ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
ଗତ ୩ ମାସ ମଧ୍ୟରେ ଭୁବନେଶ୍ୱର AIIMSର ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ୮୫୧୮ ଜଣ ବ୍ୟକ୍ତିଙ୍କର ଏଚ୍ଆଇଭି ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୩୧ ଜଣ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୭ ଜଣଙ୍କୁ ଆଣ୍ଟି-ରେଟ୍ରୋଭାଇରାଲ୍ ଥେରାପି (ଏଆର୍ଟି) କେନ୍ଦ୍ରକୁ ପଠାଯାଇଛି। ଏହି ସମୟ ଅବଧି ମଧ୍ୟରେ ୮୫୩୮ ଜଣଙ୍କୁ ମୁକ୍ତ ପରାମର୍ଶ ସେବା ପ୍ରଦାନ କରାଯାଇଛି। ଉପରୋକ୍ତ ପ୍ରକ୍ରିୟା ଏଚ୍.ଆଇ.ଭି. ଦ୍ୱାରା ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ପ୍ରତିରୋଧ, ନିରାକରଣ ଏବଂ ଯତ୍ନ ପାଇଁ ଏମ୍ସ ଭୁବନେଶ୍ୱରର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ ବୋଲି ଏହି ଜାତୀୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି।
ବିଶ୍ୱ ଏଡ୍ସ ଦିବସ ପାଳନ କରିବା ଅବସରରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେନତନା ସୃଷ୍ଟି ଉଦ୍ଦେଶ୍ୟରେ ଭୁବନେଶ୍ୱର ଏମ୍ସ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କମ୍ୟୁନିଟି ମେଡିସିନ୍, ଫ୍ୟାମିଲି ମେଡିସିନ୍, ଟ୍ରାନ୍ସଫ୍ୟୁଜନ୍ ଏବଂ ବ୍ଲଡ ବ୍ୟାଙ୍କ ବିଭାଗ ଦ୍ୱାରା ଓଡ଼ିଶା ରାଜ୍ୟ ଏଡସ୍ ସୋସାଇଟି ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶେଷଜ୍ଞ ଏଡ୍ସକୁ ନେଇ ଉପାଦେୟ ସୂଚନା ପ୍ରଦାନ କରିଥିଲେ।
ଏହି ଅବସରରେ ମାଗଣା ଏଚ୍.ଆଇ.ଭି ପରୀକ୍ଷା ଶିବିର ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଅୟୋଜିତ ହୋଇଥିଲା। ଏହି ଶିବିରରେ ୪୫ ଜଣ ବ୍ୟକ୍ତି ଏଚ୍ଆଇଭି ପରୀକ୍ଷା କରାଇଥିଲେ।
ଭୁବନେଶ୍ୱର ଏମ୍ସରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ଡାକ୍ତର ଓ ଅନ୍ୟ କର୍ମଚାରୀମାନେଏହି କାର୍ଯ୍ୟକ୍ରମରେ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ବିନୋଦ କୁମାର ପାତ୍ର, ଡ. ଅନୁପମ ଦେ, ଡ. ବିଜୟିନୀ ବେହେରା, ଡ. ବିନୋଦ କୁମାର ବେହେରା, ଡ. ଅରବିନ୍ଦ କୁମାର ସିଂ, ଡ. ଅଂଶୁମାନ ସାହୁ, ଡ. ଧ୍ରୁତିମାନ ଏବଂ କେଏନପି ପ୍ଲସ୍ର ପ୍ରଭାସିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ। ଏହି ଜାତୀୟ ଅନୁଷ୍ଠାନର ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ଏଡ୍ସ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି। ଆସନ୍ତା ବର୍ଷ ଜାନୁଆରୀ ମାସରେ ୧୯ତମ ରାଉଣ୍ଡ ଏଚ୍.ଆଇ.ଭି ସେଣ୍ଟିନେଲ ସର୍ଭିଲାନ୍ସ ଆୟୋଜନ ହେବ।