ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ
‘ତୁମେ ମତେ ରକ୍ତ ଦିଅ, ମୁଁ ତମକୁ ସ୍ବାଧୀନତା ଦେବି’ ଏଭଳି ଆହ୍ବାନ ଆଜି ବି ଯୁବପିଢ଼ି ମନରେ ଉଦ୍ଦାମତା ଭରିଦିଏ। ଦେଶର ସ୍ବାଧୀନତା ପାଇଁ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଯୋଗଦାନ ଅତୁଳନୀୟ। ୧୮୯୭ ଜାନୁଆରି ୨୩ ତାରିଖରେ ଜାନକୀ ନାଥ ବୋଷ ଓ ପ୍ରଭାବତୀ ଦେବୀଙ୍କ ନବମ ସନ୍ତାନ ଭାବେ କଟକ ଠାରେ ସୁଭାଷ ଜନ୍ମ ନେଇଥିଲେ। ରେଭେନ୍ସା କଲିଜିଏଟ୍ ସ୍କୁଲରେ ପଢ଼ି ସେ ମାଟ୍ରିକ୍ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଛାତ୍ର ଜୀବନରେ […]

‘ତୁମେ ମତେ ରକ୍ତ ଦିଅ, ମୁଁ ତମକୁ ସ୍ବାଧୀନତା ଦେବି’ ଏଭଳି ଆହ୍ବାନ ଆଜି ବି ଯୁବପିଢ଼ି ମନରେ ଉଦ୍ଦାମତା ଭରିଦିଏ। ଦେଶର ସ୍ବାଧୀନତା ପାଇଁ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଯୋଗଦାନ ଅତୁଳନୀୟ। ୧୮୯୭ ଜାନୁଆରି ୨୩ ତାରିଖରେ ଜାନକୀ ନାଥ ବୋଷ ଓ ପ୍ରଭାବତୀ ଦେବୀଙ୍କ ନବମ ସନ୍ତାନ ଭାବେ କଟକ ଠାରେ ସୁଭାଷ ଜନ୍ମ ନେଇଥିଲେ। ରେଭେନ୍ସା କଲିଜିଏଟ୍ ସ୍କୁଲରେ ପଢ଼ି ସେ ମାଟ୍ରିକ୍ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଛାତ୍ର ଜୀବନରେ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଥିଲା। ୧୯୨୦ ମସିହା ଆଇସିଏସ୍ ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ପରେ ବ୍ରିଟିଶ୍ ଶାସକଙ୍କ ଅତ୍ୟାଚାର ଦେଖି ସରକାରୀ ଚାକିରି ଛାଡ଼ିଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ଦ୍ବାରା ପ୍ରଭାବିତ ହୋଇ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭିସୀତାରାମୟାଙ୍କୁ ହରାଇ ନେତାଜୀ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୩୯ ମସିହାରେ ‘ଫରୱାର୍ଡ ବ୍ଲକ୍’ ନାମକ ଏକ ରାଜୈନିତକ ଦଳ ଗଠନ କରି ଇଂରେଜ ସରକାରଙ୍କ ବିରୋଧରେ ବିଦ୍ରୋହ ଜାରି ରଖିଥିଲେ। ସଶସ୍ତ୍ର ଆନ୍ଦୋଳନ ଦ୍ବାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ବାସ କରୁଥିଲେ।
ଭାରତର ସ୍ବାଧୀନତା ପାଇଁ ୧୯୪୧ ଜାନୁୟାରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ତାନ ଓ ସୋଭିଏତ୍ ରୁଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନଠାରେ ପହଞ୍ଚିଥିଲେ। ବର୍ଲିନ୍ରୁ ଆଜାଦହିନ୍ଦ୍ ରେଡିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ବାନ ଦେଇଥିଲେ। ସୁଭାଷ ସିଙ୍ଗାପୁରରେ ଆଜାଦହିନ୍ଦ୍ ଫୌଜର ଦାୟିତ୍ବ ଗ୍ରହଣ କଲେ। ୧୯୪୩ ମସିହା ଅକ୍ଟୋବର ୨୧ ତାରିଖ ଦିନ ସେଠାରେ ସେ ଏକ ଅସ୍ଥାୟୀ ସ୍ବାଧୀନ ସରକାର ଗଠନ କଲେ। ସେହିଦିନଠାରୁ ସେ ‘ଦିଲ୍ଲୀ ଚଲୋ’ ଆହ୍ବାନ ଦେଇଥିଲେ। ୧୯୪୪ ମାର୍ଚ୍ଚ ୧୮ ତାରିଖରେ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲେ ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା। ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦହିନ୍ଦ୍ ଫୌଜ ଉପରକୁ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶପଥରୁ ଆକ୍ରମଣ କରି ଇମ୍ଫାଲଠାରେ ତାଙ୍କୁ ପରାସ୍ତ କଲା। ୧୮ ଅଗଷ୍ଟ, ୧୯୪୫ରେ ନେତାଜୀଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ବୋଲି ଖବର ଆସିଥିଲା। ହେଲେ ଆଜି ବି ତାଙ୍କ ମୃତ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି।