ମଦ ଠିକାକୁ ନେଇ ହତ୍ୟାକାଣ୍ଡ: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ

ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଗୁଦୁରାମୁଣ୍ଡାରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ବରପାଲି ଥାନା କନବାର ଗ୍ରାମର ମହେଶ୍ୱର ବେହେରାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଭାଇ ଟିକେଶ୍ୱର ମଧ୍ୟ ଆହତ ହୋଇଛନ୍ତି। ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୁଦୁରାମୁଣ୍ଡା ଗଣ୍ଡାପଡ଼ା ନିବାସୀ ବାହାଦୁଲ ଛତ୍ରିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ବିରୋଧରେ ଭେଡ଼େନ ଥାନାରେ ଏକ ହତ୍ୟା ମାମଲା(ନଂ-୧୩/୨୫) ରୁଜୁ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବରଗଡ଼ ଉପକାରାଗାରକୁ ପଠାଯାଇଛି। […] The post ମଦ ଠିକାକୁ ନେଇ ହତ୍ୟାକାଣ୍ଡ: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ appeared first on Dharitri Odia News.

ମଦ ଠିକାକୁ ନେଇ ହତ୍ୟାକାଣ୍ଡ: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ

ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଗୁଦୁରାମୁଣ୍ଡାରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ବରପାଲି ଥାନା କନବାର ଗ୍ରାମର ମହେଶ୍ୱର ବେହେରାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଭାଇ ଟିକେଶ୍ୱର ମଧ୍ୟ ଆହତ ହୋଇଛନ୍ତି। ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୁଦୁରାମୁଣ୍ଡା ଗଣ୍ଡାପଡ଼ା ନିବାସୀ ବାହାଦୁଲ ଛତ୍ରିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ବିରୋଧରେ ଭେଡ଼େନ ଥାନାରେ ଏକ ହତ୍ୟା ମାମଲା(ନଂ-୧୩/୨୫) ରୁଜୁ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବରଗଡ଼ ଉପକାରାଗାରକୁ ପଠାଯାଇଛି। ମଦବିକ୍ରି ଠିକା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଗୁଦୁରାମୁଣ୍ଡାରେ ମଦବିକ୍ରି ପାଇଁ କୌଣସି ଲାଇସେନ୍ସ ଦିଆଯାଇ ନ ଥିବା ଅବକାରୀ ଅଧୀକ୍ଷକ ସୁବନ କୁମାର ନାଏକ କହିଛନ୍ତି।

ସୂଚନା ଅନୁଯାୟୀ, ଗୁଦୁରାମୁଣ୍ଡାରେ ଚୋରାମଦ କାରବାର ଚାଲି ଆସୁଥିଲା। ପ୍ରାୟ ବର୍ଷେ ତଳେ ମହେଶ୍ୱର ଗ୍ରାମରେ ମଦବିକ୍ରି ପାଇଁ ଠିକା ନେଇଥିଲେ। ସେହି ଅବଧି ସରି ଯାଇଥିବାରୁ ମଦବିକ୍ରି ଠିକା ପାଇଁ ଶୁକ୍ରବାର ଗ୍ରାମରେ ଏକ ସଭା ବସିଥିଲା। ସଭାକୁ ମହେଶ୍ୱରଙ୍କ ସମେତ ତାଙ୍କ ୨ଭାଇ ଟିକେଶ୍ୱର ଏବଂ ଲୋକେଶ୍ୱର ପହଞ୍ଚି ଥିଲେ। ଅନ୍ୟପଟେ ଘଟଣାସ୍ଥଳକୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାହାଦୁଲ ଏବଂ ତାଙ୍କ ପୁଅମାନେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ପୂର୍ବରୁ ମଧ୍ୟ ମଦଠିକାକୁ ନେଇ ମହେଶ୍ୱରଙ୍କ ସହିତ ଅଭିଯୁକ୍ତ ବାହାଦୁଲଙ୍କ ବାଦବିବାଦ ଲାଗି ରହିଥିଲା।

ତେବେ ସଭା ସରିବା ପରେ ମହେଶ୍ୱର ତାଙ୍କ ୨ଭାଇଙ୍କ ସହିତ କନବାରସ୍ଥିତ ଘରକୁ ଫେରୁଥିବା ବେଳେ ବାଟରେ ଅଭିଯୁକ୍ତ ବାହାଦୁଲ ଏବଂ ତାଙ୍କ ପୁଅମାନେ ବିଭିନ୍ନ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଘଟଣାସ୍ଥଳରେ ମହେଶ୍ୱରଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଭାଇ ଟିକେଶ୍ୱର ଏବଂ ଅଭିଯୁକ୍ତ ବାହାଦୁଲ ମଧ୍ୟ ଆହତ ହୋଇଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଭେଡ଼େନ ଡାକ୍ତରଖାନାକୁ ଆଣିଥିଲେ। ବରଗଡ଼ ଅତିରିକ୍ତ ଏସ୍‌ପି ଶିବପ୍ରସାଦ ବିଶ୍ୱାଳ, ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ପ୍ରମୁଖ ଶନିବାର ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲେ।

ଅପରପକ୍ଷେ ଉକ୍ତ ହତ୍ୟାକାଣ୍ଡକୁ ନେଇ ଗୁଦୁରାମୁଣ୍ଡା ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ମୁତୟନ ଅଛନ୍ତି। ସେହିପରି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଏବଂ ଗ୍ରାମରେ ସବୁବେଳେ ଅଶାନ୍ତ ପରିବେଶ ସୃଷ୍ଟି କରୁଥିବା ପଡ଼ାକୁ ଉଚ୍ଛେଦ ଦାବିରେ ଗୁଦୁରାମୁଣ୍ଡାବାସୀ ଭେଡ଼େନ ଥାନାକୁ ଆସି ଧାରଣାରେ ବସିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ଏବଂ ଗ୍ରାମରେ ପୋଲିସ ପାଟ୍ରୋଲିଂ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣାରୁ ଓହରିଥିଲେ।

The post ମଦ ଠିକାକୁ ନେଇ ହତ୍ୟାକାଣ୍ଡ: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ appeared first on Dharitri Odia News.