ମୂଳ ବିନ୍ଦୁ

କିଛି ଦିନର ନୀରବତା ପରେ ମଣିପୁର ପୁଣି ଜଳିଲାଣି। ମେଇତି ସମ୍ପ୍ରଦାୟର ଅରାମ୍ବାଇ ତେଙ୍ଗୋଲ ଗ୍ରୁପ୍‌ର ନେତା କାନନ ସିଂ ଓ ତାଙ୍କ କିଛି ସମର୍ଥକଙ୍କୁ ଶନିବାର ରାତିରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗିରଫ କରିବା ପରେ ସଦ୍ୟ ହିଂସା ଆରମ୍ଭ ହୋଇଛି। ୨୦୨୩ ମଣିପୁର ହିଂସାରେ ସମ୍ପୃକ୍ତି ଥିବା ଅଭିଯୋଗରେ କାନନଙ୍କୁ ଗିରଫ କରାଯିବାରୁ ମଣିପୁର ଉପତ୍ୟକାରେ ବିକ୍ଷୋଭ ଓ ପ୍ରତିବାଦ ଆରମ୍ଭ ହୋଇଯାଇଛି। କେତେକ ଅଞ୍ଚଳରେ ପ୍ରତିବାଦକାରୀ ସେମାନଙ୍କ ନେତାଙ୍କୁ ଛାଡ଼ି ଦେବାକୁ ଦାବି […] The post ମୂଳ ବିନ୍ଦୁ appeared first on Dharitri Odia News.

ମୂଳ ବିନ୍ଦୁ

କିଛି ଦିନର ନୀରବତା ପରେ ମଣିପୁର ପୁଣି ଜଳିଲାଣି। ମେଇତି ସମ୍ପ୍ରଦାୟର ଅରାମ୍ବାଇ ତେଙ୍ଗୋଲ ଗ୍ରୁପ୍‌ର ନେତା କାନନ ସିଂ ଓ ତାଙ୍କ କିଛି ସମର୍ଥକଙ୍କୁ ଶନିବାର ରାତିରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗିରଫ କରିବା ପରେ ସଦ୍ୟ ହିଂସା ଆରମ୍ଭ ହୋଇଛି। ୨୦୨୩ ମଣିପୁର ହିଂସାରେ ସମ୍ପୃକ୍ତି ଥିବା ଅଭିଯୋଗରେ କାନନଙ୍କୁ ଗିରଫ କରାଯିବାରୁ ମଣିପୁର ଉପତ୍ୟକାରେ ବିକ୍ଷୋଭ ଓ ପ୍ରତିବାଦ ଆରମ୍ଭ ହୋଇଯାଇଛି। କେତେକ ଅଞ୍ଚଳରେ ପ୍ରତିବାଦକାରୀ ସେମାନଙ୍କ ନେତାଙ୍କୁ ଛାଡ଼ି ଦେବାକୁ ଦାବି ଜୋରଦାର କରିଛନ୍ତି। ଏଥିସହିତ କେତେକେ ଆତ୍ମଦାହ ଉଦ୍ୟମ କରିଥିବା ଖବର ମିଳିଥିବା ବେଳେ ଖୁରାଇ ଲାମ୍‌ଲଙ୍ଗରେ ଏକ ବସ୍‌କୁ ଜାଳି ଦିଆଯାଇଛି। ସ୍ଥିତି ଗମ୍ଭୀର ହେବା ଆଶଙ୍କା କରି ମଣିପୁର ପ୍ରଶାସନ ଇମ୍ଫାଲ ଓ୍ବେଷ୍ଟ, ଇମ୍ଫାଲ ଇଷ୍ଟ, ଥଉବାଲ, ବିଷ୍ଣୁପୁର ଓ କାକ୍‌ଚିଙ୍ଗ ଜିଲାରେ ନିଷେଧ୍ୟାଜ୍ଞା ଜାରି କରିବା ସହ ଇଣ୍ଟରନେଟ୍‌ ସେବାକୁ ବାତିଲ କରିଦେଇଛନ୍ତି।
ସଦ୍ୟ ହିଂସାର ମୂଳକୁ ଗଲେ ମେ’ ୨୦୨୩ ମନେପଡ଼େ। ହିନ୍ଦୁ ମେଇତି ସମ୍ପ୍ରଦାୟକୁ ହାଇକୋର୍ଟ ଆଦିବାସୀ ମାନ୍ୟତା ସୁପାରିସ ସଂକ୍ରାନ୍ତ ଆଦେଶ ଦେବା ପରେ ଏହାକୁ ବିରୋଧ କରି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ନାଗା ଓ କୁକି ସମ୍ପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେବେଠାରୁ ଜାତିଆଣ ହିଂସା ଲାଗି ରହିଛି। ସରକାରୀ ତଥ୍ୟ ଅନୁଯାୟୀ ସେଥିରେ ୨୬୦ ଜଣଙ୍କ ଜୀବନ ଯାଇସାରିଥିବା ବେଳେ ୬୦ ହଜାରରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି। ଭାରତରେ ସରକାରୀ ଆକଳନର ସତ୍ୟତା ସମ୍ପର୍କରେ ସମସ୍ତେ ଅଳ୍ପବହୁତେ ଅବଗତ। ଏହି ସଂଖ୍ୟା ଭିତରେ ଗଣବଳାତ୍କାର ଓ ଗୃହଦାହର କୌଣସି ତଥ୍ୟ ମିଳିବା ଅସମ୍ଭବ।
ଭାଜପା ପରିଚାଳିତ ସରକାରର ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ହିଂସାକୁ ନିୟନ୍ତ୍ରଣ କରିବାରେ ସେତେବେଳେ ବିଫଳ ହେବାରୁ ମଣିପୁରବାସୀ ଦୁଃଖ, ଯାତନା ଓ ଘୋର ଯନ୍ତ୍ରଣା ଦେଇ ଗତି କରିଆସିଛନ୍ତି। ଏପରି କି ମହିଳାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ ପରେଡ୍‌ କରାଯିବା ପରେ ତାହା ମଧ୍ୟ ଜାତୀୟ ଲଜ୍ଜା ଆଣି ଦେଇଥିଲା। ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ବୀଭତ୍ସ ଦୃଶ୍ୟ ବିଶ୍ୱବ୍ୟାପୀ ପ୍ରକାଶ ପାଇବା ପରେ ବୀରେନ୍‌ ସିଂ ଇସ୍ତଫା ଦେଇଥିଲେ। ସେହି ସମୟତକ କେନ୍ଦ୍ର ଭାଜପାରୁ ତାଙ୍କୁ ସବୁ ପ୍ରକାର ସହଯୋଗ ମିଳିଥିଲା। ସ୍ଥିତି ଯେତେବେଳେ ନିୟନ୍ତ୍ରଣ କରାଯାଇପାରିବ ନାହିଁ ବୋଲି ସେଠାକାର ସରକାର ହୃଦୟଙ୍ଗମ କଲେ ସେତେବେଳେ କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ଜାରି କରିବାକୁ ବାଧ୍ୟ ହୋଇଥିଲେ। ଫଳରେ ଫେବୃଆରୀ ୨୦୨୫ରେ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା। ଆଶା କରାଯାଉଥିଲା କେନ୍ଦ୍ରୀୟ ଶାସନରେ ହିଂସାକୁ ହୁଏତ କରାୟତ୍ତ କରାଯାଇପାରିବ। କିନ୍ତୁ ତାହା ମଧ୍ୟ ବିଫଳ ହେବାକୁ ବସିଲା। ଉତ୍ତର ପୂର୍ବାଞ୍ଚଳରୁ ବାରମ୍ବାର ପ୍ରମାଣ ମିଳୁଛି ଯେ କେବଳ ବନ୍ଧୁକଧାରୀ ସୁରକ୍ଷାବାହିନୀଙ୍କୁ ପଠାଇଦେଲେ କୌଣସି ଅଞ୍ଚଳ ଶାନ୍ତ ପଡ଼ୁନାହିଁ। ଯେତେବେଳେ ରାଜନୈତିକ ଇଚ୍ଛାଶକ୍ତି ପ୍ରକାଶ ପାଉଛି ସେତେବେଳେ ସ୍ଥିତି ବଦଳୁଛି। ଉତ୍ତର ପୂର୍ବାଞ୍ଚଳ ଭଳି ଏକ ସମ୍ବେଦନଶୀଳ ଅଞ୍ଚଳ, ଯାହା ଉପରେ ଚାଇନା ପ୍ରତି ମୁହୂର୍ତ୍ତରେ ଦୃଷ୍ଟି ପକାଉଛି, ସେଭଳି ଅଞ୍ଚଳରେ ଦେଖାଦେଉଥିବା ସମସ୍ୟାକୁ କେନ୍ଦ୍ର ଗମ୍ଭୀରତାର ସହ ପରିଚାଳନା କରିବାର ଥିଲା। ସେଠାକୁ କେନ୍ଦ୍ରର ଶୀର୍ଷ ନେତା ଯାଇ ସ୍ଥାନୀୟ ଲୋକ ପ୍ରତିନିଧି ଓ ଭଦ୍ର ସମାଜ ସହ ବାରମ୍ବାର ଆଲୋଚନା କରିବା ଲୋଡ଼ା ପଡ଼ୁଥିଲା। ହିଂସା ସୃଷ୍ଟି ହେବା ପରେ ପ୍ରାରମ୍ଭିକ ବୈଠକ ଦିଲ୍ଲୀଠାରେ କରାଗଲା। ବିରୋଧୀଙ୍କ ସମାଲୋଚନାକୁ ଏଡ଼ାଇବାକୁ ଯାଇ କାଁଭାଁ ବୈଠକ ଇମ୍ଫାଲରେ ବସିଲା। ବୃହତ୍‌ ସଙ୍କଟ ସୃଷ୍ଟି ହୋଇଯାଉଥିବାରୁ ସେଥିରେ କେନ୍ଦ୍ର ସରକାର ଆନ୍ତରିକତାର ସହ ମୁଣ୍ଡ ନ ପୂରାଇ ଉପରଠାଉରିଆ ମଲମ ଲଗାଉଥିବାରୁ କ୍ଷତ ସାମୟିକ ସମୟ ପାଇଁ ପୂରଣ ହେଉଛି। ହେଲେ ଗମ୍ଭୀର ସମସ୍ୟାର ସମାଧାନ ହେଉନାହିଁ। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିକ୍ରିୟା ରାଷ୍ଟ୍ରର ସୁରକ୍ଷା ଦୃଷ୍ଟିରୁ ଜୋରଦାର କରାଯିବା ଯେଭଳି ଗୁରୁତ୍ୱ ବହନ କରିଥାଏ, ସେହିଭଳି ଦେଶ ଭିତରେ ଏକ ରାଜ୍ୟ ଦୀର୍ଘ ୨ ବର୍ଷ ଧରି ଅଶାନ୍ତ ରହି ଆସିଥିବାରୁ ତାହାର ସମାଧାନ ସେହି ଜୋସ୍‌ରେ କରାଯିବା ଦରକାର। ଜାତିଆଣ ହିଂସାକୁ ବନ୍ଦ କରିବାକୁ ହେଲେ କେବଳ କିଛି କେନ୍ଦ୍ରୀୟ ବଳକୁ ଅଶାନ୍ତ ଅଞ୍ଚଳକୁ ପଠାଇ ମରାମତି କାମ କଲେ ଚଳିବ ନାହିଁ, ସେଥିପାଇଁ ବିଧିବଦ୍ଧ ଯୋଜନା କରି ସମସ୍ୟାର ମୂଳବିନ୍ଦୁରେ ପହଞ୍ଚତ୍ବା ଦରକାର ପଡ଼ିଲାଣି।

The post ମୂଳ ବିନ୍ଦୁ appeared first on Dharitri Odia News.