ଭୟଙ୍କର: ଯୁବକଙ୍କୁ ଉଠାଇ ନେଲେ, ମାଡ଼ ମାରି ପରିସ୍ରା ପିଆଇଲେ
ରୁମରେ ତାଙ୍କୁ ପ୍ରବଳ ମାଡ଼ ମରାଯାଇଛି ଓ ବଳପୂର୍ବକ ଅଭିଯୁକ୍ତମାନେ ତାଙ୍କୁ ପରିସ୍ରା ପିଆଇଛନ୍ତି।
ସାମ୍ନାକୁ ଆସିଛି ଅତ୍ୟନ୍ତ ଲଜ୍ଜା ଓ ଭୟଙ୍କର ଘଟଣା। ଜଣେ ୨୧ ବର୍ଷୀୟ ଯୁବକଙ୍କୁ କାର୍ରେ ଅପହରଣ କରାଯିବା ପରେ ତାଙ୍କୁ ଗୋଟିଏ ରୁମ ଭିତରେ ପଣବନ୍ଦୀ କରି ରଖାଯାଇଥିଲା। ଉକ୍ତ ରୁମରେ ତାଙ୍କୁ ପ୍ରବଳ ମାଡ଼ ମରାଯାଇଛି ଓ ବଳପୂର୍ବକ ଅଭିଯୁକ୍ତମାନେ ତାଙ୍କୁ ପରିସ୍ରା ପିଆଇଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ୧ରୁ ଅଧିକ ମହିଳା ରହିଛନ୍ତି।
ଉତ୍ତର ପ୍ରଦେଶର ମୋରଦାବାଦ ସିଭିଲ ଲାଇନ୍ସରେ ଥିବା ଅଗୱାନପୁର ମାର୍ଚ୍ଚ ୩୧ରେ ପୂରା ଘଟଣା ଘଟିଥିଲା। କିନ୍ତୁ ଘଟଣାର ବେଳର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପୁଲିସ୍ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି। ମୋରଦାବାଦ ସିଟି ଏସ୍ପି ଅଖିଲେଶ ଭଦୌରିଆ କହିଛନ୍ତି, “ଭିଡିଓ ପ୍ରମାଣ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିଲା। ଏଫଆଇଆର ୧୦ ଜଣଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ପରିଚୟ ମିଳିଛି ଓ ୨ ଜଣଙ୍କ ଚିହ୍ନଟ ହୋଇପାରି ନାହିଁ।
ଚିହ୍ନଟ ୮ ଜଣଙ୍କ ମଧ୍ୟରୁ ୩ ଜଣ ବନ୍ଧା ହୋଇଛନ୍ତି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ। ଯୁବକ ଜଣଙ୍କ ଜଣେ ଅଭିଯୁକ୍ତ ଦମ୍ପତିଙ୍କୁ ହଇରାଣ କରୁଥିଲେ ଓ ତାଙ୍କ ଝିଅ ସହ ଅଭଦ୍ର ବ୍ୟବହାର କରିଥିବା ଅଭିଯୋଗ ହୋଇଛି।”
ପୀଡ଼ିତ ଯୁବକଙ୍କ ବାପା ଦାବି କରିଛନ୍ତି ଯେ ତାଙ୍କ ପୁଅକୁ ୯ ଘଣ୍ଟା କାଳ ଗୋଟିଏ ରୁମରେ ରଖି ଅମାନବୀୟ ଢଙ୍ଗରେ ନିର୍ଯାତନା ଦିଆଯାଇଛି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଯୁବକଙ୍କ ବେକରେ ଜୋତା ମାଳ ପଡ଼ିଛି। ତାଙ୍କ ହାତ ଗୋଡ଼ ବନ୍ଧା ହୋଇଛି। ଏପରି ଅବସ୍ଥାରେ ସେ ଥିବା ବେଳେ କିଛି ଅଭିଯୁକ୍ତ ରୁମ ଭିତରେ ପଶିବା ସହ ଯୁବକଙ୍କୁ ମାଡ଼ ମାରି ଟଏଲେଟ ଯାଏ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ସେଠାରେ ପୂର୍ବରୁ ଥିବା ଜଣେ ମହିଳା ପ୍ଲାଷ୍ଟିକ ବୋତଲରେ ରହିଥିବା ପରିସ୍ରା ପିଇବାକୁ ଯୁବକଙ୍କୁ ବାଧ୍ୟ କରାଇଥିଲେ।
ଆଉ ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୁଇ ଜଣ ଝିଅ ସେମାନଙ୍କ ମା’ଙ୍କ ନିର୍ଦ୍ଦେଶରେ ଯୁବକଙ୍କୁ ମାଡ଼ ମାରୁଛନ୍ତି। କିନ୍ତୁ କ’ଣ ପାଇଁ ଏତେ ବଡ଼ ଘଟଣା ଘଟିଲା, ତା’ର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନାହିଁ।