ମା’ ଲଙ୍କେଶ୍ୱରୀଙ୍କ ବିଜୟର ପର୍ବ ଖଣ୍ଡାବସା

ଖଣ୍ଡାବସାର ନାମକରଣ: ଜୁନାଗଡ଼ ସହର ବଙ୍ଗଳା ଛକ ନିକଟରେ ଦୀର୍ଘ ଦଶନ୍ଧି ଧରି କୁଳଦେବୀ ଭାବରେ ମା’ ଲଙ୍କେଶ୍ୱରୀ ପୂଜା ପାଇଆସୁଛନ୍ତି। ପୂର୍ବକାଳରେ ନାଗବଂଶୀୟ ରାଜାମାନେ ପ୍ରତ୍ୟେକ ବର୍ଷ ମା’ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ପର୍ବକୁ ମହାସମାରୋହରେ ପାଳନ କରିଆସୁଥିଲେ ବୋଲି କୁହାଯାଏ। ସେବେଠାରୁ ଏହି ପରମ୍ପରା ନିରବଚ୍ଛିନ୍ନ ଭାବରେ ଉତ୍ସାହର ସହ ଚାଲିଆସୁଛି। ଅଭୟ ବରଦା, ଚତୁର୍ଭୁଜା, ପଦ୍ମାସୀନା, ମା’ ଲଙ୍କେଶ୍ୱରୀ ଶକ୍ତିପୀଠାଧୀଶ୍ୱରୀ ଭାବରେ ପୂଜା ପାଇଆସୁଛନ୍ତି। ଆଶ୍ୱିନ ମୂଳାଷ୍ଟମୀ ଦିନ ଦେବୀଙ୍କ ଖଣ୍ଡାବସା ପର୍ବ […] The post ମା’ ଲଙ୍କେଶ୍ୱରୀଙ୍କ ବିଜୟର ପର୍ବ ଖଣ୍ଡାବସା appeared first on Dharitri Odia News.

ମା’ ଲଙ୍କେଶ୍ୱରୀଙ୍କ ବିଜୟର ପର୍ବ ଖଣ୍ଡାବସା

ଖଣ୍ଡାବସାର ନାମକରଣ: ଜୁନାଗଡ଼ ସହର ବଙ୍ଗଳା ଛକ ନିକଟରେ ଦୀର୍ଘ ଦଶନ୍ଧି ଧରି କୁଳଦେବୀ ଭାବରେ ମା’ ଲଙ୍କେଶ୍ୱରୀ ପୂଜା ପାଇଆସୁଛନ୍ତି। ପୂର୍ବକାଳରେ ନାଗବଂଶୀୟ ରାଜାମାନେ ପ୍ରତ୍ୟେକ ବର୍ଷ ମା’ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ପର୍ବକୁ ମହାସମାରୋହରେ ପାଳନ କରିଆସୁଥିଲେ ବୋଲି କୁହାଯାଏ। ସେବେଠାରୁ ଏହି ପରମ୍ପରା ନିରବଚ୍ଛିନ୍ନ ଭାବରେ ଉତ୍ସାହର ସହ ଚାଲିଆସୁଛି। ଅଭୟ ବରଦା, ଚତୁର୍ଭୁଜା, ପଦ୍ମାସୀନା, ମା’ ଲଙ୍କେଶ୍ୱରୀ ଶକ୍ତିପୀଠାଧୀଶ୍ୱରୀ ଭାବରେ ପୂଜା ପାଇଆସୁଛନ୍ତି। ଆଶ୍ୱିନ ମୂଳାଷ୍ଟମୀ ଦିନ ଦେବୀଙ୍କ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୁଏ। କେଉଁ ଆବହମାନ କାଳରୁ ଆମ ଦେଶରେ ଶକ୍ତି ଉପାସନାର ପରମ୍ପରା ପ୍ରଚଳିତ ହୋଇଆସୁଛି। ସେଥିପାଇଁ ଶାସ୍ତ୍ର ଓ ପୁରାଣରେ ଅନେକ ବିଧିବିଧାନ ମଧ୍ୟ ରହିଛି। ଦେବୀଙ୍କ ପୂଜା ପୂର୍ବରୁ ତାଙ୍କ ଅସ୍ତ୍ରଶସ୍ତ୍ର ପୂଜା କରିବାର ମଧ୍ୟ ଶାସ୍ତ୍ରୀୟ ନିୟମ ରହିଛି। ଦେବୀଙ୍କ ଖଡ୍ଟ ବା ଖଣ୍ଡା ହେଉଛି ଶକ୍ତି ଓ ସୌର୍ଯ୍ୟର ପ୍ରତୀକ। ସେଥିପାଇଁ ପୂର୍ବରୁ ରାଜାମାନେ ଦେବୀ ଉପାସନା ସହ ଖଣ୍ଡାକୁ ପୂଜା କରିଆସୁଛନ୍ତି। ଏହି ପର୍ବ ପୂର୍ବରୁ ଖଣ୍ଡାକୁ ବାହାରକରି ମାର୍ଜନା କରାଯାଏ ଓ ଶୁଦ୍ଧପୂତ କରି ଅକ୍ଷତ (ଅରୁଆ ଚାଉଳ) ଉପରେ ଥୋଇ ପୂଜାର୍ଚ୍ଚନା କରାଯାଏ। ତା’ ପରେ ଏହାକୁ ମା’ଙ୍କ ସିଂହାସନ ପାଖରେ ରଖାଯାଇଥାଏ।

ଉତ୍ସବର ପୁରୋଧା: କଳାହାଣ୍ଡି ମହାରାଜା ହେଉଛନ୍ତି ଏହି ପର୍ବର ମୁଖ୍ୟ ପୁରୋଧା। ପର୍ବଦିନ ସେ ଭବାନୀପାଟଣା ରାଜବାଟୀରୁ ଜୁନାଗଡ଼ ଆସି ଡାକବଙ୍ଗଳାରେ ସପରିବାର ଉପସ୍ଥିତ ରହନ୍ତି। ତାଙ୍କ ଆଗମନକୁ ସ୍ବାଗତ ଜଣାଇବା ପାଇଁ ବାଜି ଉଠେ ବୀରବାଦ୍ୟ ଘୁମୁରା। ଲୋକେ ତାଙ୍କୁ ବାଜା ରୋଶଣିରେ ପାଛୋଟି ଆଣନ୍ତି ଡାକବଙ୍ଗଳାକୁ। ପୂର୍ବରୁ କଳାହାଣ୍ଡି ମହାରାଜ ଜୁନାଗଡ଼କୁ ଆସିଲେ ଏହି ପୁରାତନ ଡାକବଙ୍ଗଳାରେ ଅବସ୍ଥାନ କରୁଥିଲେ। ସେହି ପରମ୍ପରା ଅନୁସାରେ ଉତ୍ସବ ଦିନ ରାଜ ପରିବାର ଡାକବଙ୍ଗଳାରେ ରହିଥାନ୍ତି। ଲଙ୍କେଶ୍ୱରୀ ମନ୍ଦିର ନିକଟ ବୁଢ଼ାରଜା ମନ୍ଦିରରୁ ସଙ୍ଗୁଆରୀ ଖଣ୍ଡା ଓ ଲଙ୍କେଶ୍ୱରୀ ମନ୍ଦିରରୁ ପାଟଖଣ୍ଡା ଡାକବଙ୍ଗଳା ପରିସରରେ ନିର୍ମିତ ହୋଇଥିବା ଅସ୍ଥାୟୀ କୁଡ଼ିଆକୁ ପୂଜକ ଆଣିବେ। ପରେ ସ୍ବର୍ଣ୍ଣକାର ଦୁଇଟି ଖଣ୍ଡାକୁ ମାର୍ଜନା କରିବେ। ମାର୍ଜନା ପରେ ବିବିଧ ବାଦ୍ୟ ବାଦିତ ହୋଇ ଏକ ଶୋଭାଯାତ୍ରାରେ ପୂଜାରୀ ଖଣ୍ଡାକୁ ମନ୍ଦିରରେ ପ୍ରବେଶ କରେଇବା ପରେ ରାଜା ମନ୍ଦିରକୁ ଆସନ୍ତି। ସେଠାରେ ଦେବୀଙ୍କର ଖଣ୍ଡାବସା ପୂଜା ନିମିତ୍ତ ଷୋଡ଼ଶ କଳସ ସ୍ଥାପନ ପୂର୍ବକ ପଣ୍ଡିତମାନଙ୍କୁ ଯଥାଯୋଗ୍ୟ ବରଣକରି ପାଟଖଣ୍ଡାକୁ ଦେବୀଙ୍କ ପାର୍ଶ୍ୱରେ ଥିବା ଚାଉଳ ଉପରେ ଉପବେଶନ କରାନ୍ତି। ପରେ ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ଆରମ୍ଭ ହୁଏ। ବାମ ଓ ଦକ୍ଷିଣ ପାର୍ଶ୍ୱରେ ସ୍ଥାପନ ପୂର୍ବକ ଶକ୍ତିପୂଜା ଓ ତନ୍ତ୍ରପୂଜା ମାଧ୍ୟମରେ ପୂଜାପାଠ କରନ୍ତି। ପରେ ଅଖଣ୍ଡ ଓ ମହାଯୋଗ ନାମକ ଦୁଇଟି ଦୀପକୁ ପ୍ରଜ୍ଜ୍ୱଳନ କରନ୍ତି। ଲୋହିତ ପାଟବସ୍ତ୍ର ସୁଶୋଭିତା, ମନ୍ଦାରମାଳା ବିମଣ୍ଡିତା ଦେବୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରନ୍ତି। ଧୂପଦୀପ, ନୈବେଦ୍ୟ ଅର୍ପଣ ପରେ ଲଙ୍କେଶ୍ୱରୀଙ୍କ ପୂଜକ ପାଟଗଡ଼ରା ନାମକ ପଶୁ (ମେଷ) ଓ ମହାପଶୁ (ପୋଢ଼) ମା’ଙ୍କ ଉଦ୍ଦେଶ୍ୟରେ ବଳି ଦିଅନ୍ତି। ଏହାପରେ ଜନସାଧାରଣ ଆଳିତ ଦର୍ଶନ କରନ୍ତି, ପୂଜା ସମାପନ ହୁଏ। ଖଣ୍ଡାବସା ସାରି ମହାରାଜା ଲଙ୍କେଶ୍ୱରୀଙ୍କ ପାର୍ଶ୍ୱଦେବତା ଶ୍ରୀ ଶ୍ରୀ ବୁଢ଼ାରଜା ଲିଙ୍ଗକୁ ପୂଜାର୍ଚ୍ଚନା ପାଇଁ ବୁଢ଼ାରଜାଙ୍କ ମନ୍ଦିରକୁ ବିଜେ କରନ୍ତି। ବୁଢ଼ାରଜାଙ୍କ ପୂଜା ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ହୁଏ। ଏଥିପାଇଁ ପୂଜକ, ସୁଆର, ବୋଉଦ, ଫୁଲବାଲା, ବାଜାବାଲା, ଘଣ୍ଟୁଆ, ଶଙ୍ଖୁଆ ବଂଶାନୁକ୍ରମେ ଦେବୀଙ୍କ ସେବା କରିଆସୁଛନ୍ତି।

ଉତ୍ସବର ମାହୋଲ: ଖଣ୍ଡାବସା ରାତିରେ ହସିଉଠେ ଜୁନାଗଡ଼ ସହର। ଜିଲାର ବିଭିନ୍ନ ଅଞ୍ଚଳ ସମେତ ଜିଲା ବାହାରୁ ଏପରି କି ରାଜ୍ୟ ବାହାରୁ ବହୁ ଦର୍ଶକ, ଶ୍ରଦ୍ଧାଳୁ ଏହି ପର୍ବ ଦେଖିବାକୁ ଆସିଥାନ୍ତି। ଅତୀତରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଲୋକଙ୍କର ମଧ୍ୟ ଏହା ପ୍ରିୟ ଉତ୍ସବ ଥିଲା। ପାର୍ବଣ ସମୟରେ ସେଠାରୁ ଅନେକ ବ୍ୟବସାୟୀ ଏଠାକୁ ଆସନ୍ତି। ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ନୃତ୍ୟଗୀତ ପ୍ରତିଯୋଗିତା, ଘୁମୁରା ପ୍ରତିଯୋଗିତା, ଘୋଡ଼ାନାଚ, ଫୁଟ୍‌ବଲ ପ୍ରତିଯୋଗିତା, ନାଟକ, କୀର୍ତ୍ତନ ପରିବେଷଣ ହୋଇଥାଏ। ମଙ୍ଗଳବାର ମା’ଙ୍କର ଖଣ୍ଡାବସା ପର୍ବ ପାଳନ ହେଉଥିବାରୁ ଜୁନାଗଡ଼ ସହର ଚଳଚଞ୍ଚଳ ହୋଇଉଠିଛି।

– ରିପୋର୍ଟ: ଉତ୍ତମ କୁମାର ଦାଶ, କଳାହାଣ୍ଡି

The post ମା’ ଲଙ୍କେଶ୍ୱରୀଙ୍କ ବିଜୟର ପର୍ବ ଖଣ୍ଡାବସା appeared first on Dharitri Odia News.