ମୁଖ୍ୟମନ୍ତ୍ରୀ ନ ହେଲେ ଏମିତି କାମ କରିବେ ଏକନାଥ ଶିନ୍ଦେ: ଆସିଲା ବଡ଼ ଅପ୍ଡେଟ୍
ମୁମ୍ବାଇ,୩ା୧୨:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ନେଇ ୧୦ ଦିନ ହେଲା ଅଚଳାବସ୍ଥା ଜାରି ରହିଛି। ମୁଖ୍ୟମନ୍ତ୍ରୀ ପଦ ନ ମିଳିଲେ, ଶିବସେନା ବାହାରୁ ସମର୍ଥନ ଦେବ ବୋଲି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଥିବା ଜଣାପଡ଼ିଛି। ନୂଆ ସରକାର ଗଠନ ନେଇ ସୋମବାର ମହାୟୁତି ନେତାମାନଙ୍କ ବୈଠକ ହେବାକୁ ଥିବାବେଳେ ଶିନ୍ଦେ ଅସୁସ୍ଥତା କାରଣ ଦର୍ଶାଇ ଏହାକୁ ବାତିଲ କରିଦେଇଛନ୍ତି। ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ […] The post ମୁଖ୍ୟମନ୍ତ୍ରୀ ନ ହେଲେ ଏମିତି କାମ କରିବେ ଏକନାଥ ଶିନ୍ଦେ: ଆସିଲା ବଡ଼ ଅପ୍ଡେଟ୍ appeared first on Dharitri Odia News.
ମୁମ୍ବାଇ,୩ା୧୨:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ନେଇ ୧୦ ଦିନ ହେଲା ଅଚଳାବସ୍ଥା ଜାରି ରହିଛି। ମୁଖ୍ୟମନ୍ତ୍ରୀ ପଦ ନ ମିଳିଲେ, ଶିବସେନା ବାହାରୁ ସମର୍ଥନ ଦେବ ବୋଲି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଥିବା ଜଣାପଡ଼ିଛି।
ନୂଆ ସରକାର ଗଠନ ନେଇ ସୋମବାର ମହାୟୁତି ନେତାମାନଙ୍କ ବୈଠକ ହେବାକୁ ଥିବାବେଳେ ଶିନ୍ଦେ ଅସୁସ୍ଥତା କାରଣ ଦର୍ଶାଇ ଏହାକୁ ବାତିଲ କରିଦେଇଛନ୍ତି। ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ପର୍କରେ ବିଚାର କରିବାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଅନ୍ୟପକ୍ଷରେ ଏନ୍ସିପି ନେତା ଅଜିତ ପାଓ୍ବାର ଭାଜପାର କେନ୍ଦ୍ରୀୟ ନେତାମାନଙ୍କ ସହ ଆଲୋଚନା କରିବା ପାଇଁ ସୋମବାର ଦିଲ୍ଲୀ ଯାଇଛନ୍ତି।
ମହାୟୁତିର କେଉଁ ଦଳକୁ କେଉଁ ବିଭାଗ ମିଳିବ ତାହା ଚୂଡ଼ାନ୍ତ କରିବା ପାଇଁ ସୋମବାର ବୈଠକ ବସିବାକୁ ଥିବାବେଳେ ଗଳା ସଂକ୍ରମଣ ଏବଂ ଜ୍ୱର କାରଣରୁ ଶିନ୍ଦେ ବୈଠକ ବାତିଲ କରିଛନ୍ତି। ସେ ଅପରାହ୍ନରେ ଠାଣେ ଯାଇଥିବାରୁ ମଙ୍ଗଳବାର ବୈଠକ କରିବାକୁ ସ୍ଥିର ହୋଇଛି। କିଏ ମୁଖ୍ୟମନ୍ତ୍ରୀ ହେବେ, ଏହାକୁ ନେଇ ଜାରି ରହିଥିବା ଉତ୍କଣ୍ଠା ୪ ତାରିଖରେ ଶେଷ ହେବାକୁ ଯାଉଛି। ସେଦିନ ଭାଜପା ବିଧାୟକ ଦଳ ବୈଠକ ବସି ନେତା ନିର୍ବାଚନ କରାଯିବ ବୋଲି ଦଳର ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି। ବିଧାୟକ ଦଳ ବୈଠକ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଏବଂ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କୁ ଭାଜପା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ବୁଧବାର ସକାଳେ ବିଧାନ ଭବନରେ ବୈଠକ ବସି ମୁଖ୍ୟମନ୍ତ୍ରୀ ଚୟନ କରାଯିବାର କାର୍ଯ୍ୟକ୍ରମ ରହିଛି।
ଶିବସେନା ସୂତ୍ର ଅନୁଯାୟୀ, ଗତ ୨୯ ତାରିଖରେ ଶିନ୍ଦେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଆଲୋଚନା ବେଳେ ଏକ ବୁଝାମଣା ସୂତ୍ର ଦେଇଥିଲେ। ସେ କହିଥିଲେ, ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯାଇଥିଲା। ଲାଡଲି ବହେନ ଯୋଜନା, ସଂରକ୍ଷଣ ନିଷ୍ପତ୍ତି ଏବଂ ବିଭିନ୍ନ ସମ୍ପ୍ରଦାୟ ପାଇଁ ସମବାୟ ବୋର୍ଡ ଗଠନ ଯୋଗୁ ମହିଳା ଭୋଟର, ମରାଠା ଏବଂ ଓବିସିମାନେ ମହାୟୁତିକୁ ଭୋଟ ଦେଇଥିଲେ। ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ, ଏହି ଆଶା ରଖି ରାଜ୍ୟବାସୀ ଭୋଟ ଦେଇଥିଲେ। ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କରା ନ ଯାଏ, ତେବେ ସମାଜର ଏହି ବର୍ଗଗୁଡ଼ିକ ପାଖକୁ ଏକ ଭୁଲ୍ ବାର୍ତ୍ତା ଯିବ। ବିଭିନ୍ନ ସର୍ଭେରେ ତାଙ୍କୁ ଲୋକମାନେ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିବା ଶିନ୍ଦେ ଦର୍ଶାଇଥିଲେ। ଯଦି ଦେବେନ୍ଦ୍ର ଫଡ୍ନବିସ୍ଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ, ତେବେ କ୍ଷମତା ସନ୍ତୁଳନ ପାଇଁ ତାଙ୍କ ଦଳକୁ ଗୃହ, ଅର୍ଥ ଏବଂ ରାଜସ୍ବ ବିଭାଗ ଦେବା ପାଇଁ ଶିନ୍ଦେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ କହିଥିଲେ। ଏହା ପରେ କାହାକୁ ଉପମୁଖ୍ୟମନ୍ତ୍ରୀ କରାଯିବ, ସେନେଇ ଶିନ୍ଦେ ନିଷ୍ପତ୍ତି ନେବେ। ଉପରୋକ୍ତ ୩ ବିଭାଗ ନ ମିଳିଲେ ଶିବସେନା ସରକାରରେ ନ ରହି ବାହାରୁ ସମର୍ଥନ ଦେବ। କେନ୍ଦ୍ରରେ ମଧ୍ୟ ଏହି ଦଳର ୭ ଏମ୍ପି ବାହାରୁ ସମର୍ଥନ ଜଣାଇବେ ବୋଲି ଶିନ୍ଦେ କହିଥିବା ଜଣାପଡ଼ିଛି।
The post ମୁଖ୍ୟମନ୍ତ୍ରୀ ନ ହେଲେ ଏମିତି କାମ କରିବେ ଏକନାଥ ଶିନ୍ଦେ: ଆସିଲା ବଡ଼ ଅପ୍ଡେଟ୍ appeared first on Dharitri Odia News.