ଭାଷଣ ଦେଉଥିଲେ ନେତା, ହଠାତ୍‌ ଭୁଶୁଡିଲା ମଞ୍ଚ, ୯ ମୃତ

ଦୁର୍ଘଟଣାରେ ୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।

ଭାଷଣ ଦେଉଥିଲେ ନେତା, ହଠାତ୍‌ ଭୁଶୁଡିଲା ମଞ୍ଚ, ୯ ମୃତ

ନିର୍ବାଚନ ପାଇଁ ଚାରିଆଡେ ଚାଲିଛି ଜୋରଦାର ପ୍ରଚାର। ବଡ ବଡ ନେତାମାନେ ଘନ ଘନ ପ୍ରଚାର କରିବା ସହ ରାଲି ଓ ଜନସଭା କରୁଛନ୍ତି। ତେବେ ଏହି ରାଲି ବେଳେ ଘଟିଛି ଭୟାନକ ଦୁର୍ଘଟଣା। ନେତାଙ୍କ ଭାଷଣ ଚାଲିଥିବା ବେଳେ ହଠାତ୍ ଭୁଶୁଡି ପଡିଛି ମଞ୍ଚ। ଏଥିରେ ୯ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ମେକ୍ସିକୋରେ ଘଟିଛି ଏଭଳି କିଛି ଘଟଣା।

ଭାରତ ସମେତ ମେକ୍ସିକୋରେ ମଧ୍ୟ ବର୍ତ୍ତମାନ ନିର୍ବାଚନ ପ୍ରଚାର ଜୋରସୋର୍‌ରେ ଚାଲିଛି। ଜୁନ୍‌ ୨ ତାରିଖରେ ଏଠାରେ ଭୋଟିଂ ହେବ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରଚାରରେ ଲାଗି ପଡିଛନ୍ତି। ବୁଧବାର ସନ୍ଧ୍ୟାରେ ନୁଭୋ ଲିଓନ୍ ରାଜ୍ୟର ସାନ ପେଡ୍ରୋ ଗାର୍ସିଆ ସହରରେ ସିଟିଜେନ୍‌ ମୁଭ୍‌ମେଣ୍ଟ ପାର୍ଟିର ଏକ ରାଜନୈତିକ ସମାବେଶ ଚାଲିଥିଲା। ମଞ୍ଚ ଉପରେ ଠିଆ ହୋଇ ନେତା ଭାଷଣ ଦେଉଥିଲେ। ଏତିକି ବେଳେ ହଠାତ୍ ମଞ୍ଚଟି ଭୁଶୁଡି ପଡିଥିଲା। ଫଳରେ ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକ, ସିଟିଜେନ୍‌ ମୁଭ୍‌ମେଣ୍ଟ ଦଳର ନେତା ଜର୍ଜ ମେନେଜ ତାଙ୍କ ଭାଷଣ ଦେଉଥିଲେ। ଏତିକି ବେଳେ ହଠାତ୍ ମଞ୍ଚର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଞ୍ଚ ଭୁଶୁଡିବା ପରେ ଲୋକେ ଭୟରେ ଏପଟସେପଟ ଦୌଡିବାକୁ ଲାଗିଥିଲେ। ଫଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଠେଲାପେଲା ଓ ଦଳଚକଟାରେ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଆହତଙ୍କ ମଧ୍ୟରୁ କିଛି ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଜୋରରେ ପବନ ଓ ଝଡ ତୋଫାନ ଯୋଗୁ ମଞ୍ଚଟି ହଠାତ୍‌ ଭୁଶୁଡି ପଡିଥିବା କୁହାଯାଉଛି। ସେପଟେ ଏହି ଦୁର୍ଘଟଣା ପରେ ସିଟିଜେନ୍‌ ମୁଭ୍‌ମେଣ୍ଟ ଦଳର ସମସ୍ତ ରାଜନୈତିକ ସମାବେଶକୁ ରଦ୍ଦ କରି ଦିଆଯାଇଛି। ଏହି ଦୁର୍ଘଟଣା ନେଇ ମେକ୍ସିକୋ ରାଷ୍ଟ୍ରପତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଉଛି।