମାନେ କେନ୍ଦୁଝର ରାଜାଙ୍କ ଦ୍ଵାରା ପ୍ରଦତ୍ତ ନୂଆ ବସ୍ତ୍ର ପରିଧାନ କରି ଚାଲି ଚାଲି ଶିଆଳି ଦୌଡିକୁ କାନ୍ଧରେ ବୋହି ଆଣିଥିଲେ ବଡଦାଣ୍ଡକୁ। ପରେ ରଥ ଓ ଠାକୁରଙ୍କୁ ଦର୍ଶନ କରି ଫେରି ଯାଇଥିଲେ।
ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି