ଭରତପୁର ଥାନାରେ ଏଣେତେଣେ ପଡ଼ିଛି ସିସିଟିଭି, ଆଗରୁ ଥିଲା ନା ବାହାରୁ ଆସିଲା?

ଆଜି ଥାନା ପରିସରରେ କିଛି ପୁରୁଣା ସିସିଟିଭି ଗଦା ହୋଇଥିବା ଦେଖିବାକୁ ମିଳିଛି। ତେବେ ଏହା କେଉଁଠୁ ଆସିଲା, ପୂର୍ବରୁ ଭରତପୁର ଥାନାରେ ଥିଲା ନା ବାହାରୁ ଆସିଛି ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଭରତପୁର ଥାନାରେ ଏଣେତେଣେ ପଡ଼ିଛି ସିସିଟିଭି, ଆଗରୁ ଥିଲା ନା ବାହାରୁ ଆସିଲା?

ସମଗ୍ର ଦେଶରେ ଏବେ ଚର୍ଚ୍ଚାର ପରିସରକୁ ଆସିଛି ଭରତପୁର ଥାନା । ଗତ ୧୫ ତାରିଖ ରାତିରେ ସେଠାରେ ଘଟିଥିବା କାଣ୍ଡକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଥାନାରେ ସିସିଟିଭି ଲାଗି ନ ଥିବା ଜଣାପଡ଼ିଥିଲା। ମାତ୍ର ଆଜି ଥାନା ପରିସରରେ କିଛି ପୁରୁଣା ସିସିଟିଭି ଗଦା ହୋଇଥିବା ଦେଖିବାକୁ ମିଳିଛି। ତେବେ ଏହା କେଉଁଠୁ ଆସିଲା, ପୂର୍ବରୁ ଭରତପୁର ଥାନାରେ ଥିଲା ନା ବାହାରୁ ଆସିଛି ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଭରତପୁର ଥାନାରେ ଏଣେତେଣେ ସିସିଟିଭି ପଡ଼ି ରହିଥିବା ଦେଖିବାକୁ ମିଳିଛି। ଗଦା ଗଦା ସିସିଟିଭି କ୍ୟାମେରା ଖୋଲା ଯାଇ ତଳେ ପଡ଼ି ରହିଛି। ଏହି ସିସିଟିଭିରେ କଳଙ୍କି ଓ ଅଳନ୍ଦୁ ଲାଗିଥିବାରୁ ତାହା ପୁରୁଣା ବୋଲି ସ୍ପଷ୍ଟ ଜଣାପଡ଼ୁଛି। ଏସବୁ ସିସିଟିଭି ପୂର୍ବରୁ ଥିଲା ନା ଏହାକୁ କାଢ଼ି ଦିଆଯାଇଛି ତାକୁ ନେଇ ନାନା ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରିଛି ।

ଗତ ୧୫ ତାରିଖ ରାତିରେ ଯେଉଁ ଘଟଣା ଘଟିଲା ସେତେବେଳେ ସିସିଟିଭି ଥାନାରେ ନ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ତା’ ହେଲେ ଏହି ସବୁ ସିସିଟିଭି କେଉଁଠୁ ଆସିଲା ସେ ନେଇ କେହି ମୁହଁ ଖୋଲୁ ନାହାନ୍ତି। ।

ଏହି ଘଟଣାକୁ ନେଇ ତମ୍ବିତୋଫାନ ଆରମ୍ଭ ହୋଇଥିବା ବେଳେ ଥାନାର ଆଇଆଇସିଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ଦୀପକ ଖଣ୍ଡାୟତରାୟ ଆଜି ଭରତପୁର ଥାନାର ନୂଆ ଥାନାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଆଜି ଥାନା ପରିସରରେ ଦୁଇ ଘଣ୍ଟା କାଳ ପୂଜାର୍ଚ୍ଚନା କରିବା ପରେ ଚେୟାରରେ ବସିଛନ୍ତି।

new iicଭରତପୁର ଥାନାର ନୂଆ ଆଇଆଇସି ଦୀପକ ଖଣ୍ଡାୟତରାୟ ।

ଏହାପରେ ଗଣମାଧ୍ୟମକୁ ସାକ୍ଷାତ ଦେଇ ନିଜ ମାନସିକ ଶାନ୍ତି ପାଇଁ ପୂଜାର୍ଚ୍ଚନା କରିଥିବା କହିଛନ୍ତି। ଏଥିସହ ଥାନା ପରିସରରେ କିଛି ପୁରୁଣା ସିସିଟିଭି ଗଦା ହୋଇଥିବା ସମ୍ପର୍କରେ ବି ସେ ମତ ରଖିଛନ୍ତି। ସେ କହିଛନ୍ତି, ପୁରୁଣା ଥାନାରେ ସିସିଟିଭି ଲଗାଯାଇଥିଲା। ଏବେ ଭରତପୁର ଥାନାକୁ ଅଣାଯାଇଛି। ଏହାକୁ ଥାନାର ବିଭିନ୍ନ ସ୍ଥାନରେ ଲଗାଯିବ । ଏଥିସହ ଆବଶ୍ୟକ ପଡ଼ିଲେ ଅଧିକ ସିସିଟିଭି ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ।

ଭରତପୁର ଥାନା ଗତ ମାର୍ଚ୍ଚ ୧୧ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌ ଅନୁଯାୟୀ, ନୂଆ ଥାନା ପ୍ରତିଷ୍ଠା ହେଲେ ସେଠାରେ ତତ୍‌କ୍ଷଣାତ ସିସିଟିଭି ଲଗାଯିବ । ତେବେ ଏହି ଥାନା ପ୍ରତିଷ୍ଠାକୁ ୫ ମାସ ବିତି ସାରିଥିବା ବେଳେ ସେଠାରେ କ’ଣ ପାଇଁ ସିସିଟିଭି ଲାଗି ନ ଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Puja In Thanaଭରତପୁର ଥାନାରେ ଆଇଆଇସିଙ୍କ ପୂଜାର୍ଚ୍ଚନା।

ଏବେ ଏହି ଘଟଣା ସାମନାକୁ ଆସିବା ପରେ ତରବରିଆ ଭାବେ ପୁରୁଣା ସିସିଟିଭି କେଉଁଠୁ ଅଣାଯାଇଛି ସେ ନେଇ ବି କିଛି ସ୍ପଷ୍ଟ ଭାବେ କୁହାଯାଉନି। ଏହି ସିସିଟିଭି ପୁରୁଣା ଥାନାରୁ ଆସିଥିବା ଆଇଆଇସି କହୁଥିବା ବେଳେ ୫ ମାସ ହେଲା ଏହା କାହିଁକି ଆସି ପାରୁ ନ ଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।