ଯନ୍ତ୍ର ମାନବ ମାଗେ ଅଧିକାର
ଡ. ନରେନ୍ଦ୍ର ସେଠୀ କିଛିଦିନ ତଳେ ସାଉଦି ଆରବ ସୋଫିଆ ନାମକ ଏକ ରୋବୋକୁ ନିଜ ଦେଶର ନାଗରିକତା ପ୍ରଦାନ କରିବା ପରେ ତାହା ଅନେକ ଲୋକଙ୍କ ଭ୍ରୂକୁଞ୍ଚନ କରିଥିଲା। ସୋଫିଆ ଏମିତି ଏକ ରୋବୋ ଯିଏ ଚିତ୍ର ଆଙ୍କିବା ଓ କଥା କହିବା ସହିତ ଏକ ମା’ ହେବାର ଅଭିଳାଷ ମଧ୍ୟ ପ୍ରକଟ କରୁଥିଲା। ତେବେ ସୋଫିଆ ଏକ ଦେଶର ନାଗରିକ ହୋଇଯିବା ପରେ ଏକ ଯନ୍ତ୍ର ମାନବ ହୋଇ ମଧ୍ୟ ତା’ର ଆଇନ ଅନୁସାରେ […] The post ଯନ୍ତ୍ର ମାନବ ମାଗେ ଅଧିକାର appeared first on Dharitri Odia News.
ଡ. ନରେନ୍ଦ୍ର ସେଠୀ
କିଛିଦିନ ତଳେ ସାଉଦି ଆରବ ସୋଫିଆ ନାମକ ଏକ ରୋବୋକୁ ନିଜ ଦେଶର ନାଗରିକତା ପ୍ରଦାନ କରିବା ପରେ ତାହା ଅନେକ ଲୋକଙ୍କ ଭ୍ରୂକୁଞ୍ଚନ କରିଥିଲା। ସୋଫିଆ ଏମିତି ଏକ ରୋବୋ ଯିଏ ଚିତ୍ର ଆଙ୍କିବା ଓ କଥା କହିବା ସହିତ ଏକ ମା’ ହେବାର ଅଭିଳାଷ ମଧ୍ୟ ପ୍ରକଟ କରୁଥିଲା। ତେବେ ସୋଫିଆ ଏକ ଦେଶର ନାଗରିକ ହୋଇଯିବା ପରେ ଏକ ଯନ୍ତ୍ର ମାନବ ହୋଇ ମଧ୍ୟ ତା’ର ଆଇନ ଅନୁସାରେ ସେ ଦେଶର ସବୁ ଅଧିକାର ମିଳିବା କଥା। କିନ୍ତୁ ସତରେ କ’ଣ ସୋଫିଆ ବିବାହ କରି ମା’ ହେବାର ଅଭିଳାଷ ପୂରଣ କରିପାରିବ ନା ଭୋଟଦାନର ଅଧିକାର ପାଇପାରିବ! ଏହି ପରିସ୍ଥିତି ନ୍ୟୁଜିଲାଣ୍ଡ ଦେଶରେ ନିର୍ମିତ ସାମ ଦି ରୋବୋ ନାମକ ଅନ୍ୟ ଏକ ଯନ୍ତ୍ର ମାନବ ପାଇଁ ଉପୁଜିଛି ଯିଏ ବିଶ୍ୱର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ ରାଜନେତା ଭାବରେ ସେହି ଦେଶରେ ଆଖ୍ୟା ପାଇଛି। ଯଦି କଥା ସାହିତ୍ୟ କିମ୍ବା ଶବ୍ଦକୋଷକୁ ଅଣ୍ଡାଳିବା ରୋବୋ ମାନେ ଏକ ଯନ୍ତ୍ର, ଯିଏ ଅନେକ ଜଟିଳ କାମ ନିଜେ ସୁଚାରୁ ଭାବେ କରିପାରେ। କିନ୍ତୁ ରୋବୋକୁ ଏକ ଯନ୍ତ୍ର ଭାବରେ ଉପସ୍ଥାପିତ କରି ଶବ୍ଦକୋଷ ବିଶେଷଜ୍ଞମାନେ ଅଟକି ଯିବା ବେଳେ ଆଇନ ବିଶାରଦ ଓ ବିଜ୍ଞାନ ଜଗତ ଉଭୟ ସୋଫିଆ ଓ ସାମକୁ ଆଇନ ଅଧିକାର ଥିବା ଯନ୍ତ୍ର ମାନବ ଭାବରେ ବିବେଚନା କରୁଛନ୍ତି।
ଏହା ସତ୍ୟ ଯେ ଆମ ଦେଶରେ ପବିତ୍ର ଗଙ୍ଗା ନଦୀ ଓ ଭଗବାନ ରାମ ଲାଲାଙ୍କୁ ମଧ୍ୟ ଆଇନ ଅଧିକାର ଦିଆଯାଇଛି। ସେପରି ସ୍ଥଳରେ ଶବ୍ଦକୋଷ ବିଶେଷଜ୍ଞ, ଆଇନ ବିଶାରଦ ଓ ବିଜ୍ଞାନ ଜଗତ ରୋବୋକୁ ଏକ ଆଇନ ଅଧିକାର ଥିବା ଯନ୍ତ୍ର ମାନବ ଭାବେ ବିବେଚନା କରିବା ଯୁକ୍ତିଯୁକ୍ତ ଲାଗେ। ଏହି ବର୍ଷ ଆରମ୍ଭରେ ଏକ କୃତ୍ରିମ ବୁଦ୍ଧିମତ୍ତାସମ୍ପନ୍ନ ରୋବୋ ଓକିଲ ଭାବରେ ଆମେରିକାର ଏକ ଗୁପ୍ତ ନ୍ୟାୟାଳୟରେ ନିଜକୁ ଉପସ୍ଥାପିତ କରିବାର ଚେଷ୍ଟା ଚାଲୁଥିଲାବେଳେ ଆଇନଜୀବୀମାନଙ୍କ ଧମକ ଯୋଗୁ ଶେଷ ମୁହୂର୍ତ୍ତରେ ଓହରି ଦିଆଯାଇଥିଲା। ତେବେ ଏହାକୁ ବିଜ୍ଞାନ ଇତିହାସରେ ଏକ ଐତିହାସିକ ଦିନ ଭାବରେ ବିବେଚନା କରାଗଲା।
ତେବେ ରୋବୋ ତିଆରି କରୁଥିବା ନୂତନ ଜ୍ଞାନ କୌଶଳ ଉପରେ ଆଇନଗତ ଅଧିକାର ନେଇ ମଧ୍ୟ ଏକ ସମସ୍ୟା ଉପୁଜିଛି। ରୋବୋର ନିଜସ୍ବ ଆଇନଗତ ଅଧିକାର ରହିବ ନା ନାହିଁ ତା’ ଉପରେ ନାନା ମୁନି ନାନା ମତ ରହିଛି I ୨୦୧୫ ରେ ରୋବୋ ପ୍ରଥମ କରି ଏକ ଆତ୍ମ-ସଚେତନତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୟୁରୋପୀୟ ୟୁନିଅନ ଆଇନ ବ୍ୟାପାର କମିଟି ଏହାର ରିପୋର୍ଟରେ ଅତି ଆଧୁନିକ ସ୍ବୟଂ ଚାଳିତ ରୋବୋକୁ ନିର୍ଦ୍ଦିଷ୍ଟ କିଛି ଆଇନ ଅଧିକାର ସହିତ ଯନ୍ତ୍ର ମାନବର ମାନ୍ୟତା ଦେବାକୁ ପ୍ରସ୍ତାବ ଦେଇଥିଲେ। ଯେହେତୁ ମଣିଷ ଜୀବନର ପ୍ରତ୍ୟେକ ସ୍ତରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରବେଶ ଫଳରେ ଦିନକୁ ଦିନ ମଣିଷ ଓ ଯନ୍ତ୍ର ମାନବ ଭିତରେ ଥିବା ବିଭାଜନ ରେଖା ଫିକା ହେବାରେ ଲାଗିଛି ଓ ରୋବୋ ସବୁ କାମ କରିପାରୁଛି ଯାହା ମଣିଷ କରେ, ତେଣୁ ଏହାକୁ ଆଇନଗତ ଅଧିକାର ଦେବାରେ ଭୁଲ୍ ରହିଲା କେଉଁଠି। ଭାରତୀୟ ଆଇନ ବ୍ୟବସ୍ଥା ଓ ନ୍ୟାୟାଳୟ ଏପର୍ଯ୍ୟନ୍ତ କୃତ୍ରିମ ବୁଦ୍ଧିମତ୍ତାସମ୍ପନ୍ନ ରୋବୋ ଦ୍ୱାରା ତିଆରି କାର୍ଯ୍ୟର ବୌଦ୍ଧିକ ସମ୍ପତ୍ତି ଅଧିକାର ବିଷୟରେ କିଛି ସ୍ପଷ୍ଟ କରିନାହିଁ, ତେବେ ନିକଟ ଅତୀତରେ ଏ ବିଷୟରେ ନିଶ୍ଚିତ ତର୍ଜମା ହେବ। ଏପରିକି ଆମେରିକାରେ ଯନ୍ତ୍ର ମାନବ ଦ୍ୱାରା ହୋଇଥିବା ମୂଲ୍ୟବାନ କାର୍ଯ୍ୟକୁ ଆଇନଗତ ସୁରକ୍ଷା ଦିଆଯାଇ ନାହିଁ। କିନ୍ତୁ ଭବିଷ୍ୟତରେ ରୋବୋ ଦ୍ୱାରା ହେବାକୁ ଯାଉଥିବା ବେକାରି ସମସ୍ୟା କିମ୍ବା ଅନିୟନ୍ତ୍ରିତ ବିନାଶକାରୀ ଶକ୍ତିର କ୍ଷମତା ରଖିଥିବା ସ୍ବୟଂଚାଳିତ ଯାନ୍ତ୍ରିକ ଯୋଦ୍ଧାଙ୍କ ଭୟକୁ ଦେଖି ଏହା ବିଡ଼ମ୍ବନାର ବିଷୟ ହୋଇପାରେ ଯେ ରୋବୋ ଆଇନ ଅଧିକାର ପ୍ରସଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ବିତର୍କର ବିଷୟ ପାଲଟିଛି। ଆମ ସମାଜରେ କଷ୍ଟ ଓ ଯନ୍ତ୍ରଣାକୁ ଅନୁଭବ କରିପାରୁଥିବା, ବାହ୍ୟ କ୍ରିୟାର ପ୍ରତିକ୍ରିୟା କରିବା ଭଳି ଚେତନା ଥିବା ଜୀବକୁ ଆଇନଗତ ଅଧିକାର ମିଳିଥାଏ। କିନ୍ତୁ ରୋବୋ ହସ ଖୁସି ଦୁଃଖ ଯନ୍ତ୍ରଣା ଭଳି ଚେତନାକୁ ଅନୁଭବ କରିପାରୁ ନ ଥିବାରୁ ଏହାକୁ ଆଇନଗତ ଅଧିକାର ଦେବା ନିରର୍ଥକ ବୋଲି କେହି କେହି ମତବ୍ୟକ୍ତ କରିଛନ୍ତି। ଏକ ଜୀବ ଯନ୍ତ୍ରଣା ଓ କଷ୍ଟକୁ ପସନ୍ଦ କରେନା କାରଣ ଏହାର ମସ୍ତିଷ୍କ ତାକୁ ସୁସ୍ଥ ଓ ନୀରୋଗ ରହି ବଞ୍ଚିବାକୁ ଚେତାଇଥାଏ, ଯାହା ଫଳରେ ମଣିଷ ସମେତ ସମସ୍ତ ଜୀବ ନିଜକୁ ସବୁ ବାହ୍ୟ ଉଲ୍ଲଂଘନରୁ ମୁକ୍ତ ରଖିବାକୁ ସ୍ବତଃ ପ୍ରସ୍ତୁତ ରହେ ଯାହା ତାକୁ ଯନ୍ତ୍ରଣା ଓ କଷ୍ଟ ଦିଏ। କିନ୍ତୁ ଏକ ଯନ୍ତ୍ର ମାନବ ବା ରୋବୋ ଯନ୍ତ୍ରଣା, କଷ୍ଟ , ହସ ଖୁସି ଭଳି ଚେତନାକୁ ଅନୁଭବ କରିପାରେନି। ଯଦି ନିକଟରେ ମଣିଷ ଭଳି ଯନ୍ତ୍ରଣା ଓ କଷ୍ଟର ଅନୁଭବ ମଧ୍ୟ ରୋବୋ କରିପାରିବ ସେତେବେଳେ ରୋବୋକୁ ଆଇନଗତ ସୁରକ୍ଷା ଦେବାକୁ ଆମେ ପ୍ରସ୍ତୁତ ତ?
ନିକଟରେ ଆମେରିକାର ପେନ୍ସିଲଭାନିଆରେ ସ୍ବୟଂଚାଳିତ ଜିନିଷ ପହଞ୍ଚେଇବା ରୋବୋ ଡ୍ରୋନଗୁଡିକୁ ରାସ୍ତାର ଦୁଇ କଡ଼ରେ ଥିବା ଚାଲିବା ରାସ୍ତାରେ ଯିବା ପାଇଁ ଅନୁମତି ପ୍ରଦାନ କରି ପଥଚାରୀ ଭାବରେ ବିବେଚନା କରାଯିବା ଓ ମାନବ ପଥଚାରୀ ସମକକ୍ଷ ତୁଳନା କରିବା ଏକ ଯୁଗାନ୍ତକାରୀ ଘଟଣା। ଚଳିତ ଶତାବ୍ଦୀର ବିଚକ୍ଷଣ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗ ସମଗ୍ର ମାନବ ଉପରେ ରୋବୋର ଆଧିପତ୍ୟ ହେବ ବୋଲି ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା କେବଳ ଏକ କାଳ୍ପନିକ ଚଳଚ୍ଚିତ୍ରର ଦୃଶ୍ୟ ହୋଇପାରେ। ଯଦିଓ ଏକ ରୋବୋ ମଣିଷଠାରୁ ଅଧିକ ଜଟିଳ କାର୍ଯ୍ୟ ଖୁବ୍ ସହଜରେ କରିପାରେ, ମାତ୍ର ଶେଷରେ ଏହା ମଣିଷ ଦ୍ୱାରା ଖଞ୍ଜାଯାଇଥିବା ଅନେକ ଟିକିନିଖି କଳ କବ୍ଜାର ଏକ ସମାହାର ମାତ୍ର ଯାହାଠାରେ ରକ୍ତ ମାଂସରେ ଗଢ଼ା ମଣିଷ ଭଳି ଚେତନା ନାହିଁ। ତେଣୁ ଏହାକୁ ଆଇନର ଅଧିକାର ଦେବା ପୂର୍ବରୁ ତର୍ଜମା କରିବାର ସମୟ ଆସି ପହଞ୍ଚତ୍ଛି।
ମୋ: ୭୦୦୪୦୬୮୧୧୦
The post ଯନ୍ତ୍ର ମାନବ ମାଗେ ଅଧିକାର appeared first on Dharitri Odia News.