ମଧ୍ୟାହ୍ନଭୋଜନ ପରେ ହେଉଛି ବିଦ୍ୟାଳୟ ଛୁଟି

ସିନାପାଲି,୨୫।୧(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ପଞ୍ଚାୟତ ଚଉରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଛୁଟି କରାଯାଉଥିବା ଅଭିଯୋଗ ହେଉଛି। ସେହିପରି ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ରର ଅନ୍ତେବାସୀଙ୍କୁ ଛାଡି ଶିକ୍ଷକମାନେ ଚାଲିଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଶିକ୍ଷକଙ୍କ ଏଭଳି ମନମୁଖୀ କାର୍ଯ୍ୟ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିବା ବେଳେ ଅନ୍ତେବାସୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଯେ, ୧୯୬୦ରେ ସ୍ଥାପିତ ଉକ୍ତ […] The post ମଧ୍ୟାହ୍ନଭୋଜନ ପରେ ହେଉଛି ବିଦ୍ୟାଳୟ ଛୁଟି appeared first on Dharitri Odia News.

ମଧ୍ୟାହ୍ନଭୋଜନ ପରେ ହେଉଛି ବିଦ୍ୟାଳୟ ଛୁଟି

ସିନାପାଲି,୨୫।୧(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ପଞ୍ଚାୟତ ଚଉରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଛୁଟି କରାଯାଉଥିବା ଅଭିଯୋଗ ହେଉଛି। ସେହିପରି ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ରର ଅନ୍ତେବାସୀଙ୍କୁ ଛାଡି ଶିକ୍ଷକମାନେ ଚାଲିଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଶିକ୍ଷକଙ୍କ ଏଭଳି ମନମୁଖୀ କାର୍ଯ୍ୟ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିବା ବେଳେ ଅନ୍ତେବାସୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରକାଶ ଯେ, ୧୯୬୦ରେ ସ୍ଥାପିତ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨ଶହ ଛାତ୍ରୀଛାତ୍ର ଥିବା ବେଳେ ୪ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି। ବୁଧବାର ବିଦ୍ୟାଳୟ ଖୋଲାଯାଇ ମଧ୍ୟହ୍ନ ଭୋଜନ ପରେ ଛୁଟି କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ମଧ୍ୟାହ୍ନ ଭୋଜନ ପରେ ଛୁଟି କାହିଁକି କରାଯାଇଥିଲା ତାହା ଜଣାପଡି ନାହିଁ। ପୁଣି ଉକ୍ତ ବିଦ୍ୟାଳୟରେ ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ର ଖୋଲାଯାଇଛି। ଦାଦନ ଯାଇଥିବା ମା’ବାପାଙ୍କ ପୁଅଝିଅମାନେ ଏହି ଆବାସିକ ପ୍ରଯତ୍ନ କେନ୍ଦ୍ରରେ ରହି ପାଠ ପଢୁଛନ୍ତି। ହେଲେ ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟ ବନ୍ଦ କରି ଶିକ୍ଷକମାନେ ଚାଲିଯିବା ପରେ ଏହି ସମୟରେ ଅନ୍ତେବାସୀ ଛାତ୍ରୀଛାତ୍ର କାହା ଦାୟିତ୍ୱରେ ଥିଲେ ବୋଲି ପ୍ରଶ୍ନ ଉଠୁଛି। ଯେହେତୁ ଏଠାରେ ନିଯୁକ୍ତ କେୟାରଟେକରମାନେ ବିଦ୍ୟାଳୟ ଛୁଟି ପରେ ଅର୍ଥାତ ୪ଟା ପରେ ହିଁ ବିଦ୍ୟାଳୟ ଆସିବା ବ୍ୟବସ୍ଥା ରହିଛି। ଏଠାରେ ନିରୀହ ଦାଦନ ମା’ବାପାଙ୍କ ପୁଅଝିଅ ଏହି ସମୟ ମଧ୍ୟରେ କୌଣସି ଅଘଟଣ ହେଲେ କିଏ ଦାୟୀ ରହିବେ। ପୁଣି ସ୍ଥାନୀୟ ଛାତ୍ରୀଛାତ୍ରଙ୍କ ଅଭିଯୋଗ ଅନୁସାରେ ପିଲାଙ୍କୁ ଠିକ ଭାବେ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ରରେ ଥିବା ଅନୁସାଗିକ ବ୍ୟବସ୍ଥାର ପ୍ରଚଳନ କରାଯାଉ ନାହିଁ। ବିଦ୍ୟାଳୟରେ ପ୍ରଯତ୍ନ କେନ୍ଦ୍ର ସମ୍ବନ୍ଧୀୟ କୌଣସି ସୂଚନା ଫଳକ ନାହିଁ। ଉକ୍ତ କେନ୍ଦ୍ରରେ ମୋଟ ୪୪ଜଣ ଛାତ୍ରୀଛାତ୍ର ରହୁଥିବା ଦର୍ଶାଯାଇ ଥିବା ବେଳେ ମାତ୍ର ୧୦ରୁ ୧୫ଜଣ ଛାତ୍ରୀଛାତ୍ର ରହୁଥିବା ଦେଖିବାକୁ ମିଳିଛି। କିନ୍ତୁ କାଗଜପତ୍ରରେ ଛାତ୍ରୀଛାତ୍ର ପୂର୍ଣ୍ଣମାତ୍ରାରେ ଥିବା ଦର୍ଶାଯାଉଛି। ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ର ଅବ୍ୟସ୍ଥା ଓ ଅନିୟମିତତାରେ ଚାଲୁଥିବା ଜଣାପଡିଛି। ଶିକ୍ଷକମାନେ ପ୍ରତିଦିନ ବିଳମ୍ବରେ ବିଦ୍ୟାଳୟକୁ ଆସୁଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି କରି ଚାଲିଯାଉଥିବା ସ୍ଥାନୀୟ ଅଭିଭାବମାନେ ଅଭିଯୋଗ କରିଛନ୍ତି। ଏ ନେଇ ପ୍ରଧାନ ଶିକ୍ଷକ ଜନ୍ମେଜୟ ମେହେରଙ୍କୁ ପଚାରିବାରୁ ସେ ଛୁଟିରେ ଥିବା ବେଳେ ଅନ୍ୟଜଣେ ସହକାରୀ ଶିକ୍ଷକଙ୍କୁ ଦାୟିତ୍ୱ ଦେଇଥିବା ପ୍ରକାଶ କରି କଥାକୁ ଏଡାଇ ଦେଇଥିଲେ। ସିଆରସିସି ରମାକାନ୍ତ ମେହେରଙ୍କୁ ପଚାରିବାରୁ ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟ ବନ୍ଦ କରିବା କୌଣସି ସୂଚନା ନ ଥିଲା। ସେମାନେ କାହିଁକି ଛୁଟି କଲେ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି କହିଥିଲେ। ସିନାପାଲି ଅତିରିକ୍ତ ଶିକ୍ଷାଧିକାରୀ ପ୍ରଭାତ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ଘଟଣାର ସତ୍ୟାସତ୍ୟ ତଦନ୍ତ କରି ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଜିଲା ଶିକ୍ଷାଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ଦାବି ହେଉଛି।

The post ମଧ୍ୟାହ୍ନଭୋଜନ ପରେ ହେଉଛି ବିଦ୍ୟାଳୟ ଛୁଟି appeared first on Dharitri Odia News.