ମୋଦିଙ୍କ ସମାଲୋଚନାକୁ ନବୀନଙ୍କ କାଉଣ୍ଟର; କହିଲେ, 'ମୋର କ’ଣ ମନେ ଅଛି, ଓଡ଼ିଶାବାସୀ ଜାଣିଛନ୍ତି’

‘ମୋର କ’ଣ ମନେ ଅଛି କି ନାହିଁ, ଓଡ଼ିଶାବାସୀ ୨୪ ବର୍ଷ ହେଲା ଭଲଭାବେ ଜାଣିଛନ୍ତି। କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆପଣ ଓଡ଼ିଶାକୁ କେତେ ମନେରଖିଛନ୍ତି ।

ମୋଦିଙ୍କ ସମାଲୋଚନାକୁ ନବୀନଙ୍କ କାଉଣ୍ଟର; କହିଲେ, 'ମୋର କ’ଣ ମନେ ଅଛି, ଓଡ଼ିଶାବାସୀ ଜାଣିଛନ୍ତି’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟର ତିନି ତିନିଟି ସ୍ଥାନରେ ବିଜେପି ପାଇଁ ପ୍ରଚାର କରି ସିଧା ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରିଥିଲେ ଆଟାକ୍ । ମୋଦିଙ୍କ ସମାଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାୟ ୩ ମିନିଟ୍‌ର ଏକ ଭିଡିଓ ସେୟାର କରି ସେ କହିଛନ୍ତି ‘ମୋର କ’ଣ ମନେ ଅଛି କି ନାହିଁ, ଓଡ଼ିଶାବାସୀ ୨୪ ବର୍ଷ ହେଲା ଭଲଭାବେ ଜାଣିଛନ୍ତି। କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆପଣ ଓଡ଼ିଶାକୁ କେତେ ମନେରଖିଛନ୍ତି । ଓଡ଼ିଆ ଭାଷା, ଶାସ୍ତ୍ରିୟ ଭାଷା ହେଲା ପରେ ବି ଆପଣ ଓଡ଼ିଆ ଭାଷାକୁ ଭୁଲିଗଲେ । ଆପଣ ଓଡ଼ିଶୀ ସଂଗୀତକୁ ଭୁଲିଗଲେ । ମୁଁ ଓଡ଼ିଶୀ ମ୍ୟୁଜିକକୁ କ୍ଳାସିକାଲ ମାନ୍ୟତା ପାଇଁ ମୁଁ ୨ ଥର ପ୍ରପୋଜାଲ ପଠାଇଥିଲି । ଆପଣ ୨ ଥର ରିଜେକ୍ଟ କଲେ। ଓଡ଼ିଶାରେ ବହୁତ ବୀରପୁତ୍ର ଅଛନ୍ତି। କେତେ ନାଁ ଆଜି ଆପଣ ବି କହିଲେ’।

ସେ ଆହୁରି କହିଛନ୍ତି ‘କେହି ଜଣେ ହେଲେ ବି ଭାରତରତ୍ନ ପାଇଁ ଠିକ୍ ଲାଗିଲେ ନାହିଁ କି ? ଆପଣ ଭାରତ ରତ୍ନ ବାଣ୍ଟିଲାବେଳେ ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ ବି ଭୁଲିଗଲେ ? ଆପଣ ଚାଷୀମାନଙ୍କ ପାଇଁ MSP ଦୁଇ ଗୁଣା କରିବାକୁ ପ୍ରମିଜ୍ କରିଥିଲେ, ଆପଣ ତାକୁ ବି
ଭୁଲିଗଲେ। ଆପଣ ଓଡ଼ିଶା ଲୋକଙ୍କୁ ମନେ ରଖିକି କୋଷ୍ଟାଲ୍ ହାଇୱେ କରିବାର ଥିଲା। ସେଇଟା ବି ଭୁଲିଗଲେ। ଓଡ଼ିଶାର ସଂପଦ କୋଇଲା। କୋଇଲା ଆପଣ ନେଉଛନ୍ତି, ରୟାଲଟି ବଢ଼ାଇବା ପାଇଁ ୧୦ ବର୍ଷ ହେଲା ଭୁଲିଗଲେ ? କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେପକାଇଲେ କିଛି ଲାଭ ନାହିଁ। ଆପଣ ୨୦୧୪ ଏବଂ ୨୦୧୯ରେ ନିଜେ କରିଥିବା ପ୍ରମିସେସକୁ ମନେ ରଖିଛନ୍ତି କି ? ଓଡ଼ିଶାବାସୀ ଆପଣଙ୍କର କରିଥିବା ଦରବୃଦ୍ଧିକୁ କମାଇବା, LPG, PETROL, DIESEL ଦର କମାଇବା, ମୋବାଇଲ କନେକଟିଭି ଦେବା ଏବଂ GST ଛାଡ଼ କରିବା ସବୁ ଓଡ଼ିଶାବାସୀ ମନେ ରଖିଛନ୍ତି। ଜୁନ୍ ୧୦ରେ ତ ନୁହେଁ, ଆଉ ୧୦ ବର୍ଷ ଯାଏଁ ବି ବିଜେପି ଓଡ଼ିଶା ଲୋକଙ୍କର ହୃଦୟ ଜିତିପାରିବ ନାହିଁ। ମହାପ୍ରଭୁଙ୍କ ଆଶିର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁଁ ବିଜୁ ଜନତା ଦଳ ଷଷ୍ଠଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ’ ବୋଲି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ମାଧ୍ୟମରେ କହିଛନ୍ତି ।

ଆଜି ଓଡ଼ିଶାରେ ତିନି ତିନିଟି ନିର୍ବାଚନୀ ସଭା କରି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରୋକ୍ଷରେ ପାଣ୍ଡିଆନଙ୍କୁ ବି ନିଶାନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ବିଜେଡି ସରକାରକୁ କିଏ ଚଳାଉଛି ବୋଲି ପ୍ରଶ୍ନ କରିବା ସହ ଏଠି ସିଏମ୍‌ଙ୍କ ଉପରେ ଜଣେ ସୁପର ସିଏମ୍ ଥିବା କହିଥିଲେ। ଏମିତିକି ବିଜେଡି ସରକାରର ଏକ୍ସପାଏରି ଡେଟ୍ ଆସିଯାଇଥିବା ଓ ଏ ସରକାର ଯିବାର କାଣ୍ଟଡାଉନ୍ ଆରମ୍ଭ ହୋଇଯାଇଥିବା କହିଥିଲେ ପ୍ରଧାନମନ୍ତ୍ରୀ।