ମଣ୍ଡିରେ ଜୋର୍ ଧରିଲା କଟନୀଛଟନୀ: ଧାନକେଣ୍ଡା ଧରି ଜିଲାପାଳଙ୍କ ଅଫିସରେ ପହଞ୍ଚିଲେ ଚାଷୀ
ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଜୋର୍ ଧରିଛି। ଅନ୍ୟପଟେ ଚଳିତ ସପ୍ତାହରେ ତୁହାକୁ ତୁହା ବର୍ଷା ହେଉଛି। କ୍ଷେତ, ଖଳାଠାରୁ ଆରମ୍ଭ କରି ବିଭିନ୍ନ ଖୋଲାମଣ୍ଡିରେ ରହିଥିବା ଧାନ ଏଥିରେ ପ୍ରଭାବିତ ହେଉଛି। କ୍ଷେତରେ ଧାନପେଟା ବର୍ଷାପାଣି ଘେରରେ ରହି ନଷ୍ଟ ହେଉଛି। ଅନ୍ୟପଟେ ଅମଳ ଅବସ୍ଥାରେ ରହିଥିବା ଧାନଗଛ ମଧ୍ୟ କ୍ଷେତରେ ଢ଼ଳି ପଡ଼ି ପ୍ରଭାବିତ ହୋଇଛି। ସେହିପରି କ୍ଷେତ, ଖଳା ଏବଂ ଖୋଲାମଣ୍ଡିରେ ରହିଥିବା ଧାନ ଓଦା ହେବାରୁ […] The post ମଣ୍ଡିରେ ଜୋର୍ ଧରିଲା କଟନୀଛଟନୀ: ଧାନକେଣ୍ଡା ଧରି ଜିଲାପାଳଙ୍କ ଅଫିସରେ ପହଞ୍ଚିଲେ ଚାଷୀ appeared first on Dharitri Odia News.
ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଜୋର୍ ଧରିଛି। ଅନ୍ୟପଟେ ଚଳିତ ସପ୍ତାହରେ ତୁହାକୁ ତୁହା ବର୍ଷା ହେଉଛି। କ୍ଷେତ, ଖଳାଠାରୁ ଆରମ୍ଭ କରି ବିଭିନ୍ନ ଖୋଲାମଣ୍ଡିରେ ରହିଥିବା ଧାନ ଏଥିରେ ପ୍ରଭାବିତ ହେଉଛି। କ୍ଷେତରେ ଧାନପେଟା ବର୍ଷାପାଣି ଘେରରେ ରହି ନଷ୍ଟ ହେଉଛି। ଅନ୍ୟପଟେ ଅମଳ ଅବସ୍ଥାରେ ରହିଥିବା ଧାନଗଛ ମଧ୍ୟ କ୍ଷେତରେ ଢ଼ଳି ପଡ଼ି ପ୍ରଭାବିତ ହୋଇଛି। ସେହିପରି କ୍ଷେତ, ଖଳା ଏବଂ ଖୋଲାମଣ୍ଡିରେ ରହିଥିବା ଧାନ ଓଦା ହେବାରୁ ତାହା ଶୁଖାଇବା ପାଇଁ ଚାଷୀଙ୍କୁ ହଇରାଣ ହରକତ ହେବାକୁ ପଡ଼ିଛି। ଧାନ ଅମଳ ସମୟରେ ଏଭଳି ବର୍ଷା ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି।
ଏହି କ୍ରମରେ ଗୁରୁବାର ଜିଲାର ବରପାଲି ତହସିଲ ଅନ୍ତର୍ଗତ କୁମ୍ଭାରୀ ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷୀମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଥିଲେ। ସେମାନଙ୍କୁ ଇନପୁଟ୍ ସବସିଡ଼ି ଏବଂ ବୀମା କ୍ଷତିପୂରଣ ଯୋଗାଇବା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ସ୍ମାରକପତ୍ରରେ ଚାଷୀମାନେ ଉଲ୍ଲେଖ କରିଛନ୍ତି, ଗତ ୨୨ରୁ ୨୭ତାରିଖ ପର୍ଯ୍ୟନ୍ତ କ୍ରମାଗତ ବର୍ଷା ହୋଇଥିଲା। ଦୀର୍ଘ ୬ଦିନ ବର୍ଷା ହେବା ଯୋଗୁ ଏହାର ପ୍ରଭାବରେ କ୍ଷେତ, ଖଳାରେ ରହିଥିବା ଧାନ ବ୍ୟାପକ କ୍ଷତି ହୋଇଛି। କ୍ଷେତରେ କଟାହୋଇ ପଡ଼ିଥିବା ଧାନପେଟାଗୁଡ଼ିକ ୭୦ପ୍ରତିଶତ ନଷ୍ଟ ହୋଇଥିବା ଚାଷୀମାନେ କହିଛନ୍ତି। ଧାନପେଟା ବର୍ଷାଜଳ ଯୋଗୁ ପଚିଯାଇଛି। ଫଳରେ ସେଥିରୁ କିଛି ଅମଳ ହେବା ଆଶା ଆଦୌ ନାହିଁ। ସେହିପରି କ୍ଷେତରେ ଠିଆ ହୋଇ ରହିଥିବା ଧାନ ମଧ୍ୟ ୫୦ପ୍ରତିଶତ ନଷ୍ଟ ହୋଇଥିବାବେଳେ ଅମଳ ହୋଇ ରହିଥିବା ଚୂନଧାନ ୭୦ପ୍ରତିଶତ ନଷ୍ଟ ହୋଇଥିବା ଚାଷୀମାନେ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। କୁମ୍ଭାରୀ ପଞ୍ଚାୟତର ରାଧେଶ୍ୟାମ ନାୟକ, ଗୁଣନିଧି ପଧାନ, ଭାଗ୍ୟବନ୍ତ ପଧାନ, ପ୍ରେମାନନ୍ଦ ନାୟକ, ଡାକ୍ତର ପଧାନ, ଉପେନ୍ଦ୍ର ସାହୁ, ରବୀନ୍ଦ୍ର ନାୟକ, ବଳରାମ ନାୟକ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।
ପ୍ରକାଶଥାଉକି, ଗତ ୧୪ତାରିଖରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାର ୧୮୯ ମଣ୍ଡିରେ ଧାନ କିଣାବିକା ଚାଲିଛି। ତେବେ ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଜୋର୍ ଧରିଥିବା ସମୟରେ କ୍ରମାଗତ ବର୍ଷା ଚାଷୀଙ୍କୁ ଚଡ଼କ ସଦୃଶ ହୋଇଛି। ଚାଷୀଙ୍କ ଧାନ ଅମଳ ବାଧାପ୍ରାପ୍ତ ହେବା ସହିତ ଧାନ ଉଠାଣ ପ୍ରକ୍ରିୟା ମଧ୍ୟ ଶିଥିଳ ହୋଇ ପଡ଼ିଛି। ଅପରପକ୍ଷେ ଭିତ୍ତିଭୂମି ଅଭାବରୁ ଖୋଲାମଣ୍ଡିରେ ରହିଥିବା ଧାନ ବର୍ଷାରେ ପ୍ରଭାବିତ ହେଉଥିବାବେଳେ କ୍ଷେତ, ଖଳାରେ ରହିଥିବା ଧାନ ଅଧିକ ପ୍ରଭାବିତ ହୋଇଛି। ଏହାକୁ ନେଇ ଚାଷୀ ହତାଶ ହୋଇ ପଡ଼ିଥିବାବେଳେ ମଣ୍ଡି ଗୁଡ଼ିକରେ କଟନୀଛଟନୀ ଜୋର୍ ଧରିଛି। ମଣ୍ଡି ଖୋଲିବା ଆରମ୍ଭରୁ ଧାନ କୁଇଣ୍ଟାଲ ପ୍ରତି ୧କି.ଗ୍ରାରୁ ୨କି.ଗ୍ରା ପର୍ଯ୍ୟନ୍ତ କଟନୀଛଟନୀ ହେଉଥିବାବେଳେ ବର୍ତ୍ତମାନ ଏହା ୪କି.ଗ୍ରାରୁ ୫କି.ଗ୍ରା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। କଟନୀଛଟନୀ ପ୍ରକ୍ରିୟାକୁ ଜିଲା ପ୍ରଶାସନ ନିୟନ୍ତ୍ରଣ ନ କଲେ ଅନେକ ଚାଷୀ ସେମାନଙ୍କ କଷ୍ଟୋପାର୍ଜିତ ଧାନର ପ୍ରାପ୍ୟରାଶି ପାଇବାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ସେହିପରି କଟନୀଛଟନୀକୁ ବିରୋଧ କରିବା ପାଇଁ ଚାଷୀମାନ ବିଭିନ୍ନ ସ୍ଥାନରେ ସଙ୍ଗଠିତ ହେଉଥିବା ଯୋଗୁ ଏହାକୁ ନେଇ ଆଗାମୀ ଦିନରେ ଏକ ବଡ଼ ଚାଷୀ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି।
The post ମଣ୍ଡିରେ ଜୋର୍ ଧରିଲା କଟନୀଛଟନୀ: ଧାନକେଣ୍ଡା ଧରି ଜିଲାପାଳଙ୍କ ଅଫିସରେ ପହଞ୍ଚିଲେ ଚାଷୀ appeared first on Dharitri Odia News.