ବ୍ରାଜିଲ୍‌ରେ ପୁଣି ଅଘଟଣ, ଭୁଶୁଡ଼ିଲା ପୋଲ, ୨ ମୃତ

ସେହିପରି ୧୨ ରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବ୍ରାଜିଲ୍‌ରେ ପୁଣି ଅଘଟଣ, ଭୁଶୁଡ଼ିଲା ପୋଲ, ୨ ମୃତ

ବଡ଼ ଦିନ ପୂର୍ବରୁ ବ୍ରାଜିଲ୍‌ରେ ପୁଣି ଅଘଟଣ। ଭୁଶୁଡ଼ିଲା ଉତ୍ତରର ଦୁଇଟି ରାଜ୍ୟକୁ ଯୋଡୁଥିବା ପୋଲ। ଏଥିରେ ଅତିକମ୍‌ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୨ ରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି। ପୁଲିସ ଏନେଇ ସୂଚନା ଦେଇଛି।

ସୂଚନା ମୁତାବକ, ରବିବାର ଯେତେବେଳେ କାର ଏବଂ ଟ୍ରକଗୁଡ଼ିକ 'ଜୁସେଲିନୋ କୁବିତ୍ସଚେକ ଡି ଓଲିଭେରା' ବ୍ରିଜ ପାର ହେଉଥିଲେ, ସେତେବେଳେ ବ୍ରିଜର ଏକ ବଡ଼ ଅଂଶ ଭୁଶୁଡି ପଡିଥିଲା। ଫଳରେ ଏକାଧିକ ଗାଡ଼ି ନଦୀରେ ଖସି ପଡିଥିଲା। ନଦୀରୁ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେହିପରି ଏବେବି ଅନେକ ନିଖୋଜ ଥିବା କୁହାଯାଉଛି।

ସଲଫୁରିକ୍ ଏସିଡ୍ ଲିକ୍ ହେତୁ ଉଦ୍ଧାର କାର୍ଯ୍ୟ ଜଟିଳ ହୋଇଛି। ଉତ୍ତର ରାଜ୍ୟ ମାରାନହାଓ ଏବଂ ଟୋକାଣ୍ଟିନ୍ସ ସୀମାରେ କାମ କରୁଥିବା ପୁଲିସ କହିଛି ଯେ ଚାରିଟି ଟ୍ରକ, ଦୁଇଟି କାର୍‌ ଏବଂ ଦୁଇଟି ମୋଟରସାଇକେଲ ସମେତ ଆଠଟି ଗାଡି ନିଖୋଜ ଅଛି। ପୁଲିସ ଏବଂ ବ୍ରାଜିଲର ସଡ଼କ ବିଭାଗ କହିଛି ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଗକୁ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ।

ଏହାପୂର୍ବରୁ ରବିବାର ଦିନ ବ୍ରାଜିଲ ଗ୍ରାମାଡୋ ସହରରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୦ ଯାତ୍ରୀ ଓ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ବିମାନ ଦୁର୍ଘଟଣାଗ୍ରସ୍ତ ବେଳେ ତଳେ ଥିବା ଏକ ଡଜନରୁ ଅଧିକ ଲୋକ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣୁର ଏହି ଦୁର୍ଘଟଣା ଘଟିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।