ବଢ଼ୁଛି ପ୍ରଦୂଷଣ, ଆଖି ଜଳିବା, ଗଳା ଯନ୍ତ୍ରଣା ସହ ନିଶ୍ୱାସ ନେବା ମୁସକିଲ୍‌

ଦିଲ୍ଲୀର ଆନନ୍ଦ ବିହାର ସମେତ ବିଭିନ୍ନ କ୍ଷେତ୍ରରେ AQI ୪୦୦ ଅତିକ୍ରମ କରିଛି ଯେଉଁଥିପାଇଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବଢ଼ୁଛି ପ୍ରଦୂଷଣ, ଆଖି ଜଳିବା, ଗଳା ଯନ୍ତ୍ରଣା ସହ ନିଶ୍ୱାସ ନେବା ମୁସକିଲ୍‌

ଦିନକୁ ଦିନ ବଢ଼ି ଚାଲିଛି ପ୍ରଦୂଷଣ। ଦେଶର ରାଜଧାନୀ ଦିଲ୍ଲୀରେ ବିକରାଳ ରୂପ ଧାରଣ କରି ସାରିଲାଣି ବାୟୁ ପ୍ରଦୂଷଣ। ଆଜି ସକାଳୁ ସକାଳୁ ବିଭିନ୍ନ ଅଞ୍ଚଳ ଧୂଆଁମୟ ହେବା ସହ ଧୂଳିର ମୋଟା ଚାଦର ଢ଼ାଙ୍କି ହୋଇ ରହିଥିବା ଦେଖିବାକୁ ମିଳିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅନେକ କ୍ଷେତ୍ରରେ 'ଅତ୍ୟନ୍ତ ନିମ୍ନ' ବର୍ଗରେ ପହଞ୍ଚିଛି।

ଦିଲ୍ଲୀର ଆନନ୍ଦ ବିହାର ସମେତ ବିଭିନ୍ନ କ୍ଷେତ୍ରରେ AQI ୪୦୦ ଅତିକ୍ରମ କରିଛି ଯେଉଁଥିପାଇଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନଡ଼ାପୋଡି, ଯାନବାହନ ଏବଂ ଶିଳ୍ପାଞ୍ଚଳରୁ ଧୂଆଁ ନିର୍ଗମନ ହ୍ରାସ ପାଇଥିଲେ ମଧ୍ୟ ନିର୍ମାଣଜନିତ ଧୂଳି ଯୋଗୁ ସହରର ବାୟୁ ମାନ ଗମ୍ଭୀର ସ୍ଥିତିରେ ପହଞ୍ଚଛି। ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ସତ୍ତ୍ୱେ ଏହା ବଢ଼ି ଚାଲିଥିବାରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ିଯାଇଛି।

ଲୋକଙ୍କୁ ନିଶ୍ୱାସ ନେବାରେ ମଧ୍ୟ ମୁସକିଲ ରହିଛି। ସେହିପରି ଆଖି ଜଳିବା ସହ ଗଳା ଯନ୍ତ୍ରଣା ଅନୁଭବ କରୁଛନ୍ତି ଲୋକେ। ଦିଲ୍ଲୀର ଆନନ୍ଦ ବିହାର, ଅଶୋକ ବିହାର, ବାୱାନା, ଦ୍ୱାରକା, ଜାହାଙ୍ଗିରପୁରୀ, ମୁଣ୍ଡକା, ଏନଏସଆଇଟି ଦ୍ୱାରକା, ନଜଫଗଡ଼, ନେହେରୁ ନଗର, ପାଟପଡ଼ଗଞ୍ଜ, ପଞ୍ଜାବୀ ବାଗ, ରୋହିଣୀ, ୱାଜିରପୁର ଏବଂ ବିବେକ ବିହାରରେ ବାୟୁର ମାନ ସବୁଠୁ ଖରାପ ରହିଛି । ସକାଳ ୬ଟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଆନନ୍ଦ ବିହାରରେ ୪୩୨, ବାୱାନାରେ ୪୦୬, ୱାଜିରପୁରରେ ୪୧୧, ବିବେକ ବିହାରରେ ୪୧୮, ମୁଣ୍ଡାକରେ ୪୦୨ ଏବଂ ଜାହାଙ୍ଗିରପୁରୀରେ ୪୧୨ ରେକର୍ଡ କରାଯାଇଛି।

ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି। ଏକ ସର୍ବେକ୍ଷେଣରୁ ଜଣାପଡ଼ିଛି ଯେ ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୁରି ବିଗିଡ଼ି ଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡଠାରୁ ୬୫ ପ୍ରତିଶତ ଅଧିକ ରହିଛି ଦିଲ୍ଲୀର ପ୍ରଦୂଷଣ। ଏହି ବାୟୁ ପ୍ରଦୂଷଣ ହେତୁ ଦିଲ୍ଲୀର ପ୍ରାୟ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା, କାଶ ସମେତ ବିଭିନ୍ନ ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି।

ଏକ ଡିଜିଟାଲ୍ ପ୍ଲାଟଫର୍ମ ଲୋକାଲ୍ ସର୍କଲ୍ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଦିଲ୍ଲୀ-ଏନସିଆରରେ ୨୧,୦୦୦ରୁ ଅଧିକ ବାସିନ୍ଦାଙ୍କ ପ୍ରତିକ୍ରିୟା ସଂଗ୍ରହ କରାଯାଇ ଏହି ଅଞ୍ଚଳର ଜନସଂଖ୍ୟା ଉପରେ ବାୟୁ ପ୍ରଦୂଷଣର ବ୍ୟାପକ ପ୍ରଭାବ ପ୍ରକାଶ ପାଇଛି । ୬୨% ପରିବାରରେ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ଜଣେ କିମ୍ବା ଅଧିକ ସଦସ୍ୟ ଆଖି ଜଳିବା ପରି ସମସ୍ୟା ଅନୁଭବ କରୁଥିବାବେଳେ ୪୬% ଲୋକ ନାକ ପୋଡ଼ା ଅନୁଭବ କରିଛନ୍ତି।