ଭୂକମ୍ପ ସତ୍ତ୍ୱେ ବିଦ୍ରୋହୀଙ୍କୁ ସେନାର ଆକ୍ରମଣ

ବ୍ୟାଙ୍କକ୍‌,୩୧ା୩: ମ୍ୟାନ୍‌ମାରରେ ପ୍ରଳୟଙ୍କରୀ ଭୂକମ୍ପରେ ୧,୭୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକ ହଜାର ଭଗ୍ନାବଶେଷ ତଳେ ରହିଯାଇଥିବା ଆଶଙ୍କା କରାଯାଉଛି। ଏଭଳି ବିପର୍ଯ୍ୟୟ ସମୟରେ ମଧ୍ୟ ଦେଶର ସାମରିକ ସରକାର ବିଦ୍ରୋହୀଙ୍କ ଉପରେ ବୋମାମାଡ଼ ଜାରି ରଖିଛି। ଭୂକମ୍ପ ପରବର୍ତ୍ତୀ ଏୟାରଷ୍ଟ୍ରାଇକ୍‌ରେ ୭ ବିଦ୍ରୋହୀ ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମ୍ୟାନ୍‌ମାରରେ ଦୀର୍ଘ ୪ ବର୍ଷ ହେଲା ଗୃହଯୁଦ୍ଧ ଲାଗି ରହିଥିବାବେଳେ ବିଦ୍ରୋହୀ ଏବଂ ଜାତିଆଣ ସଂଖ୍ୟାଲଘୁ ସଶସ୍ତ୍ର ଗୋଷ୍ଠୀକୁ ଦମନ କରିବା ପାଇଁ ମ୍ୟାନ୍‌ମାର ସେନା […] The post ଭୂକମ୍ପ ସତ୍ତ୍ୱେ ବିଦ୍ରୋହୀଙ୍କୁ ସେନାର ଆକ୍ରମଣ appeared first on Dharitri Odia News.

ଭୂକମ୍ପ ସତ୍ତ୍ୱେ ବିଦ୍ରୋହୀଙ୍କୁ ସେନାର ଆକ୍ରମଣ

ବ୍ୟାଙ୍କକ୍‌,୩୧ା୩: ମ୍ୟାନ୍‌ମାରରେ ପ୍ରଳୟଙ୍କରୀ ଭୂକମ୍ପରେ ୧,୭୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକ ହଜାର ଭଗ୍ନାବଶେଷ ତଳେ ରହିଯାଇଥିବା ଆଶଙ୍କା କରାଯାଉଛି। ଏଭଳି ବିପର୍ଯ୍ୟୟ ସମୟରେ ମଧ୍ୟ ଦେଶର ସାମରିକ ସରକାର ବିଦ୍ରୋହୀଙ୍କ ଉପରେ ବୋମାମାଡ଼ ଜାରି ରଖିଛି। ଭୂକମ୍ପ ପରବର୍ତ୍ତୀ ଏୟାରଷ୍ଟ୍ରାଇକ୍‌ରେ ୭ ବିଦ୍ରୋହୀ ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମ୍ୟାନ୍‌ମାରରେ ଦୀର୍ଘ ୪ ବର୍ଷ ହେଲା ଗୃହଯୁଦ୍ଧ ଲାଗି ରହିଥିବାବେଳେ ବିଦ୍ରୋହୀ ଏବଂ ଜାତିଆଣ ସଂଖ୍ୟାଲଘୁ ସଶସ୍ତ୍ର ଗୋଷ୍ଠୀକୁ ଦମନ କରିବା ପାଇଁ ମ୍ୟାନ୍‌ମାର ସେନା ଏୟାରଷ୍ଟ୍ରାଇକ୍‌କୁ ଜୋର୍‌ଦାର କରିଛି। ଭୂକମ୍ପରେ ଅନେକ ହଜାର ଘର ମାଟିରେ ମିଶିଥିବାବେଳେ ଦେଶର ଏହି ସଙ୍କଟ ସମୟରେ କେତେକ ସଶସ୍ତ୍ର ଗୋଷ୍ଠୀ ଆକ୍ରମଣକୁ ସ୍ଥଗିତ ରଖିଛନ୍ତି। ସେନା ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରୁଛି।
ଭୂକମ୍ପ ପରେ ଆକାଶମାର୍ଗରୁ ବୋମାମାଡ଼ରେ ସେମାନେ କ୍ଷତିଗ୍ରସ୍ତ ହୋଇଥିବା ଉତ୍ତର ଭାଗ ଶାନ୍‌ ରାଜ୍ୟରେ ସକ୍ରିୟ ଥିବା ସଂଖ୍ୟାଲଘୁ ସଶସ୍ତ୍ର ଗୋଷ୍ଠୀ ଡାନୁ ପିପୁଲ୍ସ ଲିବରେଶନ ଆର୍ମିର ଯୋଦ୍ଧାମାନେ କହିଛନ୍ତି। ନାଉଙ୍ଗ୍‌ଚୋ ସହରରେ ଥିବା ସେମାନଙ୍କ ଘାଟି ଉପରେ ୫ଟି ସାମରିକ ବିମାନରୁ ଆକ୍ରମଣ ହେବାରୁ ୭ ଜଣ ଯୋଦ୍ଧା ପ୍ରାଣ ହରାଇଥିବା ସେମାନଙ୍କର ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିମାନ ଶବ୍ଦ ଶୁଣି ଯୋଦ୍ଧାମାନେ ବଙ୍କର ମଧ୍ୟକୁ ଚାଲିଯାଇଥିଲେ। ତେବେ ଏକ ବଡ଼ ବୋମା ମାଡ଼ରେ ଗୋଟିଏ ବଙ୍କର ଭାଙ୍ଗିଯିବାରୁ ଘଟଣାସ୍ଥଳରେ ୫ ମହିଳା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଗତ ଦେଢ଼ ବର୍ଷରେ ସେନା ଯୁଦ୍ଧକ୍ଷେତ୍ରରେ ପରାଜିତ ହେବା ସହ ଅନେକ ଅଞ୍ଚଳ ଉପରୁ ନିୟନ୍ତ୍ରଣ ହରାଇଛି। ଏହାର ସ୍ଥଳସେନା ସଂଘର୍ଷ ଜାରି ରଖିଥିବାବେଳେ ରୁଷିଆରୁ ପାଇଥିବା ଯୁଦ୍ଧବିମାନ ସହାୟତାରେ ଆକାଶମାର୍ଗରୁ ଆକ୍ରମଣରେ ନିଜର ସାମର୍ଥ୍ୟ ବୃଦ୍ଧି କରିଛି।
ଏକ ଅଣଲାଭଦାୟକ ସଂଗଠନ ଆର୍ମଡ୍‌ କନ୍‌ଫ୍ଲିକ୍ଟ ଲୋକେଶନ ଆଣ୍ଡ ଇଭେଣ୍ଟ ଡାଟା (ଏସିଏଲ୍‌ଇଡି)ର ତଥ୍ୟ ଅନୁଯାୟୀ, ୪ ବର୍ଷର ଗୃହଯୁଦ୍ଧରେ ସେନାର ଆକାଶମାର୍ଗରୁ ଆକ୍ରମଣ ବୃଦ୍ଧି ପାଇଛି। ୨୦୨୪ରେ ମ୍ୟାନ୍‌ମାର ସେନା ସାଧାରଣ ନାଗରିକଙ୍କ ଉପରେ ପାଖାପାଖି ୮୦୦ ଥର ଏୟାରଷ୍ଟ୍ରାଇକ୍‌ କରିଛି। ପୂର୍ବ ବର୍ଷଗୁଡ଼ିକଠାରୁ ଏହା ୩ ଗୁଣରୁ ଅଧିକ। ସ୍ଥଳସେନା ଉପରେ ଚାପ ବଢ଼ୁଥିବାରୁ ଆଗକୁ ସାମରିକ ସରକାର ଏୟାରଷ୍ଟ୍ରାଇକ୍‌ ଜାରି ରଖିବ ବୋଲି ଏସିଏଲ୍‌ଇଡି ଅନୁମାନ କରିଛି। ଜୁଣ୍ଟାର କ୍ରମାଗତ ଏୟାରଷ୍ଟ୍ରାଇକ୍‌କୁ ଜାତିସଂଘର ସ୍ବତନ୍ତ୍ର ଦୂତ ଏବଂ ଅଧିକାର ସଂଗଠନଗୁଡ଼ିକ ସମାଲୋଚନା କରିଛନ୍ତି। ଯେକୌଣସି ପ୍ରକାରେ ଗୃହଯୁଦ୍ଧରେ ଜିତିବା ପାଇଁ ସାମରିକ ଶାସକ ଚାହୁଁଥିବାରୁ ପ୍ରଳୟଙ୍କରୀ ଭୂକମ୍ପ ସତ୍ତ୍ୱେ ଆକ୍ରମଣ ଜାରି ରଖିତ୍ଥବା ହ୍ୟୁମ୍ୟାନ୍‌ ରାଇଟ୍ସ ଓ୍ବାଚ୍‌ର ଏସିଆ ନିର୍ଦ୍ଦେଶକ ଏଲଶଇନ୍‌ ପିଅର୍ସନ କହିଛନ୍ତି। ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରି ଅସ୍ତ୍ରବିରତି ଘୋଷଣା କରିବାକୁ ଜାତିସଂଘର ସ୍ବତନ୍ତ୍ର ଦୂତ ଟମ୍‌ ଆଣ୍ଡ୍ୟୁସ୍‌ ସାମରିକ ସରକାରଙ୍କୁ ନିବେଦନ କରିଛନ୍ତି। ଭୟାବହ ଭୂକମ୍ପ ପରେ ସେନା ଲୋକଙ୍କ ଉପରେ ବୋମାମାଡ଼ କରିବା ଅବିଶ୍ୱସନୀୟତାଠାରୁ କିଛି କମ୍‌ ନୁହେଁ ବୋଲି ସେ କହିଛନ୍ତି।

The post ଭୂକମ୍ପ ସତ୍ତ୍ୱେ ବିଦ୍ରୋହୀଙ୍କୁ ସେନାର ଆକ୍ରମଣ appeared first on Dharitri Odia News.