ଭାରତ ବନ୍ଦକୁ ବିରୋଧୀ ଦଳ ନେତାଙ୍କ ସମର୍ଥନ, ବିହାରରେ ଲାଠିଚାର୍ଜ

ସଂରକ୍ଷଣକୁ ନେଇ ଆଜି ସମଗ୍ର ଦେଶରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

ଭାରତ ବନ୍ଦକୁ ବିରୋଧୀ ଦଳ ନେତାଙ୍କ ସମର୍ଥନ, ବିହାରରେ ଲାଠିଚାର୍ଜ

ସଂରକ୍ଷଣକୁ ନେଇ ଆଜି ସମଗ୍ର ଦେଶରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏସସି/ଏସଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି କିଛି ସଂଗଠନ ଏହି ବନ୍ଦ ଡାକରା ଦେଇଛନ୍ତି। ପରବର୍ତ୍ତୀ ସମୟରେ ଏହି ବନ୍ଦକୁ କେତେକ ବିରୋଧୀ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି।

ସୂଚନା ଅନୁସାରେ, ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ କରା ଯାଉଥିବା ଏହି ବନ୍ଦ ସପକ୍ଷରେ ଅନେକ ରାଜନୈତିକ ଦଳ ଅଛନ୍ତି। ଏମାନଙ୍କ ମଧ୍ୟରେ ବହୁଜନ ସମାଜ ପାର୍ଟି (BSP) ନେତା ମାୟାବତୀ, ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏବଂ ଆଦିବାସୀ ପାର୍ଟି ନେତା ମୋହନ ଲାଲ ରୋତଙ୍କ ସମେତ କେତେକ ପ୍ରମୁଖ ଦଳିତ ସଂଗଠନ ଏହି ଆହ୍ୱାନକୁ ସମର୍ଥନ କରିଛନ୍ତି। 

କେବଳ ଦଳର ନେତାମାନେ ନୁହଁନ୍ତି, ଅନେକ କଂଗ୍ରେସ ଏବଂ ଅନ୍ୟ ନେତା ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି। ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଉ ଥିବାବେଳେ ବିହାରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଫଳରେ କିଛି ଭିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିଛି ପୁଲିସ।

ଅନ୍ୟ କେତେକ ସ୍ଥାନରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଟ୍ରେନ୍ ଓ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। କିନ୍ତୁ ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯାଇ ଥିବାବେଳେ ସ୍କୁଲ୍-କଲେଜ ଖୋଲା ରହିଛି।

ପ୍ରକାଶ ଥାଉକି, ନିକଟରେ ଏସସି/ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଏକ ରାୟ ଦେଇଥିଲେ। ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ନେଇଥିଲେ ଯେ, ଏସସି/ଏସଟି ସଂରକ୍ଷଣରୁ 'କ୍ରିମି ଲେୟର୍' ବା ଆର୍ଥିକ ସ୍ୱଚ୍ଛଳ ବର୍ଗଙ୍କୁ ବାଦ୍ ଦିଆଯିବ। ଏହାକୁ 'ସଂରକ୍ଷଣ ବଚାଓ ସଂଘର୍ଷ ସମିତି' ବିରୋଧ କରି ବନ୍ଦ ଡାକରା ଦେଇଛି।