ବ୍ୟାଙ୍କ ହାତକୁ ଅଧିକ ଋଣ କ୍ଷମତା
ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ପଞ୍ଚମ ଦ୍ୱି-ମାସିକ ମୁଦ୍ରାନୀତି ସମୀକ୍ଷା ବୈଠକରେ ସିଆରଆର(ନଗଦ ଜମା ଅନୁପାତ)କୁ ୪.୫%ରୁ ୪% ବା ୫୦ ବେସିସ୍ ପଏଣ୍ଟ ହ୍ରାସ କରି ରିପୋ ରେଟ୍କୁ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଛି। ଏହାଫଳରେ ବ୍ୟାଙ୍କମାନଙ୍କ ହାତରେ ଅଧିକ ଋଣ ଦେବା ପାଇଁ ସୁଯୋଗ ସୃଷ୍ଟି ହେବ ଏବଂ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ବୋଲି ଆରବିଆଇ ଆଶା କରିଛି। ଏହାକୁ ମିଶାଇ ଦୀର୍ଘ ୨୨ ମାସ ବା ପାଖାପାଖି ଦୁଇବର୍ଷ ଧରି ରିପୋ […]

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ପଞ୍ଚମ ଦ୍ୱି-ମାସିକ ମୁଦ୍ରାନୀତି ସମୀକ୍ଷା ବୈଠକରେ ସିଆରଆର(ନଗଦ ଜମା ଅନୁପାତ)କୁ ୪.୫%ରୁ ୪% ବା ୫୦ ବେସିସ୍ ପଏଣ୍ଟ ହ୍ରାସ କରି ରିପୋ ରେଟ୍କୁ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଛି। ଏହାଫଳରେ ବ୍ୟାଙ୍କମାନଙ୍କ ହାତରେ ଅଧିକ ଋଣ ଦେବା ପାଇଁ ସୁଯୋଗ ସୃଷ୍ଟି ହେବ ଏବଂ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ବୋଲି ଆରବିଆଇ ଆଶା କରିଛି। ଏହାକୁ ମିଶାଇ ଦୀର୍ଘ ୨୨ ମାସ ବା ପାଖାପାଖି ଦୁଇବର୍ଷ ଧରି ରିପୋ ରେଟ୍ ଅପରିବର୍ତ୍ତିତ ରହିଛି, ଯେଉଁଥିରୁ ସୂଚନା ମିଳୁଛି ଯେ ଦେଶରେ ମୁଦ୍ରାସ୍ଫୀତି ସମସ୍ୟା ଏବେ ମଧ୍ୟ ଉତ୍କଟ ଅଛି। ଦେଶର ଅର୍ଥନୀତି ଯେ ଠିକ୍ ରାସ୍ତାରେ ଯାଉନାହିଁ ତାହା ମଧ୍ୟ ମୁଦ୍ରାନୀତି ସମୀକ୍ଷା ବୈଠକର ଅଭିବୃଦ୍ଧିର ସଂଶୋଧିତ ହାର ଘୋଷଣାରୁ ସ୍ପଷ୍ଟ ହେଉଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୨% ରହିବ ବୋଲି କରି ଆରବିଆଇ କରିଥିବା ପୂର୍ବଆକଳନକୁ ୬.୬%କୁ ହ୍ରାସ କରିଛି ଏବଂ ଖୁଚୁରା ମୁଦ୍ରାସ୍ଫୀତି ୪.୮%କୁ ବୃଦ୍ଧି ପାଇବ ବୋଲି ଅନୁମାନ କରିଛି।
ଆରବିଆଇର ମୁଦ୍ରାନୀତି ସମୀକ୍ଷା ବୈଠକର ଉପରୋକ୍ତ ନିଷ୍ପତ୍ତିରେ ଆଚମ୍ବିତ ହେବାର ନାହିଁ। ଯାହା ପୂର୍ବରୁ ଅନୁମାନ କରାଯାଉଥିଲା ତାହା ହିଁ ମୁଦ୍ରାନୀତିରେ ଅଳ୍ପେବହୁତ ପ୍ରତିଫଳିତ ହୋଇଛି। କେବଳ ଯାହା ସିଆରଆର ପରିବର୍ତ୍ତନକୁ ଅପ୍ରତ୍ୟାଶିତ ବୋଲି କୁହାଯାଇପାରେ। ମୁଦ୍ରାସ୍ଫୀତି ଲଗାତାର ଆରବିଆଇର ଧାର୍ଯ୍ୟ ସହନଶୀଳ ହାରଠାରୁ ଉଚ୍ଚା ରହିଥିବାରୁ ରିପୋ ହାର ହ୍ରାସର ସମ୍ଭାବନା ବହୁତ କମ୍ ଥିଲା। ଅପରପକ୍ଷରେ ଉଚ୍ଚା ରିପୋ ହାର ପ୍ରଭାବରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ମାନ୍ଦା ହୋଇଆସୁଛି। ଏହାଛଡ଼ା ଇତିମଧ୍ୟରେ ଟଙ୍କା ତୁଳନାରେ ଆମେରିକୀୟ ଡଲାର ମୂଲ୍ୟ ବୃଦ୍ଧି ଫଳରେ ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ ଘଟିଛି। ଏହା ସେତେ ଚିନ୍ତାଜନକ ନ ହେଲେ ମଧ୍ୟ ବୈଶ୍ୱିକ ଯୁଦ୍ଧ ପରିସ୍ଥିତି ଦୃଷ୍ଟିରୁ ଶୁଭସଙ୍କେତ ନୁହେଁ। ତେଣୁ ଏଭଳି ପରିସ୍ଥିତିରେ ବ୍ୟାଙ୍କମାନଙ୍କ ଜରିଆରେ ଦେଶର ଅର୍ଥନୀତିକୁ ଅଧିକ ସମ୍ବଳ ଯୋଗାଇ ଦେବାର ଏକମାତ୍ର ରାସ୍ତା ଥିଲା ସିଆରଆରରେ ହ୍ରାସ। ଉପରୋକ୍ତ ନିଷ୍ପତ୍ତି ଫଳରେ ଏଣିକି ଦେଶର ବାଣିଜ୍ୟିକ ବ୍ୟାଙ୍କମାନଙ୍କ ହାତରେ ମୋଟ ୧.୧୬ ଲକ୍ଷ କୋଟି ଟଙ୍କାର ନଗଦ ଜମା ରହିପାରିବ, ଯାହାକୁ ସେମାନେ ଋଣ ଆକାରରେ ବିନିଯୋଗ କରିପାରିବେ। ଏହାଫଳରେ ନିବେଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ଅଭିବୃଦ୍ଧି ହାର ଊର୍ଦ୍ଧ୍ବମୁଖୀ ହେବ। ସିଆରଆର ବ୍ୟବସ୍ଥାରେ ବାଣିଜ୍ୟିକ ବ୍ୟାଙ୍କମାନେ ଆରବିଆଇରୁ ସୁଧ ପାଆନ୍ତି ନାହିଁ। ତେଣୁ ଏବେ ସେହି ନଗଦକୁ ସେମାନେ ଲାଭକାରୀ ରାସ୍ତାରେ ବିନିଯୋଗ କରି ଅଧିକ ଲାଭବାନ ହେବେ ଏବଂ ଅର୍ଥନୀତିକୁ ଲାଭାନ୍ୱିତ କରିବେ।
ଆରବିଆଇର ଚଳିତ ମୁଦ୍ରାନୀତି ବୈଠକରେ ସବୁଠାରୁ ଅଧିକ ଚାପରେ ଥିଲା ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବନାମ ରିପୋ ହାର ହ୍ରାସ। ଅଭିବୃଦ୍ଧି ହାର ସଂକୁଚିତ ହେଉଥିବାରୁ ମୁଦ୍ରାନୀତିକୁ କୋହଳ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଆରବିଆଇ ଉପରେ ପରୋକ୍ଷ ଚାପ ସୃଷ୍ଟି କରି ଆସୁଥିଲେ। କିନ୍ତୁ ବିଗତ ୧୪ ମାସର ସର୍ବାଧିକ ସ୍ତର ୬.୨୧%ରେ ପହଞ୍ଚିଥିବା ମୁଦ୍ରାସ୍ଫୀତି କୋହଳ ମୁଦ୍ରାନୀତିର ସୁଯୋଗ ନେଇ ପୁଣି ବୃଦ୍ଧି ପାଇବାର ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ଅପରପକ୍ଷରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ମୁଦ୍ରାନୀତିକୁ ଆହୁରି କଠୋର କଲେ ତାହାର ପ୍ରତିକୂଳ ପ୍ରଭାବ ଦେଶର ସାମଗ୍ରିକ ଅର୍ଥନୀତି ଉପରେ ପଡ଼ିବା ପ୍ରାୟ ନିଶ୍ଚିତ। ଏହିଭଳି ଦ୍ୱୈତ ଆହ୍ୱାନର ସମ୍ମୁଖୀନ ହୋଇଥିବା ଆରବିଆଇର ମୁଦ୍ରାନୀତି କମିଟି ଏକ ମଧ୍ୟମ ପନ୍ଥା ବାହାର କରି ସିଆରଆର ହାରକୁ ହ୍ରାସ କରିବାକୁ ଉଚିତ ମଣିଛି।
ଏବେ ଶକ୍ତି, ଇନ୍ଧନ, ଧାତବ ପଦାର୍ଥ ସହିତ ନିତ୍ୟବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀ ଓ ଫଳ, ପନିପରିବା, ଦୁଗ୍ଧଜାତ ପଦାର୍ଥର ମୂଲ୍ୟ ବଢ଼଼ିଚାଲିଛି। ବିଶେଷକରି ଫଳ ଓ ପନିପରିବା ଦରଦାମ ବୃଦ୍ଧି ଯୋଗୁଁଁ ମୁଦ୍ରାସ୍ଫୀତି ହାର ଉଚ୍ଚା ରହୁଛି। ଏହା ମଧ୍ୟ ପରୋକ୍ଷରେ ମୁଦ୍ରାନୀତିକୁ ପ୍ରଭାବିତ କରୁଛି। ତେଣୁ ମୁଦ୍ରାସ୍ଫୀତି ଆକଳନରୁ ଫଳ ଓ ପନିପରିବାକୁ ବାଦ୍ ଦେବାକୁ ବିଚାରବିମର୍ଶ ଜାରି ରହିଛି। ଏହାଫଳରେ ଉପରକୁ ଅର୍ଥନୀତିର ଚିତ୍ର ଗୋଲାପୀ ଦେଖାଗଲେ ମଧ୍ୟ ଆଭ୍ୟନ୍ତରୀଣ ଅର୍ଥନୀତି ଅଧିକ ବିଗିଡ଼ି ଯିବାର ଆଶଙ୍କା ଥିବାରୁ ଅନେକ ଅର୍ଥନୀତିଜ୍ଞ ଏହାକୁ ବିରୋଧ କରୁଛନ୍ତି। ତେଣୁ କେବଳ ଅର୍ଥନୀତି ଓ ଅଭିବୃଦ୍ଧିକୁ ସକାରାତ୍ମକ କରିବା ପାଇଁ ଏହାର ପ୍ରମୁଖ କାରକଗୁଡ଼ିକୁ ଅଣଦେଖା କରାଯିବା ଦୀର୍ଘମିଆଦୀ ପ୍ରଭାବ ଦୃଷ୍ଟିରୁ ଅନୁଚିତ। ଏହାସତ୍ତ୍ବେ ଯଦି ସରକାରଙ୍କ ଚାପରେ ଆରବିଆଇ ଏଭଳି ନିଷ୍ପତ୍ତି ନିଏ ତେବେ ୫ ଟ୍ରିଲିୟନ ଡଲାର ମାକ୍ରୋଅର୍ଥନୀତିର ସ୍ୱପ୍ନ ଦେଖୁଥିବା ଭାରତର ମାଇକ୍ରୋଅର୍ଥନୀତି ଭୁଶୁଡ଼ି ପଡ଼ିବ। ଏହି ଦୁଇ ଅର୍ଥନୀତି ମଧ୍ୟରେ ସମତୁଲତା ବଜାୟ ରଖିବାକୁ ହେଲେ ଅନେକ କଠୋର ନୀତିଗତ ସଂସ୍କାର ପଦକ୍ଷେପ ନେବା ଏବଂ ଏଥିରେ ସର୍ବସହମତି ଆଣିବା ବାଞ୍ଛନୀୟ।
ଦରଦାମ ବୃଦ୍ଧି ପାଇଁ ସରକାର ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଓ ବୈଶ୍ୱିକ ଯୁଦ୍ଧ ପରିସ୍ଥିତିକୁ ଦାୟୀ କରୁଥିଲେ ମଧ୍ୟ ଏହା ପଛର ବାସ୍ତବତା ହେଉଛି କ୍ଷମତା ଦୌଡ଼ ଓ ଭୋଟ ରାଜନୀତିରେ ଏବେ ପ୍ରମୁଖ ଅସ୍ତ୍ର ରୂପେ ପରିଗଣିତ ବିଭିନ୍ନ ମାଗଣା ଯୋଜନାର ପ୍ରଭାବ। ଅତୀତରେ ଭାରତର ଜଣେ ପ୍ରଧାନମନ୍ତ୍ରୀଙ୍କ ଉକ୍ତି ଅନୁଯାୟୀ ଟଙ୍କା ଗଛରେ ଫଳେ ନାହିଁ। ଏହା ନିରାଟ ସତ। ଭାରତର ବହିଃବାଣିଜ୍ୟ ମଧ୍ୟ ବଳକା ନୁହେଁ। ତେଣୁ ଭୋଟ ରାଜନୀତିରେ ନିର୍ବାଚନ ଜିତି କ୍ଷମତାକୁ ଫେରିବା ପାଇଁ ସରକାରରେ ଥିବା ଦଳମାନେ ଯେଭଳି ବିପୁଳ ପରିମାଣର ଅର୍ଥ ଓ ମାଗଣା ସାମଗ୍ରୀ ବାଣ୍ଟିବାର ରାସ୍ତା ଆପଣେଇଛନ୍ତି ତାହାର ମୁଖ୍ୟ ଉତ୍ସ ହେଉଛି ରାଜକୋଷ। ଏଥିପାଇଁ ରାଜକୋଷ ଉପରେ ଯେଉଁ ଚାପ ପଡ଼ୁଛି ତାହାର ଭରଣା ଖାଉଟିମାନଙ୍କଠାରୁ ବିଭିନ୍ନ ଟିକସ ଆକାରରେ ଆଦାୟ ହେଉଛି ଏବଂ ଦରଦାମ ବୃଦ୍ଧି ପାଉଛି। ମାଗଣା ସଂସ୍କୃତିର ଅର୍ଥନୀତି ଉପରେ ପ୍ରଭାବକୁ ନେଇ ଅତୀତରେ ଅର୍ଥନୀତିଜ୍ଞ ଓ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ବିରକ୍ତି ପ୍ରକାଶ କରିଥିଲେ। କିନ୍ତୁ ଏହା ରାଜନୈତିକ ଦଳମାନଙ୍କ ମଧ୍ୟରେ ଏକ ବ୍ୟାଧି ରୂପରେ ସଂକ୍ରମିତ ହୋଇସାରିଥିବାରୁ ମାଗଣା ସଂସ୍କୃତି ଭାରତରୁ ନିକଟ ଭବିଷ୍ୟତରେ ବିଦାୟ ନେବାର ସମ୍ଭାବନା କ୍ଷୀଣ।
ଅର୍ଥନୀତି ପାଇଁ ଉଦ୍ବେଗଜନକ ହେଉଛି ଭୋଟ ରାଜନୀତିର ପରୋକ୍ଷ ପ୍ରଭାବ ଓ ବୋଝକୁ ଖାଉଟି ବା ଭୋଟରଙ୍କୁ ହିଁ ମୁଣ୍ଡାଇବାକୁ ପଡ଼ୁଛି। ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି ମଧ୍ୟବିତ୍ତ ଓ ନିମ୍ନ-ମଧ୍ୟବିତ୍ତ। ତେଣୁ ଆରବିଆଇର ମୁଦ୍ରାନୀତି ସେମାନଙ୍କ ପାଇଁ କୌଣସି ବଡ଼ ଫରକ ଆଣିବ ନାହିଁ। ମୁଦ୍ରାନୀତିର ସର୍ବାଧିକ ହିତାଧିକାରୀ ଉଚ୍ଚ ମଧ୍ୟବିତ୍ତ ଓ ଧନୀ ବର୍ଗ। ତେଣୁ ମୁଦ୍ରାନୀତିକୁ ମାକ୍ରୋଅର୍ଥନୀତି ଆଧାରିତ ନ କରି ମାଇକ୍ରୋ ଅର୍ଥନୀତି ଅନୁକୂଳ କରିବା ବିଧେୟ।