ମାଟ୍ରିକ ପରୀକ୍ଷା ଦେବା ପାଇଁ ଘରୁ ବାହାରିବା ମାତ୍ରେ ଚାଲିଗଲା ଜୀବନ

ତିନି ଦିନ ତଳେ ଚନ୍ଦ୍ରଶେଖର ଗାଁରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା।

ମାଟ୍ରିକ ପରୀକ୍ଷା ଦେବା ପାଇଁ ଘରୁ ବାହାରିବା ମାତ୍ରେ ଚାଲିଗଲା ଜୀବନ

ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଜଣେ ଛାତ୍ର ପରୀକ୍ଷା ଦେବାକୁ ବାହାରୁଥିବା ବେଳେ ପ୍ରାଣ ହରାଇଛନ୍ତି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାରିପଦାରେ ଘଟିଛି ଏହି ଘଟଣା।

ମୃତ ଛାତ୍ରଙ୍କ ନାଁ ଚନ୍ଦ୍ରଶେଖର ମାଝୀ। ତାଙ୍କ ବାପାଙ୍କ ନାଁ କୈଳାସଚନ୍ଦ୍ର ମାଝୀ। ସେ ଆରୁହାବାଡ଼ ହାଇସ୍କୁଲରେ ପଢୁଥିଲେ।

ତିନି ଦିନ ତଳେ ଚନ୍ଦ୍ରଶେଖର ଗାଁରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ ପରିବାର ଲୋକେ। ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଘରକୁ ଅଣାଯାଇଥିଲା। ତେବେ ପେଟ ବ୍ୟଥା ସଂପୂର୍ଣ୍ଣ ଭଲ ହୋଇ ନଥିଲା।

ଆଜି ଚନ୍ଦ୍ରଶେଖର ପରୀକ୍ଷା ଦେବା ପାଇଁ ବାହାରିବା ପରେ ପୁଣି ଅସୁସ୍ଥ ଅନୁଭବ କରିଥିଲେ ଓ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ପୁଣି ସୋର ଡାକ୍ତରଖାନାକୁ ନେଇ ଯାଇଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।