ବ୍ୟାଖ୍ୟାନ ଜରୁରୀ

ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ସର୍ବୋଚ୍ଚରେ ପହଞ୍ଚତ୍ଥିବା ବେଳେ ୧୦ ମେ’ରେ ହଠାତ୍‌ ଅସ୍ତ୍ରବିରତି ନେଇ ଦୁଇ ରାଷ୍ଟ୍ର ରାଜି ହୋଇଛନ୍ତି ବୋଲି ଖବର ଶୁଣିବାକୁ ମିଳିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ ମିଡିଆରେ ଏ ନେଇ ଉଲ୍ଲେଖ କରିବା ପରେ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ପ୍ରସଙ୍ଗ ସ୍ପଷ୍ଟ କରିଥିଲେ। ତେବେ ଅସ୍ତ୍ରବିରତି ନେଇ ଦୁଇ ଦେଶର ଡାଇରେକ୍ଟର ଜେନେରାଲ ଅଫ୍‌ ମିଲିଟାରୀ ଅପରେଶନ (ଡିଜିଏମ୍‌ଓ) ସ୍ତରରେ ଉଦ୍ୟମ ହୋଇଛି ଏବଂ […] The post ବ୍ୟାଖ୍ୟାନ ଜରୁରୀ appeared first on Dharitri Odia News.

ବ୍ୟାଖ୍ୟାନ ଜରୁରୀ

ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ସର୍ବୋଚ୍ଚରେ ପହଞ୍ଚତ୍ଥିବା ବେଳେ ୧୦ ମେ’ରେ ହଠାତ୍‌ ଅସ୍ତ୍ରବିରତି ନେଇ ଦୁଇ ରାଷ୍ଟ୍ର ରାଜି ହୋଇଛନ୍ତି ବୋଲି ଖବର ଶୁଣିବାକୁ ମିଳିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ ମିଡିଆରେ ଏ ନେଇ ଉଲ୍ଲେଖ କରିବା ପରେ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ପ୍ରସଙ୍ଗ ସ୍ପଷ୍ଟ କରିଥିଲେ। ତେବେ ଅସ୍ତ୍ରବିରତି ନେଇ ଦୁଇ ଦେଶର ଡାଇରେକ୍ଟର ଜେନେରାଲ ଅଫ୍‌ ମିଲିଟାରୀ ଅପରେଶନ (ଡିଜିଏମ୍‌ଓ) ସ୍ତରରେ ଉଦ୍ୟମ ହୋଇଛି ଏବଂ ଏଥିରେ କୌଣସି ତୃତୀୟ ପକ୍ଷର ଭୂମିକା ନାହିଁ ବୋଲି ନୂଆଦିଲ୍ଲୀ କହିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତର ଦାବି ଯେ ଉଭୟ ଦେଶର ଡିଜିଏମ୍‌ଓ ସ୍ତରରେ ଏହା କରାଯାଇଛି ତାହା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଘୋଷଣା ପରେ ଗଣମାଧ୍ୟମକୁ କୁହାଗଲା। ଏତେ ସତ୍ତ୍ୱେ ଅସ୍ତ୍ରବିରତିର ୩ ଘଣ୍ଟା ପରେ ପାକିସ୍ତାନ ତାହାକୁ ଉଲ୍ଲଂଘନ କରିବାରୁ ଏବେ ସ୍ଥିତି ପୂର୍ବାବସ୍ଥାକୁ ଫେରି ଯାଇଛି। ମେ ୧୧ରେ ମଧ୍ୟ ଭାରତ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଆଗ୍ରାହ୍ୟ କରିଛି।
ଏଭଳି ପରିପ୍ରେକ୍ଷୀରେ ଦେଖିଲେ ଆମେରିକାର ଭୂମିକା ଆଲୋଚନା ପରିସରକୁ ଆସୁଛି। ପ୍ରଥମରେ ଏହି ଦେଶ ସହ ପାକିସ୍ତାନର ଗଭୀର ରଣନୀତିକ ସମ୍ପର୍କ ରହିଆସିଛି। ତୁର୍କୀ ଓ ଚାଇନାଠାରୁ ପାକିସ୍ତାନ ଯୁଦ୍ଧାସ୍ତ୍ର ଆଣୁଥିଲେ ମଧ୍ୟ ଆମେରିକାଠାରୁ ସାମରିକ ସାମଗ୍ରୀ କିଣିବା ସହ ତା’ର ସବୁ କଥାକୁ ମାନିନେଉଥିବା ବିଷୟ ଜଣାଶୁଣା। ଏପରିକି ୭ ମେ ୨୦୨୫ରେ ଭାରତ ସହ ପାକିସ୍ତାନର ଯୁଦ୍ଧ ସ୍ଥିତି ସୃଷ୍ଟି ହେବା ପରେ ଆମେରିକା ଇଙ୍ଗିତରେ ଯେଭଳି ଭାବେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପାକିସ୍ତାନକୁ ୧ ବିଲିୟନ ଆମେରିକୀୟ ଡଲାର ଋଣ ହଠାତ୍‌ ପ୍ରଦାନ କରାଗଲା, ସେଥିରେ ଆମେରିକାର ମଧ୍ୟ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଯାଉଛି। ଏହା ଜଣାଶୁଣା ଯେ ଓ୍ବାଶିଂଟନର ବିନା ଅନୁମୋଦନରେ କାହାରିକୁ ଆଇଏମ୍‌ଏଫ୍‌ ଋଣ ମିଳି ନ ଥାଏ, ଯେହେତୁ ହ୍ବାଇଟ୍‌ ହାଉସ ଏ ଦିଗରେ ନିଷ୍ପତ୍ତି ନେବାରେ ପ୍ରମୁଖ ଅଂଶିଦାର ରହିଆସିଛି।
ଦେଖାଯାଉଛି ଟ୍ରମ୍ପ୍‌ ଭାରତ ଓ ପାକିସ୍ତାନ ପ୍ରସଙ୍ଗରେ କହିଲା ବେଳେ ଉଭୟ ରାଷ୍ଟ୍ରକୁ ସମାନ ସ୍ତରରେ ରଖି ମନ୍ତବ୍ୟ ଦେଉଛନ୍ତି। ୯/୧୧ ଆତଙ୍କବାଦୀ ଆକ୍ରମଣ ଭୋଗିଥିବା ଆମେରିକା ସେହି ସମୟରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିଥିଲା। ସେହି ବାହାନାରେ ଆଫଗାନିସ୍ତାନ ଉପରେ ଆମେରିକା ଆକ୍ରମଣ କରି ତାହାକୁ ଛାରଖାର କରିଦେଇଛି। ଏପରିକି ପାକିସ୍ତାନର ଆବୋଟାବାଦରେ ଓସମା ବିନ୍‌ ଲାଡେନ୍‌ଙ୍କୁ ନାଭି ସିଲ୍‌ ଦ୍ୱାରା ହତ୍ୟା କରି ଆମେରିକା ପାକିସ୍ତାନକୁ ଆତଙ୍କବାଦୀର ଦେଶ ଆଖ୍ୟା ଦେଇଥିଲା। ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦୀଙ୍କ ପାଇଁ ନିରାପଦ ଚାରଣଭୂମି ଭାବେ ଜଣାଶୁଣା ଥିଲେ ମଧ୍ୟ ପହଲଗାମ୍‌ ଆକ୍ରମଣକୁ ଆମେରିକା କୌଣସି ଭାବେ ଗୁରୁତ୍ୱ ଦେଇନାହିଁ। ବରଂ ଦୁଇ ଦେଶ ସଂଯମ ରକ୍ଷା କରନ୍ତୁ ବୋଲି ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି। ଏଥିରୁ ବୁଝିବାକୁ ହେବ ଯେ ପାକିସ୍ତାନକୁ ସିଧାସଳଖ ନିନ୍ଦା କରିବାକୁ ଆମେରିକା ଏବେ ନୁହେଁ ତ କେବେ ମଧ୍ୟ ଚାହିଁନାହିଁ।
ଏକବିଂଶ ଶତାବ୍ଦୀରେ ପୃଥିବୀର ଅଳ୍ପ କେତୋଟି ଦେଶ ଯଥା- ଆମେରିକା, ତୁର୍କୀ, ଚାଇନା, ଫ୍ରାନ୍ସ, ଇଟାଲୀ, ରୁଷିଆ ଏବଂ ଉତ୍ତର କୋରିଆ ଏବେ ବିଶ୍ୱରେ ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ ରାଷ୍ଟ୍ର ଭାବେ ବେପାର କରୁଛନ୍ତି। ବିଶ୍ୱର କୌଣସି କୋଣରେ ଯୁଦ୍ଧ ସ୍ଥିତି ସୃଷ୍ଟି ହେଲେ ତାହାର ଲାଭ ସିଧାସଳଖ ଆମେରିକା ଓ ଉପରଲିଖିତ ଦେଶଗୁଡ଼ିକୁ ସିଧାସଳଖ ମିଳିଥାଏ। ଯଦି ଅନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ୧୦ ଯୁଦ୍ଧାସ୍ତ୍ର ଉତ୍ପାଦ ଶିଳ୍ପ କଥା ଦେଖାଯାଏ ତା’ ମଧ୍ୟରେ ଆମେରିକାର ଲକ୍‌ହିଡ୍‌ ମାର୍ଟିନକୁ ମିଶାଇ ୬ କମ୍ପାନୀ ଶୀର୍ଷରେ ରହିଛନ୍ତି।
ଭାରତ ଏବେ ବିଷମ ସ୍ଥିତି ଦେଇ ଗତି କରୁଥିବା ବେଳେ ଚାଇନାର ଭୂମିକାକୁ ମଧ୍ୟ ଗଭୀର ଭାବେ ଅନୁଧ୍ୟାନ କରିବାର ସମୟ ଆସିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଯୋଗୁ ଚାଇନା ସେଥିରୁ ବ୍ୟବସାୟିକ ଲାଭ ଉଠାଇବାରେ ବ୍ୟସ୍ତ। ଭାରତ ସହ ଯେଉଁଭଳି ଭାବେ ହେଉ ପଛେ ଗୋଟେ ପ୍ରକ୍ସି ଓ୍ବାର ଚାଲିଲେ ନୂଆଦିଲ୍ଲୀର ଅର୍ଥନୀତି ଦୁର୍ବଳ ହୋଇଯିବା ଚାଇନା ଚାହିଁଥାଏ। ଅନ୍ୟପକ୍ଷରେ ଚାଇନା ସାମଗ୍ରୀ ବର୍ଜନ କରିବାକୁ ଭାରତ ଦୃଢ଼ ନିଷ୍ପତ୍ତି ନେଇପାରୁ ନାହିଁ। କାରଣ ଚାଇନା ସାମଗ୍ରୀ ଉପରେ ଅତ୍ୟଧିକ ନିର୍ଭରଶୀଳତା ବଢ଼ିଯାଇଥିବାରୁ ଭାରତ ଏପରି ପଦକ୍ଷେପ ନେଇପାରୁନାହିଁ। ମାଳଦୀପ, ତୁର୍କୀ, ଆଜାରବୈଜାନକୁ ଏଠାରେ ବିରୋଧ କରାଯାଉଥିଲେ ମଧ୍ୟ ମୁଖ୍ୟ ଶତ୍ରୁ ଚାଇନା ବିରୋଧୀ ସ୍ବର କଠୋର ହେଉନାହିଁ।
୧୧ ମେ’ରେ ଭାରତର ଡିଜିଏମ୍‌ଓ ପକ୍ଷରୁ କରାଯାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ, ଯଦି ପାକିସ୍ତାନ କୌଣସି ଭାବେ ଭାରତକୁ ଆକ୍ରମଣ କରେ, ସେଥିଲାଗି କାର୍ଯ୍ୟାନୁଷ୍ଠାନ ନେବା ଲାଗି ଯୋଜନା ସ୍ଥିର କରାଯାଇଛି ଏବଂ ତାହା ଭାରତର ‘ନ୍ୟୁ ନର୍ମାଲ’ ବା ନୂଆ ଧାରା ସୃଷ୍ଟି କରିବ। ଏଭଳି ସ୍ଥଳେ ଭାରତ ପହଲଗାମ୍‌ ଘଟଣାକୁ ଅନ୍ତର୍ଜାତୀୟ ସ୍ତରରେ ଠିକ୍‌ ଭାବେ ବ୍ୟାଖ୍ୟାନ କରି ପାକିସ୍ତାନକୁ ନିନ୍ଦିତ କରିବାର ଚେଷ୍ଟା କରିବା ଦରକାର ପଡ଼ିଲାଣି।

The post ବ୍ୟାଖ୍ୟାନ ଜରୁରୀ appeared first on Dharitri Odia News.