ମଧ୍ୟାହ୍ନ ଭୋଜନରେ ପଡ଼ିଥିଲା ଝିଟିପିଟି, ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ଅସୁସ୍ଥ ଛାତ୍ରଛାତ୍ରୀମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏହି ଘଟଣାକୁ ନେଇ ଅଭିଭାବକମାନେ ସ୍କୁଲ ଆଗରେ ପ୍ରତିବାଦ କରିଛନ୍ତି।

ମଧ୍ୟାହ୍ନ ଭୋଜନରେ ପଡ଼ିଥିଲା ଝିଟିପିଟି, ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି। ଅସୁସ୍ଥ ହେଲେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ। ଘଟଣାଟି ଘଟିଛି ବାଲେଶ୍ୱରର ସୋର ବ୍ଲକ ସାଜନପୁର ପଞ୍ଚାୟତର ଶିରାପୁର ଗାଁର ଉଦୟନାରାୟଣ ନୋଡାଲ ବିଦ୍ୟାଳୟରେ।

ସବୁ ଦିନ ଭଳି ଆଜି ଏହି ସ୍କୁଲର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିଲେ। ମଧ୍ୟାହ୍ନ ଭୋଜନରେ ସେମାନଙ୍କୁ ଭାତ ଓ ତରକାରି ଦିଆଯାଇଥିଲା। ଖାଇବା ବେଳେ ଜଣେ ଛାତ୍ର ଖାଦ୍ୟରେ ଝିଟିପିଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ସେତେବେଳକୁ ଅନେକ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ସାରିଥିଲେ। ଖାଦ୍ୟରେ ଝିଟିପିଟି ପଡ଼ିଥିବା କଥା ସାମ୍ନାକୁ ଆସିବାର କିଛି ସମୟ ପରେ କିଛି ପିଲା ପେଟ ଓ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ଆହୁରି ଅନେକ ଛାତ୍ରଛାତ୍ରୀ ସମାନ କଥା କହିଥିଲେ। 

ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏବେ ସେଠାରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି।