ରଜୌରୀ ଆତ୍ମଘାତୀ ହମଲା ଓ ପୋର୍ଟ ବିସ୍ଫୋରଣ: ମିଛର ବଜାର ଖୋଲିଲା ପାକିସ୍ତାନ

ବିଭିନ୍ନ ପ୍ରକାରର ନକଲି ଫଟୋ ଓ ଭିଡିଓକୁ ବ୍ୟବହାର କରି ପାକିସ୍ତାନର ସମର୍ଥକ ଭାରତ ବିରୋଧରେ ପ୍ରଚାର କରୁଛନ୍ତି।

ରଜୌରୀ ଆତ୍ମଘାତୀ ହମଲା ଓ ପୋର୍ଟ ବିସ୍ଫୋରଣ: ମିଛର ବଜାର ଖୋଲିଲା ପାକିସ୍ତାନ

ଭାରତକୁ ମିସାଇଲ ଓ ଡ୍ରୋନ ମାଡ଼ କରି ତୋଡ଼ ଦେଖାଉଥିବା ପାକିସ୍ତାନ ଏବେ ମିଛର ଦୋକାନ ଖୋଲିବାକୁ ଉଦ୍ୟମ କରିଛି। ଭାରତ ବିରୋଧରେ ମିଛ ପ୍ରଚାର ଆରମ୍ଭ କରିଛି ପାକିସ୍ତାନ। ଗୁରୁବାର ପାକିସ୍ତାନ ପକ୍ଷରୁ ପ୍ରାୟ ୫୦ଟି ଡ୍ରୋନ ଓ ମିସାଇଲ ମାଡ଼ କରାଯାଇଥିଲା। ସେଗୁଡ଼ିକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଫୁସ କରି ଦେଇଛି। ଏହାର ପ୍ରମାଣ ମିଳିଥିଲେ ହେଁ ପାକିସ୍ତାନ ଏହାକୁ ମାନିବାକୁ ନାରାଜ।

ତେଣୁ ପାକିସ୍ତାନ ପକ୍ଷରୁ ଭାରତ ବିରୋଧରେ ମିଛର ପ୍ରଚାର ଆରମ୍ଭ ହୋଇଛି। ବିଭିନ୍ନ ପ୍ରକାରର ନକଲି ଫଟୋ ଓ ଭିଡିଓକୁ ବ୍ୟବହାର କରି ପାକିସ୍ତାନର ସମର୍ଥକ ଭାରତ ବିରୋଧରେ ପ୍ରଚାର କରୁଛନ୍ତି। ହେଲେ ଏହାର ଗୁମର ପିଆଇବି ଫ୍ୟାକ୍ଟ ଚେକ ଟିମ ପକ୍ଷରୁ ପର୍ଦ୍ଦା‍ଫାସ କରାଯାଇଛି।

ଗୁରୁବାର ସନ୍ଧ୍ୟା ୮.୩୦ରେ ପାକିସ୍ତାନ ପକ୍ଷରୁ ଜମ୍ମୁ-କଶ୍ମୀର, ରାଜସ୍ଥାନ, ପଞ୍ଜାବ ଓ ଗୁଜରାଟ ଭଳି ସୀମାନ୍ତ ଅଞ୍ଚଳରେ ଘନଘନ ମିସାଇଲ ଓ ଡ୍ରୋନ ମାଡ଼ କରିଥିଲା। ସାଧାରଣ ଲୋକ ଓ ସାମରିକ ପ୍ରତିଷ୍ଠାନଗୁଡ଼ିକ ପାକିସ୍ତାନର ଟାର୍ଗେଟରେ ରହିଥିଲା। ଏୟାର ଟୁ ଗ୍ରାଉଣ୍ଡ ମିସାଇଲ ଓ ଆତ୍ମଘାତୀ ଡ୍ରୋନ ଦ୍ୱାରା ପାକିସ୍ତାନ ହମଲା କରିଥିଲା। କିନ୍ତୁ ଭାରତ ସବୁ ମିସାଇଲ ଓ ଡ୍ରୋନକୁ ଆକାଶ ପଥରେ ହିଁ ନଷ୍ଟ କରିଦେଇଛି।

ପାକିସ୍ତାନୀଙ୍କ ମିଛର ପ୍ରଚାର

ସ୍ଥଳ ପଥ ଓ ଆକାଶ ପଥରେ ପାକିସ୍ତାନ ସୀମା ଲଙ୍ଘୁଥିବା ବେଳେ ସୋଶାଲ ମିଡିଆରେ ମଧ୍ୟ ମିଥ୍ୟାର ପ୍ରଚାର କରୁଛି। କିନ୍ତୁ ପିଆଇବିର ଫ୍ୟାକ୍ଟ ଚେକ ୟୁନିଟ ସବୁ ମିଛକୁ ଧରିବା ସହ ପାକିସ୍ତାନୀ ପ୍ରଚାର କରୁଥିବା ତଥ୍ୟକୁ ବିଶ୍ୱାସ ନ କରିବାକୁ କହିଛି। ମେ’ ୮ ତାରିଖ ରାତି ୧୦ଟାରୁ ମେ’ ୯ ତାରିଖ ସକାଳ ୬.୩୦ ମଧ୍ୟରେ ଅତିକମରେ ୮ଟି ଭାଇରାଲ ଭିଡିଓ ଓ ପୋଷ୍ଟର ସତ କ’ଣ, ସେକଥା ପିଆଇବି କହିଛି।

୧ ନମ୍ବର ମିଛ: ଜଲନ୍ଧରରେ ଡ୍ରୋନ ଆକ୍ରମଣ

ଭାଇରାଲ ହେଉଥିବା ଗୋଟିଏ ଭିଡିଓରେ ଦାବି କରାଯାଇଥିଲା ଯେ ପଞ୍ଜାବର ଜଲନ୍ଧରରେ ଡ୍ରୋନ ଆକ୍ରମଣ ହୋଛି। ଯାଞ୍ଚରୁ ଜଣାପଡ଼ିଛି ଯେ ଏହା ଗୋଟିଏ ଫାର୍ମରେ ଲାଗିଥିବା ନିଆଁ। ଭିଡିଓ ସନ୍ଧ୍ୟା ୭.୩୯ରେ ରେକର୍ଡ ହୋଇଛି। ପାକିସ୍ତାନର ଏୟାର ଆଟାକ ପୂର୍ବରୁ ଭିଡିଓ ରେକର୍ଡ ହୋଇସାରିଥିଲା। ଜଲନ୍ଧରର ଡେପୁଟି କମିଶନର ମଧ୍ୟ ସାମରିକ କାର୍ଯ୍ୟ ସହ ଏହାକୁ କୌଣସି ଲିଙ୍କ ନଥିବା ସ୍ପଷ୍ଟ କରିଛନ୍ତି।

୨ ନମ୍ବର ମିଛ: ଭାରତୀୟ ସେନା ପୋଷ୍ଟ ଧ୍ୱଂସ

ପାକିସ୍ତାନର ଏୟାର ଷ୍ଟ୍ରାଇକରେ ଭାରତୀୟ ସେନାର ୨୦ ରାଜ ବାଟାଲିୟନର ପୋଷ୍ଟ ଛିନଛତ୍ର ହୋଇଯାଇଛି। କିନ୍ତୁ ଏହା ସଂପୂର୍ଣ୍ଣ ମିଛ। ଭାରତୀୟ ସେନା ଏମିତି କୌଣସି ୟୁନିଟ ନାହିଁ। ଏହା ଭାରତ ବିରୋଧୀ ଅପପ୍ରଚାରର ଗୋଟିଏ ଉଦ୍ୟମ।

୩ ନମ୍ବର ମିଛ: ଭାରତ ଉପରେ ମିସାଇଲ ଆଟାକ

୨୦୨୦ ମସିହାରେ ବିରୁଟରେ ହୋଇଥିବା ଗୋଟିଏ ବିସ୍ଫୋରଣର ଭିଡିଓକୁ ଶେୟାର କରି କୁହାଯାଇଥିଲା ଯେ ପାକିସ୍ତାନ ପକ୍ଷରୁ ଭାରତରେ ମିସାଇଲ ମାଡ଼ କରାଯାଇଛି। ସୋଶାଲ ମିଡିଆରେ ଶେୟାର ହୋଇଥିବା ଭିଡିଓରେ ସତ୍ୟତା ନାହିଁ।

୪ ନମ୍ବର ମିଛ: ରଜୌରୀରେ ଆତ୍ମଘାତୀ ହମଲା

ଜମ୍ମୁ-କଶ୍ମୀରର ରଜୌରୀ ଠାରେ ଥିବା ଗୋଟିଏ ଆର୍ମି ବ୍ରିଗେଡରେ ଆତଙ୍କବାଦୀ ଆତ୍ମଘାତୀ ହମଲା କରିଥିବା ଭିଡିଓକୁ ଭାଇରାଲ କରାଯାଇଥିଲା। ହେଲେ ସେନା ପକ୍ଷରୁ ସେମିତି କୌଣସି ଆକ୍ରମଣ ରଜୌରୀରେ ହୋଇ ନଥିବା ସ୍ପଷ୍ଟ କରାଯାଇଛି।

୫ ନମ୍ବର ମିଛ: ଆର୍ମି ମୁଖ୍ୟଙ୍କ ନକଲି ଚିଠି

ଆର୍ମି ମୁଖ୍ୟ ଜେନେରାଲ ଭିକେ ନାରାୟଣଙ୍କ ଗୋଟିଏ ଚିଠି ଲେଖି ବିଭିନ୍ନ ପ୍ରକାରର ଆଶଙ୍କା କରିଥିବା ଦାବି କରାଯାଇଥିଲା। ହେଲେ ସେମିତି ବ୍ୟକ୍ତି ଭାରତୀୟ ସେନାରେ ନଥିବା ଜଣାପଡ଼ିଛି।

୬ ନମ୍ବର ମିଛ: ଅମ୍ବାଲା ଏୟାରବେସରେ ଆକ୍ରମଣ

ଭାରତୀୟ ସେନା ଅମ୍ବାଲା ଏୟାରବେସକୁ ବ୍ୟବହାର କରି ଅମୃତସର ସହରକୁ ଟାର୍ଗେଟ କରୁଥିବା କୁହାଯାଇଥିଲା। ଭାରତୀୟ ସେନା ଦୃଢ଼ ଭାବେ ଏହାକୁ ଖଣ୍ଡନ କରିଛି।

୭ ନମ୍ବର ମିଛ: ଏୟାରପୋର୍ଟରେ ପ୍ରବେଶ ନିଷିଦ୍ଧ

ସୋଶାଲରେ ମିଡିଆରେ ଭାଇରାଲ କରାଯାଇଥିଲା ଯେ ଭାରତ ସରକାର ପୂରା ଦେଶରେ ଏୟାରପୋର୍ଟ ପ୍ରବେଶ ଉପରେ ରୋକ ଲଗାଇ ଦେଇଛନ୍ତି। କିନ୍ତୁ ବାସ୍ତବରେ ସରକାର ଏପରି କୌଣସି ନିର୍ଦ୍ଦେଶ ଦେଇ ନାହାନ୍ତି।

୮ ନମ୍ବର ମିଛ: ଗୁଜରାଟର ହାଜିଆ ପୋର୍ଟ ଉପରେ ହମଲା

ଗୋଟିଏ ଭିଡିଓ ଜାରି କରି ହାଜିରା ପୋର୍ଟରେ ଆକ୍ରମଣ କରାଯାଇଥିବା ଦାବି କରାଯାଇଥିଲା। କିନ୍ତୁ ଉକ୍ତ ଭିଡିଓଟି ୨୦୨୧ ଜୁଲାଇ ମାସରେ ଗୋଟିଏ ତୈଳ ଟ୍ୟାଙ୍କ ବିସ୍ଫୋରଣର ବେଳର ବୋଲି ପ୍ରମାଣ ମିଳିଛି।