ରାଜ୍ୟ କ୍ୟାବିନେଟରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ : କୁଳପତି ଚୟନରେ ସାମିଲ ହେବେ ଶିକ୍ଷାବିତ

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆଜିର କ୍ୟାବିନେଟ ବୈଠକରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥି ସହିତ ଓଡ଼ିଶା ଶିଳ୍ପ ନୀତି-୨୦୧୫ରେ ଦୁଇଟି ସଂଶୋଧନକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି, ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶୈକ୍ଷିକ ଉତ୍କର୍ଷତା, ଗୁଣାତ୍ମକ ଗବେଷଣା ନିମନ୍ତେ […]

ରାଜ୍ୟ କ୍ୟାବିନେଟରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ : କୁଳପତି ଚୟନରେ ସାମିଲ ହେବେ ଶିକ୍ଷାବିତ
State Cabinet Approves Proposal To Amend Odisha Universities Act

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆଜିର କ୍ୟାବିନେଟ ବୈଠକରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥି ସହିତ ଓଡ଼ିଶା ଶିଳ୍ପ ନୀତି-୨୦୧୫ରେ ଦୁଇଟି ସଂଶୋଧନକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି, ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶୈକ୍ଷିକ ଉତ୍କର୍ଷତା, ଗୁଣାତ୍ମକ ଗବେଷଣା ନିମନ୍ତେ ଏବଂ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପ୍ରାପ୍ତି ଦିଗରେ ହେଉଥିବା ସମସ୍ୟାର ସମାଧାନ କରିବାକୁ ଏହି ସଂଶୋଧନ କରାଯାଇଛି। ସଂଶୋଧନର ମୁଖ୍ୟ ଦିଗଗୁଡ଼ିକ ହେଉଛି ବିଶ୍ବବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉନ୍ନତି ଆଣିବା, ଅଧିକ ସ୍ବାୟତ୍ତତା ସହିତ ବିଶ୍ବବିଦ୍ୟାଳୟଗୁଡ଼ିକୁ ସଶକ୍ତ କରିବା ତଥା ଉତ୍ତରଦାୟିତ୍ଵ ବଜାୟ ରଖିବା ଏବଂ ଅଧ୍ୟାପକ ନିଯୁକ୍ତି ଓ କୁଳପତି ଚୟନ ପ୍ରକ୍ରିୟାରେ ଏକାଡେମିକ୍ ପ୍ରଫେସନାଲମାନଙ୍କୁ ଜଡିତ କରିବା। ଏହି ଆଇନରେ ସଂଶୋଧନ କରି ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହ କୋର୍ଟ ମାମଲା ହେତୁ ଶିକ୍ଷକ ନିଯୁକ୍ତିରେ ଆସିଥିବା ସ୍ଥାଣୁତା ଦୂର କରିବାକୁ ଲକ୍ଷ୍ୟ ରଖିଛନ୍ତି। ନିଯୁକ୍ତି ପାଇଁ ଅଧିକ ସ୍ବଚ୍ଛ ଏବଂ ସମୟ ସୀମା ବଦ୍ଧ ପ୍ରଣାଳୀ ସୃଷ୍ଟି କରିବାକୁ ଏହି ପରିବର୍ତ୍ତନଗୁଡିକ ପରିକଳ୍ପନା କରାଯାଇଛି।

ଏଥି ସହିତ ଓଡ଼ିଶା ଶିଳ୍ପ ନୀତି-୨୦୧୫ର ଦୁଇଟି ସଂଶୋଧନକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିବା ଦ୍ୱାରା ଯୋଗ୍ୟ ନିବେଶକମାନେ ପ୍ରୋତ୍ସାହନ ପାଇଁ ସେମାନଙ୍କର ଦାବିକୁ ଠିକ୍ ସମୟରେ ପାଇବାକୁ ସକ୍ଷମ ହେବେ । ଏହାସହିତ ପ୍ରୋତ୍ସାହନକୁ ସୁଗମ ପରିଚାଳନା ମଧ୍ୟ ସହଜ ହେବ ।

ସଂଶୋଧନ ଅନୁଯାୟୀ, ଯୋଗ୍ୟ ନିବେଶକମାନେ ପ୍ରୋତ୍ସାହନ ପାଇଁ ସେମାନଙ୍କର ଦାବିକୁ ଠିକ୍ ସମୟରେ ପ୍ରଦାନ କରିବାକୁ ସକ୍ଷମ ହେବେ ଏବଂ ପ୍ରୋତ୍ସାହନକୁ ସୁଗମ ପରିଚାଳନା ପାଇଁ ସହାୟକ ହେବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ବିଭିନ୍ନ ପ୍ରୋତ୍ସାହନ ଏବଂ ପ୍ରମାଣପତ୍ର ବିଷୟରେ କିମ୍ବା ନୀତି ତଥା ଦରଖାସ୍ତ ପ୍ରଣାଳୀ ବିଷୟରେ ସେମାନଙ୍କର ଅଜ୍ଞତା କାରଣରୁ ଅନେକ କ୍ଷେତ୍ରରେ ଶିଳ୍ପ ସଂସ୍ଥା ଆବେଦନପତ୍ର ଦାଖଲ କରିବାରେ ବିଳମ୍ୱ ହୁଏ।

ଏତଦବ୍ୟତୀତ କୋଭିଡ ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ପରିସ୍ଥିତିକୁ ମଧ୍ୟ ବିଚାରକୁ ନେଇ, ଶିଳ୍ପ ନୀତି ୨୦୧୫ ଅଧୀନରେ ସମସ୍ତ ପ୍ରକାରର ପ୍ରୋତ୍ସାହନ ଏବଂ ପ୍ରମାଣପତ୍ର ପାଇଁ ଆବେଦନ ଦାଖଲ କରିବାର ସମୟସୀମାକୁ ୧ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ ଦିଆଯାଇଛି। ୨ ବର୍ଷରୁ ଅଧିକ ବିଳମ୍ବ ପାଇଁ, ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାର କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ପରବର୍ତ୍ତୀ ସମୟରେ ଏକକ ପଦକ୍ଷେପ ଭାବରେ, ଯେଉଁ ନିବେଶକମାନେ ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିସାରିଛନ୍ତି କିନ୍ତୁ ଧାର୍ଯ୍ୟ ତାରିଖ ମଧ୍ୟରେ ପ୍ରୋତ୍ସାହନ କିମ୍ବା ପ୍ରମାଣପତ୍ର ପାଇଁ ସେମାନଙ୍କ ଆବେଦନ ଦାଖଲ କରିବାରେ ବିଫଳ ହୋଇଥିଲେ, କିନ୍ତୁ ୩୦.୦୬.୨୦୧୩ ମଧ୍ୟରେ ଦାଖଲ କରିଥିଲେ ମଧ୍ୟ ଅଯୋଗ୍ୟ ହୋଇଥିବେ ସେମାନଙ୍କ ଦରଖାସ୍ତ ଯୋଗ୍ୟ ଆବେଦନକାରୀ ଭାବେ ପୂନଃ ବିଚାର କରାଯିବ। ସେହିପରି ଅନ୍ୟ ଏକ ସଂଶୋଧନ ଅନୁଯାୟୀ, ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ରେ ୨୦୨୦ରେ ହୋଇଥିବା ସଂଶୋଧନ ୧୩.୧୧.୨୦୧୮ ଠାରୁ କାର୍ଯ୍ୟକାରୀ ହେବ।