ମଝି ଆକାଶରେ ମେଣ୍ଟ ଚର୍ଚ୍ଚା, ଭାଜପା ସଭାପତିଙ୍କୁ ଘେରିଗଲେ ଯାତ୍ରୀ
ଭୁବନେଶ୍ୱର,୧୦।୩: ଓଡ଼ିଶା ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଏକ ସମ୍ଭାବ୍ୟ ମେଣ୍ଟକୁ ନେଇ ପୂରା ରାଜ୍ୟରେ ଚହଳ। ଦିଲ୍ଲୀ ଦୌଡୁଛନ୍ତି ବଡ଼ ବଡ଼ ନେତା। ଗଣମାଧ୍ୟମରେ ବି ଚର୍ଚ୍ଚା ଜୋର୍। ବାଟେଘାଟେ, ଚା’ ଖଟି। ସବୁଠି ଗୋଟିଏ କଥା ଓଡ଼ିଶାରେ ବିଜେଡି-ଭାଜପା ଭିତରେ ମେଣ୍ଟ ହେଉଛି। ହେଲେ ସତରେ କ’ଣ ମେଣ୍ଟ ହେଉଛି? ପ୍ରଥମେ ଓଡ଼ିଶା ଭାଜପା ସଭାପତିଙ୍କ ବୟାନ ଆସିବା ପରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଜବ ବାଣ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିବା […] The post ମଝି ଆକାଶରେ ମେଣ୍ଟ ଚର୍ଚ୍ଚା, ଭାଜପା ସଭାପତିଙ୍କୁ ଘେରିଗଲେ ଯାତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୧୦।୩: ଓଡ଼ିଶା ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଏକ ସମ୍ଭାବ୍ୟ ମେଣ୍ଟକୁ ନେଇ ପୂରା ରାଜ୍ୟରେ ଚହଳ। ଦିଲ୍ଲୀ ଦୌଡୁଛନ୍ତି ବଡ଼ ବଡ଼ ନେତା। ଗଣମାଧ୍ୟମରେ ବି ଚର୍ଚ୍ଚା ଜୋର୍। ବାଟେଘାଟେ, ଚା’ ଖଟି। ସବୁଠି ଗୋଟିଏ କଥା ଓଡ଼ିଶାରେ ବିଜେଡି-ଭାଜପା ଭିତରେ ମେଣ୍ଟ ହେଉଛି। ହେଲେ ସତରେ କ’ଣ ମେଣ୍ଟ ହେଉଛି?
ପ୍ରଥମେ ଓଡ଼ିଶା ଭାଜପା ସଭାପତିଙ୍କ ବୟାନ ଆସିବା ପରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଜବ ବାଣ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିବା କୁହାଯାଉଛି। ଏହାପରେ ବି ଥମୁନି ମେଣ୍ଟ ଚର୍ଚ୍ଚା। ଏ ଭିତରେ ଶୁକ୍ରବାର ମଝି ଆକାଶରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଯେତେବେଳେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଇଣ୍ଡିକୋ ବିମାନରେ ଦିଲ୍ଲୀରୁ ଓଡ଼ିଶା ଫେରୁଥିଲେ, ଏହି ସମୟରେ ବିମାନରେ ବସିଥିବା ଅନ୍ୟଯାତ୍ରୀମାନେ ମନମୋହନ ସାମଲଙ୍କୁ ଘେରି ଯାଇଥିଲେ। କିଛି ଯାତ୍ରୀ ମନମୋହନଙ୍କୁ ପ୍ରଶ୍ନ କରିଥିଲେ ଯେ, ସାର୍ ସତରେ କ’ଣ ଓଡ଼ିଶାରେ ବିଜେଡି-ଭାଜପା ଭିତରେ ମେଣ୍ଟ ହେଉଛି। ଆଉ ଏହାର ଉତ୍ତରରେ ମନମୋହନ ସଫାସଫା ମେଣ୍ଟ ହେଉ ନ ଥିବା ଯାତ୍ରୀଙ୍କୁ କହିଥିଲେ। ସେ କହିଥିଲେ ଯେ, ଓଡ଼ିଶାରେ ଭାଜପା ଏକାକୀ ୧୪୭ ବିଧାନସଭା ଆସନ ଓ ୨୧ ଲୋକସଭା ଆସନରେ ନିର୍ବାଚନ ଲଢିବ। ଆଉ ଭାଜପା ହିଁ ଏକାକୀ ଓଡ଼ିଶାରେ ସରକାର ଗଢିବ।
ଏବେ ମଝି ଆକାଶରେ ମେଣ୍ଟ ଚର୍ଚ୍ଚାକୁ ନେଇ ଲୋକଙ୍କ ଭିତରେ ବେଶ୍ କୌତୁହଳ ଦେଖାଦେଇଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ମଝି ଆକାଶର ଚର୍ଚ୍ଚାକୁ ବେଶ୍ ଟ୍ରୋଲ କରାଯାଉଛି। ତେବେ ଓଡିଶା ରାଜନୀତିରେ ପ୍ରଥମ ଥର ପାଇଁ ଏଭଳି ଏକ ସ୍ଥିତି ଦେଖାଯାଇଛି ଯେ ଯାହା କେବେ ଦେଖାଦେଇ ନ ଥିଲା। ଗୋଟିଏ ରାଜ୍ୟରେ ଶାସକ ଓ ମୁଖ୍ୟ ବିରୋଧୀଙ୍କ ମଧ୍ୟରେ ମେଣ୍ଟ ହୋଇଯିବ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। କେବଳ ସାଧାରଣ ଜନତା ନୁହନ୍ତି ବିଜେଡି-ଭାଜପାର ବହୁ ତୁଙ୍ଗନେତା ମଧ୍ୟ ଏହାକୁ ନାପସନ୍ଦ କରୁଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ମେଣ୍ଟ ଚର୍ଚ୍ଚାରେ ଯଦିଓ ଆଶିଂକ ବିରାମ ଲାଗିଛି ହେଲେ, ଏବେ ବି ବିଜେଡି-ଭାଜପା ଭିତରେ ଯେ ଆଉ ମେଣ୍ଟ ହେବ ନାହିଁ ଏକଥା ମଧ୍ୟ କୁହାଯାଇ ପାରୁନାହିଁ। ଗତକାଲି ସଂଧ୍ୟାରେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ୍ ପେଜ୍ରେ ଭି କେ ପାଣ୍ଡିଆନ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ, ରାଜନୀତିରେ ସବୁଠୁ ଖରାପ ଜିନିଷ କ’ଣ? ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହୁଛନ୍ତି, ରାଜନୀତିରେ ସବୁଠାରୁ ଖରାପ ଜିନିଷ ହେଉଛି ଗୁଜବ ଓ ମିଛକଥା। ଏହି ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି। ରାଜନୈତିକ ମହଲ ଏହି କଥାରୁ ଆଉ ପାଦେ ଆଗକୁ ଯାଇ କହୁଛନ୍ତି ଯେ, ବିଜେଡି-ଭାଜପା ମେଣ୍ଟ ନେଇ ଗତକାଲି ସ୍ଥିତି ଯାହା ଥିଲା ତାହା ଏବେ ବି ବଳବତ୍ତର ରହିଛି। ଅର୍ଥାତ୍ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ହିଁ ମେଣ୍ଟର ଭାଗ୍ୟ ଝୁଲୁଛି। ଏବେ ସମସ୍ତଙ୍କର ନଜର ରହିଛି ମାର୍ଚ୍ଚ ୧୨। କୁହାଯାଉଛି ଏହିଦିନ ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିପାରନ୍ତି। ସେହିଦିନ ହିଁ ଏହି ମେଣ୍ଟ ଚର୍ଚ୍ଚା ଉପରେ କୌଣସି ଅଫିସିଆଲ ବୟାନ ସାମ୍ନାକୁ ଆସିପାରେ।
The post ମଝି ଆକାଶରେ ମେଣ୍ଟ ଚର୍ଚ୍ଚା, ଭାଜପା ସଭାପତିଙ୍କୁ ଘେରିଗଲେ ଯାତ୍ରୀ appeared first on Dharitri Odia News.