ବିଶ୍ୱଗୁରୁର ଯୋଗ୍ୟତା
ଶିକ୍ଷାର ମୂଳାଧାର ରୂପେ ପରିଚିତ ଓ ବିବେଚିତ ବିଦ୍ୟାଳୟ ଶିକ୍ଷା ପାଇଁ ସର୍ବଭାରତୀୟସ୍ତରରେ ପ୍ରଚଳିତ ଏନ୍ସିଇଆରଟି ପାଠ୍ୟପୁସ୍ତକର ବିଷୟବସ୍ତୁ ଓ ନାମକରଣକୁ ନେଇ ପୁଣି ଥରେ ବିବାଦ ଉଠିଛି। ଏହାପୂର୍ବରୁ ମଧ୍ୟ ଏନ୍ସିଇଆରଟି ଦଶମଶ୍ରେଣୀ ପାଠ୍ୟପୁସ୍ତକରୁ ଡାରୱିନ୍ଙ୍କ ବିବର୍ତ୍ତନ ତତ୍ତ୍ୱକୁ ବାଦ୍ ଦିଆଯାଇଥିବାରୁ ଆପତ୍ତି ଉଠିଥିଲା। ସଦ୍ୟତମ ଅଭିଯୋଗ ଅନୁଯାୟୀ ଇଂରାଜୀ ମାଧ୍ୟମ ଶିକ୍ଷାର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଇଂରାଜୀ ପାଠ୍ୟପୁସ୍ତକର ନାମ ‘ମୃଦଙ୍ଗ’ ରହିଥିବା ବେଳେ ଗଣିତ ବିଷୟ ବହିକୁ ‘ଜୟଫୁଲ୍ […]

ଶିକ୍ଷାର ମୂଳାଧାର ରୂପେ ପରିଚିତ ଓ ବିବେଚିତ ବିଦ୍ୟାଳୟ ଶିକ୍ଷା ପାଇଁ ସର୍ବଭାରତୀୟସ୍ତରରେ ପ୍ରଚଳିତ ଏନ୍ସିଇଆରଟି ପାଠ୍ୟପୁସ୍ତକର ବିଷୟବସ୍ତୁ ଓ ନାମକରଣକୁ ନେଇ ପୁଣି ଥରେ ବିବାଦ ଉଠିଛି। ଏହାପୂର୍ବରୁ ମଧ୍ୟ ଏନ୍ସିଇଆରଟି ଦଶମଶ୍ରେଣୀ ପାଠ୍ୟପୁସ୍ତକରୁ ଡାରୱିନ୍ଙ୍କ ବିବର୍ତ୍ତନ ତତ୍ତ୍ୱକୁ ବାଦ୍ ଦିଆଯାଇଥିବାରୁ ଆପତ୍ତି ଉଠିଥିଲା। ସଦ୍ୟତମ ଅଭିଯୋଗ ଅନୁଯାୟୀ ଇଂରାଜୀ ମାଧ୍ୟମ ଶିକ୍ଷାର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଇଂରାଜୀ ପାଠ୍ୟପୁସ୍ତକର ନାମ ‘ମୃଦଙ୍ଗ’ ରହିଥିବା ବେଳେ ଗଣିତ ବିଷୟ ବହିକୁ ‘ଜୟଫୁଲ୍ ମ୍ୟାଥମେଟକ୍ସ’ ଭାବେ ନାମିତ କରାଯାଇଛି। ସେହିପରି ତୃତୀୟ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଇଂରାଜୀ ପାଠ୍ୟପୁସ୍ତକର ନାମ ‘ସନ୍ତୁର’ ରଖାଯାଇଥିବା ବେଳେ ଗଣିତ ପୁସ୍ତକର ନାମ ‘ମାଥ ମେଳା’, ହିନ୍ଦୀ ପାଠ୍ୟପୁସ୍ତକର ନାମ ‘ବୀଣା’, ଉର୍ଦ୍ଦୁ ପାଠ୍ୟପୁସ୍ତକର ନାମ ‘ସୀତାର’ ରଖାଯାଇଛି। ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଇଂରାଜୀ ବହିର ନାମ ‘ପୁରବୀ’ ଓ କଳା ବହିର ନାମ ‘କୀର୍ତ୍ତି’ ରହିଛି। ଏଥିସହିତ ଏନ୍ସିଇଆରଟି ଦ୍ୱାରା ପ୍ରକାଶିତ ସପ୍ତମ ଶ୍ରେଣୀର ସାମାଜିକ ବିଜ୍ଞାନ ଓ ଇତିହାସ ବହିରୁ କେତେକ ନାମ ଓ ବିଷୟକୁ ବାଛି ବାଛି ବାଦ୍ ଦିଆଯାଇଥିବା ଏବଂ ନୂଆ ନାମ ଓ ଅଧ୍ୟାୟ ସାମିଲ୍ କରାଯାଇଥିବାରୁ ବିବାଦ ଉଠିଛି। ବିଶେଷକରି ମୋଗଲ୍ ଶାସନ କାଳର ଗୁରୁତ୍ୱପୂର୍ଣ୍ଣ ନାମ ଓ ଘଟଣାବଳୀ ଏପରିକି ମହାତ୍ମା ଗାନ୍ଧୀଙ୍କ ହତ୍ୟା ସହିତ ଜଡ଼ିତ ଘଟଣାବଳୀକୁ ମଧ୍ୟ ବିକୃତ ଓ ବିବାଦୀୟ କରାଯାଇଥିବା ଐତିହାସିକ ଓ ଶିକ୍ଷାବିତ୍ମାନେ ଅଭିଯୋଗ କରିଛନ୍ତି। ଏହାକୁ ‘ଇତିହାସର ସଂଶୋଧନ’ ନାମରେ ‘ଇତିହାସର ନକାରାତ୍ମକକରଣ’ ବୋଲି ମଧ୍ୟ ଗୁରୁତର ଅଭିଯୋଗ ଆସିଛି। ଭାରତ ଭଳି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ଶିକ୍ଷାର ହିନ୍ଦୁତ୍ୱକରଣକୁ ବିରୋଧ କରି ସ୍ୱର ଉଠିବା ଅସ୍ୱାଭାବିକ ନୁହେଁ।
ବିରୋଧୀଦଳ, ବିଶେଷକରି ଏଣଏନ୍ଡିଏ ଶାସିତ ସମେତ ଧର୍ମନିରପେକ୍ଷତା ସପକ୍ଷବାଦୀ ବୁଦ୍ଧିଜୀବୀଙ୍କ ମତାନୁଯାୟୀ ନୂତନ ଶିକ୍ଷାନୀତି ୨୦୨୦ ଆଧାରରେ ବିଦ୍ୟାଳୟ ପାଠ୍ୟକ୍ରମରେ ତ୍ରିଭାଷୀ ଶିକ୍ଷା ଆଳରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ଜାତୀୟସ୍ତରରେ ଯେଉଁ ପ୍ର୍ରୟାସ ଚାଲିଛି ସେହିକ୍ରମରେ ଇଂରାଜୀ ମାଧ୍ୟମ ପାଇଁ ପ୍ରଚଳିତ ଏନ୍ସିଇଆରଟି ପାଠ୍ୟକ୍ରମର ବିଷୟବସ୍ତୁ ଓ ପାଠ୍ୟପୁସ୍ତକ ମଧ୍ୟ ବାଦ୍ ପଡ଼ିନାହିଁ। ସମଗ୍ର ଭାରତରେ ହିନ୍ଦୀ ଭାଷା ଓ ଅଞ୍ଚଳର କର୍ତ୍ତୃତ୍ୱ ଜାହିର କରିବାର ଏହା ଏକ ଅପପ୍ରୟାସ ବୋଲି ସେମାନେ ଗୁରୁତର ଅଭିଯୋଗ ଆଣିଛନ୍ତି ଏବଂ ଶିକ୍ଷାର ଏଭଳି ରାଜନୀତିକରଣରୁ କୋମଳମତି ଶିକ୍ଷାର୍ଥୀମାନଙ୍କୁ ଯଥାସମ୍ଭବ ଦୂରେଇ ରଖିବା ଉଚିତ ବୋଲି ମତ ଦେଇଛନ୍ତି। ଅପରପକ୍ଷରେ ଏ ସମ୍ପର୍କରେ ଏନ୍ସିଇଆରଟି କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ଅନୁଯାୟୀ, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଭାରତୀୟ ସଂସ୍କୃତି ଓ ମୌଳିକ ଜ୍ଞାନ ସମ୍ପର୍କରେ ଧାରଣା ସୁଦୃଢ଼ କରିବା ପାଇଁ ଏଭଳି ନାମକରଣ ଯଥାର୍ଥ। ଏହି ନାମଗୁଡ଼ିକ ହିନ୍ଦୀ ଭାଷା ନୁହେଁ ବରଂ ଭାରତୀୟ ମୂଳ ଭାଷା ବା ସଂସ୍କୃତର ପ୍ରତିନିଧିତ୍ୱ କରୁଥିବା ଦର୍ଶାଯାଇଛି।
କେବଳ ସଚିତ୍ର, ରଙ୍ଗୀନ ଓ ଆକର୍ଷଣୀୟ ପରିପାଟୀରେ ପୁସ୍ତକ ପ୍ରକାଶନ କଲେ ବିଶ୍ୱଗୁୁରୁର ଘୋଷଣା ସାର୍ଥକ ହେବ ନାହିଁ କି ଲକ୍ଷ୍ୟ ପୂରଣ ହେବ ନାହିଁ। ଏଥିପାଇଁ ପାଠ୍ୟପୁସ୍ତକ ସମୃଦ୍ଧ ମୌଳିକ ତତ୍ତ୍ୱ ଓ ତଥ୍ୟ ସମ୍ବଳିତ ହେବା ଆବଶ୍ୟକ। ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ହୋଇ ମାନବ ସଭ୍ୟତା, ବସତି ସ୍ଥାପନ ଓ ଉତ୍ତରଣ ଉଲ୍ଳେଖ କରିବା ବେଳେ ଯଦି ଏହାର କ୍ରମବିକାଶର ଆଧାର, ସାମାଜିକ-ଅର୍ଥନୈତିକ ପ୍ରକ୍ରିୟା, ମଙ୍ଗଧର, ନେତୃତ୍ୱକୁ ଅଣଦେଖା କରାଯାଏ ତେବେ ପିଲାମାନେ ମହାନ ଭାରତୀୟ ସଭ୍ୟତା ବିଷୟରେ ମୌଳିକ ଧାରଣା ପାଇବେ କେମିତି? ଉଦାହରଣ ସ୍ୱରୂପ ଇତିହାସରୁ ଦିଲ୍ଲୀ ସଲତନତ୍ ଓ ମୋଗଲ୍ ରାଜତ୍ୱ କାଳକୁ ବାଦ୍ ଦିଆଯାଇଛି। ଯଦି ଲାଲକିଲ୍ଲା, କୁତବ୍ମୀନାର କିମ୍ବା ତାଜମହଲ ବିଷୟରେ ପିଲାଙ୍କୁ ପଢ଼଼ାଯିବ ଅଥଚ ତାହାର ନିର୍ମାତା ଓ ନିର୍ମାଣ ସମୟକୁ ପାଠ୍ୟକ୍ରମରୁ ବାଦ୍ ଦିଆଯିବ ଏବଂ ଏ ବିଷୟରେ ପିଲାମାନଙ୍କ ପ୍ରଶ୍ନକୁ ଶିକ୍ଷକ/ଶିକ୍ଷୟିତ୍ରୀମାନେ ବାଧ୍ୟବାଧକତା ବା ଚାପରେ ଏଡ଼ାଇ ଯିବେ ତେବେ ତାହା ବିଶ୍ୱଗୁରୁ ଦିଗରେ ଧାବମାନ ଭାରତୀୟମାନଙ୍କର ବର୍ତ୍ତମାନର ପିଢ଼ିର ସମ୍ପୂର୍ଣ୍ଣ ଜ୍ଞାନଅର୍ଜନରେ ସହାୟକ ହେବ କେମିତି? ଏହା କେବଳ ଏକ ଉଦାହରଣ ମାତ୍ର।
ଏ ସମ୍ପର୍କରେ ବିବେକାନନ୍ଦଙ୍କ ବିଦ୍ୟାଳୟ ଶିକ୍ଷାର ଏକ ଘଟଣା ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ। ଦିନେ ନରେନ୍ଦ୍ର ବିଦ୍ୟାଳୟରୁ ଫେରି ପିତାଙ୍କୁ କହିଲେ ଯେ ବ୍ରିଟିଶରମାନଙ୍କ ପ୍ରତି ତାଙ୍କର ବିଦ୍ୱେଷ ଭାବ ହେତୁ ସେ ଆଉ ଶ୍ରେଣୀରେ ଇଂରାଜୀ ପଢ଼଼ିବେ ନାହିଁ କି ସେହି ଶ୍ରେଣୀକୁ ଯିବେ ନାହିଁ। ନରେନ୍ଦ୍ରଙ୍କୁ ପିତାଙ୍କ ଉତ୍ତର ଥିଲା ଯଦି ଇଂରାଜୀ ନ ପଢ଼଼ିବୁ ସେ ବିଷୟରେ ମୌଳିକ ଜ୍ଞାନ ଆହରଣ ନ କରିବୁ ତେବେ ଇଂରେଜମାନଙ୍କୁ ହରାଇବୁ କେମିତି? ପିତାଙ୍କ ଉପଦେଶ ନରେନ୍ଦ୍ରଙ୍କୁ ଏଭଳି ପ୍ରେରଣା ଦେଲା ଏବଂ ସେ ଇଂରାଜୀ ଭାଷାକୁ ଏତେମାତ୍ରାରେ ଆୟତ୍ତ କଲେ ଯେ ବିଦେଶ ମାଟିରେ ସେହି ଭାଷାରେ ହିଁ ଭାରତ ଓ ଭାରତୀୟତାର ଜୟଗାନ କଲେ ଏବଂ ବିଶ୍ୱସମୁଦାୟ ଭାରତୀୟ ସଂସ୍କୃତି ଓ ସନାତନ ଧର୍ମ ଆଗରେ ନତଜାନୁ ହେଲା। ଯଦି ସାମ୍ରାଜ୍ୟ, ଆଧିପତ୍ୟ, ରାଜତ୍ୱ ଆଧାରରେ ଇତିହାସ ପରିବର୍ତ୍ତନ ହୋଇଯାଏ ତେବେ ବିଶ୍ୱ ଜ୍ଞାନକୋଷ ହିଁ ମୂଲ୍ୟହୀନ ହୋଇଯିବ। ଏ କଥା ଜାତୀୟ ଶିକ୍ଷା ନୀତି ପ୍ରଣେତା ଓ ଉଦ୍ୟୋକ୍ତାମନଙ୍କୁ ବୁଝାଇ କହିବା ବୋଧହୁଏ ଆବଶ୍ୟକ ନୁହେଁ।
ସେକ୍ସପିୟର କହିଥିଲେ ଗୋଲାପକୁ ଯେଉଁ ନାମ ଦେଲେ ମଧ୍ୟ ତା’ର ସୌନ୍ଦର୍ଯ୍ୟ, ସୁଗନ୍ଧ ଓ ମୌଳିକତା ବଦଳିଯିବ ନାହିଁ। ତେଣୁ ଆମର ମତ ହେଲା ପାଠ୍ୟପୁସ୍ତକ କିମ୍ବା ବିଷୟବସ୍ତୁରର ନାମକରଣରେ ଆପତ୍ତି ନାହିଁ। ବହିର ନାମ ବଦଳିଗଲେ ଗଣିତର ସୂତ୍ର ମଧ୍ୟ ବଦଳିଯିବ ନାହିଁ। କିନ୍ତୁ ଶିକ୍ଷାନୀତି ଓ ପାଠ୍ୟପୁସ୍ତକ ପ୍ରଣୟନ ଏକ ବାସ୍ତବବାଦୀ ପରିକଳ୍ପନା, ଏହା କଳ୍ପନାବିଳାସ ଓ ସାମ୍ପ୍ରଦାୟିକତା ବିଜଡ଼ିତ ହୋଇଗଲେ ଅସ୍ୱାଭାବିକ ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ଧରାଯାଉ ଜଣେ ସଙ୍ଗୀତ ବିଶାରଦଙ୍କ ଘରକୁ ଟିଉସନ୍ ସାର ଆସି ପିଲାଟିକୁ ‘ମୃଦଙ୍ଗ’, ‘ବୀଣା’ କିମ୍ବା ‘ସନ୍ତୁର’ ପଢ଼଼ାଇବା ପାଇଁ କହିବେ ତେବେ ସେ ହଠାତ୍ ପାଠ୍ୟପୁସ୍ତକ ବଦଳରେ ସଙ୍ଗୀତ ଉପକରଣଟିଏ ଧରି ଆସିବା ଆଶ୍ଚର୍ଯ୍ୟଜନକ ହେବ ନାହିଁ। ସେହିପରି ଶ୍ରେଣୀକକ୍ଷରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଯଦି କହିବେ ‘ପିଲାମାନେ ନିଜ ନିଜର ବୀଣା ବାହାର କର କିମ୍ବା ଏହା ବୀଣା କ୍ଲାସ୍, ସୀତାର କ୍ଲାସ’୍ ଇତ୍ୟାଦି ତେବେ ବିଶ୍ୱଗୁରୁ ଭାରତର ଶ୍ରେଣୀକକ୍ଷର ବାତାବରଣ କିଭଳି ହାସ୍ୟାସ୍ପଦ ଓ ବ୍ୟଙ୍ଗାତ୍ମକ ରୂପ ନେବ ଅନୁମାନସାପେକ୍ଷ।
ଆଜିର ସମୟର ଆବଶ୍ୟକତା ହେଉଛି ବିଜ୍ଞାନଭିତ୍ତିକ ଦୃଷ୍ଟିକୋଣ ଓ ବୈଷୟିକ ଆଭିମୁଖ୍ୟକୁ ଅଗ୍ରାଧିକାର ଦେଇ ଆମ ପିଲାଙ୍କୁ ଉପଯୁକ୍ତ ଭାବେ ଗଢ଼ିତୋଳିବା ଆବଶ୍ୟକ। ଏଥିରେ ସଂସ୍କୃତି, ଐତିହ୍ୟ, ଇତିହାସ, ଧର୍ମଧାରଣା, ସଂସ୍କାର ଓ ଦେଶପ୍ରେମ ତଥ୍ୟ ରହିଲେ ଅପରାଧ ହେବ ନାହିଁ। କିନ୍ତୁ ସମାନ୍ତରାଳ ଭାବେ ଭାରତର ଧର୍ମନିରପେକ୍ଷତା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଏହା ହିଁ ହେବ ବିଶ୍ୱଗୁରୁ ହେବାର ଦକ୍ଷତା ଓ ଯୋଗ୍ୟତା।