ଭରତପୁର ଥାନା କାଣ୍ଡ: ଆଉ ୪ ପୁଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

ନିଲମ୍ବିତ କନଷ୍ଟେବଲଙ୍କର ପଲିଗ୍ରାଫ କିମ୍ବା ଅନ୍ୟ କୌଣସି ଟେଷ୍ଟ କରାଯିବ ନାହିଁ। 

ଭରତପୁର ଥାନା କାଣ୍ଡ: ଆଉ ୪ ପୁଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱରର ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଆଉ ୪ ପୁଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ। ସେମାନଙ୍କର ପଲିଗ୍ରାଫ୍ ଟେଷ୍ଟ ପାଇଁ ଆଜି ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ।

ଏହି ୪ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ନିଲମ୍ବିତ ହୋଇଥିବା ଜଣେ ମହିଳା ସବ୍‌-ଇନ୍ସପେକ୍ଟର ଓ ୨ ମହିଳା ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର। ଏହି ତିନି ଜଣଙ୍କ ସହିତ ସେଦିନ ସେଠାରେ ଉପସ୍ଥିତ ଆଉ ଜଣେ ପୁଲିସ ଅଧିକାରୀଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ ହେବ। ସେଥିପାଇଁ ସେମାନଙ୍କୁ ଗୁଜରାଟର ଗାନ୍ଧିନଗର ନିଆଯିବ। କିନ୍ତୁ ନିଲମ୍ବିତ କନଷ୍ଟେବଲଙ୍କର କୌଣସି ଟେଷ୍ଟ କରାଯିବ ନାହିଁ। 

ପୂର୍ବରୁ ଭରତପୁରର ପୂର୍ବତନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟ ଅନୁମତି ଦେଇସାରିଛନ୍ତି। ପଲିଗ୍ରାଫ ଟେଷ୍ଟ ସହିତ ତାଙ୍କର ନାର୍କୋ ଆନାଲିସିସ୍‌ ଓ ବ୍ରେନ୍‌ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟକୁ ବି ଅନୁମତି ଦେଇଛନ୍ତି କୋର୍ଟ। ଏହି ୩ଟି ଟେଷ୍ଟ ପାଇଁ ଦୀନକୃଷ୍ଣଙ୍କୁ ମଧ୍ୟ ଗୁଜରାଟର ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ।  

ଅନ୍ୟପକ୍ଷରେ ଭରତପୁର ଘଟଣାରେ ପୀଡ଼ିତାଙ୍କ ନାଁରେ ହାଇକୋର୍ଟରେ ହୋଇଛି ମାମଲା। ନିଲମ୍ବିତ ହୋଇଥିବା ଭରତପୁର ଥାନାର ପୂର୍ବତନ ମହିଳା ପୁଲିସ ଅଧିକାରୀଙ୍କ ମାଆ ଏହି ମାମଲା କରିଛନ୍ତି। ହାଇକୋର୍ଟଙ୍କ ବାରଣ ସତ୍ତ୍ୱେ ପୀଡ଼ିତା ଏକ ଜାତୀୟ ଗଣମାଧ୍ୟମରେ ମହିଳା ପୁଲିସ ଅଧିକାରୀଙ୍କ ନାଁ ନେଇଥିବାରୁ ଅଦାଦଲତ ଅବମାନନା ମାମଲା ଦାଏର କରିଛନ୍ତି।