ଭାବରେ ଭିଜିଲା ସିଂହଦ୍ୱାର, ବଡଦେଉଳରେ ବାହାରିବ ନୀଳାଚଳ ଅବଢା

ପୁରୀ ୨୦/୦୭: ଦୀର୍ଘ ୨୭ଦିନ ପରେ ଠାକୁରେ ନୀଳାଦ୍ରି ବିଜେ ଅବସରରେ ରତ୍ନ ସିଂହାସନକୁ ଫେରିଲେ । ସ୍ନାନପୂର୍ଣ୍ଣମୀ ପରଠାରୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅନ୍ନପ୍ରସାଦ ଭୋଗ ଲାଗି ନଥିଲା । ନୀଳାଦ୍ରି ବିଜେ ପରଦିନଠାରୁ ଶ୍ରୀବିଗ୍ରହଙ୍କୁ ଅନ୍ନପ୍ରସାଦ ଭୋଗ କରାଯିବ । ପ୍ରଥମ ଦିନର ଅନ୍ନ ମହାପ୍ରସାଦ ନୀଳାଚଳ ଅବଢ଼ା ନାମରେ ଖ୍ୟାତ । ଶନିବାର ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା । ଏହି ନୀଳାଚଳ ଅବଢ଼ାରୁ କଣିକାଏ ପାଇବାକୁ ଭକ୍ତ ପ୍ରବଳ ଉତ୍କଣ୍ଠାର ସହ ଚାହିଁ ବସିଥାଏ । ସେଥିପାଇଁ ଆନନ୍ଦବଜାରରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ହୁଏ ।ହଟ କଲେ ହଟିଆ ଠାକୁରେ । ନିର୍ଦ୍ଧାରିତ ସମୟ ଠାରୁ ବେଶ୍‌ ବିଳମ୍ବରେ ହେଲା ପହଣ୍ଡି । ଭକ୍ତଙ୍କୁ ଛାଡ଼ିଯିବାକୁ ସତେକି ଭକ୍ତବତ୍ସଳ କାଳିଆସାଆନ୍ତଙ୍କ ମନ ନଥିଲା । ଚକାଆଖି ସହ ମିଶୁଥିଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଖି । ଅପଲକ ନୟନ ମେଲି ସବୁରିକୁ ଶାନ୍ତି ବାଣ୍ଟି ଦେଉଥିଲେ ଠାକୁରେ । ରଥ ସମ୍ମୁଖରେ ପାରମ୍ପରିକ ନୃତ୍ୟରେ କଳାକାରମାନେ ମଜ୍ଜିଥାନ୍ତି । ଠାକୁରଙ୍କୁ ଛାଡ଼ିବା ଦୁଃଖରେ ଭକ୍ତ ଆଖିରୁ ବୋହିଯାଉଥିଲା ଧାର ଧାର ଲୁହ । ଠିକ୍‌ ଏତିକି ବେଳେ ଆକାଶରୁ ଝରିଥିଲା ଆନନ୍ଦବାରି । ଜଗନ୍ନାଥଙ୍କ ପହଣ୍ଡି ପୂର୍ବରୁ ସରିଥିଲା ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି । ଶ୍ରୀଜଗନ୍ନାଥଙ୍କ ପହଣ୍ଡି ପାଇଁ ପ୍ରସ୍ତୁତି ଚାଲିଥାଏ । ଆକାଶରୁ ବର୍ଷିଲା ଅନନ୍ଦବାରି । ବେଶ୍‌ କିଛି ସମୟ ଚାଲି

ଭାବରେ ଭିଜିଲା ସିଂହଦ୍ୱାର, ବଡଦେଉଳରେ ବାହାରିବ ନୀଳାଚଳ ଅବଢା

ପୁରୀ ୨୦/୦୭: ଦୀର୍ଘ ୨୭ଦିନ ପରେ ଠାକୁରେ ନୀଳାଦ୍ରି ବିଜେ ଅବସରରେ ରତ୍ନ ସିଂହାସନକୁ ଫେରିଲେ । ସ୍ନାନପୂର୍ଣ୍ଣମୀ ପରଠାରୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅନ୍ନପ୍ରସାଦ ଭୋଗ ଲାଗି ନଥିଲା । ନୀଳାଦ୍ରି ବିଜେ ପରଦିନଠାରୁ ଶ୍ରୀବିଗ୍ରହଙ୍କୁ ଅନ୍ନପ୍ରସାଦ ଭୋଗ କରାଯିବ । ପ୍ରଥମ ଦିନର ଅନ୍ନ ମହାପ୍ରସାଦ ନୀଳାଚଳ ଅବଢ଼ା ନାମରେ ଖ୍ୟାତ । ଶନିବାର ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା । ଏହି ନୀଳାଚଳ ଅବଢ଼ାରୁ କଣିକାଏ ପାଇବାକୁ ଭକ୍ତ ପ୍ରବଳ ଉତ୍କଣ୍ଠାର ସହ ଚାହିଁ ବସିଥାଏ । ସେଥିପାଇଁ ଆନନ୍ଦବଜାରରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ହୁଏ ।

ହଟ କଲେ ହଟିଆ ଠାକୁରେ । ନିର୍ଦ୍ଧାରିତ ସମୟ ଠାରୁ ବେଶ୍‌ ବିଳମ୍ବରେ ହେଲା ପହଣ୍ଡି । ଭକ୍ତଙ୍କୁ ଛାଡ଼ିଯିବାକୁ ସତେକି ଭକ୍ତବତ୍ସଳ କାଳିଆସାଆନ୍ତଙ୍କ ମନ ନଥିଲା । ଚକାଆଖି ସହ ମିଶୁଥିଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଖି । ଅପଲକ ନୟନ ମେଲି ସବୁରିକୁ ଶାନ୍ତି ବାଣ୍ଟି ଦେଉଥିଲେ ଠାକୁରେ । ରଥ ସମ୍ମୁଖରେ ପାରମ୍ପରିକ ନୃତ୍ୟରେ କଳାକାରମାନେ ମଜ୍ଜିଥାନ୍ତି । ଠାକୁରଙ୍କୁ ଛାଡ଼ିବା ଦୁଃଖରେ ଭକ୍ତ ଆଖିରୁ ବୋହିଯାଉଥିଲା ଧାର ଧାର ଲୁହ । 

ଠିକ୍‌ ଏତିକି ବେଳେ ଆକାଶରୁ ଝରିଥିଲା ଆନନ୍ଦବାରି । ଜଗନ୍ନାଥଙ୍କ ପହଣ୍ଡି ପୂର୍ବରୁ ସରିଥିଲା ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି । ଶ୍ରୀଜଗନ୍ନାଥଙ୍କ ପହଣ୍ଡି ପାଇଁ ପ୍ରସ୍ତୁତି ଚାଲିଥାଏ । ଆକାଶରୁ ବର୍ଷିଲା ଅନନ୍ଦବାରି । ବେଶ୍‌ କିଛି ସମୟ ଚାଲିଲା ବର୍ଷା । ମହାପ୍ରଭୁଙ୍କ କୃପା ବର୍ଷାରେ ଭିଜୁଥିଲେ ଭକ୍ତ । ସରିଗଲା ଘୋଷ ଯାତ୍ରାରେ ୧୩ ଦିନର ଭାବପ୍ରୀତି । ମିଳନର ଆନନ୍ଦ ସାଙ୍ଗକୁ ବିରହ ବେଦନାର ସାକ୍ଷୀ ରହିଲା ସିଂହଦ୍ୱାର ।  


ଶ୍ରୀଗୁଣ୍ଡିଚାରେ ସିଂହଦ୍ୱାର ଗୁମୁଟ୍‌ରେ ଠାକୁରଙ୍କୁ ଦେଖି ଯେପରି ଆଲ୍ଲାଦିତ ହୋଇଥିଲେ ଆଜି ନୀଳାଦ୍ରି ବିଜେରେ ଠାକୁରଙ୍କୁ ଶ୍ରୀମନ୍ଦିରରେ ଛାଡ଼ି ବିଳପି ଉଠୁଥିଲେ ଭକ୍ତ । ବଞ୍ଚିଥିଲେ ପୁଣି ଆର ବର୍ଷକୁ ଦେଖା କହି ମହାପ୍ରଭୁଙ୍କୁ ମେଲାଣି ଦେଲେ । ଠାକୁରେ କଥା ଦେଲେ ପୁଣି ଆର ବର୍ଷକୁ ଭେଟ ।  ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେର କ୍ଷଣ । ଶୁକ୍ରବାର ସିଂହଦ୍ୱାର ଠାରେ ଭାବାବେଗମୟ ପରିବେଶ । ଉତ୍ସାହିତ ସେବକ ଓ ତତ୍ପର ପ୍ରଶାସକଙ୍କ ସାଙ୍ଗକୁ ଉତ୍କଣ୍ଠିତ ଲକ୍ଷାଧିକ ଭକ୍ତ । 

ଅପରାହ୍ନ ୪ଟା୫୦ ମିନିଟ୍‌ରେ ଚାରମାଳ ବନ୍ଧା ଆରମ୍ଭ ହୋଇ ସରିଲା ପ୍ରାୟ ସାଢ଼େ ୭ଟାରେ । ୭ଟା୫୦ଟାରେ ପୁଷ୍ପାଞ୍ଜଳି ଅର୍ପଣ ହୋଇ ବିଜେ କାହାଳି ବାଜିଲା । ରାତି ୮ଟା୦୫ ମିନିଟରେ ହେଲା ପ୍ରତୀକ୍ଷାର ଅନ୍ତ । ଘଣ୍ଟ ଘଣ୍ଟା ଧ୍ୱନି ସାଙ୍ଗକୁ ଭକ୍ତଙ୍କ ହରିବୋଲି ହୁଳହୁଳିର ଧ୍ୱନିରେ ଉଛୁଳିଲା ସିଂହଦ୍ୱାର । ରଥାରୂଢ ଠାକୁରଙ୍କ ପହଣ୍ଡି ଆରମ୍ଭ ହେଲା । ପୁଷ୍ପାଳକ ସେବକମାନେ ପ୍ରଥମେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣଙ୍କୁ ଦକ୍ଷିଣଘରେ ବିଜେ କରାଇଥିଲେ । 

ପରେ ଶ୍ରୀସୁଦର୍ଶନ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା । ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ ହେଲା । ବିଳମ୍ବିତ ରାତିରେ ଚତୁର୍ଦ୍ଧାମୂର୍ତ୍ତି ଗର୍ଭଗୃହରେ ବିଜେ ହୋଇ ରତ୍ନସିଂହାସନରେ ଅଧିଷ୍ଠିତ ହେଲେ । ଦଇତାପତିମାନେ ସିଂହାସନରେ ଠାକୁରମାନଙ୍କର ରୁନ୍ଧାକାର୍ଯ୍ୟ ସାରିଥିଲେ । ଏଣିକି ପୁଣି ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ଭକ୍ତଙ୍କୁ ଦର୍ଶନ ଦେବେ ।  ପୂର୍ବରୁ ନୀଳାଦ୍ରି ବିଜେ ପହଣ୍ଡି ସମୟ ରହିଥିଲା ଅପରାହ୍ନ ୪ଟା । ହେଲେ ଠାକୁରଙ୍କ ପହଣ୍ଡି ଆରମ୍ଭ ହେଲା ବେଳକୁ ୭ଟା ୫୦ ମିନିଟ୍‌ ହେଲା । 

ସେପଟେ ଶ୍ରୀମନ୍ଦିର ରତ୍ନସିଂହାସନ ମହାଆନନ୍ଦରେ ପୁଲକି ଉଠୁଥିଲା । ଶ୍ରୀବିଗ୍ରହଙ୍କ ଅନୁପସ୍ଥିତି(ସ୍ନାନପୂର୍ଣ୍ଣିମାରୁ ନୀଳାଦ୍ରି ବିଜେ)ରେ ୨୭ ଦିନ କାଳ ଶୂନ୍ୟ ପଡ଼ିଥିଲା ରତ୍ନବେଦି । ପହଣ୍ଡି ପୂର୍ବରୁ ମାଜଣା ହୋଇ ରତ୍ନସିଂହାସନ ଉପରେ ଲାଗିଥିଲା କନକମୁଣ୍ଡି ଚାନ୍ଦୁଆ । ଅଖଣ୍ଡ ବଇଠା ଲାଗିଥିଲା । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବକ୍ଷରେ ଧାରଣ କରିବାକୁ ଆକୁଳ ହେଉଥିଲା ରତ୍ନସିଂହାସନ । 

ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ପହଣ୍ଡିରେ କୌଣସି ବାଧା ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେ ସମୟର ମାନବୀୟ ଲୀଳା ଭକ୍ତ ମନକୁ ବିଭୋର କରିଥିଲା । ଚଳିତ ବର୍ଷ ନୀଳାଦ୍ରି ବିଜେରେ ଦର୍ଶନାର୍ଥୀଙ୍କ ପ୍ରବଳ ଭିଡ଼ ହୋଇଥିଲା । ଲକ୍ଷାଧିକ ଭକ୍ତ ଠାକୁରଙ୍କର ଏହି ଅପୂର୍ବ ଲୀଳା ଦେଖିବାର ସୌଭାଗ୍ୟ ଲଭିଥିଲେ ।