ମେଷ ମାସରେ ବିଜେପିର ନୂଆ ସଭାପତି, ସର୍‌ପ୍ରାଇଜ କାର୍ଡ ଖେଳି ପାରନ୍ତି ଶୀର୍ଷ ନେତୃତ୍ୱ

ଭୁବନେଶ୍ୱର : ଧନୁମାସ ଯାଇ ମକର ମାସ ଗଲା, ବିଜେପି ରାଜ୍ୟ ସଭାପତି ନିର୍ବାଚନ ହୋଇ ପାରିଲା ନାହିଁ । ଆଉ ସପ୍ତାହେ ପରେ ମୀନ ମାସ ସରିବ; ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମେଷ ମାସ ଅର୍ଥାତ୍‌ ବୈଶାଖରେ ଦଳକୁ ମିଳିବ ନୂଆ ସଭାପତି। ମାତ୍ର କାହା ମୁଣ୍ଡରେ ସଭାପତି ଶିରିପା ଭିଡ଼ାଯିବ ତାହା ଏଯାଏ ଚୂଡ଼ାନ୍ତ ହୋଇ ପାରିନାହିଁ। ପ୍ରଥମେ ଦୁଇ ତିନିଜଣ ନାମ ଶୁଣା ଯାଉଥିଲା, ଏ ସଂକ୍ରାନ୍ତରେ ଭୁବନେଶ୍ୱରରୁ ଦିଲ୍ଲୀ […]

ମେଷ ମାସରେ ବିଜେପିର ନୂଆ ସଭାପତି, ସର୍‌ପ୍ରାଇଜ କାର୍ଡ ଖେଳି ପାରନ୍ତି ଶୀର୍ଷ ନେତୃତ୍ୱ
top leadership may play surprise card for New BJP President in odisha

ଭୁବନେଶ୍ୱର : ଧନୁମାସ ଯାଇ ମକର ମାସ ଗଲା, ବିଜେପି ରାଜ୍ୟ ସଭାପତି ନିର୍ବାଚନ ହୋଇ ପାରିଲା ନାହିଁ । ଆଉ ସପ୍ତାହେ ପରେ ମୀନ ମାସ ସରିବ; ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମେଷ ମାସ ଅର୍ଥାତ୍‌ ବୈଶାଖରେ ଦଳକୁ ମିଳିବ ନୂଆ ସଭାପତି। ମାତ୍ର କାହା ମୁଣ୍ଡରେ ସଭାପତି ଶିରିପା ଭିଡ଼ାଯିବ ତାହା ଏଯାଏ ଚୂଡ଼ାନ୍ତ ହୋଇ ପାରିନାହିଁ। ପ୍ରଥମେ ଦୁଇ ତିନିଜଣ ନାମ ଶୁଣା ଯାଉଥିଲା, ଏ ସଂକ୍ରାନ୍ତରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଏ ଚର୍ଚ୍ଚା ହେଲା; ରାଜ୍ୟ ପ୍ରଭାରୀ ଗୋଟିକ ପରେ ଗୋଟିଏ ତାରିଖ ଦେଲେ। ତଥାପି ବିଜେପି ରାଜ୍ୟ ସଭାପତିଙ୍କ ନାମ ଘୋଷଣା ହୋଇ ପାରିଲା ନାହିଁ। ଏବେ ପଣା (ମେଷ) ସଂକ୍ରାନ୍ତି ପରେ ରାଜ୍ୟରେ ନୂଆ ସଭାପତିଙ୍କ ନାମ ଘୋଷଣା ହେବ ବୋଲି କୁହାଯାଉଛି। ମାତ୍ର ସବୁଠାରୁ କୌତୂହଳର କଥା ହେଉଛି, ଯେଉଁମାନଙ୍କ ନାମ ଚର୍ଚ୍ଚାର ପରିଧିରେ ରହିଛି, ସେମାନଙ୍କୁ ବାଦ ଦେଇ ଦଳର ଶୀର୍ଷ ନେତୃତ୍ୱ ସର୍‌ପ୍ରାରାଜ କାର୍ଡ ଖେଳି ପାରନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗପୁରରେ ଆର୍‌ଏସ୍‌ଏସ୍‌ ମୁଖ୍ୟାଳୟ ଗସ୍ତ ସମୟରେ ସଂଘ ପ୍ରମୁଖ ମୋହନ ଭାଗବତ ଚଳିତ ମାସ ଶେଷ ସୁଦ୍ଧା ବିଜେପି ଜାତୀୟ ସଭାପତିଙ୍କ ନିର୍ବାଚନ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି। ବିଜେପି ସମ୍ବିଧାନ ଅନୁସାରେ ଜାତୀୟ ସଭାପତି ନିର୍ବାଚନ ନିମନ୍ତେ ଦେଶର ଅନ୍ୟୂନ ୧୯ଟି ରାଜ୍ୟର ସଭାପତି ନିର୍ବାଚନ ଶେଷ ହୋଇଥିବା ଆବଶ୍ୟକ । ସମ୍ପ୍ରତି ବିଜେପି ୧୩ ରାଜ୍ୟରେ ସଭାପତିଙ୍କ ନାମ ଘୋଷଣା ହୋଇଛି। ଅବଶିଷ୍ଟ ୬ଟି ରାଜ୍ୟ ସଭାପତିଙ୍କ ନାମ ଘୋଷଣା ପରେ ଜାତୀୟ ସଭାପତି ନିର୍ବାଚିତ ହେବାର ବ୍ୟବସ୍ଥା ଥିବାରୁ ଓଡ଼ିଶାରେ ଏହା ପୂର୍ବରୁ ସଭାପତିଙ୍କ ନାମ ଘୋଷଣା ହେବା ଅବଶ୍ୟମ୍ଭାବୀ ବୋଲି ମନେ କରାଯାଉଛି।

ଏପଟେ ରାଜ୍ୟ ବିଜେପି ସଭାପତି ଚୟନ ପ୍ରକ୍ରିୟା ଯଥେଷ୍ଟ ବିଳମ୍ବ ହେଉଥିବାରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବିଭିନ୍ନ ନିଗମ, ବୋର୍ଡ ଓ ଏକାଡେମୀରେ ନିଯୁକ୍ତି, ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା ସ୍ୱାଭାବିକ ଭାବେ ବିଳମ୍ବିତ ହେବାରେ ଲାଗିଛି। ସରକାରଙ୍କୁ ୧୦ ମାସ ପୂରଣ ହେବାକୁ ଯାଉଥିବା ବେଳେ ଏହି ପ୍ରମୁଖ ନିଯୁକ୍ତି ଗୁଡ଼ିକ ସମ୍ଭବପର ହୋଇପାରି ନ ଥିବାରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଅଙ୍ଗ ଏକପ୍ରକାର ଅକାମୀ ହୋଇପଡ଼ିଲାଣି। ତେବେ ଚଳିତ ମାସ ୧୪ ତାରିଖ ପରେ କେନ୍ଦ୍ରୀୟ ଶୀର୍ଷ ନେତୃତ୍ୱ ରାଜ୍ୟରେ ନୂଆ ମୁଖିଆ ବାଛିବାକୁ ଏକପ୍ରକାର ନିଷ୍ପତ୍ତି ନେଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଜା ଚରମ ସୀମାରେ ପହଞ୍ଚିଥିବା କୁହାଯାଉଛି। କେହି କାହାକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନଥିବାରୁ ବେଶ୍‌ ଦ୍ୱନ୍ଦରେ ପଡ଼ିଛନ୍ତି ଜାତୀୟ ନେତୃତ୍ୱ।

ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଶୀର୍ଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ନିଜ ପକ୍ଷରେ ଅଧିକରୁ ଅଧିକ ସମର୍ଥନ ଯୋଗାଡ଼ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଛି। ଏହିକ୍ରମରେ ୨ ଦିନ ତଳେ ଦିଲ୍ଲୀରେ ଓଡ଼ିଶାର ୧୪ରୁ ୧୫ ଜଣ ସାଂସଦ ଏବଂ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସାଂସଦ ଅନନ୍ତ ନାୟକଙ୍କ ବାସଭବନରେ ଏକାଠି ହୋଇଥିଲେ। ଯାହାକୁ ରାଜ୍ୟର ରାଜନୈତିକ ବିଶେଷଜ୍ଞ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ତେବେ ଏହି ବୈଠକରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ଅଭିମନ୍ୟୁ ସେଠୀ, ଜୁଏଲ ଓରାମ ପ୍ରମୁଖ ଅନୁପସ୍ଥିତ ରହିବା ଭିନ୍ନ ବାର୍ତ୍ତା ଦେଇଛି। ଆସନ୍ତା ୧୧ ତାରିଖରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏହି ଅବସରରେ ସେ ଦଳୀୟ ପଦାଧିକାରୀଙ୍କ ସହ ଏକ ବୈଠକରେ ଯୋଗଦେବେ ଏବଂ ସେଠାରେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।

ଏକପକ୍ଷରେ ସଭାପତି ପଦ ହାତେଇବା ଲାଗି ଦଳ ମଧ୍ୟରେ ଛକାପଞ୍ଝା ନିର୍ଣ୍ଣାୟକ ସ୍ତରରେ ପହଞ୍ଚିଥିବା ବେଳେ ଦଳର ଶୀର୍ଷ ନେତୃତ୍ୱ ସରପ୍ରାଇଜ କାର୍ଡ ଖେଳିପାରନ୍ତି ବୋଲି ଆଲୋଚନା ହେଉଛି। ଉଭୟ ଗୋଷ୍ଠୀଙ୍କୁ ଚୁପ୍‌ କରିବା ପାଇଁ ରେସରେ କିମ୍ବା ଚର୍ଚ୍ଚାରେ ନଥିବା ନାମକୁ ଶେଷ ମୁହୂର୍ତ୍ତରେ ଶୀର୍ଷ ନେତୃତ୍ୱ ଘୋଷଣା କରିପାରନ୍ତି। ଓଡ଼ିଶା, ଦିଲ୍ଲୀ ସହ ଅନ୍ୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ବେଳେ ଦଳ ଆପଣେଇଥିବା ରଣନୀତି ସଭାପତି ନିଯୁକ୍ତି କ୍ଷେତ୍ରରେ ପୁନଃ ପ୍ରୟୋଗ ହୋଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି ।