ବଡ଼ ବିଜୟ ପରେ କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ? ‌ଏମିତି କହିଲେ ଦେବେନ୍ଦ୍ର ଫଡନାଭିସ

ଆସନ୍ତା ୨୬ ତାରିଖରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଏହା ପୂର୍ବରୁ ରାଜ୍ୟରେ ସରକାର ଗଠନ ହେବା ଜରୁରୀ।

ବଡ଼ ବିଜୟ ପରେ କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ? ‌ଏମିତି କହିଲେ ଦେବେନ୍ଦ୍ର ଫଡନାଭିସ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ବଡ଼ ବିଜୟ ହାସଲ କରିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଏବେ ମେଣ୍ଟ ସରକାରରେ କିଏ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଶିବସେନାର ମୁଖ୍ୟ ଏକନାଥ ସିନ୍ଦେ ଏବେ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ରହିଛନ୍ତି। କିନ୍ତୁ ୨୦୨୪ ନିର୍ବାଚନ ପରେ ସେ ଆଉ ମୁଖ୍ୟମନ୍ତ୍ରୀ ପଦରେ ରହିବେ ନାହିଁ ବୋଲି ଆଜି ବିଜେପି ହେଭିୱେଟ ତଥା ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡାଭିସ ଦେଇଥିବା ବୟାନରୁ ସ୍ପଷ୍ଟ ହୋଇଛି।

ଆସନ୍ତା ୨୬ ତାରିଖରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଏହା ପୂର୍ବରୁ ରାଜ୍ୟରେ ସରକାର ଗଠନ ହେବା ଜରୁରୀ। ନଚେତ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବ। ୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ସବୁଠାରୁ ଅଧିକ ଆସନ ଜିତିବାକୁ ଯାଉଛି। କିନ୍ତୁ ଦଳ ଏକାକୀ ମ୍ୟାଜିକ ନମ୍ବର ୧୪୫ ହାସଲ କରିପାରିବ ନାହିଁ। ତଥାପି ବିଜେପି ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଛି। ତେଣୁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି।

ତେବେ ଦେବେନ୍ଦ୍ର ଫଡନାଭିସ ଦେଇଥିବା ବୟାନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିବା ଫଡନାଭିସଙ୍କ କହିବା କଥା ଯେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଦେଇଥିବା ପରାମର୍ଶ ଅନୁଯାୟୀ ସମସ୍ତେ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କୁ ବାଛିବେ।

ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ କୌଣସି ପ୍ରକାରର ବିବାଦ ନାହିଁ। ପ୍ରଥମ ଦିନରୁ ନିଷ୍ପତ୍ତି ହୋଇସାରିଛି ଯେ ନିର୍ବାଚନ ପରେ ମେଣ୍ଟରେ ଥିବା ୩ ଦଳ ମିଳିତ ଭାବେ ବୈଠକ କରିବେ ଓ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ନିଷ୍ପତ୍ତି ନେବେ।

ଏହି ନିଷ୍ପତ୍ତିକୁ ସମସ୍ତେ ମାନିବେ। ଏହାକୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ୍ୱ ନାହିଁ। ଏହା ମଧ୍ୟ ସତ ଯେ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିବା ନେତାଙ୍କ ସମର୍ଥକମାନେ ମଧ୍ୟ ଏନେଇ ଥଟାମଜାରେ ଅନେକ କଥା କହୁଛନ୍ତି। ହେଲେ ସବୁ କିଛି ମିଳିତ ଆଲୋଚନା ପରେ ସ୍ପଷ୍ଟ ହେବ।