ମହଙ୍ଗା ହେବ ଚା’ ପିଇବା
ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଆଗକୁ ଖୁଚୁବରା ବଜାରରେ ଚା’ ମହଙ୍ଗା ହେବାକୁ ଯାଉଛି। ଭାରତୀୟ ଚା’ ସଂଘର ତଥ୍ୟ ଅନୁଯାୟୀ, ଦେଶରେ ଚା’ ଉତ୍ପାଦନ ୨୦୨୪ରେ ବଡ଼ ଧରଣର ହ୍ରାସ ଘଟିବାକୁ ଯାଉଛି। ଆସାମରେ ଚା’ ଉତ୍ପାଦନରେ ୧୧ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି। ଅପରପକ୍ଷେ ଜୁଲାଇ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ଚା’ ଉତ୍ପାଦନ ୨୧ ପ୍ରତିଶତ ହ୍ରାସ ପାଇଛି। ସଂଘ ଏହି ହ୍ରାସର କାରଣ ମେ’ ମାସ […]

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଆଗକୁ ଖୁଚୁବରା ବଜାରରେ ଚା’ ମହଙ୍ଗା ହେବାକୁ ଯାଉଛି। ଭାରତୀୟ ଚା’ ସଂଘର ତଥ୍ୟ ଅନୁଯାୟୀ, ଦେଶରେ ଚା’ ଉତ୍ପାଦନ ୨୦୨୪ରେ ବଡ଼ ଧରଣର ହ୍ରାସ ଘଟିବାକୁ ଯାଉଛି। ଆସାମରେ ଚା’ ଉତ୍ପାଦନରେ ୧୧ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି। ଅପରପକ୍ଷେ ଜୁଲାଇ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ଚା’ ଉତ୍ପାଦନ ୨୧ ପ୍ରତିଶତ ହ୍ରାସ ପାଇଛି। ସଂଘ ଏହି ହ୍ରାସର କାରଣ ମେ’ ମାସ ପର୍ଯ୍ୟନ୍ତ ଅପର୍ଯ୍ୟାପ୍ତ ବୃଷ୍ଟିପାତ ଏବଂ ଅତ୍ୟଧିକ ଗରମକୁ ଦାୟୀ କରିଛି। ଏହାପରେ ଜୁନ୍ ଏବଂ ଜୁଲାଇ ମାସରେ ଅତ୍ୟଧିକ ବୃଷ୍ଟିପାତ ହୋଇଥିଲା। ଯାହା ଚଳିତ ଋତୁରେ ଫସଲ ଉତ୍ପାଦନରେ ବାଧା ସୃଷ୍ଟି କରିଛି।
ସଂଘର କହିବାନୁଯାୟୀ, ଅପର୍ଯ୍ୟାପ୍ତ ବର୍ଷା ସହ ଗରମ ଓ ଅତ୍ୟଧିକ ବୃଷ୍ଟିପାତ ହେତୁ ଉତ୍ତର ଭାରତୀୟ ଚା’ ଶିଳ୍ପର ଉତ୍ପାଦନ ଏବେ ବିପଦରେ। ସଂଘର ସୂଚନାନୁଯୟୀ, ଉଭୟ ପଶ୍ଚିମବଙ୍ଗ ଏବଂ ଆସାମରେ ଚା’ ଗଛ ଭୟଙ୍କର କୀଟ ଏବଂ ରୋଗ ସଂକ୍ରମଣର ଶିକାର ହେବା ଯୋଗୁ ପରିସ୍ଥିତି ଅଧିକ ଖରାପ ହୋଇଛି। ସଂଘ କହିଛି ଯେ ଏଭଳି ସ୍ଥିତି ଆସନ୍ତା ମାସରେ ଚା’ ଫସଲକୁ ଅଧିକ କ୍ଷତି ପହଞ୍ଚାଇପାରେ। ଚା ବଗିଚାରୁ ମିଳିଥିବା ରିପୋର୍ଟରୁ ଜଣାପଡିଛି ଯେ ଅଗଷ୍ଟ ସୁଦ୍ଧା ପଶ୍ଚିମବଙ୍ଗରେ ଚା ଉତ୍ପାଦନ ପ୍ରାୟ ୧୦ ପ୍ରତିଶତ ହ୍ରାସ ପାଇବ। ଅଗଷ୍ଟ ୨୦୨୪ ସୁଦ୍ଧା ଆସାମରେ ଚା’ ଚାରା ରୋପଣ ପୂର୍ବ ବର୍ଷଠାରୁ ପ୍ରାୟ ୩ ପ୍ରତିଶତ ହ୍ରାସ ଘଟିପାରେ। ଚା’ ବଗିଚା ପରିଚାଳନା ସମୟ ପୂର୍ବରୁ ବନ୍ଦ ହେବା ଏବଂ ୨୦୨୪ରେ ଉତ୍ପାଦନରେ ୧୬୦-୧୭୦ ନିୟୁତ କିଲୋଗ୍ରାମ ଚା ’ହ୍ରାସ ମଧ୍ୟ ଚିନ୍ତାର କାରଣ। ସଂଘ କହିଛି ଯେ ଉତ୍ତର ଭାରତୀୟ ଚା’ର ମୂଲ୍ୟ ୧୩ ପ୍ରତିଶତ ବୃଦ୍ଧି ପାଇଛି, କିନ୍ତୁ ଉତ୍ପାଦନ ହ୍ରାସ ପାଇଁ ଏହି ବୃଦ୍ଧି ପର୍ଯ୍ୟାପ୍ତ ନୁହେଁ। ଉତ୍ତର ବଙ୍ଗଳାରେ ୨୧ ପ୍ରତିଶତ ଫସଲ ହ୍ରାସ ଘଟିଥିଲା କିନ୍ତୁ ମୂଲ୍ୟରେ ମାତ୍ର ୭ ପ୍ରତିଶତ ବୃଦ୍ଧି ଘଟିଥିଲା। ଆସାମରେ ଉତ୍ପାଦନ ୧୧ ପ୍ରତିଶତ ହ୍ରାସ ପାଇଛି ଏବଂ ମୂଲ୍ୟ ୧୫ ପ୍ରତିଶତ ବୃଦ୍ଧି ପାଇଛି। ବଢ଼ିଚାଲିଥିବା ଏଭଳି ଆର୍ଥିକ ଚାପ ସହିତ ଚା’ ଶିଳ୍ପ ଏକ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହେଉଛି। ସରକାରୀ ସହାୟତା ପାଇଁ ସଂଘ ଏହାର ଦାବିକୁ ଜୋରଦାର କରିଛି।