ମହାପ୍ରଭୁଙ୍କୁ ନେଇ ରାଜନୀତି କରୁଥିବା ବିଜେପି ନେତାଙ୍କୁ ଜନତା ବୁଦ୍ଧି ଶିଖାଇବେ : ବିଜେଡି

ଭୁୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଶୋଚନୀୟ ପରାଜୟ ଭୟରେ ଓଡିଶା ବିଜେପି ନେତାଙ୍କ ହାର୍ଟ ବିଟ୍‌ ବଢିଯାଇଛି। ସେମାନଙ୍କର ନିଦ ହଜିଗଲାଣି। ସେଥିପାଇଁ ଏବେ ପ୍ରତିଦିନ ମିଛ, ଭିତିହୀନ ଏବଂ କପୋଳକଳ୍ପିତ ଅଭିଯୋଗ ମାନ ଆଣୁଛନ୍ତି ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର ଓ ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର। ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ, ବିଜେପିର ମାଳ ମାଳ ଟୁରିଷ୍ଟ ନେତା ଏବେ ଓଡିଶାରେ। […]

ମହାପ୍ରଭୁଙ୍କୁ ନେଇ ରାଜନୀତି କରୁଥିବା ବିଜେପି ନେତାଙ୍କୁ ଜନତା ବୁଦ୍ଧି ଶିଖାଇବେ : ବିଜେଡି
bjd pressmeet

ଭୁୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଶୋଚନୀୟ ପରାଜୟ ଭୟରେ ଓଡିଶା ବିଜେପି ନେତାଙ୍କ ହାର୍ଟ ବିଟ୍‌ ବଢିଯାଇଛି। ସେମାନଙ୍କର ନିଦ ହଜିଗଲାଣି। ସେଥିପାଇଁ ଏବେ ପ୍ରତିଦିନ ମିଛ, ଭିତିହୀନ ଏବଂ କପୋଳକଳ୍ପିତ ଅଭିଯୋଗ ମାନ ଆଣୁଛନ୍ତି ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର ଓ ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର।

ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ, ବିଜେପିର ମାଳ ମାଳ ଟୁରିଷ୍ଟ ନେତା ଏବେ ଓଡିଶାରେ। ଯେଉଁମାନେ ଓଡିଶା ବିଷୟରେ କିଛି ଜାଣିନାହାନ୍ତି। ରାଜ୍ୟ ନେତା ଯାହା ଲେଖା ଦେଉଛନ୍ତି, ସେମାନେ ଶୁଆ ଭଳି ଗାଇ ଦେଇ ଯାଉଛନ୍ତି। ବିଜେପିର ନାରା ହେଲା, ନା କାମ କରିବୁ ନା କାମ କରାଇଦେବୁ। ଓଡିଶାର ସବୁ ଭଲକାମକୁ ଅଟକାଇବାକୁ ସଂକଳ୍ପ ନେଇ ସେମାନେ କାର୍ଯ୍ୟ କରୁଛନ୍ତି।

ପ୍ରଥମରୁ ପରିକ୍ରମା ପ୍ରକଳ୍ପ ବନ୍ଦ ପାଇଁ କାର୍ଯ୍ୟ କଲେ। ଯେଉଁ କାମ ୫୦୦ ବର୍ଷ ଧରି ହୋଇନଥିଲା, ତାହା ମହାପ୍ରଭୁଙ୍କ ଆଶୀର୍ବାଦରେ ଭକ୍ତ ସମାଜର ସୁବିଧା ପାଇଁ ହେଲା। ଏହାକୁ ସହ୍ୟ କରିପାରିନଥିଲେ ବିଜେପି ନେତା। ଆରମ୍ଭ ଦିନରୁ ପରିକ୍ରମା ପ୍ରକଳ୍ପ କାମ ଅଟକାଇବାକୁ ସବୁ ପ୍ରକାରର ଷଡଯନ୍ତ୍ର କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ କରାଇଥିଲେ ଧର୍ମେନ୍ଦ୍ର ପ୍ରଧାନ। ନିଜ ଅନୁଗତଙ୍କ ଜରିଆରେ ସୁପ୍ରିମକୋର୍ଟ ଗଲେ ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀ। ନାମୀଦାନୀ ଓକିଲଙ୍କୁ ନିୟୋଜିତ କରାଇଲେ। ଏଏସଆଇ ଏବଂ ଏନଏମଏଙ୍କ ନିକଟରେ ମିଥ୍ୟା ପିଟିସନ୍‌ ପକାଇ କାମ ଅଟକାଇବାକୁ ମଧ୍ୟ ଉଭୟେ ଷଡଯନ୍ତ୍ର କରିଥିଲେ। ସବୁ ଚକ୍ରାନ୍ତ ସତ୍ୱେ ମହାପ୍ରଭୁଙ୍କ ଇଛାରେ କାର୍ଯ୍ୟ ସମାପନ ହୋଇଥିଲା ବୋଲି ସେ ଭୃଗୁ ବକ୍ସିପାତ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଓଡିଶାବାସୀ ସମସ୍ତେ ଜାଣିଛନ୍ତି, ଆସନ୍ତା ଜୁଲାଇରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଯାଉଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟି ପୁରା ପ୍ରକ୍ରିୟାର ତଦାରଖ କରିବ। ଗତ ମେ ମାସରେ କମିଟିର ବୈଠକ ମଧ୍ୟ ହୋଇସାରିଛି। ଏକଥା ଓଡିଶାବାସୀ ବେଶ୍‌ ଭଲ ଭାବେ ଜାଣିଛନ୍ତି। ସବୁ ଜାଣି ଓଡିଶା ବିଜେପି ନେତା ଡ୍ରାମା କରୁଛନ୍ତି। ରାଜ୍ୟବାସୀଙ୍କ ଭାବାବେଗ ସହ ଖେଳିବାକୁ ସୁଆଙ୍ଗ ରଚୁଛନ୍ତି। ଅଭ୍ୟାସଗତ ଭାବେ ମିଛର ରାଜନୀତି କରୁଛନ୍ତି।

ବର୍ତ୍ତମାନର ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ବର୍ତ୍ତମାନର ଓଡିଶା ବିଜେପି ସଭାପତି ମନମୋହନ ସାମଲ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ଆଇନ ଓ ରାଜସ୍ୱ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ। ସେତେବେଳେ ରତ୍ନଭଣ୍ଡାର ଖୋଲିବା କଥା ଉଠିଲେ, ଏହି ଦୁଇ ଜଣ ହିଁ ପଛଘୁଂଚା ଦେଉଥିଲେ। ସେମାନେ ଡରିକି କହୁଥିଲେ, ରତ୍ନଭଣ୍ଡାର ଖୋଲିଲେ ବିପଦ ଆସିବ, ଏହାକୁ ଖୋଲିବାର ଆବଶ୍ୟକତା ନାହିଁ। ଏଭଳି କହି ପ୍ରସଙ୍ଗକୁ ଟାଳି ଦେଉଥିଲେ ବୋଲି ସେ କହିଛନ୍ତି। ଓଡିଶା ବିଜେପି ନେତା ୨୦୧୯ ସାଧାରଣ ନିର୍ବାଚନରେ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ରାଜନୀତି କରିଥିଲେ। ଜନତା ସେମାନଙ୍କୁ ଶକ୍ତଚାପୁଡା ମାରିଥିଲେ। ପଂଚାୟତ ନିର୍ବାଚନରେ ମଧ୍ୟ ରତ୍ନଭଣ୍ଡାର ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି କରିଥିଲେ। ଜନତା ୩୦ ରୁ ୩୦ ଜିଲ୍ଲା ପରିଷଦରେ ବିଜେଡିକୁ ଜିତାଇ, ବିଜେପିକୁ ଆଉ ଥରେ ଶକ୍ତଚାପୁଡା ମାରିଥିଲେ। ଏଥର ମଧ୍ୟ ମହାପ୍ରଭୁଙ୍କୁ ନେଇ ରାଜନୀତି କରୁଥିବା ବିଜେପି ନେତାଙ୍କୁ ଜନତା ବୁଦ୍ଧି ଶିଖାଇବେ। ନିର୍ବାଚନରେ ଶୋଚନୀୟ ପରାଜୟର ଉପହାର ବିଜେପିକୁ ଦେବାକୁ ଜନତା ମନସ୍ଥ କରିସାରିଲେଣି ବୋଲି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି।