ଭୂତକୋଠି ପାଲଟିଛି ରାଜୀବ ଗାନ୍ଧୀ ସେବାକେନ୍ଦ୍ର

ରଘୁନାଥପୁର,୨୦।୩(ରାଜେନ୍ଦ୍ର ନାରାୟଣ ସିଂହ): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଠାରୁ ମାତ୍ର ୪ଶହ ମିଟର ଦୂର କଟକ-ପାରାଦୀପ ରାସ୍ତାର ବଜାର ପଛପାର୍ଶ୍ୱରେ ରହିଛି ରଘୁନାଥପୁର ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର। ଏହା ଏବେ ଭୂତକୋଠି ପାଲଟିଛି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରଠୁ ଦିନକ ପାଇଁ ଏହାକୁ ବ୍ୟବହାର କରାଯାଇନାହିଁ। ଅପରପକ୍ଷେ ମରାମତି ପାଇଁ ଆସିଥିବା ଅନୁଦାନ ଟଙ୍କାକୁ ଲୁଟ୍‌ କରାଯାଇଥିବା ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏହାଛଡ଼ା ସମ୍ମୁଖରେ କୁଢ଼କଢ଼ ଅଳିଆ ପଡ଼ିରହିଛି। ଏନେଇ […] The post ଭୂତକୋଠି ପାଲଟିଛି ରାଜୀବ ଗାନ୍ଧୀ ସେବାକେନ୍ଦ୍ର appeared first on Dharitri Odia News.

ଭୂତକୋଠି ପାଲଟିଛି ରାଜୀବ ଗାନ୍ଧୀ ସେବାକେନ୍ଦ୍ର

ରଘୁନାଥପୁର,୨୦।୩(ରାଜେନ୍ଦ୍ର ନାରାୟଣ ସିଂହ): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଠାରୁ ମାତ୍ର ୪ଶହ ମିଟର ଦୂର କଟକ-ପାରାଦୀପ ରାସ୍ତାର ବଜାର ପଛପାର୍ଶ୍ୱରେ ରହିଛି ରଘୁନାଥପୁର ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର। ଏହା ଏବେ ଭୂତକୋଠି ପାଲଟିଛି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରଠୁ ଦିନକ ପାଇଁ ଏହାକୁ ବ୍ୟବହାର କରାଯାଇନାହିଁ। ଅପରପକ୍ଷେ ମରାମତି ପାଇଁ ଆସିଥିବା ଅନୁଦାନ ଟଙ୍କାକୁ ଲୁଟ୍‌ କରାଯାଇଥିବା ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏହାଛଡ଼ା ସମ୍ମୁଖରେ କୁଢ଼କଢ଼ ଅଳିଆ ପଡ଼ିରହିଛି। ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷବ୍ୟକ୍ତ କରିଛନ୍ତି।
ଗତ ଦଶବର୍ଷ ତଳେ ବଜାର ପଛ ପାର୍ଶ୍ୱ ଏକ ପରିତ୍ୟକ୍ତ ସ୍ଥାନରେ ଅଟକଳ ମୂଲ୍ୟ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦରେ ଉକ୍ତ ସେବାକେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ରାସ୍ତା ଓ ବାଲି ଫିଲିଂ ପାଇଁ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଗତ ୨୦୧୭ରେ ତତ୍କାଳୀନ ସରପଞ୍ଚ ପ୍ରମୋଦ କୁମାର ଜେନା କୌଣସି କାରଣରୁ ଉକ୍ତ ସେବାକେନ୍ଦ୍ରକୁ ପଞ୍ଚାୟତ ଅଧୀନକୁ ଆଣିବା ପାଇଁ ମନା କରିଦେଇଥିଲେ। ଏହାପରେ ଦିନଟିଏ ଜନସାଧାରଣଙ୍କ ସେବାରେ ଏହା ଲାଗିପାରି ନାହିଁ। ଏହାପରେ ସେବାକେନ୍ଦ୍ରର ମରାମତି ପାଇଁ ଆସିଥିବା ୨ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଅନୁଦାନକୁ ଠିକାଦାର ଓ ଯନ୍ତ୍ରୀ ଚଳୁ କରିଦେଇଥିବା ନେଇ ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ଅପରପକ୍ଷେ ସରକାରଙ୍କ ଯୋଜନା ଏଠି ଫେଲ ମାରିଥିବା ଏବଂ ଲକ୍ଷାଧିକ ଟଙ୍କା ପାଣିରେ ପଡିଥିବା କହି ସ୍ଥାନୀୟ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ସେବାକେନ୍ଦ୍ର ସମ୍ମୁଖରେ ଜଳଖିଆ ଓ ପାନ ଦୋକାନ ରହିଛି। ଉକ୍ତ ଦୋକାନୀମାନେ ଦୋକାନରୁ ବାହାରୁଥିବା ଅଇଁଠା ପତ୍ରଠୋଲା, ପଲିଥିନ ଓ ପ୍ଲାଷ୍ଟିକ ବୋତଲ ସେଠାରେ ପକେଇ ଦେଉଛନ୍ତି। ଫଳରେ ପରିବେଶ ଦୂଷିତ ହୋଇଯାଇଛି। ନିକଟରେ ଏକ ଡ୍ରେନ ଥିବାରୁ ଏହାର ଚର୍ତୁଃପାର୍ଶ୍ୱ ଲୋକଙ୍କ ଶୌଚ ସ୍ଥାନ ପାଲଟିଯାଇଛି। ବର୍ଷାଦିନେ ଉକ୍ତ ସ୍ଥାନର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଉଛି। ଏଭଳି ପରିତ୍ୟକ୍ତ ସ୍ଥାନରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ନିର୍ମାଣ ନେଇ ଜାଗା ଚିହ୍ନଟ ଓ ଅନୁମତି ଦେଲା କିଏ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଏଠାରେ କେନ୍ଦ୍ର ନିର୍ମାଣ ହେଲା ତା’ହାଲେ ଏହାକୁ ଲୋକଙ୍କ ସେବାରେ ଉପଲବ୍ଧ ପାଇଁ କାହିଁକି ଆବଶ୍ୟକ ପଦକ୍ଷେପ ନିଆଗଲା ନାହଁ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ଜିଲାପାଳ ଏଥିପ୍ରତି ଦୃଷ୍ଟିଦେଇ ଉକ୍ତ ସେବାକେନ୍ଦ୍ରକୁ ଜନତାଙ୍କ ସେବାରେ ଲଗାଇବା ସହ ଏହାର ଟିକିନିଖି ଖର୍ଚ୍ଚର ହିସାବକୁ ତଦନ୍ତ କରିବା ପାଇଁ ଦାବି ହେଉଛି। ଏ ସମ୍ପର୍କରେ ବିଡିଓଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ମୋବାଇଲ ଫୋନ ଉଠାଇ ନ ଥିଲେ। ଏ ପ୍ରସଙ୍ଗରେ ଏବିଡିଓ ଜ୍ଞାନଦା ନାୟକଙ୍କୁ ପଚାରିବାରୁ ସ୍ଥିତି କ’ଣ ଅଛି ସେ ସମ୍ପର୍କରେ ସେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି।

The post ଭୂତକୋଠି ପାଲଟିଛି ରାଜୀବ ଗାନ୍ଧୀ ସେବାକେନ୍ଦ୍ର appeared first on Dharitri Odia News.