ରାଜ୍ୟରେ ତାତିର ରାଜୁତି : ଆଜି ପୁଣି ୪୩ ଡେଇଁଲା ଭୁବନେଶ୍ୱର ତାପମାତ୍ରା

ଭୁବନେଶ୍ୱର : ଘର ବାହାରେ ମୁଣ୍ଡଫଟା ଖରା; ଭିତରେ ପ୍ରବଳ ଗରମ, ଗୁଳୁଗୁଳି। କାନ୍ଥ, ଛାତ, ଶେଯ ସବୁ ତାତି ଯାଉଛି। ଫ୍ୟାନ୍‌ ତ ଦୂରର କଥା, କୁଲର୍‌ ବି କାମ କରୁନି। ନିଆଁ ହୁଳା ଭଳି ସେଥିରୁ ବାହାରୁଥିବା ଗମଗମ ପବନ ଦେହମୁଣ୍ଡକୁ ଅଥୟ କରିପକାଉଛି। ତେଣୁ ଶାନ୍ତିରେ ନା ବସି ହେଉଛି ନା ଟିକିଏ ଶୋଇ ହେଉଛି। ଏଭଳି ସ୍ଥିତି ଆଜିବି ପୂରା ରାଜ୍ୟବାସୀଙ୍କୁ ନାକରେ କନ୍ଦାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ […]

ରାଜ୍ୟରେ ତାତିର ରାଜୁତି : ଆଜି ପୁଣି ୪୩ ଡେଇଁଲା ଭୁବନେଶ୍ୱର ତାପମାତ୍ରା
Heat Wave in odisha : IMD issues orange warning

ଭୁବନେଶ୍ୱର : ଘର ବାହାରେ ମୁଣ୍ଡଫଟା ଖରା; ଭିତରେ ପ୍ରବଳ ଗରମ, ଗୁଳୁଗୁଳି। କାନ୍ଥ, ଛାତ, ଶେଯ ସବୁ ତାତି ଯାଉଛି। ଫ୍ୟାନ୍‌ ତ ଦୂରର କଥା, କୁଲର୍‌ ବି କାମ କରୁନି। ନିଆଁ ହୁଳା ଭଳି ସେଥିରୁ ବାହାରୁଥିବା ଗମଗମ ପବନ ଦେହମୁଣ୍ଡକୁ ଅଥୟ କରିପକାଉଛି। ତେଣୁ ଶାନ୍ତିରେ ନା ବସି ହେଉଛି ନା ଟିକିଏ ଶୋଇ ହେଉଛି। ଏଭଳି ସ୍ଥିତି ଆଜିବି ପୂରା ରାଜ୍ୟବାସୀଙ୍କୁ ନାକରେ କନ୍ଦାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ରବିବାର ଟୁଇନ ସିଟି ଭୁବନେଶ୍ୱର-କଟକ ସମେତ ପୂରା ଓଡ଼ିଶା ପ୍ରଚଣ୍ଡ ତାତିରେ ଜଳୁଛି।


ରବିବାର ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ବର ପୁଣି ସବୁଠୁ ଉତ୍ତପ୍ତ ସହର ହୋଇଛି। ରାଜଧାନୀରେ ତାପମାତ୍ରା ୪୩.୨ ଡିଗ୍ରୀ କେରର୍ଡ କରାଯାଇଛି। କେନ୍ଦୁଝରରେ ୪୨.୭ଡିଗ୍ରୀ, ଚାନ୍ଦବାଲିରେ ୪୨.୨ଡିଗ୍ରୀ, ବାଲେଶ୍ବରରେ ୪୧.୪ଡିଗ୍ରୀ, ରାଉରକେଲାରେ ୪୦.୬ଡିଗ୍ରୀ, ଝାରସୁଗୁଡ଼ାରେ ୩୯.୯ଡିଗ୍ରୀ, ସମ୍ବଲପୁରରେ ୩୯.୪ ଡିଗ୍ରୀ, ହୀରାକୁଦରେ ୩୭.୮ଡିଗ୍ରୀ, ପୁରୀରେ ୩୪.୯ ଡିଗ୍ରୀ, ଗୋପାଳପୁରରେ ୩୪.୨ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ କରାଯାଇଛି।


ଅନ୍ୟପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ତାତି ଓ ଗୁଳୁଗୁଳିରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ନିସ୍ତାର ନାହିଁ। ସାମୁଦ୍ରିକ ବାୟୁର ପ୍ରବାହ ଯୋଗୁ ୨ରୁ ୪ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ସାମାନ୍ୟ କମିପାରେ। ତେବେ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବନି। ଏହାପରେ ତାତି ବଢ଼ିବ ବୋଲି ସେ କରିଛନ୍ତି।

ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ନୂଆପଡ଼ା, ଅନୁଗୁଳ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ସୋନପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ବରଗଡ଼ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହା ସହ କୋରାପୁଟ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।