ମଞ୍ଚାରେ ଶୋଇଥିଲେ, ମାରି ଦେଲା ଦନ୍ତା
ସାଲୁପୁ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି ଗାଁକୁ ନେବା ବେଳେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପର୍ବତର ଲାଖପଦର ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ସାଲୁପୁ କୁତ୍ରୁକା।
ସେ ଗତକାଲି ରାତିରେ ଗାଁ ନିକଟସ୍ଥ ପାହାଡ଼ ଉପରେ ଅମଳ ହୋଇଥିବା ଫସଲ ଜଗିବା ପାଇଁ ମଞ୍ଚା ଉପରେ ଶୋଇଥିଲେ। ସେହି ସମୟରେ ଦନ୍ତା ଆସି ତାଙ୍କ ମଞ୍ଚା ଭାଙ୍ଗି ଦେଇଥିଲା। ତା’ପରେ ସାଲୁପୁଙ୍କୁ ଶୁଣ୍ଢରେ ଆକ୍ରମଣ କରିଥିଲା।
ସାଲୁପୁ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ଆଖପାଖରେ ଥିବା ଗାଁର ଅନ୍ୟ ଲୋକମାନେ ସେଠାକୁ ଧାଇଁ ଯାଇଥିଲେ। ସେତେବେଳକୁ ହାତୀ ସେଠାରୁ ଚାଲି ଯାଇଥିଲା। ସାଲୁପୁ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି ଗାଁକୁ ନେବା ବେଳେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ ବନ ବିଭାଗ ଅଧିକାରୀ ସେଠାକୁ ଯାଇ ତଦନ୍ତ କରିଥିବା ସୂଚନା ମିଳିଛି।
ସେହିପରି ସୁନ୍ଦରଗଡ଼ ଜିଲ୍ଲା ତାମଦା ରେଞ୍ଜର ସାପଲତା ବିଟ୍ର ରୁଷି ମଠ ଜଙ୍ଗଲରେ ହାତୀ ଆକ୍ରମଣରେ ବନ ବିଭାଗର ଜଣେ ପାରା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡ଼ ଓ ଛାତି ପିଞ୍ଜରା ଭାଙ୍ଗି ଯାଇଥିବା ଜଣାପଡ଼ିଛି। ରାତିରେ ହାତୀ ଟ୍ରାକିଂରେ ଯାଇଥିବା ବେଳେ ଏକ ହାତୀ ଗୋଡ଼ାଇବାରୁ ଅନ୍ୟ ବନ କର୍ମଚାରୀମାନେ ଦୌଡ଼ି ପଳାଇଥିଲେ। କିନ୍ତୁ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ପାରା କର୍ମଚାରୀ ଜଣଙ୍କ। ହାତୀ ଆକ୍ରମଣରେ ସେ ଆହି ହୋଇ ଏକ ବଡ଼ ପଥର ପାଖରେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ମୁଣ୍ଡ ମଧ୍ୟ ଫାଟି ଯାଇଛି। ତାଙ୍କୁ ଖୋଜାଖୋଜି କରି ପ୍ରାୟ ୮ ଘଣ୍ଟା ପରେ ଆଜି ସକାଳେ ବନ କର୍ମଚାରୀମାନେ ଉଦ୍ଧାର କରିଥିଲେ। ରାଉରକେଲାରେ ତାଙ୍କର ଚିକିତ୍ସା ଚାଲିଛି।