ଭକ୍ତିର ବ୍ୟବସାୟୀକରଣ
ଶ୍ରୁତକୀର୍ତ୍ତି ତ୍ରିପାଠୀ କିଛିଦିନ ତଳେ ପୁରୁଣା ଭୁବନେଶ୍ୱରରେ ଅବସ୍ଥିତ ଏକ ପ୍ରସିଦ୍ଧ ମନ୍ଦିର ଦର୍ଶନ ପାଇଁ ପରିବାର ସହ ଯାଇଥିଲୁ। ମନ୍ଦିର ବେଢ଼ାରେ ପ୍ରବେଶଠାରୁ ଆରମ୍ଭକରି ଦର୍ଶନ ସାରି ଫେରିବା ପର୍ଯ୍ୟନ୍ତ ବ୍ୟବସାୟ ଓ ପଇସା ରୋଜଗାର କରିବାର ଭିନ୍ନ ଭିନ୍ନ କଳା ଦେଖି ଦୁଃଖିତ ହୋଇଥିଲି। ଭୋଗ ବିକ୍ରି କରୁଥିବା ଜଣେ ଭାଇ ପାଖକୁ ଡାକି କହିଲେ, ଆମ ସମସ୍ତଙ୍କ ଜୋତା ତାଙ୍କ ଭୋଗ ଦୋକାନ ପାଖରେ ରଖିବାକୁ। ମାଗଣା କାଇଁ ରଖିବୁ ବୋଲି […] The post ଭକ୍ତିର ବ୍ୟବସାୟୀକରଣ appeared first on Dharitri Odia News.
ଶ୍ରୁତକୀର୍ତ୍ତି ତ୍ରିପାଠୀ
କିଛିଦିନ ତଳେ ପୁରୁଣା ଭୁବନେଶ୍ୱରରେ ଅବସ୍ଥିତ ଏକ ପ୍ରସିଦ୍ଧ ମନ୍ଦିର ଦର୍ଶନ ପାଇଁ ପରିବାର ସହ ଯାଇଥିଲୁ। ମନ୍ଦିର ବେଢ଼ାରେ ପ୍ରବେଶଠାରୁ ଆରମ୍ଭକରି ଦର୍ଶନ ସାରି ଫେରିବା ପର୍ଯ୍ୟନ୍ତ ବ୍ୟବସାୟ ଓ ପଇସା ରୋଜଗାର କରିବାର ଭିନ୍ନ ଭିନ୍ନ କଳା ଦେଖି ଦୁଃଖିତ ହୋଇଥିଲି। ଭୋଗ ବିକ୍ରି କରୁଥିବା ଜଣେ ଭାଇ ପାଖକୁ ଡାକି କହିଲେ, ଆମ ସମସ୍ତଙ୍କ ଜୋତା ତାଙ୍କ ଭୋଗ ଦୋକାନ ପାଖରେ ରଖିବାକୁ। ମାଗଣା କାଇଁ ରଖିବୁ ବୋଲି ଭୋଗ ସରଞ୍ଜାମଟିଏ ନେଲୁ। ଭିତରେ ମୋବାଇଲ ରଖିବା ଥିଲା ଆଉ ଏକ ଧାଡ଼ି। ମୋବାଇଲ ପିଛା ୫ ଟଙ୍କା ହିସାବରେ ୫ଟି ପାଇଁ ପଇସା ଦେଇ ମନ୍ଦିର ଭିତରକୁ ପଶିବା ଲାଗି ଆଉ ଗୋଟିଏ ଧାଡ଼ିରେ ଛିଡ଼ା ହେଲୁ ଆମେ। ସେତେବେଳେ ସେବକମାନଙ୍କ ଭିତରୁ କିଛିଜଣ ଆସି ପଚାରିବା ଆରମ୍ଭ କରିଦେଲେ ଯେ ଆମେ କେଉଁ ଜିଲା ବା ସ୍ଥାନରୁ ଆସିଛୁ। ଭୁବନେଶ୍ୱରରୁ ଆସିଛୁ ବୋଲି ଶୁଣିବା ପରେ ଆମ ପାଖରେ ଗହଳି ଲଗାଉଥିବା ନନାମାନେ ଅନ୍ୟ ଭକ୍ତମାନଙ୍କ ଆଡ଼କୁ ବଢ଼ି ଯିବାର ଦେଖିଲି। ବୋଧହୁଏ ସ୍ଥାନୀୟ ଲୋକଙ୍କ ପାଇଁ ତାଙ୍କର ଆଗ୍ରହ ନ ଥିଲା।
ଭୋଗଡାଲା ସହ ସପରିବାର ପ୍ରବେଶ କରନ୍ତେ ଆଉ ଜଣେ ସେବକଙ୍କ ଆବିର୍ଭାବ ହେଲା। ‘ଆଜ୍ଞା ଏଇଠି ମୁଣ୍ଡିଆଟିଏ ମାରନ୍ତୁ’ ବୋଲି ସେ କହିଲେ। ଟିକେ ଆଗକୁ ଗଲା ପରେ ଗୋଟିଏ ସ୍ଥାନରେ ଧାଡ଼ି ଧାଡ଼ି ହୋଇ ଦୀପ ଓ ଧୂପକାଠି ଜଳୁଥିବାର ଏବଂ ଭକ୍ତଗଣ ଦୀପ ଧୂପ ବୁଲେଇବାର ଦୃଶ୍ୟ ଆଖିରେ ପଡ଼ିଲା, ଆଉ ଆମେ ଜାଣିଗଲୁ ଯେ ଏଠାରେ ଦୀପ ପ୍ରଜ୍ୱଳନ କରାହେବ। ମାତ୍ର ପୁଣିଥରେ ସେବକ ଆମକୁ କହିଲେ, ‘ଏଠାରେ ଦୀପ ଓ ଧୂପକାଠି ଜଳେଇ ଦିଅନ୍ତୁ, ଆଗକୁ ଆଉ ଜଳେଇ ପାରିବେନି।’ ଏପର୍ଯ୍ୟନ୍ତ ଆମକୁ ବୁଝା ପଡୁ ନ ଥାଏ ଯେ ଏହି ପଣ୍ଡିତଙ୍କୁ ମାର୍ଗଦର୍ଶନ ପାଇଁ ଡାକିଥିଲା କିଏ ଏବଂ ଆମେ ପୂର୍ବରୁ ଜାଣିଥିବା ସାଧାରଣ କଥାଗୁଡ଼ିକୁ ସେ ଆମକୁ କାହିଁକି ବତେଇ ଚାଲିଛନ୍ତି।
ଆମେ ଠାକୁରଙ୍କୁ ନମସ୍କାର କରିବା ଶେଷ ହୋଇନି ସେ ଆମକୁ ପୁଣି କହିଲେ, ‘ଶୀଘ୍ର ଚାଲନ୍ତୁ ଭିଡ଼ ହେଇଯିବ’। ଆମେ ଧାଡ଼ିରେ ଚାଲିଥାଉ, ଆମ ପାଳି ଆସିଲା ବେଳକୁ ବାଉଁଶବାଡ଼ ଆର ପଟେ ଥିବା ସେବକ ପଚାରୁଛନ୍ତି, ‘ଆପଣ କାହା ସହ ଆସିଛନ୍ତି’? ହଠାତ୍ ସେତେବେଳୁ ଆମ ପାଖରେ ଘୂରି ବୁଲୁଥିବା ସେବକଙ୍କର ଆବିର୍ଭାବ ଘଟିଲା। କିଛି କହିବା ପୂର୍ବରୁ ସେ ମନ୍ତ୍ର ଉଚ୍ଚାରଣ କରି ଭୋଗଡାଲାଟି ଭିତରେ ଥିବା ବ୍ରାହ୍ମଣଙ୍କୁ ବଢ଼େଇଦେଲେ। ଏବେ ମୁଁ ଭାବୁଥିଲି ଯେ ଭୋଗ ସରଞ୍ଜାମ ନ ଆଣି ଖାଲି ଦୀପ ଆଣିଥିଲେ ଭଲହୋଇଥାନ୍ତା। କାରଣ ଜଣେ ଯଦି କେବଳ ଦୀପ ନେଇ ଆସିବ ତାକୁ ଭୋଗ ଲଗେଇବା ପାଇଁ ଧାଡ଼ିରେ ଠିଆ ହେବା କିମ୍ବା ସେବକଙ୍କ ସାହାଯ୍ୟ ଲୋଡ଼ା ହେବ ନାହିଁ। ପାଦୁକ ଗ୍ରହଣ କରି ଆମ ଇଚ୍ଛା ଓ ସାଧ୍ୟ ମତେ ସେଠି ଥିବା ପିତ୍ତଳ ଥାଳିଆରେ କିଛି ଦକ୍ଷିଣା ଦେଇ ପଛକୁ ବୁଲିଲା ବେଳକୁ ସେଇ ସେବକ ଜଣକ ଛିଡ଼ା ହୋଇଥାନ୍ତି। ଆମକୁ ଆଶୀର୍ବାଦ କରି ‘କିଛି ଦିଅନ୍ତୁ’ କହି ସେ ପୁଣି ଛିଡ଼ାହେଲେ। ଆଶ୍ଚର୍ଯ୍ୟ ହେଲୁ ଯେ, ତାଙ୍କୁ କ’ଣ ପାଇଁ ଆମେ ପଇସା ଦେବୁ, ଆମେ ତ ତାଙ୍କୁ ଖୋଜି ନ ଥିଲୁ? ତଥାପି ଲୋକଟି ସାଙ୍ଗରେ ବୁଲିଛି ଭାବି ୧oo ଟଙ୍କା ଦେବା ବେଳକୁ ସେ ଟଙ୍କା ଫେରାଇଦେଇ କହିଲେ, ଏତିକିରେ କ’ଣ ହେବ। ଏବେ ମୋ ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା। ମୁହଁରୁ ବାହାରି ପଡ଼ିଲା ଆପଣ ନ ନିଅନ୍ତୁ, ଆମର ଯାହା ଦେବାର ଅଛି, ଆମେ ମନ୍ଦିର ହୁଣ୍ଡିରେ ଦେବୁ। ଏତକ ଶୁଣିବା ପରେ ଲୋକଟି ଓଲଟା ମୋତେ ଶୁଣେଇଲେ, ‘ଆପଣ ଏମିତି କ’ଣ କହୁଛନ୍ତି, ଆମେ କ’ଣ ଆପଣଙ୍କୁ ବାଧ୍ୟ କରୁଛୁ?’ ଏଠାରେ ପାଠକେ କହିବେ କିଏ କାହାକୁ ବାଧ୍ୟ କରୁଥିଲା।
ସେଇ ପଇସାତକ ମନ୍ଦିର ହୁଣ୍ଡିରେ ଗଳେଇଦେଇ ଆମେ ଯିବାକୁ ବାହାରିଲୁ। ମନ ଭକ୍ତି ବଦଳରେ ଅସନ୍ତୋଷ ଓ ଅଶାନ୍ତିରେ ଭର୍ତ୍ତି ହୋଇସାରିଥିଲା। ମଣିଷ କ’ଣ ଏସବୁ ଅନୁଭୂତି ପାଇଁ ମନ୍ଦିର ଆସେ। ଶୁଦ୍ଧ ଓ ପବିତ୍ର ମନନେଇ ଠାକୁର ଦର୍ଶନ କରିବାର ଅଭିଳାଷ ଆଉ ପୂରଣ ହେବା ସମ୍ଭବ ନ ଥିଲା, ତେଣୁ ଫେରିଯିବା ହିଁ ଠିକ୍ ହେବ ଭାବିଲୁ। ହେଲେ ଏତିକି ଯଥେଷ୍ଟ ନ ଥିଲା ଯେ ଶେଷରେ ବାହାରକୁ ଆସିଲା ବେଳକୁ ଜଣେ ବୃଦ୍ଧ ବ୍ରାହ୍ମଣ ହାତରେ ବେତବାଡ଼ି ଖଣ୍ଡେ ଧରି କିଛି ପଇସା ଦେଇଯିବା ପାଇଁ କହିବା ଶୁଣାଗଲା। ତାଙ୍କ କଥାକୁ ନ ଶୁଣି ବାହାରିଗଲା ବେଳକୁ ମୋ କାନରେ ପଡ଼ିଲା ସେ କହୁଥିଲେ, ‘ଅମାନ୍ୟ କରି ଯାଉଛୁ?’ ଘଡ଼ିଏ ପାଇଁ ଇଚ୍ଛା ହେଲା, ସେଠାରେ ରହି ତାଙ୍କୁ ପଚାରିବାକୁ ଯେ ମୁଁ କ’ଣ ଅମାନ୍ୟ କଲି? ହେଲେ ଯୁକ୍ତିତର୍କ କରିବାର ଇଚ୍ଛା କି ଧୈର୍ଯ୍ୟ ମୋ ଭିତରେ ଆଉ ନ ଥିଲା। ପଇସା ମାଗିବା ଆଉ ପଇସା ନ ଦେଲେ ଅଭିଶାପ ଦେବା ଢଙ୍ଗରେ ବୃଦ୍ଧଙ୍କର ସେହି ବାକ୍ୟ ମୋତେ ତୀବ୍ର ଅସନ୍ତୋଷ ଦେଲା।
ପାଠକବନ୍ଧୁ ଏଠାରେ ଘଟଣାଟି ଅବତାରଣା କରିବା ପଛରେ କାହାକୁ ଅସମ୍ମାନ କିମ୍ବା ଅପମାନ କରିବାର ଉଦ୍ଦେଶ୍ୟ ନାହିଁ। ବରଂ ଜଣେ ଭକ୍ତ ହିସାବରେ ଅନେକଙ୍କ ଅସନ୍ତୋଷ ଓ ଅଶାନ୍ତିକୁ ଉପସ୍ଥାପନ କରିଛି। ଭକ୍ତଟିଏ ମନ୍ଦିର ଯାଏ ଠାକୁରଙ୍କ ସହ ଏକାକାର ହେବାକୁ, ତା’ର ମନର କଥା ଜଣେଇବାକୁ, ହେଲେ ମନ୍ଦିର ପ୍ରାଙ୍ଗଣରେ ପ୍ରବେଶ କରୁକରୁ ତା’ଠାରୁ ନିଜ ଇଚ୍ଛା ଅନୁସାରେ ପୂଜା କରିବା, ବସିବା, ବୁଲିବା ଅଧିକାରକୁ କାହିଁକି ଏହି ଅନିମନ୍ତ୍ରିତ ପଣ୍ଡିତମାନେ ଛଡ଼େଇ ନିଅନ୍ତି? ନିଜ ସାଧ୍ୟମତେ ଦାନ କରିବାର ସ୍ବାଧୀନତାକୁ ହରଣ କରିନେଇ ବଡ଼ ମୂଲ୍ୟର ଦକ୍ଷିଣା ଦେବା ପାଇଁ କାହିଁକି ବାଧ୍ୟ କରନ୍ତି। କାହିଁକି ଭକ୍ତ ଖୁସିରେ ଦକ୍ଷିଣା ନ ଦେଇ ବରଂ କିଛି ଅଭିଶାପ ମିଳିଯିବା ଡରରେ ଅନିଚ୍ଛା ମୁତାବକ ଦକ୍ଷିଣା ଦିଏ। ଠାକୁରଙ୍କୁ ଆଳକରି ଏ ବ୍ୟବସାୟ କାହିଁକି। ଠାକୁର ତ ଟଙ୍କା ମାଗୁନାହାନ୍ତି, ତାଙ୍କ ନାଁରେ ଭକ୍ତଙ୍କୁ ହଇରାଣ କରିବା କେତେଦୂର ଠିକ୍? ମୋର ବ୍ୟକ୍ତିଗତ ଅନୁଭୂତି ତ ମୋତେ ମନ୍ଦିର ଯିବା ପାଇଁ ବୀତସ୍ପୃହ କରୁଛି। ବଦଳୁଥିବା ଆମ ସମାଜରେ ଭକ୍ତଙ୍କ ଭକ୍ତିକୁ ନେଇ ଏହି ବ୍ୟବସାୟ ଭଗବତ୍ ପ୍ରାପ୍ତିର ଠିକ୍ ମାର୍ଗରୁ ଆମକୁ ବିରତ କରୁନାହିଁ ତ!
ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮
The post ଭକ୍ତିର ବ୍ୟବସାୟୀକରଣ appeared first on Dharitri Odia News.