ରାଜଧାନୀରେ ବଢୁଛି ନକଲି ଜମି ମାଲିକଙ୍କ ଦୌରାତ୍ମ୍ୟ, ଅସଲି ମାଲିକଙ୍କ ଅଜାଣତରେ ବିକି ଦେଉଛନ୍ତି ଜମି

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ଆପଣଙ୍କର ଜମି ରହିଛି କି ! ତେବେ ହୋଇ ଯାଆନ୍ତୁ ସତର୍କ। କାରଣ ରାଜଧାନୀରେ ବୁଲୁଛନ୍ତି ମାଳମାଳ ନକଲି ଜମି ମାଲିକ। ପ୍ରକୃତ ଜମି ମାଲିକଙ୍କ ଅଜାଣତରେ ବିକ୍ରି କରି ଦେଉଛନ୍ତି ଜମି। ଅସଲି ଜମି ମାଲିକଙ୍କ ଫଟୋ ଓ ନକଲି ଦସ୍ତଖତ କରି ଜମିକୁ ଥରେ ନୁହେଁ ୨/୩ ଥର ବି ବିକ୍ରି ହେବା ଭଳି ଘଟଣା କମ୍‌‌ ନାହିଁ। ଗତବର୍ଷ ବଡ଼ଗଡ଼ ଥାନାରେ ରୁଜୁ ହୋଇଥିବା ଏକ ମାମଲାରୁ […]

ରାଜଧାନୀରେ ବଢୁଛି ନକଲି ଜମି ମାଲିକଙ୍କ ଦୌରାତ୍ମ୍ୟ, ଅସଲି ମାଲିକଙ୍କ ଅଜାଣତରେ ବିକି ଦେଉଛନ୍ତି ଜମି
land mafia increasing in the capital, they are selling land without the knowledge of real owners

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ଆପଣଙ୍କର ଜମି ରହିଛି କି ! ତେବେ ହୋଇ ଯାଆନ୍ତୁ ସତର୍କ। କାରଣ ରାଜଧାନୀରେ ବୁଲୁଛନ୍ତି ମାଳମାଳ ନକଲି ଜମି ମାଲିକ। ପ୍ରକୃତ ଜମି ମାଲିକଙ୍କ ଅଜାଣତରେ ବିକ୍ରି କରି ଦେଉଛନ୍ତି ଜମି। ଅସଲି ଜମି ମାଲିକଙ୍କ ଫଟୋ ଓ ନକଲି ଦସ୍ତଖତ କରି ଜମିକୁ ଥରେ ନୁହେଁ ୨/୩ ଥର ବି ବିକ୍ରି ହେବା ଭଳି ଘଟଣା କମ୍‌‌ ନାହିଁ।

ଗତବର୍ଷ ବଡ଼ଗଡ଼ ଥାନାରେ ରୁଜୁ ହୋଇଥିବା ଏକ ମାମଲାରୁ ଏଭଳି ଘଟଣା ସ୍ପଷ୍ଟ ହୋଇଥିଲା। ଅଭିଯୋଗ ଅନୁଯାୟୀ, ବାପୁଜୀନଗରର ଅଶୋକ କୁମାର ପଣ୍ଡା ୨୦୨୧ ମସିହା ମାର୍ଚ୍ଚ ମାସରେ ଚନ୍ଦକା ଥାନା ଅନ୍ତର୍ଗତ ନୂଆଗାଁ ମୌଜାରେ ଦୁଇଟି ପ୍ଲଟ୍‌‌ କିଣିଥିଲେ। ଶ୍ୟାମପୁର ଅଞ୍ଚଳର ବିଳାସିନୀ ବେହେରା ଓ ଅଭିମନ୍ୟୁ ବେହେରାଙ୍କ ଠାରୁ ଜମି କିଣିବା ପରେ ମ୍ୟୁଟେସନ ମାଧ୍ୟମରେ ଦୁଇଟି ଜମିର ମାଲିକାନା ନିଜ ନାମକୁ ଆଣିଥିଲେ। ଅଶୋକ ଖଜଣା ଦେବା ଓ ଜମିର କିସମ ପରିବର୍ତ୍ତନ ଆବେଦନ କରିବାକୁ ଆରଓଆର ଯାଞ୍ଚ କରିଥିଲେ। ହେଲେ ତାଙ୍କ ଖାତାରେ କୌଣସି ପ୍ଲଟ ନଥିବା ଜାଣିବାକୁ ପାଇଥିଲେ। ତାଙ୍କ ଜମିଟି ପୁଣି ମ୍ୟୁଟେସନ ହୋଇଥିବା ଜାଣିବାକୁ ପାଇଥିଲେ। କେହି ଜଣେ ଅଜଣା ବ୍ୟକ୍ତି ନିଜକୁ ଅଶୋକ କୁମାର ପଣ୍ଡା ବୋଲି ଦର୍ଶାଇ ଗତବର୍ଷ ଜୁଲାଇ ମାସ ୪ ତାରିଖ ଦିନ ଜମି ବିକ୍ରି କରିଥିବା ଜଣାପଡ଼ିଥିଲା।

ଏମିତିକି ନକଲି ଜମି ମାଲିକ ଜଣଙ୍କ ଅସଲି ଜମି ମାଲିକଙ୍କ ଫଟୋ ଓ ଦସ୍ତଖତକୁ ଜାଲିଆତି କରି ପ୍ରମୋଦ କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଜମି ବିକ୍ରି କରିଦେଇଥିଲା। ପ୍ରମୋଦ କୁମାର ପଣ୍ଡା ମ୍ୟୁଟେସନ ମାଧ୍ୟମରେ ନିଜ ନାମକୁ ଜମିର ମାଲିକାନା ନେବା ପରେ ଉକ୍ତ ଜମି ଦୁଇଟିକୁ ଏକ ବେସରକାରୀ ସଂସ୍ଥାକୁ ବିକ୍ରି କରି ଦେଇଥିଲେ। ଜମି କିଣିବା ପରେ ଉକ୍ତ ବେସରକାରୀ ସଂସ୍ଥା ମଧ୍ୟ ମାଲିକାନାକୁ ନିଜ ନାମକୁ ପରିବର୍ତ୍ତନ କରି ନେଇଥିଲା। ଅଶୋକଙ୍କ ଅଜାଣତରେ ତାଙ୍କ ଜମି ବିକ୍ରି ହୋଇଥିବା ଜାଣିବା ପରେ ସେ ଖଣ୍ଡଗିରି ସବ୍‌‌ ରେଜିଷ୍ଟ୍ରାରଙ୍କ ଦ୍ୱାରସ୍ଥ ହୋଇଥିଲେ। ସବ୍‌‌ ରେଜିଷ୍ଟ୍ରାରଙ୍କ ଅଭିଯୋଗ ଆଧାରରେ ବଡ଼ଗଡ଼ ଥାନା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।
ବିକିବା ପରେ ପାୱାର ଅଫ୍‌‌ ଆଟର୍ନି ରାଜଧାନୀରେ ଜମି ଠକେଇ ମାମଲା ଯେତିକି ବଢ଼ୁଛି, ଠକେଇ କରିବାର ନୂଆ ନୂଆ ତରିକା ସେତେ ସାମ୍ନାକୁ ଆସୁଛି।

ଥରେ ଜମିକୁ ବିକ୍ରି କରିବା ପରେ ପୁଣି ଜଣଙ୍କୁ ପାୱାର ଅଫ୍‌‌ ଆଟର୍ନି ଦେଉଛନ୍ତି। ଆଉ ପାୱାର ଅଫ୍‌‌ ଆଟର୍ନି ହୋଲ୍ଡର ଏହାର ଫାଇଦା ନେଇ ବିଭିନ୍ନ ଲୋକଙ୍କୁ ଜମି ବିକ୍ରି କରୁଛନ୍ତି। ଜାଲ୍‌‌ ଜମି କିଣି ଲୋକମାନେ ଅସୁବିଧାରେ ପଡୁଛନ୍ତି। ରେକର୍ଡ଼ ଅଫ୍‌‌ ରାଇଟ୍ସ ପରିବର୍ତ୍ତନରେ ସମସ୍ୟା ଯୋଗୁଁ ଏଭଳି ଠକେଇ ବଢ଼ୁଛି। ଯଦିଓ ବର୍ତ୍ତମାନ ରେକର୍ଡ ଅଫ୍‌‌ ରାଇଟ୍ସ ପରିବର୍ତ୍ତନରେ ସମସ୍ୟା ହେଉନାହିଁ। କିନ୍ତୁ ପୂର୍ବରୁ କିଣାବିକା ହୋଇଥିଲେ ମଧ୍ୟ ରେକର୍ଡ ଅଫ୍‌‌ ରାଇଟ୍ସରେ ସଂଶୋଧନ ହୋଇନଥିବା ଜମିଗୁଡ଼ିକରେ ଏଭଳି ଠକେଇ କରାଯାଉଛି।

ଅନ୍ୟପଟରେ ୩୦/୪୦ ବର୍ଷ ପୂର୍ବରୁ ଜମି କିଣିଥିବା ମାଲିକମାନେ ମ୍ୟୁଟେସନ କରୁନାହାନ୍ତି। ଫଳରେ ରେକର୍ଡ ଅଫ୍‌‌ ରାଇଟ୍ସ ଅପଡେଟ୍‌‌ ହୋଇ ପାରୁନାହିଁ। ଏହାର ଫାଇଦା ନେଇ ଜମି ଜାଲିଆତି କରି ସେହି ଜମିକୁ ପୁନଃ ବିକ୍ରି କରୁଛନ୍ତ। ଏପରିକି ଜମି ମାଲିକମାନେ ମଧ୍ୟ ପୂର୍ବରୁ ଥରେ ଜମି ବିକ୍ରି କରି ଆଉ ଥରେ ବିକ୍ରି କରିବାକୁ ପଛାଉ ନାହାନ୍ତି। ଦିବାକର ସାହୁ ଦାସପୁର ମୌଜାରେ ଥିବା ତାଙ୍କର ଏକ ଜମିକୁ ୧୯୮୨ ମସିହାରେ କାଞ୍ଚନମ ଆଲେକ୍ସଙ୍କୁ ବିକିବା ପରେ କାଞ୍ଚନମ ଆଲେକ୍ସ ୧୯୯୨ ମସିହାରେ ସେହି ପ୍ଳଟ୍‌‌କୁ ଶ୍ରୀମତୀ ସାବିତ୍ରୀ ଦେବୀ ଚୌଧୁରୀ ନାମକ ଜଣେ ମହିଳାଙ୍କୁ ବିକ୍ରି କରିଥିଲେ। ହେଲେ ରେକର୍ଡ ଅଫ୍‌‌ ରାଇଟ୍ସରେ ଉଭୟଙ୍କ ନାମ ସଂଶୋଧନ ହୋଇନପାରି ମୂଳ ଜମି ମାଲିକ ଦିବାକର ସାହୁଙ୍କ ନାମରେ ରହିଥିଲା। ଜମି ମାଲିକ ଦିବାକର ଏହାର ସୁଯୋଗ ନେଇ ହୃଦାନନ୍ଦ ସାହୁଙ୍କ ନାମରେ ଜେନେରାଲ ପାୱାର ଅଫ୍‌‌ ଆଟର୍ନି ପ୍ରସ୍ତୁତ କରିବା ସହିତ ଜମିକୁ ବିକ୍ରି କରିବା ପାଇଁ ଅଧିକାର ଦେଇଥିଲେ। ହୃଦାନନ୍ଦ ନିଜକୁ ସେହି ଜମିର ପାୱାର ଅଫ ଆଟର୍ନିର୍ ହୋଲ୍ଡର ଦର୍ଶାଇ ମୋଟ ୨୨ ଜଣଙ୍କୁ ଜମି ବିକ୍ରି କରି ଦେଇଥିଲେ। ସବ୍‌‌ ରେଜିଷ୍ଟ୍ରାର ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପ୍ରଥମେ ଦିବାକର ଓ ପରବର୍ତ୍ତୀ ସମୟରେ ହୃଦାନନ୍ଦଙ୍କୁ ଗିରଫ କରିଥିଲା।