ଭାରତକୁ ଇଲିଶି ରପ୍ତାନି ଉପରେ ବାଂଲାଦେଶର କଟକଣା

ଢାକା, ୯।୯: ବାଂଲାଦେଶର ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରଙ୍କ ଭାରତ ପ୍ରତି କଠୋର ମନୋଭାବର ଆଭାସ ମିଳିଛି। ଦୁର୍ଗାପୂଜା ନିକଟତର ହେଉଥିବାବେଳେ ବାଂଲାଦେଶ ସରକାର ଭାରତକୁ ପଦ୍ମା ହିଲ୍‌ଶା ବା ଇଲିଶି ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଏହାକୁ ନେଇ ବାଂଲାଦେଶର ମତ୍ସ୍ୟ ଏବଂ ପ୍ରାଣୀପାଳନ ମନ୍ତ୍ରଣାଳୟର ପରାମର୍ଶଦାତା ଫରିଦା ଅଖ୍‌ତାର କହିଛନ୍ତି, ସ୍ଥାନୀୟ ଗ୍ରାହକଙ୍କ ପାଇଁ ପର୍ଯ୍ୟାପ୍ତ ଇଲିଶି ମାଛର ଯୋଗାଣକୁ ନିଶ୍ଚିତ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ଦେଶକୁ ରପ୍ତାନି […] The post ଭାରତକୁ ଇଲିଶି ରପ୍ତାନି ଉପରେ ବାଂଲାଦେଶର କଟକଣା appeared first on Dharitri Odia News.

ଭାରତକୁ ଇଲିଶି ରପ୍ତାନି ଉପରେ ବାଂଲାଦେଶର କଟକଣା

ଢାକା, ୯।୯: ବାଂଲାଦେଶର ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରଙ୍କ ଭାରତ ପ୍ରତି କଠୋର ମନୋଭାବର ଆଭାସ ମିଳିଛି। ଦୁର୍ଗାପୂଜା ନିକଟତର ହେଉଥିବାବେଳେ ବାଂଲାଦେଶ ସରକାର ଭାରତକୁ ପଦ୍ମା ହିଲ୍‌ଶା ବା ଇଲିଶି ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଏହାକୁ ନେଇ ବାଂଲାଦେଶର ମତ୍ସ୍ୟ ଏବଂ ପ୍ରାଣୀପାଳନ ମନ୍ତ୍ରଣାଳୟର ପରାମର୍ଶଦାତା ଫରିଦା ଅଖ୍‌ତାର କହିଛନ୍ତି, ସ୍ଥାନୀୟ ଗ୍ରାହକଙ୍କ ପାଇଁ ପର୍ଯ୍ୟାପ୍ତ ଇଲିଶି ମାଛର ଯୋଗାଣକୁ ନିଶ୍ଚିତ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ଦେଶକୁ ରପ୍ତାନି କରିବା ପୂର୍ବରୁ ଦେଶବାସୀଙ୍କ ପାଇଁ ଯଥେଷ୍ଟ ପରିମାଣରେ ଇଲିଶି ମାଛ ମହଜୁଦ୍‌ ରହୁ ବୋଲି ସରକାରଙ୍କ ପ୍ରାଥମିକତା ରହିଛି। ତେଣୁ ଭାରତକୁ ଇଲିଶି ରପ୍ତାନି ବନ୍ଦ କରିବାକୁ ବାଣିଜ୍ୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ଭାରତୀୟ ଖାଦ୍ୟରେ ବାଂଲାଦେଶୀ ଇଲିଶିର ବହୁ ଚାହିଦା ରହିଥାଏ। ସାଧାରଣତଃ ପାର୍ବଣ ଋତୁରେ ପଶ୍ଚିମବଙ୍ଗ ସମେତ ଦେଶର ଅନ୍ୟ ରାଜ୍ୟରେ ଏହି ବାଂଲାଦେଶୀ ଇଲିଶି ଖାଇବାକୁ ଲୋକେ ବେଶ୍‌ ପସନ୍ଦ କରିଥାନ୍ତି। ଦୁର୍ଗାପୂଜାରେ ବଙ୍ଗାଳୀମାନେ ସାଧାରଣତଃ ଖିଚିଡ଼ି ସହ ଇଲିଶି ଖାଇବାକୁ ପସନ୍ଦ କରିଥାନ୍ତି। ଗତବର୍ଷ ପାର୍ବଣ ଋତୁରେ ଭାରତ ବାଂଲାଦେଶରୁ ୪ ହଜାର ଟନ୍‌ ଇଲିଶି ଆମଦାନୀ କରିଥିଲା। ତେବେ ବାଂଲାଦେଶୀ ଇଲିଶିର ରପ୍ତାନି ବନ୍ଦ ହୋଇଯିବାରୁ ଏବେ ଦେଶରେ ଏହାର ଯୋଗାଣ କମ୍‌ ହେବ ବୋଲି ମତ୍ସ୍ୟ ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଦୁର୍ଗାପୂଜା ପୂର୍ବରୁ ଦେଶରେ ଇଲିଶିର ଅଭାବ ଦେଖାଦେବା ସହ ଏହାର ମୂଲ୍ୟ ୨ ଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସେମାନେ ଆକଳନ କରିଛନ୍ତି।

ବିଶ୍ୱର ପ୍ରାୟ ୭୦% ଇଲିଶି ବାଂଲାଦେଶରେ ଉତ୍ପାଦନ ହୋଇଥାଏ। ଏହା ବାଂଲାଦେଶର ରାଷ୍ଟ୍ରୀୟ ମାଛ ମଧ୍ୟ ପରିଚିତ। ତେବେ ଚଳିତଥର ପାର୍ବଣ ପୂର୍ବରୁ ଭାରତକୁ ଇଲିଶି ରପ୍ତାନି ନ କରି ବାଂଲାଦେଶ ଦୀର୍ଘବର୍ଷର ପରମ୍ପରାକୁ ଭଙ୍ଗ କରିଛି। ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲି ଆସୁଥିବା ଏହି ସୌହାର୍ଦ୍ଦ୍ୟପୂର୍ଣ୍ଣ ପଦକ୍ଷେପକୁ ବନ୍ଦ କରିବାକୁ ବାଂଲାଦେଶ ସେନା ସମର୍ଥିତ ନୂତନ ଅନ୍ତରୀଣ ସରକାର ନିଷ୍ପତ୍ତି ନେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବାଂଲାଦେଶର କଟକଣା ସତ୍ତ୍ୱେ ଭାରତୀୟ ବଜାରରେ ବାଂଲାଦେଶୀ ଇଲିଶି ବିକ୍ରି ହେଉଛି। ମ୍ୟାନ୍‌ମାରର ଦେଇ ଏହି ଇଲିଶି ଭାରତକୁ ଆସୁଛି। ତେଣୁ ଏବେ ଏହି ଇଲିଶର ଦର ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି। ଉକ୍ତ ରିପୋର୍ଟରେ ପୁଣି କୁହାଯାଇଛି, ଦୁର୍ଗାପୂଜା ସମୟରେ ବାଂଲାଦେଶୀ ଇଲିଶି ଭାରତୀୟ ବଜାରରେ ଉପଲବ୍ଧ ରହିବ କିନ୍ତୁ ଯୋଗାଣଜନିତ ସମସ୍ୟା ହେତୁ ଏହାର ମୂଲ୍ୟରେ ଯଥେଷ୍ଟ ବୃଦ୍ଧି ଘଟିବ।

 

The post ଭାରତକୁ ଇଲିଶି ରପ୍ତାନି ଉପରେ ବାଂଲାଦେଶର କଟକଣା appeared first on Dharitri Odia News.